ମହିଳାଙ୍କୁ ଅଧିକାର ଦେବାକୁ ତାଲିବାନ ଅମଙ୍ଗ, ବୁର୍ଖାରେ ବି ଅଫିସ ଆସିବାକୁ ମନା

1 min read

କାବୁଲ: କଠୋର ହେଉଛି ତାଲିବାନ । ବୁର୍ଖାରେ ବି ଅଫିସ ଆସିପାରିବେନି ମହିଳା । ପୁରୁଷଙ୍କ ସହ ମହିଳା ଏକାଠି କାମ କରିବା ଉପରେ ତାଲିବାନର ଆପତ୍ତି । ୟୁନିଭରସିଟିରେ ପାଠ ପଢ଼ି ପାରିବେନି ମହିଳା । ସରକାର ଗଠନ ପୂର୍ବରୁ ମହିଳାଙ୍କୁ ସବୁକ୍ଷେତ୍ରରେ ଅଧିକାର ଦିଆଯିବ ବୋଲି ତାଲିବାନ କହିଥିବା ବେଳେ ଏବେ ନିଜ କଥାରୁ ଓହରି ଯାଇଛି । ସାରା ଦେଶରେ ସରିଆ ଆଇନ ଲାଗୁ କରାଯିବ ବୋଲି ତାଲିବାନର ସିନିୟର କମାଣ୍ଡର ବହିଦୁଲ୍ଲହା ହାସମୀ କହିଛନ୍ତି । ମହିଳାଙ୍କୁ ଅଧିକାର ପ୍ରଦାନ କରିବାକୁ ବିଭିନ୍ନ ଦେଶରୁ ଦାବି ହେଉଥିଲେ ବି ସରିଆ ଆଇନ ହିସାବରେ ସବୁ ନିଷ୍ପତ୍ତି ନିଆଯିବ ବୋଲି ତାଲିବାନ କହିଛି । ସରିଆ ଆଇନ ମହିଳା-ପୁରୁଷଙ୍କୁ ଏକାଠି ବସିବାକୁ, କାମ କରିବାକୁ ଅନୁମତି ଦିଏନାହିଁ । ଆଫଗାନିସ୍ତାନରେ ସରିଆ ଆଇନ ଲାଗୁ କରିବା ପାଇଁ ଆମେ ୪୦ବର୍ଷ ସଂଘର୍ଷ କରିଛୁ ବୋଲି ତାଲିବାନ ସିନିୟର କମାଣ୍ଡର କହିଛନ୍ତି ।

ସେପଟେ ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ବ୍ୟାଙ୍କ ବନ୍ଦ ଯୋଗୁ ଟଙ୍କା ଉଠି ପାରୁନ ଥିବା ବେଳେ କାମ ଧନ୍ଦା ବନ୍ଦ ପଡ଼ିଛି । ସ୍ଥିତି ଏମିତି ଯେ, ଲୋକଙ୍କ ପାଖରେ ଖାଇବା ପାଇଁ କିଛି ନାହିଁ । ପରିବାର ଚଳାଇବା ପାଇଁ ଲୋକମାନେ ଘରର ଆସବାବପତ୍ର ବିକ୍ରି କରୁଥିବା ଦେଖାଯାଇଛି । କାବୁଲଠାରେ ଥିବା ଏକ ମାର୍କେଟରେ ଲୋକମାନେ ବେଡ୍, ଫର୍ନିଚର ଜିନିଷ ଓ କେତେଲୋକ ରୋଷେଇ ଘରର ସାମଗ୍ରୀ ବିକ୍ରି କରିଦେଉଛନ୍ତି ।

ଆଫଗାନିସ୍ତାନରେ ତାଲିବାନ ସରକାର ଗଢ଼ିବା ପରେ ଆଫଗାନବାସୀଙ୍କୁ ସହାୟତା ଦେବାକୁ ଘୋଷଣା କରିଛି ଆମେରିକା । ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ ଗ୍ରାନଫିଲ୍ଡ କହିଛନ୍ତି ଆମେରିକା ଆଫଗାନ ଜନତାଙ୍କ ପାଇଁ ୬୪ ମିଲିୟନ ଡଲାର ପାଖାପାଖି ୪୭୦ କୋଟି ଟଙ୍କା ମାନବିକ ସହାୟତା ଦେବ । ଆମେରିକା ପୂ୍ର୍ବରୁ ଜାତିସଂଘ ମୁଖ୍ୟ, ନ୍ୟୁଜିଲାଣ୍ଡ, ଜର୍ମାନୀ ଓ ଚୀନ ଆଫଗାନିସ୍ତାନକୁ ସହାୟତା ପ୍ରଦାନ କରିଛନ୍ତି । ହେଲେ ଭାରତ ଏ ପର୍ଯ୍ୟନ୍ତ କୌଣସି ସହାୟତା ଘୋଷଣା କରିନାହିଁ ।

Leave a Reply