ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ଖବର ଶୁଣି ୩ ପ୍ରଶଂସକଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତା ପୁନିତ ରାଜକୁମାରଙ୍କ ଶୁକ୍ରବାର ଦିନ ଦେହାନ୍ତ ହୋଇଛି। ହୃଦଘାତ ପରେ ତାଙ୍କୁ ବେଙ୍ଗାଲୁରୁ ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୪୬ ବର୍ଷ ବୟସରେ ଅଭିନେତାଙ୍କ ଦେହାନ୍ତ ହୋଇଛି। କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଆସନ୍ତାକାଲି ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଶାନ୍ତିଶୃଙ୍ଖଳା ସ୍ଥିତି ପ୍ରତି ସଜାଗ ରହିବା ଲାଗି ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସେପଟେ ପ୍ରିୟ ଅଭିନେତାଙ୍କ ଦୁଃଖଦ ମୃତ୍ୟୁକୁ ନେଇ ଶୋକାକୁଳ ହଜାର ହଜାର ଜନତା । ମରଶରୀର ରଖାଯାଇଥିବା କାନ୍ତିରବା ଷ୍ଟାଡିଅମରେ ଏବେ ବି ହଜାର ହଜାର ଲୋକ ପୁନୀତଙ୍କ ଶେଷଦର୍ଶନ କରୁଛନ୍ତି ।

ସେପଟେ ପ୍ରିୟ ଅଭିନେତାଙ୍କୁ ହରାଇ କର୍ଣ୍ଣାଟକରେ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବାବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଥିବା କୁହାଯାଇଛି । ଗତକାଲି ମାତ୍ର ୪୬ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଥିଲେ ଲୋକପ୍ରିୟ ଅଭିନେତା ପୁନୀତ । ପୁନୀତଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କର ଚକ୍ଷୁକୁ ପରିବାର ସଦସ୍ୟ ଦାନ କରିଛନ୍ତି । ତାଙ୍କ ପିତା ତଥା ସୁପରଷ୍ଟାର ଡକ୍ଟର ରାଜକୁମାର ମଧ୍ୟ ଚକ୍ଷୁଦାନ କରିବା ଇଚ୍ଛା ପୋଷଣ କରିଥିବାରୁ ତାଙ୍କ ମୃତ୍ୟୁ ପରେ ଏହି ଇଚ୍ଛା ପୂରଣ କରାଯାଇଥିଲା । ଗତ ୨୦୦୬ ଏପ୍ରିଲ ୧୨ରେ ରାଜକୁମାର ମଧ୍ୟ ୭୬ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଥିଲେ ।

Leave a Reply