‘୨ କି ୪ ଫୁଟ ହେଉ ପଛେ ଆମ ଭକ୍ତି ରହୁ, ମୁମ୍ୱାଇ ଗଣେଶ ପୂଜାରେ ମଧ୍ୟ ମୂର୍ତ୍ତିର ଉଚ୍ଚତା କମିଛି’

1 min read

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତା ସହ ସଂକ୍ରମଣର ସିଧାସଳଖ ସମ୍ପର୍କ ନାହିଁ । ମାତ୍ର ଏହାଦ୍ୱାରା ଲୋକଙ୍କ ଭିଡ଼ ବଢିବାର ଆଶଙ୍କା ରହିଛି । ଭିଡ଼ ବଢ଼ିଲେ ସଂକ୍ରମଣ ବଢ଼ିପାରେ । ଏଣୁ ଅନ୍ୟ ରାଜ୍ୟମାନେ ମଧ୍ୟ ମୂର୍ତ୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି । ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଏବଂ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାର ପାଳନ କରିବାର ଆବଶ୍ୟକତା ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ମିଳିତ ସାମ୍ୱାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି ।

ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଯଦିଓ ସଂକ୍ରମଣ କମିଛି ତଥାପି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କିଛି ରାଜ୍ୟରେ ସଂକ୍ରମଣ ଏବେ ବି ଅଧିକ ରହିଛି । ପୂର୍ବ ଥର ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ବଢି ଚାରି ଆଡ଼କୁ ବ୍ୟାପି ଯାଇଥିଲା । ଆଗକୁ ପାର୍ବଣ ଋତୁ ରହିଛି । ତେଣୁ ଆମେ ଏମିତି ଭୁଲ କରିବା ନାହିଁ ଯାହାଦ୍ୱାରା ସଂକ୍ରମଣ ପୁଣି ବଢ଼ିବ । ତେଣୁ କଟକଣା ମାନନ୍ତୁ । ପ୍ରଥମେ ଶରୀରକୁ ଦେଖନ୍ତୁ ପରେ ଧର୍ମ ପାଳନ କରିବା ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ସହ ସଂକ୍ରମଣର ଯଦିଓ ସିଧାସଳଖ ସମ୍ପର୍କ ନାହିଁ । ମାତ୍ର ଏହାଦ୍ୱାରା ଲୋକଙ୍କ ଭିଡ଼ ବଢିବାର ସମ୍ଭାବନା ରହିବ । ଅନ୍ୟ ରାଜ୍ୟ ମାନେ ମଧ୍ୟ ମୂର୍ତ୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି । ମୂର୍ତ୍ତି ବଡ଼ ହେଲେ ଲୋକେ ଆକର୍ଷିତ ହେବେ ଭିଡ଼ କରିବେ । ତେଣୁ ଆମେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି ।

ମୂର୍ତ୍ତି ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ । ମୂର୍ତ୍ତି ଉଚ୍ଚତା ହେଲେ ଅନ୍ୟାନ୍ୟ ଜିନିଷ ବି ବଢ଼ିବ । ମହାରାଷ୍ଟ୍ର ମଧ୍ୟ ଗଣେଷ ପୂଜାରେ ତାହାର ମୂର୍ତ୍ତି ଉଚ୍ଚତା କମାଇଛି । ଓନମ ପର୍ବ ଦ୍ୱାରା କେରଳରେ ସ୍ଥିତି କଣ ହେଲା ସମସ୍ତେ ଜାଣନ୍ତି । ମୂର୍ତ୍ତି ଉଚ୍ଚତା ୨ କି ୪ ଫୁଟ ହେଉ ପଛେ ଆମର ଭକ୍ତି ରହୁ । ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବେ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।

ଏଥିସହିତ ପଢ଼ନ୍ତୁ: ସୁନ୍ଦରଗଡ଼ରେ BSKY ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାର ଯେଉଁ କୋଭିଡ ଗାଇଡ଼ ଲାଇନ ଜାରି କରିଛନ୍ତି ତାହାକୁ ସମସ୍ତେ ପାଳନ କରନ୍ତୁ । କରୋନା ପାଇଁ ଅକାଳରେ ଆମେ ଅନେକ ଲୋକଙ୍କୁ ହରାଇଛୁ । ଗତକାଲି ମଧ୍ୟ ଆମର ଜଣେ ଡାକ୍ତର ଭାଇଙ୍କୁ ହରେଇଛୁ । ଅନେକ ସାଧାରଣ ଲୋକ, ସାମ୍ବାଦିକ ଓ ଡାକ୍ତରଙ୍କୁ ଅକାଳରେ ହରାଇଛୁ । ଆଉ ହରାଇବାକୁ ଦିଅନ୍ତୁ ନାହିଁ । ଆପଣ ମାନେ ଯଦି କୋଭିଡ ଗାଇଡ଼ ଲାଇନ ପାଳନ କରିବେ ନାହିଁ ତେବେ ପୁଣି ଥରେ ଆମେ ପୂର୍ବ ସ୍ଥିତି କୁ ଫେରିବାର ଆଶଙ୍କା ପ୍ରକାଶ କରିଛି ସ୍ଵାସ୍ଥ୍ୟ ବିଭାଗ ।

Leave a Reply