spot_img
Home Blog Page 5170

ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଅନୁସରଣ: BSKY ଯୋଜନା ଢାଞ୍ଚାରେ କେନ୍ଦ୍ର ବାଣ୍ଟିବ ଡିଜିଟାଲ ହେଲ୍ଥ କାର୍ଡ

ଭୁବନେଶ୍ୱର: ରାଜ୍ୟକୁ ଅନୁସରଣ କଲା କେନ୍ଦ୍ର  । ବିଜୁ ସ୍ୱାସ୍ଥ୍ୟ କାର୍ଡ ଢାଞ୍ଚାରେ କେନ୍ଦ୍ର ବାଣ୍ଟିବ ଡିଜିଟାଲ ହେଲ୍ଥ କାର୍ଡ଼ । ଆୟୁଷ୍ମାନ ଭାରତ ଯୋଜନାରେ ଥିବା ତ୍ରୁଟିକୁ ନୂଆ କାର୍ଡ ମାଧ୍ୟମରେ ସୁଧାରିବା ପାଇଁ କେନ୍ଦ୍ର  ପ୍ରୟାସ କରୁଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି । ତେବେ ବିଏସକେଓ୍ବାଇ କାର୍ଡ ଭଳି କେନ୍ଦ୍ର ସରକାର ପ୍ରସ୍ତୁତ କରୁଥିବା କାର୍ଡରେ ଏତେ ଚିକିତ୍ସା ସୁବିଧା ନାହିଁ  ।

ନବୀନଙ୍କ ଯୋଜନାକୁ ଅନୁସରଣ କରୁଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ଆଉ ଏକ ସଫଳ ଯୋଜନାକୁ ଆପଣାଇଛି କେନ୍ଦ୍ର । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡକୁ ଅନୁସରଣ କରୁଛି କେନ୍ଦ୍ର । ବିଜୁ ହେଲ୍ଥ୍ ସ୍ମାର୍ଟ କାର୍ଡ ଭଳି ହିତାଧିକାରୀଙ୍କ ଆଧାର ଓ ଫୋନ ନମ୍ବର ବି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଡିଜିଟାଲ ହେଲ୍ଥ କାର୍ଡରେ ରହିବ । ଜାତୀୟ ଡିଜିଟାଲ ହେଲ୍ଥ ମିଶନ ଅଧୀନରେ ଲୋକଙ୍କୁ ହେଲ୍ଥ କାର୍ଡ ଦିଆଯିବ । ତେବେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡରେ ଅନେକ ସୁବିଧା ଥିବାରୁ ଏହାକୁ ମଡେଲ ଭାବେ ନେଇଛନ୍ତି କେନ୍ଦ୍ର ସରକାର । ୧୪ଟିକିଆ ନମ୍ବର ବିଶିଷ୍ଟ ଏହି କାର୍ଡ ପାଇବା ପାଇଁ ହିତାଧିକାରୀଙ୍କୁ ଏନଡିଏଚ୍ଏମ୍ ମୋବାଇଲ ଆପ୍ ଡାଉନଲୋଡ କରିବାକୁ ପଡ଼ିବ ।

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡରେ ସମସ୍ତ ସରକାରୀ ମେଡିକାଲ ସହିତ ରାଜ୍ୟ ଓ ରାଜ୍ୟ ବାହାରେ ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ହିତାଧିକାରୀ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ହେଲେ ଆୟୁଷ୍ମାନ ଯୋଜନା ହେଲ୍ଥ କାର୍ଡ ବୀମାଭୁକ୍ତ ହୋଇଥିବାରୁ ଚିକିତ୍ସା ପାଇବା ବୀମା କମ୍ପାନୀଙ୍କ ଉପରେ ନିର୍ଭର କରିବ । ସେହିଭଳି ବିଏସକେଓ୍ବାଇ କାର୍ଡକୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଲୋକଙ୍କ ପାଖକୁ ଯାଇ ବାଣ୍ଟଥିବା ବେଳେ ଆୟୁଷ୍ମାନ ଯୋଜନା କାର୍ଡ ପାଇବାକୁ ଲୋକଙ୍କୁ କଷ୍ଟ କରିବାକୁ ପଡ଼ିବ । ନବୀନ ସରକାରଙ୍କ ଆଉ ଏକ ଯୋଜନାକୁ କେନ୍ଦ୍ର ଆପଣାଇବା ବେଳେ ଏଥିରେ ମିଳୁଥିବା ସୁବିଧାକୁ ବି ଧ୍ୟାନ ଦେବା ଦରକାର ବୋଲି ସମୀକ୍ଷକ କହିଛନ୍ତି ।

ପୂର୍ବରୁ ମମତା ଯୋଜନା ଏବଂ ବେଆଇନ ଖଣି କାରବାର ରୋକିବାକୁ ରାଜ୍ୟ ସରକାର ଆଣିଥିବା ସ୍ବତନ୍ତ୍ର ସଫ୍ଟଓ୍ବେରକୁ ମଧ୍ୟ କେନ୍ଦ୍ର ସରକାର ଅନୁସରଣ କରିଥିଲେ  ।  ଏଥିସହ ଅନ୍ୟ ରାଜ୍ୟଙ୍କୁ ଏହାକୁ ମଡେଲ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ଆରସିବି ବିପକ୍ଷ ମ୍ୟାଚ୍‌ରେ ୯ ଓ୍ୱିକେଟରେ କେକେଆର ବିଜୟୀ

0

ଆବୁଧାବି: ଚଳିତ ଆଇପିଏଲ୍‌ର ୩୧ତମ ମ୍ୟାଚ୍‌ରେ ୯ ଓ୍ୱିକେଟରେ ବିଜୟୀ ହୋଇଛି କୋଲକାତା ନାଇଟ ରାଇଡର୍ସ । ଶେଖି ଜାୟେଦ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଆରସିବି ବିପକ୍ଷ ମ୍ୟାଚ୍‌ରେ ଏକତରଫା ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ ।  ଆରସିବି ଦ୍ୱାରା ଧାର୍ଯ୍ୟ ୯୩ରନର ବିଜୟ ଲକ୍ଷ୍ୟକୁ କୋଲକାତା ୧୦ମ ଓଭରରେ ଗୋଟିଏ ମାତ୍ର ଓ୍ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଶୁଭମନ ଗିଲ୍ ୪୮, ଭେଙ୍କଟେଶ ଆୟାର ୪୧ ରନ କରିଥିଲେ ।

May be an image of 1 person, playing a sport and text

ଟସ ଜିତି ପ୍ରଥମେ ବ୍ୟାଟି କରିଥିବା ବିରାଟଙ୍କ ଦଳ ପ୍ରଥମରୁ ହିଁ ଅଧିନାୟକ ବିରାଟ କୋହଲିଙ୍କୁ ହରାଇ ବିପଦର ସମ୍ମୁଖୀନ ହୋଇଥିଲା । ତେବେ ଦେବୀଦତ୍ତ ପଲ୍ଲିକଲ ଓ ଶ୍ରୀକର ଭାରତ ସତର୍କତାର ସହ ବ୍ୟାଟିଂ କରି ଦଳୀୟ  ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ପରେ ଦଳ ୧୯ ଓଭରରେ ମାତ୍ର ୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନଥିଲେ । କୋଲକତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ୩ଟି ଲେଖାଏଁ ଓ ଫର୍ଗୁସନ ୨ଟି ଓ୍ୱିକେଟ ନେଇଥିଲେ ।

May be an image of 2 people, people playing sports and text

 

ନାଳରେ ଭାସିଗଲେ ଚୋରା ମଦ ବେପାରୀ: ଅବକାରୀ ଅଧିକାରୀଙ୍କ ଭୟରେ ଡେଇଁ ପଡ଼ିଲେ

ବାଲେଶ୍ୱର: ଚମ୍ପଟ ଉଦ୍ୟମ ବେଳେ ନାଳରେ ଭାସି ଗଲେ ଚୋରା ମଦ ବେପାରୀ । ବାଲେଶ୍ୱରରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏଭଳି ଅଘଟଣ ଘଟିଛି । ଭାସି ଯାଇଥିବା ବ୍ୟକ୍ତି ଜଣକ ହେଲେ ପୁରୁଣା ବାଲେଶ୍ୱର ଗାଁର ସପନ ମାଝୀ । ସେ ଗିରଫ ଭୟରେ ମଦ ଲଦା ଯାଇଥିବା ନିଜ ମୋଟରସାଇକେଲ ଛାଡି ନାଳକୁ ଡେଇଁ ପଡିଥିଲେ । ହେଲେ ସମୁଦ୍ରକୁ ସଂଯୋଗ କରୁଥିବା ସେହି ନାଳରେ ପାଣି ସୁଅ ଅଧିକ ରହିଥିଲା । ଫଳରେ ସେ ବାହାରି ନପାରି ଭାସି ଯାଇଥିଲେ । ଏନେଇ ସୂଚନା ପାଇବା ପରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ ଓ ପୋଲିସ । ଏ ପର୍ଯ୍ୟନ୍ତ ସପନଙ୍କ ସନ୍ଧାନ ମିଳିପାରିନଥିବା ସୂଚନା ରହିଛି ।

ଏଥିସହିତ ପଢ଼ନ୍ତୁ: ଖୋର୍ଦ୍ଧାରେ ଡିଜେ ସାଉଣ୍ଡକୁ ନେଇ ହତ୍ୟାକାଣ୍ଡ: ୪ଜଣଙ୍କୁ ଅଟକ ରଖିଛି ପୋଲିସ

କବିସୂର୍ଯ୍ୟନଗରର ବହୁ ବିଜେପି ଓ କଂଗ୍ରେସ ନେତାଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର: କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଳକ୍ ଅନ୍ତର୍ଗତ ଜରଡ଼, ଗୁଡ଼ିଆଳି ଏବଂ ଆଠଗଡ଼ ପଞ୍ଚାୟତର ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ଆଜି ଭୁବନେଶ୍ୱରଠାରେ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହେବା ସହିତ ଯୁବ ନେତା ପ୍ରଣବ ପ୍ରକାଶ ଦାସଙ୍କ ସାଂଗଠନିକ କାର୍ଯ୍ୟକ୍ରମରେ ଆକୃଷ୍ଠ ହୋଇ ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ତାଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି ।

ଜରଡ଼ ପଞ୍ଚାୟତର ରାଜେଶ କୁମାର ତ୍ରିପାଠୀ, ପ୍ରେମାନନ୍ଦ ପାତ୍ର, ବ୍ରହ୍ମଜୀ ପାତ୍ର, ରବୀନ୍ଦ୍ର କୁମାର ତ୍ରିପାଠୀ, ପ୍ରଶାନ୍ତ ଦୋରା, ସଞ୍ଜୟ ବେହେରା, ପାଣ୍ଡବ ମେହେନା,ଦିବାକର ମେହେନା, ଶଙ୍କର ଜେନା, ବାଲାଜୀ ପଣ୍ଡା, କୈଳାଶ ସାହୁ, ଭାଗିରଥୀ ଦୋରା, ଦେବାଶିଷ ପଣ୍ଡା, କିଶୋର ଚନ୍ଦ୍ର ସ୍ୱାଇଁ, ଦୟା ସ୍ୱାଇଁ, ପୀତବାସ ପଣ୍ଡା, ଲଳିତ ଡାକୁଆ, ନୀଳାଞ୍ଚଳ ମହାନ୍ତି, ଗଣେଶ ସାହୁ, କିଶୋର ଚନ୍ଦ୍ର ସାହୁ, ଅଶୋକ ସାହୁ, ହୃଷିକେଶ ସାହୁ, ନାରାୟଣ ସେଠୀ, ଦିଲ୍ଲୀପ କୁମାର ମହାନ୍ତି, ରାଜେଶ କୁମାର ମେହେନା, ଭବାନୀ ଶଙ୍କର ତ୍ରିପାଠୀ । ସେହିଭଳି ଗୁଡ଼ିଆଳୀ ପଞ୍ଚାୟତର ସୁବାଷ ଚନ୍ଦ୍ର ସେଠୀ, ନୀଳାଞ୍ଚଳ ପଣ୍ଡା, ସଞ୍ଚୟ ପ୍ରଧାନ, ଶଙ୍କର ଭୂୟାଁ, ଯୋଗେନ୍ଦ୍ର ଭୂୟାଁ, ମଙ୍ଗରାଜ ସ୍ୱାଇଁ ଓ ଆଠଗଡ଼ ପଞ୍ଚାୟତର ସନ୍ତୋଷ କୁମାର ମାର୍ଥୀ, ବ୍ରିଟିଶ ନାୟକ ପ୍ରମୁଖ ଯୋଗଦେଇଛନ୍ତି ।

ପାକିସ୍ତାନ ସହ ଖେଳିବନି ଇଂଲଣ୍ଡ ଟିମ୍‌, କ୍ରିକେଟ ବୋର୍ଡର ନିଷ୍ପତ୍ତି

ପାକିସ୍ତାନ କ୍ରିକେଟକୁ ଜୋରଦାର ଝଟ୍‌କା ଲାଗିଛି । ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ଟିମ୍‌ ମଧ୍ୟ ଏବେ ପାକିସ୍ତାନ ସହ ଖେଳିବାକୁ ମନା କରିଦେଇଛି । ଇଂଲଣ୍ଡର ଉଭୟ ମହିଳା ଓ ପୁରୁଷ ଟିମର ମ୍ୟାଚ୍‌ ବାତିଲ୍‌ କରାଯାଇଛି । ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ଆସନ୍ତା ଅକ୍ଟୋବର ମାସରେ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହୋଇଥାନ୍ତା ।

ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ତରଫରୁ ଆଜି ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । ପୁରୁଷ ଫ୍ୟୁଚର ଟୁର୍ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ୨୦୨୨ ମସିହାରେ ପାକିସ୍ତାନ ଗସ୍ତ କରିବା ପାଇଁ ECB ବହୁ ଦିନର ପ୍ରତିବଦ୍ଧତା କରିଥିଲା । ଚଳିତ ବର୍ଷ ପ୍ରାରମ୍ଭରେ ଆମେ ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବାକୁ ଯୋଜନା କରିଥିଲୁ। ଏପରିକି ପାକିସ୍ତାନରେ ଦୁଇଟି ଅତିରିକ୍ତ T20 ମ୍ୟାଚ୍, T20 ବିଶ୍ୱକପ ଅଭ୍ୟାସ ଭାବେ ଖେଳିବାକୁ ସହମତି ପ୍ରକାଶ କରିଥିଲା ।

ଦିନକ ପରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରିବେ ସ୍ମାର୍ଟ କାର୍ଡ ପ୍ରଦାନ

ବଲାଙ୍ଗୀର ପାଇଁ ବିକାଶର ବ୍ଲୁପ୍ରିଣ୍ଟ । ଆଉ ଦିନକ ପରେ ବଲାଙ୍ଗୀରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ହରିଶଙ୍କର, ନୃସିଂହନାଥ ରୂପାନ୍ତର ପ୍ରକଳ୍ପର ଶିଳାନ୍ୟାସ କରିବେ । ବଲାଙ୍ଗୀରର ବିକାଶ ପାଇଁ ପ୍ରାୟ ୬ଶହକୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ତୃଣମୂଳସ୍ତରରେ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାର ୧୪ଟି ବ୍ଲକ ପାଇଁ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ଦଳୀୟ ଉପଦେଷ୍ଟାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି ।

ସୁସ୍ଥ ବଲାଙ୍ଗୀର ପାଇଁ ସ୍ମାର୍ଟ ସ୍ୱପ୍ନ । ବଲାଙ୍ଗୀର ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ବଦଳିବ ଭିତ୍ତଭୂମି, ଲାଗିବ ବିକାଶର ରଙ୍ଗ । ହରିଶଙ୍କର, ନୃସିଂହନାଥ ପ୍ରକଳ୍ପର ପଡିବ ନିଅ । ୨୨ତାରିଖରେ ବଲାଙ୍ଗୀର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଡ ଦେଖାଇ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ । ପ୍ରତି ପରିବାରକୁ ୫ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ। ରାଜ୍ୟ ସହ ଦେଶର ୨୦୦ଟି ହସପିଟାଲରେ କାର୍ଡ ଜରିଆରେ ମିଳିବ ଚିକିତ୍ସା ସୁବିଧା ।

ସ୍ୱତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରୁ ଟିଟିଲାଗଡ଼ ମିନି ଷ୍ଟାଡିୟମ ଯାଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବେ । ଏହାପରେ ପାଟଣାଗଡ଼ରେ ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ହରିଶଙ୍କର ନୃସିଂହନାଥ ବିକାଶ ପ୍ରକଳ୍ପର ଶିଳାନ୍ୟାସ ହେବ । ବଲାଙ୍ଗୀର ଅତ୍ୟାଧୁନିକ ବସଷ୍ଟାଣ୍ଡ ଉଦଘାଟନ କରିବା ସହ ପାନୀୟ ଜଳଯୋଗାଣ, କୃଷି, ଜଳସେଚନ ଭଳି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ମାଲକାନଗିରି, ସୁନ୍ଦରଗଡ଼ ପରେ ବଲାଙ୍ଗିରରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସେପଟେ ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ହରିଶଙ୍କର, ନୃସିଂହ ନାଥ ବିକାଶ ପ୍ରକଳ୍ପର ପଡିବ ନିଅ । ଦୁଇ ମନ୍ଦିର ବିକାଶ ବେଳେ ସାଂସ୍କୃତିକ, ଧାର୍ମିକ, ପାରିବେଶିକ ଓ ଦୁଃସାହସିକ ପର୍ଯ୍ୟଟନକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।

ଆଫଗାନିସ୍ତାନର ହ୍ରଦରେ ବାେଟିଂ କରୁଛି ତାଲିବାନ

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ସରକାର ଗଠନ କରିଛି । ଯାହା ପରେ ତାଲିବାନ ଆତଙ୍କବାଦୀଙ୍କ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ଏବେ କିଛି ତାଲିବାନୀ ହିନ୍ଦୁ କୁଶ ପାହାଡର ହ୍ରଦରେ ବୋଟିଂ କରୁଥିବା ନଜର ଆସିଛି।

ଏହି ଫଟୋକୁ ଜଣାଶୁଣା ସାମ୍ବାଦିକ ଜେକ୍ ହେନରେହନ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି । ଡେଲି ମେଲ୍ ରିପୋର୍ଟ ଅନୁସାରେ, ଏହି ଫଟାେ Band-e-Amir  ନ୍ୟାସନାଲ୍ ପାର୍କରେ ଉଠାଯାଇଥିଲା । ଏହି ନ୍ୟାସନାଲ୍ ପାର୍କ ଖାସକରି ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ। ବାମିୟାନରୁ ପାଖାପାଖି ୪୫ ମି. ଦୂରରେ ଅବସ୍ଥିତ ଏହି ନ୍ୟାସନାଲ୍ ପାର୍କରେ ୬ଟି ଗଭୀର ନୀଳ ହ୍ରଦ ରହିଛି ।

 

ଜୋରଦାର ହେବ ଆଇନଗତ ଲଢ଼େଇ: ସତ୍ୟପାଠ ଦାଖଲ ନେଇ ପୂର୍ବତନ ଜଳ ଆୟୋଗ ଅଧ୍ୟକ୍ଷ ରାଜେଶ କୁମାର ନିଯୁକ୍ତ

ଭୁବନେଶ୍ୱର: ମହାନଦୀ ପାଇଁ ଆଇନଗତ ଲଢ଼େଇ ଜୋରଦାର ହେବ । ଛତିଶଗଡ଼ ସହିତ ଲାଗିଥିବା ବିବାଦର ହେବ ଅବସାନ । ଟ୍ରିବ୍ୟୁନାଲରେ ଦାଖଲ ପାଇଁ ସତ୍ୟପାଠ ପ୍ରସ୍ତୁତ କରିବାକୁ କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ଅଧ୍ୟକ୍ଷ ରାଜେଶ କୁମାରଙ୍କୁ ରାଜ୍ୟ ଜଳସମ୍ପଦ ବଭାଗ ନିଯୁକ୍ତ କରିଛି । ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବାରୁ ରାଜନୀତି ନକରି ରାଜ୍ୟ ସ୍ୱାର୍ଥ ପାଇଁ ବିରୋଧୀ ଉଦ୍ୟମ କରିବା ଉଚିତ ବୋଲି ବିଜେଡି କହିଛି । ଅନ୍ୟପଟେ ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତିରେ ମାତିଛନ୍ତି ବିରୋଧୀ । ଆଉ ଚଳିବନି ଛତିଶଗଡ଼ର ମନ୍‌ମାନି । ଟ୍ରିବ୍ୟୁନାଲରେ ତଥ୍ୟ ଭିତ୍ତିକ ଯୁକ୍ତି ରଖିବ ଓଡ଼ିଶା । ସତ୍ୟପାଠ ପ୍ରସ୍ତୁତି ପାଇଁ ନିଯୁକ୍ତ ହେଲେ ଅଧିକାରୀ । ମହାନଦୀ ବିବାଦକୁ ନେଇ ବୟାନବାଜି । ମହାନଦୀ ଜଳ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଛି ବିବାଦ । ମାମଲା ଏବେ ଟ୍ରିବ୍ୟୁନାଲରେ ପହଞ୍ଚିଛି । ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀର ଉପରେ ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଛନ୍ତି । ଯାହାକୁ ବିରୋଧ କରି ଆଇନଗତ ଲଢ଼େଇ ଲଢୁଛି ଓଡ଼ିଶା । ଛତିଶଗଡ଼ର ଏହି ବେଆଇନ କାମର ଦଶା ଭୋଗୁଛନ୍ତି ଓଡ଼ିଶାବାସୀ । ଉଭୟ ମୌସୁମୀ ଓ ଅଣ-ମୌସୁମୀ ଋତୁରେ ଓଡ଼ିଶାରେ ଜଳଭାବ ଦେଖାଦେଉଛି । ଏନେଇ ଜଳ ବିବାଦ ପ୍ରାଧିକରଣରେ ସତ୍ୟପାଠ ଜରିଆରେ ବଳିଷ୍ଠ ଯୁକ୍ତି ବାଢ଼ିବ ରାଜ୍ୟ । ଏଥିଲାଗି କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ଅଧ୍ୟକ୍ଷ ରାଜେଶ କୁମାରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ହକ୍ ପାଇଁ ଲଢ଼େଇ ଜାରି ରହିବ ବୋଲି ବିଜେଡି କହିଛି ।

ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ବିରୋଧରେ ସଂସଦରୁ ଆରମ୍ଭ କରି ଟ୍ରିବ୍ୟୁନାଲ ଯାଏ ତଥ୍ୟ ରଖି ନ୍ୟାୟ ଦାବି କରିଛି ଓଡ଼ିଶା । ହେଲେ ସମସ୍ୟାର ସମାଧାନ ହେଉନି କି ରାଜନୀତି ଥମିବାର ନାଁ ନେଉନାହିଁ । ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବିରୋଧୀ ମଧ୍ୟ ପରସ୍ପରକୁ ଦୋଷ ଦେଉଛନ୍ତି । ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ ଦ୍ୱାରା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିଥିବା ଜଳ ବିବାଦର ସମାଧାନ ହେବ ବୋଲି ଆଶା ସଂଚାର ହୋଇଛି ।

ରାଜ୍ୟରେ କରୋନା କାଳରେ ବଢ଼ିଚାଲିଛି ଅଣସଂକ୍ରାମକ ରୋଗ: ଜାତୀୟ ହାରଠୁ ବି ଅଧିକ ରହିଛି ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ କିପରି ସ୍ୱାସ୍ଥ୍ୟ ବିଗୁଡିଛି, କରୋନା ସମୟରେ କିପରି ଅଣସଂକ୍ରାମକ ରୋଗ ବଢ଼ିଚାଲିଛି । ଏ ନେଇ ଚିନ୍ତାଜନକ ଚିତ୍ର ଦେଇଛି ଆସୋଚାମ । ଓଡ଼ିଶାରେ ଅଣସଂକ୍ରାମକ ରୋଗ ହାର ଜାତୀୟ ହାର ଠାରୁ ଢେର ଅଧିକ ରହିଛି ।

ଖାଦ୍ୟ ବଦଳରେ ଖାଉଛେ ବିଷ । ମୃତ୍ୟୁକୁ ଡାକୁଛି ଆଧୁନିକ ଜୀବନଚର୍ଯ୍ୟା । ଫାଷ୍ଟଫୁଡ଼ ଆଗରେ ଫଳ, କ୍ଷୀର ତୁଚ୍ଛ । ସଂକ୍ରମଣଠୁ ଅଧିକ ଭୟଙ୍କର ଅଣସଂକ୍ରାମକ ରୋଗ । କରୋନା ମହାମାରୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଦାରିଦ୍ର୍ୟ, ଖରାପ ଖାଦ୍ୟାଭ୍ୟାସ, ବାୟୁ ପ୍ରଦୂଷଣ, ଚିକିତ୍ସା ଅବହେଳାରୁ ଅଣସଂକ୍ରମକ ରୋଗ ବ୍ୟାପିବାରେ ଲାଗିଛି । ଆସୋଚାମ ସୂଚନା ଅନୁଯାଇ ଓଡିଶାରେ ଅଣସଂକ୍ରାମକ ରୋଗର ବ୍ୟାପିବା ହାର ୨୭.୧୯ ପ୍ରତିଶତ ଥିବାବେଳେ ଜାତୀୟ ହାର ରହିଛି ୧୧.୬୩ ପ୍ରତିଶତ । ପେଟ ରୋଗ କ୍ଷେତ୍ରରେ ଜାତୀୟ ହାର ୩.୧୯% ଥିବାବେଳେ ରାଜ୍ୟରେ ଏହି ହାର ୧୫.୯୧% ରହିଛି । ଅଧିକ ଆମିଷ ଖାଦ୍ୟ, ଲାଲ ମାଂସ ଖାଇବା, ଜଙ୍କ ଫୁଡ ଏବଂ କମ୍ ପରିମାଣ ଫଳ ଖାଇବା ଦ୍ୱାରା ପେଟ ରୋଗ ଓ ମଧୁମେହ ଭଳି ରୋଗ କାୟା ବିସ୍ତାର କରିବାରେ ଲାଗିଛି ।

ରାଜ୍ୟରେ ଜଙ୍କ ଫୁଡ଼ ଚାହିଦା ଅଧିକ ବଢି ଥିବାରୁ ରୋଗର ହାର ମଧ୍ୟ ବଢୁଛି । ସେହିଭଳି ପ୍ରଦୂଷିତ ବାୟୁ କାରଣରୁ ମସ୍ତିଷ୍କ ବିକୃତି ଭଳି ରୋଗ ଦେଖାଯାଉଛି । ଉଚ୍ଚ ରକ୍ତଚାପ, ମଧୁମେହ, ଶ୍ୱାସ ରୋଗ, ମସ୍ତିଷ୍କ ଜନିତ ରୋଗ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ରେ ଅଧିକ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଖାଦ୍ୟାଭ୍ୟାସ, ଜୀବନଶୈଳୀରେ ପରିବର୍ତ୍ତନ ସହ ବ୍ୟାୟାମ ଓ ଯୋଗ କଲେ ଏଭଳି ବ୍ୟାଧିକୁ ଚେକ ଦିଆଯାଇପାରିବ ।

ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା

ପ୍ରୟାଗରାଜ: ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ସୂଚନାନୁସାରେ, ପ୍ରୟାଗରାଜରେ ତାଙ୍କର ମୃତ୍ୟୁ ହୋଇଛି ।

ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ବାଘବରୀ ମଠରୁ ଜବତ ହୋଇଛି ।ତାଙ୍କ ମୃତ୍ୟୁ ପରେ ଆଖଡା ପରିଷଦ ମଧ୍ୟରେ ବିବାଦ ଦେଖାଦେଇଥିବା ଜଣାପଡିଛି । ମହନ୍ତ ନରେନ୍ଦ୍ର ଗିରିଙ୍କ କୋଠରୀ ଭିତରୁ ବନ୍ଦ ରହିଥିଲା, ପରେ ସନ୍ଦେହ ହେବାରୁ ତାଙ୍କ କବାଟ ଖୋଲାଯାଇଥିଲା । ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା ବେଳେ  ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ ହୋଇଥିଲା । ଯେଉଁଥିରେ ସେ ମାନସିକ ସ୍ତରରେ ବିଚଳିତ ଥିବା ଉଲ୍ଲେଖ ରହିଥିଲା । ଯାହା ଫଳରେ ସେ ଆତ୍ମହତ୍ୟା କରିିଥିବା ଚର୍ଚ୍ଚା ହେଉଛି ।

ତେବେ ପ୍ରାଥମିକ ତଦନ୍ତ ପରେ ଏହା ହତ୍ୟାକାଣ୍ଡ ନୁହେଁ ବୋଲି ପୋଲିସ କହିଛି । କିନ୍ତୁ ତାଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ନା ଆଉ କିଛି ସେନେଇ ପୋଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ। ଏହି ଖବର ପରେ ପୋଲିସ ସମଗ୍ର ଅଞ୍ଚଳକୁ ସିଲ୍ କରିବା ସହ ଏବଂ ବାରବରି ମଠରେ କାହାକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଅପରପକ୍ଷେ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।