ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ କମାଲ: ମାଉଥ ଅର୍ଗାନ ବଜାଇ ଇଣ୍ଡିଆ ରେକର୍ଡ

ହୁଗୁଳୀ: କରୋନ ଲକଡାଉନ ଦେଲା ସୁଯୋଗ । କଠିନ ପରିଶ୍ରମରେ ନିଜ ପ୍ରତିଭାକୁ ଚମକାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲେ ୯ ବର୍ଷର ଚତୁର୍ଥ ଶ୍ରେଣୀ ଛାତ୍ର ସନ୍ତମ ଦାମ । ସଙ୍ଗୀତର ଯାଦୁରେ ଏସିଆର ବେଷ୍ଟ ମାଉଥ ଅର୍ଗାନ କଳାକାର ହେବା ସହ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାମକୁ ସାମିଲ କରିପାରିଛନ୍ତି । ହୁଗୁଳିର ସନ୍ତମ ଏକ ଘଣ୍ଟାରେ ୪୫ଟି ହିନ୍ଦି, ବଙ୍ଗାଳୀ ଓ ଇଂଲିଶ ଗୀତ ମାଇଥ ଅର୍ଗାନରେ ବଜାଇ ଏହି ରେକର୍ଡ କରିଛନ୍ତି ।

ଗତବର୍ଷ ମାର୍ଚ୍ଚରୁ କରୋନା ମହାମାରୀ କାରଣରୁ ସ୍କୁଲ ବନ୍ଦ ହୋଇଯିବା ପରେ ପିଲାମାନଙ୍କ କ୍ଷେତ୍ରରେ ଘରୁ ବାହାରିବା ସମ୍ଭବ ନଥିଲା । ଏହି ସମୟରେ ସନ୍ତମ ଘରେ ବସି ବସି ମାଉଥ ଅର୍ଗାନ ବଜାଇବା ଅଭ୍ୟାସ ଆରମ୍ଭ କରିଦେଇଥିଲେ । ପିଲାଟେ ଦିନରୁ ସନ୍ତମ ମାଉଥ ଅର୍ଗାନ ବଜାଉ ଥିଲେ ବି ଏହି ସମୟରେ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବାକୁ ସୁଯୋଗ ପାଇଥିଲେ ।

ସନ୍ତମଙ୍କ ବାପା ସଞ୍ଜୟ ଦାସ କହିଛନ୍ତି, ‘ପୁଆ ଆଗକୁ ଗିନିଜ ବୁକ୍ ଅଫ୍ ରେକର୍ଡ କରିବାକୁ ଇଚ୍ଛା ରଖିଛି । ଏଥିପାଇଁ ସେ ବହୁତ ଅଭ୍ୟାସ କରୁଛି । କେବଳ ମାଉଥ ଅର୍ଗାନ ବଜାଇବାରେ ନୁହେଁ, ପାଠରେ ବି ସନ୍ତମ ବେଶ ଆଗରେ । ସଙ୍ଗୀତ ମାଧ୍ୟମରେ ପଶ୍ଚିମବଙ୍ଗ ସହ ପୂରା ଦେଶରେ ପ୍ରେମ ଓ ଶାନ୍ତିର ବାର୍ତ୍ତା ପହଞ୍ଚାଇବାକୁ ସେ ଇଚ୍ଛା ରଖିଛି ।’

ସନ୍ତମଙ୍କୁ ମାଉଥ ଅର୍ଗାନ ବଜାଇବାକୁ ତାଙ୍କ ବାପା ଉତ୍ସାହିତ କରିଥିଲେ ଓ ତାଙ୍କୁ ଏକ ମାଉଥ ଅର୍ଗାନ କିଣି ଦେଇଥିଲେ । ଏହା ପରଠାରୁ ସନ୍ତମ ମାଉଥ ଅର୍ଗାନ ପ୍ରେମରେ ପଡ଼ି ଯାଇଥିଲେ । ୨୧ ମାସ ହେବ ସ୍କୁଲ ବନ୍ଦ ଥିବାରୁ ସନ୍ତମଙ୍କୁ ଅଧିକ ସମୟ ମିଳି ଯାଇଥିଲା । ଏମିତି ସୁଯୋଗକୁ ସଦୁପଯୋଗ କରି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କୁନି କଳାକାର ସନ୍ତମ ।

Leave a Reply