ଚଣ୍ଡିଗଡ଼: ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବା ଗୃହଯୁଦ୍ଧ ଏବେ ବିସ୍ଫୋରକ ମୋଡରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ସହିତ ଦଳରୁ ଇସ୍ତଫା ଦେବା ପାଇଁ ହାଇକମାଣ୍ଡଙ୍କୁ ଧମକ ଦେଇଥିବା ଖବର ଆସୁଛି । ଶୁକ୍ରବାର ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକ ଦଳର ନୂଆ ନେତା ନିର୍ବାଚନ ପାଇଁ ହରିସ ରାୱତ ସୂଚନା ଦେଇଥିଲେ । ଯାହାକୁ ନେଇ କ୍ୟାପ୍ଟେନ କ୍ଷୁବ୍ଧ ଅଛନ୍ତି ।
ସୂଚନା ଅନୁସାରେ କ୍ୟାପ୍ଟେନ୍ ଏନେଇ ସୋନିଆ ଗାନ୍ଧିଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି । ଯେଉଁଭଳି ଭାବେ ତାଙ୍କୁ ନଜଣାଇ ବିଧାୟକ ଦଳର ବୈଠକ ଡକା ଗଲା ତାକୁ ନେଇ ସେ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହିତ କହିଛନ୍ତି ଯେ, ଯଦି ତାଙ୍କୁ ଏହିଭଳି ଭାବେ ଅଣଦେଖା କରାଯାଏ ତେବେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହିଁବେ ନାହିଁ ।
ସୋନିଆ ଗାନ୍ଧି ଓ କମଲନାଥଙ୍କ ସହିତ କଥା ହେବା ବେଳେ କ୍ୟାପ୍ଟେନ୍ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ଯଦି ଆଜି ଦଳ ଭିତରେ ଚାଲିଥିବା ବିବାଦର ଅବସାନ ନହୁଏ ତେବେ ସେ ଇସ୍ତଫା ଦେଇଦେବେ । ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ କୁହାଯାଏ ତେବେ ସେ ଦଳରୁ ଇସ୍ତଫା ଦେବେ ବୋଲି ହାଇକମାଣ୍ଡଙ୍କୁ ସ୍ପଷ୍ଟ ଶବ୍ଦରେ କ୍ୟାପ୍ଟେନ ଚେତାବନୀ ଦେଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳର ବୈଠକ ହେବ । ଯେଉଁଥିରେ ବିଧାୟକ ନୂଆ ନେତା ବାଛିବେ । ନୂଆ ନେତା ଭାବେ ନବଜ୍ୟୋତ୍ ସିଂହ ସିଦ୍ଧୁ ଓ ସୁନୀଲ ଜାଖଡ ନିର୍ବାଚିତ ହୋଇ ପାରନ୍ତି ।
ନବଜ୍ୟୋତ୍ ସିଂହ ସିଦ୍ଧୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବା ପରଠାରୁ ଦଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ସିଦ୍ଧୁ କ୍ୟାପ୍ଟେନଙ୍କ ବିରୋଧରେ ମେଳି କରିଛନ୍ତି ।
ରନ୍ଧା ଖାଦ୍ୟ ଦାବିରେ ବ୍ଳକ୍ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ
ପାରାଦୀପ: ରନ୍ଧା ଖାଦ୍ୟ ଯୋଗାଇ ଦେବା ଦାବିରେ ଧାରଣା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି ଦୁଇଟି ପଞ୍ଚାୟତର ଲୋକ । ଲଗାଣ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକିପୁର ଓ କାଳିଆପାଟ୍ଟ ପଞ୍ଚାୟତର ଲୋକ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଜଳ ନିଷ୍କାସନ ହୋଇପାରୁ ନଥିବା ବେଳେ କେତେକ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି । ମାତ୍ର ପ୍ରଶାସନ ଏ ପର୍ଯ୍ୟନ୍ତ ସେଠାରେ ଠିକ୍ ଭାବେ ରିଲିଫ ଯୋଗାଇନାହିଁ ।

ଗୋଟିଏ ଥର ରନ୍ଧା ଖାଦ୍ୟ ଦେଉଥିବା ବେଳେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନେ ଉପାସ ରହୁଛନ୍ତି। ସରପଞ୍ଚ ଓ ବ୍ଲକ୍ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ଜଳ ନିଷ୍କାସନର ବ୍ୟବସ୍ଥା ହୋଇନାହିଁ କି ସଠିକ୍ ସମୟରେ ଖାଦ୍ୟ ଦିଆଯାଉନାହିଁ। ଏହାର ପ୍ରତିବାଦ କରି ଦୁଇ ପଞ୍ଚାୟତର ଶତାଧିକ ମହିଳା, ପୁରୁଷ ଓ ଶିଶୁଙ୍କୁ କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି।
ଏଥିସହିତ ପଢ଼ନ୍ତୁ: ହୀରାକୁଦକୁ କମିଛି ଜଳ ପ୍ରବାହ: ବନ୍ଦ ହେଲା ଆଉ ୬ ଗେଟ୍
ପାକିସ୍ତାନୀ ଆଙ୍କରଙ୍କ ତାଲିବାନ ପ୍ରେମ୍,ଲାଇଭ୍ ଟିଭିରେ ହିଜବ ପିନ୍ଧି ଜ୍ଞାନ ବାଣ୍ଟିଲେ
ନୂଆଦିଲ୍ଲୀ: ଏବେ ଆଫଗାନିସ୍ତାନରେ ରାଜ୍ କରୁଛି ତାଲିବାନ୍ । ତାଲିବାନର ବର୍ବରତା କାହାକୁ ମଧ୍ୟ ଅଛପା ନାହିଁ । ମହିଳାଙ୍କ ସହିତ ହେଉଥିବା ଅତ୍ୟାଚାର କଥା ତ କହିଲେ ନ ସରେ । ତାଲିବାନକୁ ତିଆରି କରିଥିବା ପାକିସ୍ତାନ ତାଲିବାନର ଭଲ ଗୁଣ ଦୁନିଆ ଆଗରେ ଗଣୁଛି । ଖୋଦ୍ ପାକ୍ ପ୍ରଧାନମନ୍ତ୍ରୀ ତାଲିବାନ ଶାସନକୁ ସମର୍ଥନ କରୁଛନ୍ତି । ତାଲିବାନକୁ ଆଉ ଟିକେ ସମୟ ଦିଅ ବୋଲି ବିଶ୍ୱ ଆଗରେ ଯୁକ୍ତି କରୁଛନ୍ତି । ଏମିତିରେ ପାକିସ୍ତାନୀ ମିଡିଆ କେମିତି ପଛରେ ରୁହନ୍ତା ? ପାକିସ୍ତାନୀ ମିଡିଆ ମଧ୍ୟ ଦିନରାତି ତାଲିବାନ ମନ୍ତ୍ର ଜପ କରୁଛି । ଆଫଗାନିସ୍ତାନରେ ମହିଳାଙ୍କୁ ଘର ଭିତରେ ରହିବାକୁ ବାଧ୍ୟ କରୁଥିବା ତାଲିବାନର କଠୋର ବୁର୍ଖା ନିୟମ ବିରୋଧରେ ଅନେକ ମୁହଁ ଖୋଲୁଛନ୍ତି । କିନ୍ତୁ ପାକିସ୍ତାନର ଜଣେ ମହିଳା ଆଙ୍କରଙ୍କୁ ତାଲିବାନ ଏତେ ଭଲ ଲାଗୁଛି ଯେ, ସେ ବୁର୍ଖାକୁ ବିରୋଧ କରୁଥିବା ଓ ମହିଳା ଅଧିକାର ସୁରକ୍ଷା ବିରୋଧରେ ଲାଇଭ୍ ଡ୍ରାମା କରିବାକୁ ପଛାଇ ନାହାନ୍ତି । ଏହି ଆଙ୍କର ଜଣକ ଲାଇଭ୍ ଟିଭିରେ ତାଲିବାନକୁ ସମର୍ଥନ କରି ବୁର୍ଖା ପିନ୍ଧି ଦର୍ଶକଙ୍କୁ ଜ୍ଞାନ ବାଣ୍ଟିବାରେ ଟିକିଏ ବି ହେଳା କରିନାହାନ୍ତି ।
ଶୁକ୍ରବାର ପାକିସ୍ତାନୀ ଚ୍ୟାନେଲ ସମ୍ମା ଟିଭିର ନ୍ୟୁଜ୍ ଆଙ୍କର କିରନ ନାଜ୍ ଲାଇଭ୍ ଟେଲିକାଷ୍ଟରେ ଏମିତି କାଣ୍ଡ କରିଛନ୍ତି । ତାଲିବାନ ସମର୍ଥନରେ ତାଙ୍କର ଏହି କାରନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଙ୍କର ଜଣକ ତାଲିବାନର ହିଜାବ ନିୟମକୁ ଠିକ୍ ଦର୍ଶାଇ ଲାଇଭରେ ଥିବାବେଳେ କ୍ୟାମେରା ସାମ୍ନାରେ ହିଜାବ ପିନ୍ଧି କହିଲେ , ହିଜାବ ପିନ୍ଧିବା ଦ୍ୱାରା ଚିନ୍ତାଧାରା ବଦଳି ଯାଏନି ।
ସମା ଟିଭିର ନ୍ୟୁଜ୍ ଆଙ୍କରଙ୍କ ଏହି ଭିଡ଼ିଓ ସୋସିଅଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । କିରନଙ୍କ ଏହି କାରନାମା ପଛରେ ଜଣେ ପ୍ରଫେସରଙ୍କ ବକ୍ତବ୍ୟ ରହିଛି । ଲାଇଭ ଡିବେଟରେ ପାକିସ୍ତାନୀ ପ୍ରଫେସର ପରବେଜ୍ ହୁଡଭୋୟଙ୍କ ହିଜାବକୁ କଡାକଡି କରିବା ବିରୋଧରେ ମନ୍ତବ୍ୟ ଦେଇଥିଲେ । କାୟଦେ ଆଜମ ୟୁନିଭର୍ସିଟିରେ ପଢାଉଥିବା ପରଭେଜ୍ ହୁଡଭୋୟ କହିଲେଯେ, ସେ ୧୯୭୩ ମସିହାରେ ପଢ଼ାଇବା ଆରମ୍ଭ କରିଥିଲେ । ୪୭ ବର୍ଷ ତଳେ କୌଣସି ମହିଳାଙ୍କୁ ବୁର୍ଖାରେ ଦେଖିବା ସହଜ ନଥିଲା । ଆଉ ଏବେ ହିଜାବ ଏବଂ ବୁର୍ଖା ଗୋଟିଏ ହୋଇ ଯାଇଛି ଏବଂ ତା ସାଙ୍ଗକୁ ବିନା ହିଜବରେ ସାଧାରଣ ଝିଅଙ୍କୁ ଦେଖିବାକୁ ମିଳୁନାହିଁ । ବୁର୍ଖା ଓ ହିଜବ ପିନ୍ଧିବା କାରଣରୁ କ୍ଲାସରେ ସେମାନଙ୍କ ଆକ୍ଟିଭିଟି କମିଯାଉଛି । ଏମିତିକି ସେମାନେ କ୍ଲାସ କରୁଛନ୍ତି କି ନାହିଁ ତାହା ଜଣା ପଡୁନାହିଁ ।
Good on you girl for putting this man in his place. Unbelievable that a man of Pervez Hoodbhoy’s stature can make such outrageous comments against those wearing hijab. He needs treatment. #Pervezhoodbhoy pic.twitter.com/IpumFUGCYq
— Lubna U Rifat (@lubnaurifat) September 16, 2021
ପ୍ରଫେସରଙ୍କ କଥା କିନ୍ତୁ କିରନ ନାଜଙ୍କୁ ପସନ୍ଦ ଆସିନଥିଲା । ତେଣୁ ତୁରନ୍ତ ସେ ବୁର୍ଖା ଓ ହିଜବ ଉପରେ ଜ୍ଞାନ ବାଣ୍ଟିବା ଆରମ୍ଭ କରିଦେଇଥିଲେ । ଲାଇଭ୍ ଟିଭିରେ ପାକିସ୍ତାନର ଏହି ବଡବୋଲା ଆଙ୍କର ହିଜବ ପିନ୍ଧି କହିଥିଲେ ଯେ, ଏହାକୁ ପିନ୍ଧିବା ଦ୍ୱାରା ମୋ ଆକ୍ଟିଭିଟିରେ କିଛି ଅସୁବିଧା ହେଉନି । ସୂଚନାଯୋଗ୍ୟ ଯେ, କିରନ ତାଙ୍କ ଭାରତ ବିରୋଧି ଆଙ୍କରିଂ ପାଇଁ କୁଖ୍ୟାତ ।
ଡ୍ରୋନ୍ ଆକ୍ରମଣ ପାଇଁ କ୍ଷମା ମାଗିଲା ଆମେରିକା
ୱାସିଂଟନ: କାବୁଲରୁ ଆମେରିକୀୟ ସୈନ୍ୟ ଅପସାରଣର ଶେଷ ପର୍ଯ୍ୟାୟରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପାଇଁ ଆମେରିକା କ୍ଷମା ମାଗିଛି । ସୂଚନାଯୋଗ୍ୟ ଯେ, କାବୁଲ ବିମାନ ବନ୍ଦରରୁ ହଟିବାର ମାତ୍ର କେଇ ଦିନ ପୂର୍ବରୁ ଆମେରିକୀୟ ବାୟୁସେନା ଏକ ଗାଡି ଉପରକୁ ରକେଟ୍ ମାଡ କରିଥିଲା । ଉକ୍ତ କାରରେ ଇସଲାମିକ ଷ୍ଟେଟର ଆତଙ୍କବାଦୀ ଥିଲେ ବୋଲି ସେତେବେଳେ ଆମେରିକା ସେନା ଦାବି କରିଥିଲା । ସେହି ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଥିଲେ । ତେବେ ଏବେ ଆମେରିକା ଏଥିପାଇଁ କ୍ଷମା ମାଗିଛି । ଆମେରିକା କହିଛି ଯେ, ଭୂଲ ସୂଚନା କାରଣରୁ ଏହି ଆକ୍ରମଣ ହୋଇଥିଲା ।
ଭୁଲ ମାନିଲା,କ୍ଷମା ମାଗିଲା
ସିଏନଏନ୍ ରିପୋର୍ଟ ଅନୁସାରେ ପେଣ୍ଟାଗନରେ ଶୁକ୍ରବାର ଦିନ ଜେନରାଲ ମାକେନଞ୍ଜି ଆକ୍ରମଣ ପାଇଁ କ୍ଷମା ମାଗିଛନ୍ତି । ଉକ୍ତ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରେ ୭ ଜଣ ଶିଶୁ ଥିଲେ । ସେ କହିଛନ୍ତି ଯେ,କାବୁଲ ବିମାନ ବନ୍ଦରର ସୁରକ୍ଷା ପାଇଁ ନିଯୁକ୍ତ ସୈନିକ ଓ ବାହାରେ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଆକ୍ରମଣ ପାଇଁ ଆଇଏସଆଇଏସ ଆତ୍ମଘାତୀ ଆକ୍ରମଣ ଏକ କାର ଯୋଗେ ଆସୁଥିବା ସନ୍ଦେହ କାରଣରୁ ଡ୍ରୋନ୍ ଆକ୍ରମଣ ହୋଇଥିଲା । କିନ୍ତୁ ତାହା ଭୂଲ ସୂଚନା ଥିଲା । ଏହି ଆକ୍ରମଣ ପାଇଁ ମୁଁ କ୍ଷମା ମାଗୁଛି । ଭବିଷ୍ୟତରେ ଏଭଳି ଯେମିତି ନହେବ ସେଥିପାଇଁ ଆମେ ଯତ୍ନବାନ ହେବୁ ।
ଜାପାନରେ ମାତିଛି ଘୂର୍ଣ୍ଣିଛଡ଼ ଚାନ୍ଥୁ: ୪୯ ବିମାନ ବାତିଲ, ୬୭ ମାଇଲ ଘଣ୍ଟାପ୍ରତି ପବନର ବେଗ
ଜାପାନରେ ମାତିଛି ଚାନ୍ଥୁ । ଘୂର୍ଣ୍ଣିଝଡ଼ ଚାନ୍ଥୁର ପ୍ରଭାବରେ ବାତିଲ ହୋଇଛି ୪୯ରୁ ଅଧିକ ବିମାନ । ନାଗାସାକି, ଫୁକୁଓକା ଓ ସାଗାରେ ଘୂର୍ଣ୍ଣିଝଡ ଚାନ୍ଥୁର ପ୍ରଭାବରେ ଅନେକ ଧନସମ୍ପତ୍ତି ନଷ୍ଟ ହୋଇଛି । ଘୂର୍ଣ୍ଣିଝଡ଼ ଚାନ୍ଥୁର ବେଗ ଘଣ୍ଟାପ୍ରତି ୬୭ ମାଇଲ ରହଛି । ଏଥିରେ ୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଜାପାନର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ବାତ୍ୟାକୁ ନେଇ ସତର୍କ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବର୍ତ୍ତମାନ ଚାନ୍ଥୁ ଜାପାନର ପ୍ରଶାନ୍ତ ମହାସାଗରୀୟ ଉପକୂଳର କେନ୍ଦ୍ରୀୟ ଅଞ୍ଚଳରେ ଗତି କରୁଛି । ଚଳିତ ବର୍ଷ ଚାନ୍ଥୁକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜାପାନରେ ୧୪ଟି ଘୂର୍ଣ୍ଣିଝଡ ସୃଷ୍ଟି ହୋଇଛି । ଚାନ୍ଥୁ ଦକ୍ଷିଣ ପଶ୍ଚିମ ଅଞ୍ଚଳସ୍ଥିତ କ୍ୟୁଶୁରେ ପ୍ରଥମେ କ୍ଷତି କରିବା ପରେ ଅନ୍ୟ ଅଞ୍ଚଳରେ କାୟା ବିସ୍ତାର କରିଥିଲା । ହିରୋସିମା ଓ କ୍ୟୁଶୁ ମଧ୍ୟରେ ବିମାନ ଚଳାଚଳ ବାତିଲ ହୋଇଥିବାବେଳେ ହିରୋସିମା ଓ ସିନଓସାକା ମଧ୍ୟରେ ଚାଲିଥିବା ବୁଲେଟ ଟ୍ରେନ ବାତିଲ କରାଯାଇଛି । କ୍ୟୁଶୁରେ ଝଡ଼ ଯୋଗୁଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୨୫୦ ମିଲିମିଟର ବର୍ଷା ମଧ୍ୟ ହୋଇଛି ।
ଏଥିସହିତ ପଢ଼ନ୍ତୁ: DRDO ତଥ୍ୟ ଲିକ୍ ମାମଲା: ୫ ଅଭିଯୁକ୍ତଙ୍କୁ ୭ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
ସିମ୍ କାର୍ଡ ସ୍ୱାପିଂ କରି ଠକେଇ ମାମଲା: ୩ ଠକ ଗିରଫ
ଭୁବନେଶ୍ୱର: ସିମ୍ କାର୍ଡ ସ୍ୱାପିଂ କରି ଠକେଇ ମାମଲା । ସ୍ପେଶାଲ ସ୍କ୍ୱାଡ୍ କବଜାରେ ୩ ଜଣିଆ ଠକ । ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣଙ୍କୁ ଉଠାଇ ଆଣିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ବିପୁଳ ପରିମାଣର ସିମ କାର୍ଡ଼, ଆଧାରକାର୍ଡ ଓ ମୋବାଇଲ ଜବତ କରାଯାଇଛି । ରାକେଟର ଟାର୍ଗେଟରେ ଥିଲା ଗ୍ରାହକଙ୍କ ସ୍ପେଶାଲ ନମ୍ବର । ନମ୍ବର ବନ୍ଦ ହୋଇଯିବ କହି ଓଟିପି ହାତେଇ ସାଇବର ଠକଙ୍କ ଷ୍ଟାଇଲରେ ଲୁଟୁ ଥିଲେ । ଏନେଇ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ ପରେ ତନାଘନା କରିଥିଲା ପୋଲିସ ।
ଜଳେଶ୍ୱରରୁ ୩୫୦ ଗ୍ରାମ ବ୍ରାଉନସୁଗାର ଜବତ: ମାଫିଆ ସହ ୩ ସହଯୋଗୀ ଗିରଫ
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୁଣି ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଏହାସହ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ମନତାଜ ଓ ତାର ୩ ସହଯୋଗୀକୁ ଗିରଫ କରିଛି ଜଳେଶ୍ୱର ପୋଲିସ । ବିଳମ୍ବିତ ରାତିରେ ରାଜପୁର ବସ୍ତିରେ ଚଢ଼ାଉ କରି ମନତାଜକୁ ଗିରଫ କରିଥିବା ବେଳେ ସକାଳୁ ତା’ ସହଯେୋଗୀଙ୍କୁ ଗିରଫ କରାଯାଇଛି । ଚଢ଼ାଉ ବେଳେ ସେମାନଙ୍କ ପାଖରୁ ୩୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ । ଗିରଫମାନେ ହେଉଛନ୍ତି ଶେଖ ମନତାଜ, ଶେଖ ରାଜା ,ଶେଖ ବାବୁ ଓ ଅନ୍ୟ ଜଣେ ସୋହଯୋଗୀ । ଆନ୍ତଃରାଜ୍ୟ ବ୍ରାଉନସୁଗାର କାରବାରରେ ଏମାନଙ୍କର ରହିଛି ବଡ଼ ଭୂମିକା । ସେକ୍ ମନତାଜ ନାଁରେ ବ୍ରାଉନ ସୁଗାର କାରବାର ନେଇ 5ରୁ ଅଧିକ ମାମଲା ଏସଟିଏଫ୍ ଏବଂ ପୋଲିସରେ ରୁଜୁ ହୋଇଛି ।


