spot_img
Home Blog Page 5338

କଟକରୁ ଜବତ ହେଲା ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର

କଟକ:  କରୋନା କାଳରେ ରାଜ୍ୟରେ ବଢ଼ିଚାଲିଝି ଧଳା ଜହରର କାରବାର। ବିଭିନ୍ନ ସମୟରେ ଜବତ ହେଉଛି ଧଳାଜହର। ବାଲେଶ୍ୱର ପାଲଟିଛି ବ୍ରାଉନସୁଗାର ମୁଖ୍ୟ ଆଡା। ବାଲେଶ୍ୱରରୁ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ତେବେ ଆଜି କଟକରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ କରିଛି କଟକର ସ୍ୱତନ୍ତ୍ର ସ୍କ୍ୱାଡ। ବ୍ରାଉନ ସୁଗାର କାରବାର ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ।

ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ପଠାଇବା ଯୋଜନା କରୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ। ସେହିପରି କଟକ-ଭୁବନେଶ୍ୱରରୁ ୬ କେଜି ୩ ଶହ ଗ୍ରାମ ଜବତ ହୋଇଛି। ଗତ ପାଞ୍ଚ ମାସରେ କଟକରୁ ୪ କେଜି ୨୮୦ ଗ୍ରାମ ଧଳା ଜହର ଜବତ କଲାଣି ପୋଲିସ। ବ୍ରାଉନ ସୁଗାର କାରବାର ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ ।

ତୃତୀୟ ଲହରରେ ୧୫ ପ୍ରତିଶତ ଶିଶୁଙ୍କ ଉପରେ ପଡ଼ିପାରେ ପ୍ରଭାବ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ଲହର ବେଶି ମାତ୍ରାରେ ପ୍ରଭାବ ପକାଇବା ଆଶଙ୍କା କମ୍। ହେଲେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବା ସମ୍ଭାବନା ରହିଛି। ଆଉ ଏନେଇ ପ୍ରସ୍ତୁତ ରହିଛି ସ୍ୱାସ୍ଥ୍ୟ ବିଭାଗ। ଶିଶୁ ସଂକ୍ରମିତ ହେବା ଆଶଙ୍କା ଥିବାବେଳେ ଏଥିପାଇଁ ସରଞ୍ଜାମ, ମାନବସମ୍ଵଲ, ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି।  ଆଜିଠୁ ଶିଶୁଙ୍କ ଚିକିତ୍ସା ନେଇ ତାଲିମ ଆରମ୍ଭ ହୋଇଛି। ଆଗଧାଡ଼ିର ଯୋଦ୍ଧା, ଅଙ୍ଗନବାଡି, ଆଶାଦିନି ମାନଙ୍କର ତାଲିମ ଶେଷ ହୋଇଛି। ଆଜିଠୁ ହସ୍ପିଟାଲ ଦାୟିତ୍ୱରେ ଯେଉଁମାନେ ସଂଶ୍ଲିଷ୍ଟ ରହିବେ ସେମାନଙ୍କୁ ୬ଟି ବ୍ୟାଚରେ ତାଲିମ ଆରମ୍ଭ ହୋଇଛି। ଆଗକୁ ଶିଶୁ ମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ  କିପରି ସଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।

ସଡ଼କ କଡ଼ରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ, ୮ ମୃତ

ଅମରେଲି: ଭୋର୍ ସମୟରେ ଗୁଜରାଟର ଅମରେଲିରେ ବଡ଼ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଶୋଇଥିବା ପ୍ରାୟ ୧୦ ଜଣଙ୍କୁ ଉପରେ ମାଡ଼ି ଯାଇଛି ନିୟନ୍ତ୍ରଣରେ ନଥିବା ଟ୍ରକ । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

 Road Accident Truck Runs Over 10 Labourers Asleep By Roadside

ଏହି ମର୍ମନ୍ତୁଦ ଦୁର୍ଘଟଣା ଅମରେଲି ସାବରକୁଣ୍ଡଲାର ବାଢ଼ଡା ଗାଁ ନିକଟରେ ଘଟିଛି । ରାତି ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ପୋଲିସ ମେଡିକାଲରେ ଭର୍ତ୍ତି କରିଥିଲା ।

 Road Accident Truck Runs Over 10 Labourers Asleep By Roadside

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଦିଆଯିବା ନେଇ ଘୋଷଣା କରିଛନ୍ତି । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଗିରଫ କରିଛି ।

ଆଜିଠାରୁ ଖୋର୍ଦ୍ଧା ଜିଲ୍ଲାରେ ଖୋଲୁଛି ଧର୍ମାନୁଷ୍ଠାନ, କିନ୍ତୁ ଭୁବନେଶ୍ୱରରେ ବନ୍ଦ ରହିବ ମନ୍ଦିର

ଖୋର୍ଦ୍ଧା: ରାଜ୍ୟରେ କରୋନା କଟକଣା ପାଇଁ ବନ୍ଦ ରହିଥିଲା ସମସ୍ତ ଧର୍ମାନୁଷ୍ଠାନ। ତେବେ ଲକ୍‌ଡାଉନ୍‌ କୋହଳ ହେବା ପରେ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ଦିର ଖୋଲିବାକୁ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି। ନିଜ ଅଞ୍ଚଳରେ କରୋନା ସ୍ଥିତି ଦେଖି ଖୋଲି ପାରିବେ ବୋଲି ନିର୍ଦ୍ଦେଶ ରହିଛି। ତେବେ ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ। ଭୁବନେଶ୍ୱର ଉପଖଣ୍ଡକୁ ଛାଡି ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳରେ ଖୋଲିଛି ମନ୍ଦିର।

କାରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ଥିଲା ସମସ୍ତ ଧର୍ମାନୁଷ୍ଠାନ। ତେବେ ଧର୍ମାନୁଷ୍ଠାନ ଖୋଲିଲା ବେଳେ ଶ୍ରଦ୍ଧାଳୁ କୋଭିଡ ନିୟମ ଅନୁଯାୟୀ ମନ୍ଦିର ଭିତରେ ପ୍ରବେଶ କରିବେ। ଜିଲ୍ଲାରେ ଥିବା ବିଭିନ୍ନ ଶୈବ ପୀଠ, ବାଣପୁର ଭଗବତୀ ମନ୍ଦିର, ଉଗ୍ରତାରା ପୀଠ ଜାଗୁଳାଇପାଟଣା ଠାରେ ଥିବା ଜଗନ୍ନାଥଙ୍କ ମନ୍ଦିର କରୋନା କଟକଣାରେ ଖୋଲିଛି। ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ହଟକେଶ୍ୱର ପୀଠରେ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

ଏଣିକା ମାତ୍ର ଏକ ଘଣ୍ଟା ମଧ୍ୟରେ ଠାବ ହୋଇପାରିବ କୋଭିଡ ଭୂତାଣୁ

ନୂଆଦିଲ୍ଲୀ: ମାତ୍ର ଏକ ଘଣ୍ଟା ଭିତରେ ଏଣିକି ଠାବ ହୋଇପାରିବ କୋଭିଡ ଭୂତାଣୁ। ଏକ କ୍ଷୁଦ୍ର ଡିଭାଇସ ଜରିଆରେ ବ୍ୟକ୍ତିଙ୍କ ଲାଳରୁ ଭୂତାଣୁ ଚିହ୍ନଟ ସମ୍ଭବ ହୋଇପାରିବ। ଏହି ଡିଭାଇସ ଉଦ୍ଭାବନ କରିଛନ୍ତି ଏମଆଇଟି ଓ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର କିଛି ଇଞ୍ଜିନିୟର। ଏହା ସହ ନୂଆ ଭାଇରସ ମ୍ୟୁଟାଣ୍ଟଗୁଡିକୁ ମଧ୍ୟ ସହଜରେ ଚିହ୍ନଟ କରାଯାଇପାରିବ ବୋଲି ଗବେଷକ କହିଛନ୍ତି। ସିଆରଆଇଏସପିଆର ଟେକ୍ନୋଲୋଜିରେ ତିଆରି ହୋଇଥିବା ଏହି ଡିଭାଇସ ଆଗକୁ ଅଧିକ ସହାୟକ ହେବ ବୋଲି କୁହାଯାଇଛି। ଏହି ନୂଆ ବ୍ୟବସ୍ଥାରେ ପ୍ରଥମେ ସାଲିଭାରୀ ନ୍ୟୁକ୍ଲିଜଗୁଡିକ ନିଷ୍କ୍ରିୟ ହୋଇଯାଆନ୍ତି। ଫଳରେ ଆରଏନଏ ବି ନଷ୍ଟ ହୋଇଯାଏ। ପରେ ବିଭିନ୍ନ ପ୍ରକ୍ରିୟା ଦ୍ୱାରା ଭୂତାଣୁ ସମ୍ପର୍କରେ ସୂଚନା ମିଳିଥାଏ।

ସୁନା ମୂଲ୍ୟରେ ବଡ଼ ହ୍ରାସ, ୪ ମାସରେ ସବୁଠୁ କମ୍ ଦାମ

ନୂଆଦିଲ୍ଲୀ: ହ୍ରାସ ପାଉଛି ସୁନା ଓ ରୂପା ଦର । ଆଜି ଏମସିଏକ୍ସରେ ସୁନା ଦର ୧.୩ ପ୍ରତିଶତ ଖସି ୪ ମାସରେ ସବୁଠୁ କମ୍ ଦାମ ରହିଛି । ସୁନା ମୂଲ୍ୟ ୬୦୦ ଟଙ୍କା ଖସି ଆଜି ୧୦ ଗ୍ରାମ ପ୍ରତି ୪୬ ହଜାର ୨୯ ଟଙ୍କା ରହିଛି । ସେହିଭଳି ରୂପାର ମୂଲ୍ୟ ୧.୬ ପ୍ରତିଶତ ଅର୍ଥାତ୍ ୧୪୦୦ ଟଙ୍କା ହ୍ରାସ ପାଇ କେଜି ପ୍ରତି ୬୩ ହଜାର ୯୮୩ ଟଙ୍କା ରହିଛି ।

Gold Price Down 600 Rupees Today

ଅନ୍ତର୍ଜାତୀୟ ବଜାରରେ ଆଜି ସୁନା ୪.୪ ପ୍ରତିଶତ ହ୍ରାସ ପାଇଛି । ବାଣିଜ୍ୟିକ ଅଧିବେଶନରେ ସୁନା ୧, ୬୮୪.୭୩ ଡଲାର ଛୁଇଁବା ପରେ ୨.୩ ପ୍ରତିଶତ ହ୍ରାସ ପାଇ ପ୍ରତି ଆସ୍ ୧,୭୨୨.୦୬ ଡଲାର ରହିଛି । ସେହିଭଳି ରୂପା ମୂଲ୍ୟ ୨.୬ ପ୍ରତିଶତ ଖସି ୨୩.୭୦ ଡଲାର ରହିଛି ।

Gold Price Down 600 Rupees Today

ମିସଡ କଲ୍ କରନ୍ତୁ, ରେଟ୍ ଜାଣନ୍ତୁ

ଆପଣ ଘରେ ବସି ଅତି ସହଜରେ ସୁନା ମୂଲ୍ୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ 8955664433 ନମ୍ବରରେ ଏକ ମିସଡ କଲ୍ କରିବାକୁ ହେବ । ଏହାପରେ ଦର ବାବଦରେ ଆପଣଙ୍କୁ ମେସେଜ ଆସିଯିବ ।

ରାଜ୍ୟରେ ୫୭ ହଜାର ୪୧୪ ଗର୍ଭବତୀଙ୍କୁ ଦିଆଯାଇଛି କରୋନା ଟିକା

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୭୮ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲାଣି କୋଭିଡ ଟିକା। ୫୭ ହଜାର ୪୧୪ ଗର୍ଭବତୀଙ୍କୁ ଦିଆଯାଇଛି ଟିକା। ଗ୍ରାମାଞ୍ଚଳରେ ଟିକାକରଣକୁ ଜୋରଦାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ଦୈନିକ ୩ଲକ୍ଷ ଟିକାରରଣ କରିବାକୁ ଟାର୍ଗେଟ୍ ରଖିଛନ୍ତି ରାଜ୍ୟ ସରକାର। ଏବେ ମୋଟ୍ ୧୩୫୩ କେନ୍ଦ୍ରରେ ଟିକାକରଣ ଚାଲିଛି।

ରାଜ୍ୟରେ କୋଭିସିଲ୍ଡ ଟିକା ୧୨ ଲକ୍ଷ ୬୩ ହଜାର ୩୦ ଥିବା ବେଳେ, ୭୭ ହଜାର ୧୮୦ କୋଭାକ୍ସିନ ଟିକା ମହଜୁଦ ଅଛି। ୧୮ରୁ ୪୪ ବର୍ଷ ବୟସର ୫୮ଲକ୍ଷ ୨୪ ହଜାର ୮୭୫ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ, ଦ୍ବିତୀୟ ଡୋଜ୍ ନେଇଛନ୍ତି ୪ ଲକ୍ଷ ୮୫ ହଜାର ୨୭୬ ଜଣ। ସେହିପରି ୪୫ ବର୍ଷରୁ ଅଧିକ ବୟସ୍କ ୭୧ଲକ୍ଷ ୯୫ହଜାର ୧୩୫ ଜଣ ନେଇଛନ୍ତି ପ୍ରଥମ ଡୋଜ୍ ଟିକା। ୩୧ଲକ୍ଷ ୪୫ହଜାର ୧୮୮ ଜଣ ନେଇଛନ୍ତି ଦ୍ୱିତୀୟ ଡୋଜ୍।

କରୋନା ସଂକ୍ରମଣ ସ୍ଥିତି ଜାଣିବା ପାଇଁ ଦିଲ୍ଲୀରେ ଲାଗୁହେଲା କଲର କୋଡ ବ୍ୟବସ୍ଥା

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ଲାଗି ଦିଲ୍ଲୀରେ ଲାଗୁ ହେଲା କଲର କୋଡ ବ୍ୟବସ୍ଥା। କୋଭିଡର ମୁକାବିଲା ଲାଗି ଦିଲ୍ଲୀ ସରକାର ଏହି ପଦକ୍ଷେପ ନେଇଛନ୍ତି। ସହରରେ ଲାଗୁ ହୋଇଛି ଗ୍ରେଡ ରେସପନସ ଆକ୍ସନ ପ୍ଲାନ ବା ଜିଆରଏପି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନେଇ ନିଷ୍ପତ୍ତି ନେଇଛନ୍ତି। ଯଦିଓ ରାଜଧାନୀରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଛି, ତଥାପି ଏହାକୁ ବ୍ୟବସ୍ଥିତ କରିବା ଲାଗି ଏହି ପଦକ୍ଷେପ ନେଇଛନ୍ତି ସରକାର।

ନୂଆ ନିୟମ ଅନୁସାରେ ଯେଉଁଠି ପଜିଟିଭିଟି ହାର ଲଗାତାର ଦୁଇ ଦିନ ଲାଗି ୦.୫ ପ୍ରତିଶତ ରହିବ ବା ୭ ଦିନ ଭିତରେ ୧୫୦୦ରୋଗୀ ଚିହ୍ନଟ ହେବେ ସେହି ସ୍ଥାନରେ ଲେବଲ ଓ୍ୱାନ ୟେଲୋ ଆଲର୍ଟ ଜାରି କରାଯିବ। ଯେଉଁ ଅଞ୍ଚଳରେ ପଜିଟିଭିଟି ହାର ଦୁଇ ଦିନ ଧରି ୧ ପ୍ରତିଶତରୁ ଅଧିକ ରହିବ ବା ୭ ଦିନ ମଧ୍ୟରେ ୩୫୦୦ ରୋଗୀ ଚିହ୍ନଟ ହେବେ ବା ୭ ଦିନରେ ୭୦୦ ବେଡ ଆବଶ୍ୟକ ହେବ ସେହି ସ୍ଥାନରେ ଲେବଲ ୨ ଅମ୍ବର୍ ଆଲର୍ଟ ଜାରି କରାଯିବ। ଯେଉଁ ଅଞ୍ଚଳରେ ଦୁଇ ଦିନ ଧରି ୨ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ରହିବ ବା ୭ ଦିନରେ ୯୦୦୦ ରୋଗୀ ଚିହ୍ନଟ ହେବେ ବା ୭ ଦିନରେ ୧୦୦୦ରୁ ଅଧିକ ବେଡ ଦରକାର ହେବ ସେହି ସ୍ଥାନରେ ଲେବଲ ଥ୍ରୀ ଅରେଞ୍ଜ ଆଲର୍ଟ ଜାରି ହେବ।

ସେହିପରେ ଦୁଇ ଦିନରେ ପଜିଟିଭିଟି ହାର ୫ ପ୍ରତିଶତରୁ ଅଧିକ ରହିବ ବା ୭ ଦିନରେ ୧୬ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଲେ ସେହି ସ୍ଥାନରେ ଲେବଲ ଫୋର ରେଡ ଆଲର୍ଟ ଜାରି କରାଯିବ। ଏହି ନିଷ୍ପତ୍ତି ଯୋଗୁ ଉଭୟ ଲୋକ ଓ ପ୍ରଶାସନ ସତର୍କ ହେବେ। ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୩୬ ହଜାର ୭୬୧ କୋଭିଡ ରୋଗୀ ଠାବ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଲକ୍ଷ ୧୧ ହଜାର ରୋଗୀ ସୁସ୍ଥ ହୋଇଛନ୍ତି।

ପୋଲିସ ହାଜତରେ ସବୁଠାରୁ ଅଧିକ ହେଉଛି ମାନବିକ ଅଧିକାର ଉଲ୍ଲଂଘନ

ନୂଆଦିଲ୍ଲୀ: ପୋଲିସ ହାଜତରେ ସବୁଠାରୁ ଅଧିକ ହେଉଛି ମାନବିକ ଅଧିକାର ଉଲ୍ଲଂଘନ। ସମାଜରେ ଏବେ ଏହି ସମସ୍ୟା ଅଧିକ ଦେଖାଯାଉଛି। ମାନବାଧିକାରର ସୁରକ୍ଷା ଓ ସ୍ୱାଭିମାନ ସର୍ବଦା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା। ଦେଶର ବିଭିନ୍ନ ଥାନାରେ ହେଉଥିବା ହାଜତ ନିର୍ଯାତନା ପ୍ରସଙ୍ଗରେ ସେ କହିଛନ୍ତି, ମାନବାଧିକାରର ସୁରକ୍ଷା ନେଇ ରହିଥିବା ସାମ୍ବିଧାନିକ ବ୍ୟବସ୍ଥା ତଥା ଘୋଷଣାନାମା ବାରମ୍ବାର ଉଲ୍ଲଂଘନ ହେଉଛି।

ଗିରଫ ବା ଅଟକ ରହିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ଠିକ୍ ସମୟରେ ଆଇନଗତ ପ୍ରତିନିଧି ଥାନାରେ ନ ପହଞ୍ଚିବା ହେଉଛି ଦୁର୍ଭାଗ୍ୟଜନକ। ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଇ ଜଷ୍ଟିସ ରମନ୍ନା କହିଛନ୍ତି, ଗିରଫ ବା ଅଟକ ରଖିବା ସମୟରେ ଯଦି ଠିକ୍ ନିଷ୍ପତ୍ତି ନିଆଯାଇପାରିବ ତେବେ ଜଣେ ଅଭିଯୁକ୍ତ ଆତ୍ମରକ୍ଷା କରିବାକୁ ସକ୍ଷମ ହୋଇପାରିବ । ଏହାସହ ବର୍ତ୍ତମାନ ବାରମ୍ବାର ଦେଖାଯାଉଥିବା ହାଜତ ଜନିତ ନିର୍ଯାତନା ରୋକାଯାଇ ପାରିବ।

ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ରୋକିବା, ଆଇନଗତ ସେବା କ୍ଷେତ୍ରରେ ରହିଥିବା ସାମ୍ବିଧାନିକ ଅଧିକାର ସଂକ୍ରାନ୍ତ ବ୍ୟବସ୍ଥାର ଉପଯୁକ୍ତ ପ୍ରଚାର, ପ୍ରସାର ଓ ମାଗଣା ଆଇନଗତ ସେବା ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜଷ୍ଟିସ ରମନ୍ନା। ଏଥିପାଇଁ ପ୍ରତି ଥାନାରେ ପର୍ଯ୍ୟାପ୍ତ ସୂଚନା ଫଳକ ଲଗାଇବା, ସଚେତନତାଧର୍ମୀ ବାର୍ତ୍ତା ଉଲ୍ଲେଖ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସହାୟତା ଆବଶ୍ୟକ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଗଣା ଆଇନ ସେବା ପ୍ରଦାନ କରିବା ବ୍ୟବସ୍ଥା ସ୍ୱାଧୀନତା ଆନ୍ଦୋଳନର ମୂଳ ଲକ୍ଷ୍ୟ ଥିଲା। ସେହି ସମୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମଧ୍ୟ ଅନେକ ଆଇନ ରକ୍ଷକ ସହାୟତା ଦେଇଥିଲେ ବୋଲି ସିଜେଆଇ କହିଛନ୍ତି।

ପାରିବାରିକ କଳହକୁ ନେଇ ମହିଳାଙ୍କୁ ଭୂଜାଲିରେ ଆକ୍ରମଣ କରି ହତ୍ୟା

ନରସିଂହପୁର: ବଡ଼ମ୍ବା ନରସିଂହପୁର ଥାନା କାଠଖୁଣ୍ଟି ଗାଁରେ ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ ନେଇ ଦୁଇ ପରିବାର ମୁହାଁମୁହିଁ ହୋଇଛନ୍ତି। ଭୂଜାଲି ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଦୁଇ ପରିବା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବାଦଲ ମହାଲିକଙ୍କ ଭୂଜାଲି ମାଡରେ ଅନ୍ୟ ଏକ ପରିବାରର ବିନୋଦିନୀ ମହାଲିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆକ୍ରମଣରେ ଆହତ ହୋଇଥିବା ବିରଞ୍ଚି ମହାଳିକ ଓ ତାଙ୍କ ପୁଅ ଆଲୋକ ମହାଳିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନରସିଂହପୁର ମେଡିକାଲକୁ ନିଆଯାଇଥଲା। ପରେ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଠଗଡ଼ ଏସଡିପିଓଙ୍କ ସହ ବଡମ୍ବା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ବାଦଲକୁ ଧରିବା ପାଇଁ ପୋଲିସ ତଲାସି ଅଭିଯାନକୁ ଜୋରଦାର କରିଛି।