ନୂଆଦିଲ୍ଲୀ: ପେଗାସସ ଭାଇରସ୍ ମାମଲାରେ ବଢୁଛି ସରକାରଙ୍କ ଅଡୁଆ। ବିରୋଧିଙ୍କ ସହିତ ଏବେ ସହଯୋଗୀ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କଲେଣି। ମୌସୁମୀ ଅଧିବେଶନକୁ ପେଗାସସ ଝଡ ଧୋଇନେଉଥିଲାବେଳେ ଆଜି ସକାଳୁ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି ବିରୋଧି। ରାହୁଲ ଗାନ୍ଧୀଙ୍କ ବାସଭବନରେ ଏକାଠି ହେବେ ୧୪ଟି ଦଳର ନେତା। ଆଗାମୀ ରଣନୀତି ନେଇ ବୈଠକରେ ଆଲୋଚନା ହେବ। ବ୍ରେକଫାଷ୍ଟ ବୈଠକରେ ଜାସୁସୀକାଣ୍ଡର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। କେନ୍ଦ୍ର ସରକାର ଓ ବିରୋଧୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ପାଇଁ ଗୃହରେ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରୁନି। ପ୍ରତ୍ୟେକ ଦିନ ଗୃହକାର୍ଯ୍ୟ ଆରମ୍ଭରୁ ଜାସୁସୀକାଣ୍ଡ ପାଇଁ ସରକାରଙ୍କୁ ଘେରୁଛନ୍ତି ବିରୋଧୀ। କେନ୍ଦ୍ର ସରକାର ଗୃହରେ ଗୋଟିଏ ପରେ ଗୋଟିଏ ବିଲ୍ ପାସ୍ କରିଚାଲିଥିବା ବେଳେ ବିରୋଧୀଙ୍କୁ ଗୁରୁତ୍ୱ ଦେଉନାହାନ୍ତି। ସଙ୍ଗୀନ ଘଟଣାକୁ ହାଲୁକା ଭାବେ ନେଉଛନ୍ତି ସରକାର। ବିରୋଧ ପରେ ବି କାହିଁକି ଏହାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଏପଟେ ବିରୋଧୀଙ୍କ ସ୍ୱରରେ ତାଳ ମିଳାଇଛନ୍ତି ସହଯୋଗୀ। ବିହାର ମୁଖ୍ୟମନ୍ତ୍ରୀ ତଥା ଏନଡିଏର ସହଯୋଗୀ ନୀତୀଶ କୁମାର ସରକାରଙ୍କୁ ଘେରିଛନ୍ତି।
ଖୋଲିଲା ସପିଂ ମଲ ଓ ଖୋଲିବ ସିନେମା ହଲ, ତଦାରଖ ପାଇଁ ଗଠିତ ବିଏମ୍ସିର ସ୍ୱତନ୍ତ୍ର ଟିମ୍
ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟି ଅନ୍ଲକ୍ ହେଲା ଓଡ଼ିଶା । ସ୍ୱାଭାବିକ ହେବ ସବୁକିଛି । ତଥାପି ରହିଛି କଟକଣା । ଦ୍ୱୈତନଗରରୀ ବଳବତ୍ତର ରହିଛି ସପ୍ତାହାନ୍ତ ସଟ୍ଡାଉନ୍ । ଅନୁମତି ମିଳିବା ପରେ ଖୋଲିଛି ସପିଂ ମଲ । ଖୁବଶୀଘ୍ର ଖୋଲିବ ସିନେମା ହଲ । ସପ୍ତାହନ୍ତ ସଟ୍ଡାଉନ୍ ପରେ ରାଜଧାନୀ ଭୁବନେଶ୍ୱର ଆଜି ଚଳଚଞ୍ଚଳ । ମନେହେଉଛି ସ୍ୱାଭାବିକ ଅବସ୍ଥାକୁ ଫେରିଲା ସ୍ମାର୍ଟସିଟି । ଦୋକାନ ବଜାର ସବୁ କିଛି ଖୋଲା । ତେବେ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ମାର୍ଗଦର୍ଶିକା ପାଳନ କରିବାକୁ । ସପିଂ ମଲଗୁଡିକୁ ଖୋଲିବାକୁ ଯଦିଓ ଅନୁମତି ଦିଆଯାଇଛି ତେବେ କିଛି କଟକଣା ବି ଜାରି କରାଯାଇଛି । ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଉଭୟ ଡୋଜ୍ ଟିକାର ସାର୍ଟିଫିକେଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିବାରୁ କୋଭିଡ କଟକଣାର ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବାକୁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ନିୟମିତ ଚଢାଉ କରି ରିପୋର୍ଟ ଦେବାକୁ ସବୁ ଟିମ୍କୁ ନିର୍ଦେଶ ଦିଆଯାଇଥିବା ଅତିରିକ୍ତ କମିଶନର କହିଛନ୍ତି । ଦିର୍ଘ ୩ମାସ ପରେ ପୁଣି ଖୋଲିଛି ସପିଂ ମଲ । ଭୁବନେଶ୍ୱରର ସବୁ ମଲ୍ରେ ଦେଖିବାକୁ ମିଳିଛି ଭିଡ଼ । କୋଭିଡ କଟକଶଣା ସହିତ ସରକାରଙ୍କ ମାର୍ଗଦର୍ଶିକା ପ୍ରକାରେ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ, ଡବଲ ଡୋଜ୍ ସାର୍ଟିଫିକେଟ ସବୁ ଉପରେ ଦିଆଯାଉଛି ଗୁରୁତ୍ୱ । ଦୀର୍ଘ ଦିନ ବ୍ୟବଧାନରେ ମଲ ଖୋଲିଥିବାରୁ ମଲର କର୍ମଚାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ସରକାରଙ୍କ ନିଷ୍ପତ୍ତିକୁ କରିଛନ୍ତି ସ୍ୱାଗତ । ସେପଟେ କିନ୍ତୁ ଅନୁମତି ସତ୍ତ୍ୱେ ଖୋଲିପାରିନି ସିନେମା ହଲ । କୌଣସି ନୂଆ ସିନେମା ରିଲିଜ ପାଇଁ ନଥିବା କାରଣରୁ ଗୁରୁବାର ଠାରୁ ସିନେମା ହଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସିନେମା ହଲ ମାଲିକ । ମୋଟ କ୍ଷମତାର ୫୦ଭାଗ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ ବୋଲି କହିଛନ୍ତି ସିନେମା ହଲ କର୍ତ୍ତୃପକ୍ଷ । ସିନେମା ହଲ, ମଲ ସହିତ ଖୋଲିଛି ପାର୍କ ଓ ରେଣ୍ଟୁରାଣ୍ଟ । ହେଲେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ କୌଣସି ନିତିଗତ ନିଷ୍ପତ୍ତି ହୋଇନାହିଁ ।
ଏଥିସହିତ ପଢ଼ନ୍ତୁ: ଅଗଷ୍ଟରେ ଆସିବ କରୋନାର ତୃତୀୟ ଲହର: ଓଡ଼ିଶା ନେଇ କିଛି ଏଭଳି କହିଲେ ବିଶେଷଜ୍ଞ
ଏଣିକି ମୋବାଇଲରେ ପାଇପାରିବେ ଓଡ଼ିଶା ହାଇକୋର୍ଟଙ୍କ ବିଭିନ୍ନ ସୁବିଧା
କଟକ: ଏଣିକି ମୋବାଇଲରେ ପାଇପାରିବେ ଓଡ଼ିଶା ହାଇକୋର୍ଟ ସେବା । ଏ ନେଇ ଆଜିଠାରୁ ଆରମ୍ଭ ହୋଇଛି ମୋବାଇଲ ଆପ୍ ସେବା । ଯାହା ଗୁଗୁଲ ପ୍ଳେ ଷ୍ଟୋର ଏବଂ ଆପଲ ଆପ୍ରେ ମଧ୍ୟ ଉପଲବ୍ଧ । ବ୍ୟବହାରକାରୀ OrissaHighCourteService ସର୍ଚ୍ଚ କରି ଆପକୁ ଡାଉନଲୋଡ କରିପାରିବେ । ଓକିଲମାନେ ଏହି ଆପ୍କୁ ଡାଉନଲୋଡ କରିପାରିବେ । ଯାହା ସହୟତାରେ ସେମାନେ ନୂଆ କେସ୍, କେସ୍ ଷ୍ଟାଟସ୍, ସାର୍ଟିଫିକେଟ୍ କପି ଷ୍ଟାଟସ୍, ମାଇ ଡାଏରୀ ଭଳି ସୁବିଧା ପାଇପାରିବେ । ତେବେ ଆପର ବ୍ୟବହାର ନେଇ ବିସ୍ତୃତ ଭାବେ https://www.orissahighcourt.nic.in/ରେ ଜାଣିପାରିବେ ।
ଏଥିସହିତ ପଢ଼ନ୍ତୁ: ଅଗଷ୍ଟରେ ଆସିବ କରୋନାର ତୃତୀୟ ଲହର: ଓଡ଼ିଶା ନେଇ କିଛି ଏଭଳି କହିଲେ ବିଶେଷଜ୍ଞ
ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପ୍ କଲେ ଓଡ଼ିଆ ଝିଅ ଅମ୍ରିତା
ଭୁବନେଶ୍ୱର: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଓଡ଼ିଆ ଝିଅଙ୍କ କୃତିତ୍ୱ । ମୋଟ ୫୦୦ ମାର୍କକୁ ୪୯୯ ମାର୍କ ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା । ସେ ସମସ୍ତ ବିଷୟରେ A-1 ଗ୍ରେଡ୍ ରଖି ପାସ୍ କରିଛନ୍ତି । ଅମ୍ରିତାଙ୍କ ପିତା ହେଉଛନ୍ତି ଅମିୟ କୁମାର ଏବଂ ମାଆ ହେଉଛନ୍ତି ମୀତା ରାଣୀ । ସେମାନେ ନୋଏଡାରେ ରହୁଥିବା ବେଳେ ଝିଅ ନୋଏଡ ସେକ୍ୱର ୨୭ ସ୍ଥିତ କ୍ରେମ୍ୱ୍ରିଜ୍ ସ୍କୁଲରେ ପାଠ ପଢ଼ନ୍ତି । ପିତା ଅମିତ ଆଇଓସିଏଲ୍ରେ ଜେନେରାଲ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ନବୋଦୟ ବିଦ୍ୟାଳୟ ସମିତିର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରନ୍ତି । ତେବେ ଅମ୍ରିତ ଆଗକୁ ଜଣେ ଅର୍ଥନୀତିଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଏଣୁ ସେ ଅର୍ଥନୀତି ସମ୍ମାନ ସହ ନିଜ ଉଚ୍ଚତର ଶିକ୍ଷା ଶ୍ରୀରାମ ବାଣିଜ୍ୟ ମହାବିଦ୍ୟାଳୟରେ ପୂରା କରିବାକୁ ଯୋଜନା କରିଛନ୍ତି ।
ତେବେ ଅମ୍ରିତା ପାଠ ପଢ଼ା ସହ ସମାଜିକ କାର୍ଯ୍ୟରେ ମଧ୍ୟ ରୁଚି ରଖନ୍ତି । ସେ ପଢ଼ୁଥିବା ସ୍କୁଲରେ ବାୟାନ ନାମକ କ୍ଳବ୍ ଗଠନ କରିଛନ୍ତି । ଆଉ ଏହି କ୍ଳବ୍ର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ କରୋନା ରୋଗୀଙ୍କୁ ସାହାଯ୍ୟ କରିଥାନ୍ତି । ତେବେ ଅମ୍ରିତାଙ୍କ ପିତା ମାତା କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭରର ମୂଳ ବାସିନ୍ଦା । ତେବେ ଅମ୍ରିତା ଓଡ଼ିଶା ବାହାରେ ରହୁଥିଲେ ମଧ୍ୟ ଜଣେ ଓଡ଼ିଆ ଭାବେ ସେ ବେଶ ଗର୍ବିତ । ତାଙ୍କ ପିତା ମାତା ଓଡ଼ିଶା ସୋସିଆଲ ଆଣ୍ଡ କଲଚର ଆସୋସିଏସନ୍ର ସକ୍ରିୟ ସଦସ୍ୟ ରହିଥିବା ବେଳେ ଓଡ଼ିଶାର କଳା ସଂସ୍କୃତି ପ୍ରଚାର ପ୍ରସାର ଦିଗରେ ସର୍ବଦା ତତ୍ପରତାର ସହ କାର୍ଯ୍ୟ କରିଆସୁଛନ୍ତି ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ହେଲେ ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀ
ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ତଥା ସଭାପତି ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା) ଭାବେ କାର୍ଯ୍ୟ କରୁଛନ୍ତି । ୧୯୮୦ ବ୍ୟାଚ କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ହେଉଛନ୍ତି ଉପେନ୍ଦ୍ର ତ୍ରିପାଠୀ । ପୂର୍ବରୁ ଆଦର୍ଶ ବିଦ୍ୟାଳୟ ସଂଗଠନ ନେଇ ତାଙ୍କର ଅଭିଜ୍ଞତା ରହିଛି । କର୍ଣ୍ଣାଟକରେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଜୁନ୍ ୩ ତାରିଖରେ ତତ୍କାଳୀନ ଉପଦେଷ୍ଟ ବିଜୟ କୁମାର ସାହୁଙ୍କ କରୋନାରେ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା ।
ଏଥିସହିତ ପଢ଼ନ୍ତୁ: ମହିଳା ଏବଂ ପୁରୁଷ ହକିର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ସାମ୍ବାଦିକ ରାଜଦୀପ ସରଦେଶାଇ
ଗୁଣିଗାରେଡ଼ି ସନ୍ଦେହରେ ୩ଜଣଙ୍କୁ ହତ୍ୟା: ମୃତଦେହକୁ ନଦୀରେ ଫିଙ୍ଗିଦେଲେ ଲୋକେ
ଅନୁଗୁଳ: ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ ଗାଁ ଲୋକେ । ୪ ଦିନ ପରେ ମୃତଦେହ ଉଦ୍ଧାର କରି ଘଟଣାର ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା କୁଞ୍ଜମ ଗ୍ରାମରେ । ଗତ ୩୦ତରିଖ ଦିନ ଗାଁର ଢିପାସାହି ସ୍ଥିତ ବୁଧୁ ଚାତାର ଏବଂ ମୁନି ଚାତାରଙ୍କ ଘରକୁ ତାଙ୍କ ସମ୍ପର୍କୀୟ ମୋତେଇ ଗାଗରାଇ କୌଣସି କାମରେ ଆସିଥିବାବେଳେ ଗାଁର କିଛି ଯୁବକ ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ । ପରେ ସେମାନଙ୍କୁ ଜଙ୍ଗଲ ଆଡକୁ ନେଇଯାଇଥିବା ବୁଧୁଙ୍କ ସ୍ତ୍ରୀ ଖମାର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଗତ ୧ ତାରିଖରେ ବୁଧୁଙ୍କ ମୃତଦେହ ଗାଁ ଠାରୁ ୫ କିମି ଦୂର ସମାକୋଇ ନଦୀ କୁଳରୁ ଉଦ୍ଧାର କରିଥିଲା । ଆଜି ମୋତେଇଙ୍କ ମୃତଦେହ ସମଲ ଥାନା ଗହମ ଗ୍ରାମ ନିକଟ ନଦୀ ପଠାରୁ ଉଦ୍ଧାର କରିଛି ପୋଲିସ । ତେବେ ମୁନି ଚାତାରଙ୍କ ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଘଟଣାରେ ପୋଲିସ ଗ୍ରାମର ଦୁଇଜଣ ନାବାଳକଙ୍କ ସହ ମୋଟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାଥମିକ ତଦନ୍ତରୁ ଏହା ଗୁଣିଗାରେଡି ଜନିତ ହତ୍ୟା ବୋଲି କହିଛି ପୋଲିସ୍ । ଗ୍ରାମର ଜଣେ ଯୁବକଙ୍କ କିଛିଦିନ ତଳେ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ବୁଧୁ ଏବଂ ମୁନି ଗୁଣିଗାରେଡି କରି ତାଙ୍କୁ ମାରିଥିବା ଲୋକେ ସନ୍ଦେହ କରିଥିଲେ ।
ଏଥିସହିତ ପଢ଼ନ୍ତୁ: କୁବେର ପିଏସ୍ ବିରଞ୍ଚି ସାହୁ ନିଲମ୍ୱିତ
ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିର ଖୋଲିବାକୁ ସେବାୟତଙ୍କ ଦାବି
ଚଣ୍ଡିଖୋଲ: ସ୍ଥାନୀୟ ପ୍ରଶାସନର ଅନୁମତି ପରେ ଖୋଲିବ ମନ୍ଦିର । ଏ ନେଇ ଅଗଷ୍ଟ ଗାଇଡଲାଇନ୍ରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଉ ଏହା ପରେ ଯାଜପୁର ଜିଲ୍ଲାର ପ୍ରମୁଖ ଶୈବ ପୀଠ ମହାବିନାୟକ ଶୈବ ପୀଠ ସର୍ବସାଧାରଣଙ୍କ ନିମନ୍ତେ ଖୋଲିବା ପାଇଁ ସେବାୟତମାନେ ଦାବି କରିଛନ୍ତି । କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ମନ୍ଦିର ଗୁଡିକ ଦୀର୍ଘ ଦିନ ଧରି ବନ୍ଦ ରହିଛି । ଯେଉଁଥି ପାଇଁ ଭକ୍ତକୁ ମନ୍ଦିର ଆସିବା ପାଇଁ ବାରଣ କରାଯାଇଛି. ମନ୍ଦିର ପରିସର ଖାଁ ଖାଁ ହୋଇ ପଡିଛି । ବର୍ଷ ବର୍ଷ ଧରି ମନ୍ଦିର ଦାନ ଦକ୍ଷୀଣାରେ କରି ନିଜ ପରିବାର ଚଳାଉ ଥିବା ସେବାୟତ ମାନେ ଆର୍ଥିକ ସଂକଟରେ ଗତି କରୁଛନ୍ତି । ଭକ୍ତ ନଆସିବାରୁ ମନ୍ଦିର ଓ ସେବାୟତ ଉଭୟ ପ୍ରଭାବିତ ହେଉଛନ୍ତି । ଏହା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଭକ୍ତମାନେ ମନ୍ଦିର ବାହାରୁ ଦର୍ଶନ କରି ଫେରୁଛନ୍ତି ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ରହି ଥିବାରୁ ଉଭୟ ସେବାୟତ ଓ ଭକ୍ତମାନେ ମନ୍ଦିର ଖୋଲିବା ପାଇଁ ଦାବି କରିଛନ୍ତି । ଆସନ୍ତା ବୁଧବାର ଦିନ ଯାଜପୁର ମା ବିରଜା ଙ୍କ ମନ୍ଦିର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିବା ବେଳେ ମହାବିନାୟକ ମନ୍ଦିର ଖୋଲିବାକୁ ପ୍ରଶାସନ ଅନୁମତି ଦେବ ବୋଲି ଆଶାବ୍ୟକ୍ତ କରିଛନ୍ତି ସେବାୟତ ।


