ପରିବା ବଜାରରେ ଲାଗିଛି ନିଆଁ, ପେଟ୍ରୋଲକୁ ଟକ୍କର ଦେଉଛି ବାଇଗଣ

1 min read

ଭୁବନେଶ୍ବର: ପ୍ରତିବର୍ଷ ପିଆଜ କନ୍ଦାଉଛି । ପେଟ୍ରୋଲ ଓ ଡିଜେଲ ନିଦ ହଜାଇଛି । ଆଉ ଏବେ ପରିବା ଦର ଲୋକଙ୍କୁ ମନ ମାରି ଟିକିଏ ଟିକିଏରେ କାମ ଚଳାଇ ନେବାକୁ ବାଧ୍ୟ କରୁଛି । ବିଶେଷ କରି ଦୈନନ୍ଦିନ ଖାଉଥିବା ବାଇଗଣ ଏବେ ସ୍ବପ୍ନ ପାଲଟିବାକୁ ବସିଛି । କିଣିବା କଥା ଛାଡ଼ନ୍ତୁ, ହାତ ମାରିବାକୁ ବି ଡରୁଛନ୍ତି ଲୋକେ । କାର୍ତ୍ତିକ ମାସ ଚାଲିଥିବାରୁ ପ୍ରାୟ ସବୁ ପରିବାର ଦର ଆକାଶ ଛୁଆଁ ରହିଛି । ହେଲେ ବାଇଗଣ ଦର ପେଟ୍ରୋଲ, ଡିଜେଲ ସହ ତାଳ ଦେଇ ସେଞ୍ଚୁରୀ ମାରିବା ସହ ନୂଆ ରେକର୍ଡ ସୃଷ୍ଟି କରିଛି ।

ରାଜଧାନୀବାସୀଙ୍କ ପାଇଁ ସ୍ବପ୍ନ ହୋଇଯାଇଛି ବାଇଗଣ । ୧୦୦ ପାର କରିଛି ଦର । ସ୍ଥିତି ଏମିତି ଆଉ ପଖାଳ କଂସା ପାଖରେ ବାଇଗଣ ଭର୍ତ୍ତା ଦେଖିବାକୁ ମିଳୁନି । ଭର୍ତ୍ତା କଥା ଛାଡନ୍ତୁ, ଦହି-ବାଇଗଣ ଛୁଙ୍କର ବାସ୍ନା ବି ରୋଷେଇ ଘରୁ ଆସୁନି ।

ଖାଲି ବାଇଗଣ କାହିଁକି ରାଜଧାନୀ ବଜାରରେ ସବୁ ପରିବାର ଦର ଆକାଶ ଛୁଆଁ । ଟଙ୍କା ୫୦୦ରେ ବି ବ୍ୟାଗ୍ ଅଧା ଭର୍ତ୍ତି ହେଉନି । ପୋଟଳ ୬୦ ଟଙ୍କା ଥିବା ବେଳେ ବିଲାତି ଦାମ ୫୦ରୁ ଅଧିକ ରହିଛି । ବିନ୍ସ ବି ବାଇଗଣ ସହ ଟକ୍କର ଦେଉଛି । ବିନ୍ସ ଦର ୮୦ରୁ ଅଧିକ ରହିଛି । ଜହ୍ନି ହେଉ କି ଝୁଡ଼ଙ୍ଗ ଅଥବା ମାଟିଆଳୁ ସବୁର ମୂଲ୍ୟ ୬୦ ଉପରେ । ଯେଉଁଠି କଖାରୁ ୧୦ ଟଙ୍କାରେ ପାଏ ମିଳୁଥିଲା ଏବେ ୨୦ରୁ ୨୫ ଟଙ୍କା ।

ଶାଗ ଖାଇବା କଥା ତ ଭୁଲି ଯାଆନ୍ତୁ । ୧୦ରୁ ୧୫ ଟଙ୍କାରେ ୫ ବିଡା ବିକ୍ରି ହେଉଥିବା ଶାଗ ଏବେ ବିଡ଼ାକୁ ୧୦ ଟଙ୍କାରେ ବିକ୍ରି ହେଉଛି ।

ଏବେ କାର୍ତ୍ତିକ ମାସ ଚାଲିଥିବାରୁ ପ୍ରାୟ ଅଧିକାଂଶ ଲୋକଙ୍କ ଘରକୁ ଆମିଷ ଯାଉନାହିଁ । ଆଉ ନିରାମିଷ ଖାଇବାକୁ ହେଲେ ପରିବା ତ ନିହାତି ଦରକାର । ହେଲେ ବଜାରରେ ଦର ଯାହା ଶୁଣିଲେ ମୁଣ୍ଡ ବୁଲାଇ ପକାଉଛି । କିଣିବା କଥା ଛାଡ଼ନ୍ତୁ, ପରିବା ବେପାରୀଙ୍କୁ ଦର ପଚାରିବାକୁ ବି ଡର ଲାଗୁଛି । ଯଦି ଦର ଟିକେ କମାଇବାକୁ କହିବେ ତେବେ କଥା ସରିଗଲା । ଦୋକାନୀ ଏମିତି ଢଙ୍ଗରେ ନଜର ବୁଲାଉଛନ୍ତି ଯେମିତି ଦର କମାଇବାକୁ କହି ଦେଶଦ୍ରୋହ କରିଦେଲେ କି ।

Leave a Reply