spot_img
Home Blog Page 5356

ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବୋମା ରଖିବା ଘଟଣା, ଅଖତାର ଠାରୁ ଜବତ ହୋଇଥିବା ଦୁଇଟି ମୋବାଇଲ ଫୋନକୁ ହେପାଜତକୁ ନେଲା ଏନଆଇଏ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବୋମା ଠାବ ମଲା। ଇଣ୍ଡିଆନ ମୁଜାହିଦ୍ଦିନ ମୁଖ୍ୟ ତଥା ମୁଖ୍ୟ ଅଭିଯୁକ୍ତ ତେହସିନ ଅଖତାର ନିକଟରୁ ଜବତ ହୋଇଥିବା ଦୁଇଟି ମୋବାଇଲ ଫୋନକୁ ହେପାଜତକୁ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ବର୍ତ୍ତମାନ ଅଖତାର ତିହାର ଜେଲରେ ରହିଛି। ସେ ଏହି ଦୁଇଟି ଆଣ୍ଡ୍ରଏଡ ଫୋନ ସମ୍ପର୍କରେ ସ୍ୱୀକାର କରିଛି। ମାତ୍ର ଏହା ଜରିଆରେ କୌଣସି ମେସେଜକୁ ସେୟାର କରିନାହିଁ ବୋଲି କହିଥିଲା। ଅମ୍ବାନୀଙ୍କ ଘର ଆଗରେ ରହିଥିବା ଏସୟୁଭିରେ ବୋମା ରଖିବା ଘଟଣାରେ ଆତଙ୍କବାଦୀ ସଂଗଠନ ଜୈସ ଉଲ ହିନ୍ଦ ନାମକ ଏକ ସଂଗଠନର ହାତ ରହିଛି ବୋଲି ମେସେଜରେ ଦାବି କରାଯାଇଥିଲା। ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ନିକଟରୁ ଏନଆଇଏ ଏହି ଫୋନ ସଂଗ୍ରହ କରି ଅଧିକ ତଦନ୍ତ ଜାରି ରଖିବା ସହ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରଖିଛି। ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ ଲାଗି ଅନୁମତି ମଗାଯିବା ସହ ପ୍ରତିଷ୍ଠାତା ୟାସିନ ଭଟକଲ ଗିରଫ ହେବା ପରେ ଇଣ୍ଡିଆନ ମୁଜାହିଦ୍ଦିନ ସଂଗଠନର ଦାୟିତ୍ୱ ନେଇଛି ଅଖତାର। ୨୦୧୧ ମୁମ୍ବାଇ ବିସ୍ଫୋରଣ ମାମଲାରେ ଭଟକଲର ବି ସମ୍ପୃକ୍ତି ଥିଲା। ତିହାର ଜେଲରେ ଦିଲ୍ଲୀ ପୋଲିସର ରେଡ ବେଳେ ବାରାକ ଭିତରୁ ଅଖତାରର ଦୁଇଟି ଫୋନ ଜବତ ହୋଇଥିଲା।

କରୋନାକୁ ନେଇ ବଡ଼ ଖବର, ସଂକ୍ରମିତଙ୍କ ଲୁହ ଦ୍ୱାରା ବି ବ୍ୟାପିପାରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ: କୋଭିଡ ରୋଗୀଙ୍କ ଲୁହ ଜରିଆରେ ବି ସଂକ୍ରମିତ କରିପାରେ କରୋନା ଭାଇରସ। କେତେକ ସଂକ୍ରମିତ ରୋଗୀଙ୍କ ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି। ତେବେ ନିଶ୍ୱାସ ପ୍ରଶ୍ୱାସ ଜନିତ ଜଳୀୟ ବିନ୍ଦୁ ବା ଡ୍ରପଲେଟ ସଂକ୍ରମଣର ପ୍ରାଥମିକ କାରଣ ବୋଲି ଅନୁସନ୍ଧାନରୁ ଜଣାଯାଇଛି। ପଞ୍ଜାବ ଅମୃତସରସ୍ଥିତ ସରକାରୀ ମେଡିକାଲ କଲେଜ ପକ୍ଷରୁ କରାଯାଇଥିବା ଗବେଷଣାରେ କୁହାଯାଇଛି, ଚକ୍ଷୁର ଏକ ଅବସ୍ଥା ଆସିଥାଏ ଯାହାକୁ ଅକୁଲାର ମାନିଫେଷ୍ଟେସନ କୁହାଯାଏ। ଶରୀରର ଅନ୍ୟ କୌଣସି ଅଙ୍ଗର କାରଣ ଥିବା ରୋଗ ଜରିଆରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଏହା ଚକ୍ଷୁକୁ ସଂକ୍ରମିତ କରିଥାଏ। ଦୃଷ୍ଟିଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ। ପ୍ରାୟ ୧୨୦ ଜଣ ରୋଗୀଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଥିଲା ଯେ ୬୦ ଜଣ ରୋଗୀଙ୍କୁ ଅକୁଲାର ମାନିଫେଷ୍ଟେସନ ହୋଇଛି। ଅନ୍ୟ ୬୦ଜଣକ କ୍ଷେତ୍ରରେ ଏହା ଦେଖାଯାଇ ନଥିଲା। ପ୍ରାୟ ୩୭ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ମଧ୍ୟମ ଧରଣର କୋଭିଡ ସଂକ୍ରମଣ ପରିଲକ୍ଷିତ ହୋଇଥିବା ବେଳେ ୬୩ ପ୍ରତିଶତଙ୍କ କ୍ଷେତ୍ରରେ ଗୁରୁତର କୋଭିଡ ସଂକ୍ରମଣ ହୋଇଥିଲା। ଲୁହର ଆରଟିପିସିଆର ଟେଷ୍ଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୭.୦୫ ପ୍ରତିଶତ ରୋଗୀ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ସେମାନଙ୍କ ମଧ୍ୟରୁ ୧୧ଜଣ ରୋଗୀ ଅକୁଲାର ମାନିଫେଷ୍ଟେସନରେ ପୀଡିତ ଥିବା ବେଳେ, ୧୦ ଜଣ ରୋଗୀଙ୍କ ନିକଟରେ ଏହା ଦେଖାଯାଇ ନଥିଲା। ଏହି ପ୍ରମାଣ ମିଳିବା ପରେ ରୋଗୀଙ୍କୁ ଦେଖିବା ସମୟରେ ସତର୍କତା ଅବଲମ୍ବନ କରିବା ଲାଗି ଚକ୍ଷୁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି।

ପେଗାସସ ପ୍ରସଙ୍ଗର ଭିନ୍ନ ମୋଡ, ତିନି ଜଣ ସାମ୍ବାଦିକଙ୍କ ଫୋନରେ ଠାବ ହେଲା ସ୍ପାଇଓ୍ୱେୟାର

ନୂଆଦିଲ୍ଲୀ: ପେଗାସସ ପ୍ରସଙ୍ଗର ଭିନ୍ନ ମୋଡ। ଫ୍ରାନ୍ସର ତିନି ଜଣ ସାମ୍ବାଦିକଙ୍କ ଫୋନରେ ସ୍ପାଇଓ୍ୱେୟାର ଠାବ ହୋଇଛି ବୋଲି କହିଛି ଫ୍ରାନ୍ସର ଗୁଇନ୍ଦା ସଂସ୍ଥା।  ପେଗାସସ ଜରିଆରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇରାକ ରାଷ୍ଟ୍ରପତି ବାରହମ ସାଲି ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସାଇରିଲ ରାମୋଫାସାଙ୍କୁ ଟାର୍ଗେଟ କରାଯାଇଥିଲା। ଏହା ସହ ଦେଶ ବିଦେଶର ଅନେକ ରାଜନେତା, ମନ୍ତ୍ରୀ, ବିଚାରପତି, ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଥିବା ଖବର ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। କିଛି ଦିନ ଧରି ପେଗାସସ ମାମଲା ତମ୍ବି ତୋଫାନ ସୃଷ୍ଟି କରିବା ପରେ ପ୍ରଥମ ଥର ଲାଗି ଫ୍ରାନ୍ସ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୩ ଜଣ ସାମ୍ବାଦିକଙ୍କ ଫୋନରୁ ଏହି ସ୍ପାଇଓ୍ୱେୟାର ଠାବ ହୋଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଫ୍ରାନ୍ସର ଆନ୍ତର୍ଜାତିକ ଟେଲିଭିଜନ ଷ୍ଟେସନ ଫ୍ରାନ୍ସ ୨୪ର ଜଣେ ବରିଷ୍ଠ ସଦସ୍ୟ। ଫ୍ରାନ୍ସର ନ୍ୟାସନାଲ ଏଜେନ୍ସି ଫର ଇନଫର୍ମେସନ ସିଷ୍ଟମସ ସିକ୍ୟୁରିଟି ବା ଆନସି ପକ୍ଷରୁ କରାଯାଇଥିବା ଡିଜିଟାଲ ଟ୍ରେସିଂରୁ ଜାସୁସୀ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଛି। ଫ୍ରାନ୍ସ ୨୪ର ସାମ୍ବାଦିକ, ଫ୍ରାନ୍ସର ଅନୁସନ୍ଧାନଧର୍ମୀ ଓ୍ୱେବସାଇଡ ମିଡିଆ ପୋର୍ଟର ସାମ୍ବାଦିକ ଲେନେଗ ବ୍ରେଡକ୍ସ ଓ ଏହି ଓ୍ୱେବସାଇଟର ନିର୍ଦ୍ଦେଶକ ଏଡି ପ୍ଲେନେଲଙ୍କ ଫୋନରୁ ଏହି ସ୍ପାଇଓ୍ୱେୟାର ଠାବ ହୋଇଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲେନେଗ ବ୍ରେଡକ୍ସ। ସେ କହିଛନ୍ତି ଏହା ମିଥ୍ୟା ଏବଂ ସେ ଜାସୁସୀ କରିଥିବା ନେଇ ପ୍ରମାଣ ଆବଶ୍ୟକ। ଜାସୁସୀଗିରି କରୁଥିବା ସନ୍ଦେହରେ ଫ୍ରାନ୍ସ ୨୪ ସାମ୍ବାଦିକଙ୍କ ଫୋନକୁ ମେ ୨୦୧୯, ସେପ୍ଟେମ୍ବର ୨୦୨୦ ଓ ଜାନୁଆରୀ ୨୦୨୧ରେ ଟାର୍ଗେଟ କରାଯ଼ଇଥିଲା।

ମୁଗୁନି ପଥର ଖଣିରେ ରାତି ଅଧିଆ ଚଢାଉ, ବେଆଇନ ଭାବେ ଚାଲାଣ ହେଉଥିଲା ଶହ ଶହ ଟ୍ରକ୍‌ ପଥର

ଟାଙ୍ଗୀ: ଟାଙ୍ଗୀ ବେଆଇନ କଳା ମୁଗୁନି ପଥର ଖଣିରେ ରାତି ଅଧିଆ ଚଢାଉ। ରେଡ୍‌ ବେଳେ ଛତ୍ରଭଙ୍ଗ ଦେଲେ ଖଣି ମାଫିଆ। ଗୋଟିଏ ପୋକଲିନ୍ ମେସିନ୍ ସହ ୨ଟି ଟ୍ରାକ୍ଟର କଂପ୍ରେସର ଜବତ କରିଛି ରେଡ କରିଥିବା ଦଳ। ଧରାପଡ଼ିଥିବା ୬ ଜଣଙ୍କୁ ଅଟକ ରଖାଯାଇଛି। ଜବତ ପୋକଲିନ୍‌ର ମୁଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।

କୟଠପଲା  ନିକଟ ବ୍ରୁଷବନ୍ଧ ପାହାଡର ୭ନମ୍ବର ଖଣିରେ ହୋଇଛି ଚଢାଉ। ମାଫିଆ ମାନେ ଖଣିରେ ବେଆଇନ ଭାବେ ରାତି ଅଧିଆ ଚଳାଇଥିଲେ ପଥର ଚାଲାଣ କାରନାମା। ଦିନ ଦ୍ୱିପ୍ରହରରେ ବ୍ଲାଷ୍ଟିଂ କରି ଚାଲାଣ କରୁଥିଲେ ଶହ ଶହ ଟ୍ରକ୍ କଳା ମୁଗୁନି ପଥର। ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା। ତେବେ ପୋଲିସ୍  ଓ  ତହସିଲଦାରଙ୍କ ଜୋରଦାର ଚଢାଉ ଫଳରେ କିଛି ଦିନ ଖଣିରେ କାରବାର ବନ୍ଦ କରିଦେଇଥିଲେ ଖଣି ମାଫିଆ। ବିଳମ୍ବିତ ରାତିରେ ଚଢାଉ କରି ମିଳିଲା ସଫଳତା।

କଟକଣା କୋହଳ ହେବା ପରେ ଖୋଲୁଛି ଧର୍ମାନୁଷ୍ଠାନ, କଟକଣାରେ ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଭୁବନେଶ୍ୱର: ସରିଲା ଭକ୍ତଙ୍କ ଅପେକ୍ଷା। ଆଜିଠୁ ରାଜ୍ୟରେ ଖୋଲିଛି ବିଭିନ୍ନ ଧର୍ମାନୁଷ୍ଠାନ। ସରକାରଙ୍କ ଅନୁମତି ପରେ ଖୋଲୁଛି ବିଭିନ୍ନ ମନ୍ଦିର। ଏନେଇ ସ୍ୱତନ୍ତ୍ର ଏସଓପି ମଧ୍ୟ ଜାରି ହୋଇଛି। ମନ୍ଦିରରେ ପ୍ରସାଦ ନେବା ମନା ହୋଇଛି। ଏହାସହିତ ସାମାଜିକ ଦୂରତାରେ ଭକ୍ତ ଦର୍ଶନ କରିବେ। ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ଆଜିଠୁ ଭକ୍ତ ଦର୍ଶନ କରୁଛନ୍ତି। ଦୀର୍ଘଦିନ ପରେ ମନ୍ଦିର ଖୋଲିଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ତେବେ ମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବାକୁ ବାରଣ କରାଯାଇଛି। ସେପଟେ ଆସନ୍ତାକାଲିଠୁ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର। ଏଥିପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦୋଇଛି। ଅନ୍ୟପଟେ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଖୁବଶୀଘ୍ର ଆସିପାରେ ନିଷ୍ପତ୍ତି। ଆସନ୍ତାକାଲି ମନ୍ଦିର ପ୍ରଶାସନ ଏନେଇ ବୈଠକ କରିବ। ବୈଠକରେ ଜଗା ଦୁଆର ଖୋଲିବା କିଛି ନିଷ୍ପତ୍ତି ଆସିପାରେ। ପୁରୀରେ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ ମନ୍ଦିର ଖୋଲିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁମତି ମିଳିଛି।

 

ରାଜ୍ୟରେ ୧୧୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ। ଦିନକରେ ୧୧ଶହ ୨୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୯ ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ୧୭ଶହ ୮୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ୨୯ ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଜପତିରେ ଶୂନ ସଂକ୍ରମଣ ରହିଛି। ତେବେ କ୍ୱାରେଣ୍ଟାଇନରୁ ସେଣ୍ଟରରୁ ୬୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୪୭୨। ଖୋର୍ଦ୍ଧାରୁ ସର୍ବାଧିକ ୩୮୮, କଟକରୁ ୧୩୫, ଷ୍ଟେଟପୁଲରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୭୨, କେନ୍ଦ୍ରାପଡାରୁ ୬୬, ଜଗତସିଂହପୁରରୁ ୬୩, ଭଦ୍ରକରୁ ୬୦, ଅନୁଗୁଳରୁ ୫୫, ଯାଜପୁର ଓ ପୁରୀରୁ ୪୮ଜଣ ଲେଖାଏଁ, ମୟୂରଭଞ୍ଜ ଓ ନୟାଗଡ଼ରୁ ୨୦ଜଣ ଲେଖାଏଁ, ଦେବଗଡ଼ ଓ କେନ୍ଦୁଝରରୁ ୮ଜଣ ଲେଖାଏଁ, ଢେଙ୍କାନାଳରୁ ୭, ଝାରସୁଗୁଡା ଓ ରାୟଗଡ଼ାରୁ ୬ଜଣ ଲେଖାଏଁ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏଁ, ବଲାଙ୍ଗୀର, ବୌଦ୍ଧ ଓ କନ୍ଧମାଳ ଓ ମାଲକାନଗିରିରୁ ୪ଜଣ ଲେଖାଏଁ, ବରଗଡ଼ ଓ ନୂଆପଡାରୁ ୩ଜଣ ଲେଖାଏଁ, ଗଞ୍ଜାମ ଓ କୋରାପୁଟରୁ୨ଜଣ ଲେଖାଏଁ, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୦ହଜାର ୮୬୬ ରହିଛି। ରାଜ୍ୟରେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୬୦ହଜାର ୩୮୬ ଜଣ କରୋନା ସଂକ୍ରମିତ ସେହିପରି ଆକ୍ଟିଭ କେସ୍ ୧୪ହଜାର ୩୨୫ ରହିଛି।

ଭାରତୀୟ ହକି ଟିମ୍‌ର ମନୋବଳ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସେମିଫାଇନାଲରେ ବେଲଜିୟମ ଠାରୁ ୫-୨ରେ ହାରିଲା ଭାରତୀୟ ପୁରୁଷ ହକି ଦଳ। ହାରିବା ପରେ ଭାରତୀୟ ହକି ଟିମର ମନୋବଳ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମିରେ ବେଲଜିଅମ ସହ ଟକ୍କରରେ ଖୁବ ସାହସିକତାର ସହ ପ୍ରଦର୍ଶନ କରିଛି ଇଣ୍ଡିଆନ ଟିମ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଖେଳପ୍ରେମୀଙ୍କୁ ଭାରତୀୟ ହକି ଟିମ୍‌ଙ୍କ ଏହି ପ୍ରୟାସ ଖୁବ ଉତ୍ସାହିତ କରିଛି। ସେମିରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ ଟିମ୍ ଇଣ୍ଡିଆ। ସେଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମି ଫାଇନାଲ ମ୍ୟାଚ୍ ଦେଖୁଥିବା ଟ୍ୱିଟ୍ କରିଥିଲେ। ମ୍ୟାଚ୍ ସରିବା ପରେ ଭାରତୀୟ ହକି ଟିମ୍‌ର ଭଲ ଡିଫେଣ୍ଡକୁ ପ୍ରଶଂସା କରିଛନ୍ତି। ଆଗାମୀ ମ୍ୟାଚ୍ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ଭାରତୀୟ ହକି ଟିମ୍‌ ପାଇଁ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେମିଫାଇନାଲରେ ବେଲଜିୟମ ଠାରୁ ହାରିଲା ଭାରତ, ଏବେ ବ୍ରୋଞ୍ଜ୍‌ ପାଇଁ ଲଢ଼ିବ

ନୂଆଦିଲ୍ଲୀ: ଅଧାରା ରହିଗଲା ଭାରତର ସୁନା ପଦକ ହାସଲ କରିବା ସ୍ୱପ୍ନ। କିନ୍ତୁ ଏବେବି ବ୍ରୋଞ୍ଜ ପଦକ ହାତେଇବା ସୁଯୋଗ ଭାରତ ପାଖରେ ରହିଛି। ସେମିଫାଇନାଲ ରାଉଣ୍ଡରେ ବେଲଜିୟମ ଠାରୁ ୫-୨ ଗୋଲରେ ପରାସ୍ତ ହୋଇଛି ପୁରୁଷ ହକି ଟିମ୍। ସେମିଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ପୁରୁଷ ହକି ଟିମ । ପ୍ରଥମ କ୍ୱାର୍ଟରରେ ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ଜାରି ରଖିପାରିନଥିଲା ଟିମ୍ ଇଣ୍ଡିଆ। ତୃତୀୟ ଏବଂ ଚତୁର୍ଥ ରାଉଣ୍ଡରେ ଭାରତ ଆଟାକ କରିବାରେ କୋହଳ କରିଦେଇଥିଲା। ଭାରତ ପକ୍ଷରୁ ହରମନ ପ୍ରୀତ୍ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ପ୍ରଥମ ଗୋଲ ଦେଇଥିବା ବେଳେ, ଦ୍ୱିତୀୟ ଗୋଲ ମନଦୀପ ସିଂହଙ୍କ ଷ୍ଟିକରୁ ଆସିଥିଲା। ସେପଟେ ବିଶ୍ୱ ଚାମ୍ପିୟନ ବେଲଜିୟମ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଫାଇନାଲକୁ ପ୍ରବେଶ କରିଛି। ବେଲଜିୟମର ପେନାଲ୍ଟି କର୍ଣ୍ଣର ସେଶାଲିଷ୍ଟ୍ ଆଲେକଜାଣ୍ଡର ହେନରିକ୍ସ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି। ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ତାଙ୍କ ଷ୍ଟିକରୁ ୩ଟି ଗୋଲ ଆସିଥିଲା।

ସୂଚନାଯୋଗ୍ୟ ଯେ, ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ହକି ଟିମ୍ ଅଲମ୍ପିକ୍ସ ସେମିକୁ ପ୍ରବେଶ କରିଥିଲା । ୧୯୮୦ ମସ୍କୋ ଅଲମ୍ପିକ୍ସ ପରେ ଭାରତ କେବେ ମଧ୍ୟ ସେମିଫାଇନାଲରେ ନିଜ ପାଇଁ ସ୍ଥାନ ପକ୍କା କରି ପାରିନଥିଲା । ଏତେ ବର୍ଷ ପରେ ପ୍ରଥମ ଥର କରି ସେମିକୁ ପ୍ରବେଶ କରିଥିବା ଭାରତୀୟ ଟିମକୁ ନେଇ ଦେଶର ପଦକ ଆଶା ସୃଷ୍ଟି ହୋଇଥିଲା । କିନ୍ତୁ ବେଲଜିୟମଠାରୁ ପରାଜୟ ପରେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ଆଶା ଅପୁରଣୀୟ ହୋଇ ରହିଛି । ତେବେ ଏବେ ମଧ୍ୟ ଭାରତ ବ୍ରୋଂଚ୍ ପଦକ ଦୌଡରେ ରହିଛି ।

ସାଇବର ଅପରାଧର ୧୩ଟି ଟେକ୍‌ନିକ, କେମିତି ଓ କେଉଁ ଉପାୟରେ ଠକୁଛନ୍ତି ଅଦୃଶ୍ୟ ଠକ, ପଢ଼ନ୍ତୁ

ଭୁବନେଶ୍ୱର: ତାଲାବନ୍ଦ ଯୋଗୁଁ ରାଜ୍ୟରେ ବଢ଼ିଛି ସାଇବର ଅପରାଧ। ସଚେତନତା ଅଭାବ ଓ ଲୋଭରେ ବଶୀଭୂତ ହୋଇ ଲୋକମାନେ ଠକଙ୍କ ଶିକାର ହେଉଛନ୍ତି। ଜୁଲାଇ ମାସରେ ସାଇବର ଅପାରଧୀ ଲୁଟର ୧୩ ଟି ଟେକ୍‌ନିକ ଆପଣାଇଛନ୍ତି। ୧୩ ଟି ଟେକ୍‌ନିକ୍‌ ଗୁଡ଼ିକ ହେଉଛି OLX ଫ୍ରଡ଼, ଜବ୍‌ର ଲୋଭ ଦେଖାଇ ଟଙ୍କା ହଡ଼ପ, ଫ୍ରଡ କଲ୍‌ ଏବଂ କ୍ରେଡିଟ କାର୍ଡ ଡିଆକ୍ଟିଭେଟ ନାମରେ ଲୁଟ, କ୍ରେଡିଟ କାର୍ଡକୁ ଲିଙ୍କ କରିବା ପାଇଁ ଫ୍ରଡ କଲ୍‌, ଫୋନ୍‌ ପେ ଏବଂ ଗୁଗୁଲ ପେ କ୍ୟାସ୍‌ ବ୍ୟାକ୍‌ର ଲୋଭନି ଫେକ୍‌ ଅଫର, BSNL Kyc ଭେରିଫିକେସନ୍‌ ପାଇଁ ଫେକ୍‌ କଲ, ଜିଓ ଭେରିଫିକେସନ୍‌, KBC ଲଟେରି ଫ୍ରଡ, ଟାଓ୍ୱାର ଇଷ୍ଟଲେସନ୍‌ ଫ୍ରଡ, ଦୁଇଚକିଆ ଗାଡ଼ି ସର୍ଭିସିଂ ପାଇଁ ଫ୍ରଡ କଲ, ଅନ୍‌ଲାଇନ୍‌ ଡାଟା ଏଣ୍ଟ୍ରି ଓ୍ୱାର୍କ, ସେକ୍ସଟ୍ରସନ ମାଧ୍ୟମରେ ଏବଂ ଘରଭଡ଼ା ଆଡ଼ ଦେଖାଇ OLX ଭଳି ଅନ୍‌ଲାଇନ୍‌ ଆପରୁ ଲୁଟୁଛନ୍ତି ଟଙ୍କା। ଏହା ହେଉଛି ଜୁଲାଇ ମାସରେ ଅପରାଧିମାନେ ଲୁଟ କରିଥିବା ୧୩ ଟି ଟେକ୍‌ନିକ। ସାଇବର ସହାୟତା ଡେସ୍କ ଖୋଲାଯିବା ପରେ ଠକଙ୍କ ଆକାଉଣ୍ଟରୁ ଟଙ୍କା ଫେରାଇ ଆଣିହେଉଛି । କମିଶନରେଟ୍ ପୁଲିସ ଭୁବନେଶ୍ୱର ସାଇବର ସହାୟତା ଡେସ୍କ ଜୁଲାଇ ମାସର ରିପୋର୍ଟ ପ୍ରକାଶ କରିଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାଇବର ଲୁଟେରା ୧କୋଟି ୧୦ଲକ୍ଷ ୮୫ହଜାର ୬୫୪ ଟଙ୍କା ଠକିଥିବାବେଳେ ସେଥିମଧ୍ୟରୁ କେବଳ ଭୁବନେଶ୍ୱରରୁ ୫୫ ଲକ୍ଷ ୫୯ହଜାର ଟଙ୍କା ଠକେଇ ହୋଇଛି। ତେବେ ସାଇବର ହେଲ୍ପ ଡେସ୍କ ୮ ଲକ୍ଷ ୫୬ ହଜାର ୫୫୦ ଜହାର ଟଙ୍କା ପ୍ରକୃତ ହିତାଧିକାରୀଙ୍କୁ ଫେରସ୍ତ କରିଛି।

ସେପଟେ ଜୁଲାଇ ମାସରେ ମୋଟ ୩୭୦ଟି କଲ୍ ସାଇବର ସହାୟତା ଡେସ୍କକୁ ଆସିଛି। ସେଥିମଧ୍ୟରୁ ଭୁବନେଶ୍ୱରରୁ ୨୩୦ଟି କଲ୍ ଆସିଥିବାବେଳେ ୧୪୦ଟି ଅନ୍ୟଜିଲ୍ଲାରୁ କରାଯାଇଛି। ସେଥିମଧ୍ୟରୁ ୬୪ ନମ୍ବରକୁ ସାଇବରସେଲ ବ୍ଲକ କରିଛି। ବିଶେଷକରି ୟୁପିଆଇ ମାଧ୍ୟମରେ ସାଇବର ଅପରାଧୀମାନେ ଅଧିକ ଠକେଇ କରିଛନ୍ତି। ୟୁପିଆଇ ମାଧ୍ୟମରେ ଭୁବନେଶ୍ୱରରୁ ୧୧୦ଟି ଠକେଇ ହୋଇଛି। ସେହିପରି କ୍ରେଡ଼ିଟ ଓ ଡେବିଟ୍ କାର୍ଡ଼ରୁ ୭୬ଟି ଠକେଇ, କଲ୍ ରିସିଭ୍ କରିବାରୁ ୪୪ଟି ଠକେଇ ହୋଇଛି। ଏନେଇ ସାଇବର ସେଲ୍‌ରେ ଜୁଲାଇ ମାସରେ ୧୫ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ କୌଣସି ଅପରାଧୀଙ୍କୁ ଗିରଫ କରାଯାଇନଥିବା ସାଇବର ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି।

ଆଉ ବୋର ହେବେନି ବାଘ ଭାଲୁ, ଆଜିଠୁ ଖୋଲୁଛି ନନ୍ଦନକାନନ

ଭୁବନେଶ୍ୱର: ଆଜିଠୁ ନନ୍ଦନକାନନରେ ଆନନ୍ଦ ଉଠାଇବେ ପର୍ଯ୍ୟଟକ। ପୁଣି ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବା ସହିତ ଜଙ୍ଗଲରେ ମିଳିବ ବୁଲିବାର ମଜା। ରାଜ୍ୟ ସରକାରଙ୍କ ଅଗଷ୍ଟ ଗାଇଡଲାଇନ୍ ଅନୁସାରେ ଆଜିଠୁ ଖୋଲୁଛି ନନ୍ଦନକାନନ। ସଂକ୍ରମଣ ହ୍ରାସ ପାଇଥିବାରୁ ପ୍ରାଣୀ ଉଦ୍ୟାନ ଖୋଲିବାକୁ ନିଷ୍ପତ୍ତି ହୋଇଛି। କୋଭିଡ କଟକଣା ଭିତରେ ପର୍ଯ୍ୟଟକ ବୁଲିପାରିବେ ପ୍ରାଣୀ ଉଦ୍ୟାନ। ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରବେଶ ନିଷେଧ କରାଯାଇଛି। ସେପଟେ ଦୀର୍ଘ ୭ ମାସ ପରେ ଆଜିଠୁ ଖୋଲୁଛି ଡେରାସ ଓ  ଚନ୍ଦକା ଡମପଡ଼ା ଅଭୟାରଣ୍ୟ। ସବୁଠି ଗାଇଡଲାଇନ ଅନୁସାରେ ପର୍ଯ୍ୟଟକ ବୁଲିପାରିବେ। କଟକଣାକୁ କଡାକଡି କରିବାକୁ ପ୍ରସ୍ତୁତି ଚୁଡାନ୍ତ ହୋଇଛି।