ରକ୍ଷା ବନ୍ଧନ: ସୁନ୍ଦର ସମ୍ପର୍କର ସୁମଧୁର ଦିନଟିଏ…

ବ୍ୟୁରୋ ରିପୋର୍ଟ: ରେଶମ ଡୋରିରେ ବନ୍ଧା ଦୁଇଟି ଜୀବନ, ଭାଇ ଭଉଣୀର ଏଇ ପବିତ୍ର ବନ୍ଧନ । ହଁ , ଏ ସମ୍ପର୍କର ସଂଜ୍ଞା କହେ ଗୋଟିଏ ସାମାନ୍ୟ ସୂତା । ଏ ସମ୍ପର୍କ ରକ୍ତର ତୂଳୀରେ ଆଙ୍କି ହୋଇଥିବା ଏକ ମୂର୍ମୟୀ ଚିତ୍ର । ଯେଉଁ ଚିତ୍ର ସାରା ଜୀବନ ଚିରନ୍ତନ ସାଜେ । ଏ ସମ୍ପର୍କ ଗୋଟିଏ ବୃକ୍ଷର ଦୁଇଟି ଶାଖା । ଗୋଟିଏ ଭାଇ ତ, ଆଉ ଗୋଟିଏ ଭଉଣୀ । ସବୁଦିନ ଥାଏ ଅଳି ଅଝଟ, ରାଗ ରୂଷା ଆଉ ଭାଗ ବଣ୍ଟା । କିନ୍ତୁ ସବୁ ଭାଗରେ ଥାଏ ଭାଇର ଅଧିକ ଭାଗ । ଆଉ ସେହି ଛୋଟ ଛୋଟ ଭାଗ ହିଁ ଜୀବନର ବଡ଼ ଭାଗକୁ ବି ସହିନିଏ । ଏ ସୁନ୍ଦର ସମ୍ପର୍କର ସୁମଧୁର ଦିନଟିଏ ହେଉଛି ଆଜିର ଦିନ ବା ରକ୍ଷା ବନ୍ଧନ  ।

ଭାଇ ଯେତେ ଦୂରେ ଥାଉ ପଛେ । ସେଦିନ ଭଉଣୀ ହାତରୁ ରାକ୍ଷୀଟିଏ ବାନ୍ଧିବା ପାଇଁ ଛୁଟି ଯାଇଥାଏ । ଆଉ ସେ ଫୁଲେଇ ଭଉଣୀ ବି ଭାଇର ଆସିବା ବାଟକୁ ଚାତକ ପରି ଚାହିଁ ରହିଥାଏ । ଥାଳିରେ ଧୂପ, ଦୀପ, ଫୁଲ ଚନ୍ଦନ ସାଇତି କରି ରଖିଥାଏ । ଆଉ ଭାଇ ପାଇଁ ଗୋଟିଏ ମିଠା ବି ଥୋଇଥାଏ । ଭାଇର ହାତରେ ସିନା ଗୋଟିଏ ରେଶମ ସୂତା ଟିଏ ବାନ୍ଧିଥାଏ । କିନ୍ତୁ ସେହି ସୂତା ସାରା ଜୀବନର ରକ୍ଷା କର୍ତ୍ତା ବୋଲି ସୂଚାଇ ଦିଏ । ଆଜି ବି ଫିକା ପଡିନି ଏହି ପବିତ୍ର ବନ୍ଧନ । ଉତ୍କଳୀୟ ପରମ୍ପରାର ଏହି ଅନ୍ୟନ ନିଦର୍ଶନକୁ ପୁର ପଲ୍ଲୀରେ ଆଜି ବି ସେହି ଢଙ୍ଗରେ ପାଳି ଆସୁଛନ୍ତି ଅଲିଅଳୀ ଭଉଣୀ  ।

ସେପଟେ ପ୍ରତିଟି ଓଡ଼ିଆର ଘରେ ମିଠା ପିଠାର ଆସର ଜମେ । ଚଷା ଭାଇର ଘରଣୀ ବିରି ଚାଉଳକୁ ଏକାଠି କରି ମାଟି ଚୁଲିରେ ପିଠା କରେ । ମାଟିହାଣ୍ଡି ବସାଇ ପିଠଉରେ ମିଠା ପୁର ଦେଇ ପିଠା ପ୍ରସ୍ତତୁ କରେ । ଅନ୍ୟପଟେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ମଧ୍ୟ ଜଡିତ ରହିଛି ଆଜିର ଦିନଟି । କୃଷି ଭିତିକ ରାଜ୍ୟ ଓଡ଼ିଶାର ପରମ୍ପରାକୁ ମଧ୍ୟ ସ୍ପଷ୍ଟ ସୂଚାଇଥାଏ ।

ଆଜିର ଦିନକୁ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ଗୋ ମାତାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବାର ନିଦର୍ଶନ ରହିଛି ।ସବୁ ପରେ ବି ରାକ୍ଷୀ ବାନ୍ଧିଲା ପରେ ସେ ଗେହ୍ଲୀ ଭଉଣୀଟି କହେ, ରାକ୍ଷୀ ବାନ୍ଧିଲି ତୁ ମୋ ରଖିବୁ ମାନ….

Leave a Reply