spot_img
Home Blog Page 5057

ଆମେରିକାରେ ସୋରିଷ ତେଲ ବ୍ୟାନ୍, ଜାଣନ୍ତୁ କାହିଁକି…

ୱାଶିଂଟନ୍: ଦେଶରେ ଇନ୍ଧନ ଠାରୁ ଆରମ୍ଭ କରି ଖାଇବା ତୈଳ ପର୍ଯ୍ୟନ୍ତ ପ୍ରତ୍ୟେକଟି ଜିନିଷର ତୈଳବୃଦ୍ଧି ଖାଉଟିଙ୍କୁ ସମସ୍ୟାରେ ପକାଇଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ପକେଟ୍ ଉପରେ। ଇନ୍ଧନ ଦର ଦୈନିକ ବଢ଼ୁଥିବା ବେଳେ ଖାଇବା ତେଲର ଦର ବୃଦ୍ଧି ଗୃହିଣୀଙ୍କ ମୁଣ୍ଡରେ ଚଡ଼କ ପକାଇଛି । ବଜାରରେ ଏବେ ସୋରିଷ ତେଲ ଲିଟର ପିଛା ରହିଛି ପ୍ରାୟ ୨୨୫ ଟଙ୍କା । ଯାହା ଚଳିତ ବର୍ଷ ଆରମ୍ଭରେ ଲିଟର ପିଛା ୧୩୦ରୁ ୧୪୦ ଟଙ୍କା ଥିଲା । ଅବଶ୍ୟ ଗତ କିଛି ଦିନ ହେବ ସୋରିଷ ତେଳକୁ ଛାଡ଼ି ଅନ୍ୟ ସମସ୍ତ ତେଲର ଦରବୃଦ୍ଧିରେ ସାମାନ୍ୟ ଆଶ୍ୱସ୍ତି ଦେଖିବାକୁ ମିଳିଛି । ତେବେ ଏହି ସୋରିଷ ତେଲ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆଜି ଆମେ ଆପଣଙ୍କ ସହିତ ଶେୟାର କରିବୁ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେଉଁ ସୋରିଷ ତେଲକୁ ଭାରତରେ ବହୁଳ ବ୍ୟବହାର କରାଯାଏ, ତାହା ଉପରେ ଆମେରିକାରେ ପ୍ରତିବନ୍ଧକ ଲାଗିଛି ।

ଆମେରିକାରେ ଯଦି ଆପଣ ସୋରିଷ ତେଲ କିଣିବେ, ତେବେ ତାହା ଉପରେ ଆପଣଙ୍କୁ ଏହା ଲେଖା ଥିବାର ଦେଖିବାକୁ ମିଳିବଯେ, ଏହା କେବଳ ଏକ୍ସଟର୍ନାଲ ବ୍ୟବହାର ପାଇଁ । ଅର୍ଥାତ୍ ସେଠାରେ କେବଳ ଏହି ତେଲକୁ ବସାଜ କରିବା ପାଇଁ ବ୍ୟବହାର କରାଯାଏ । ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ସ ଆଡମିନଷ୍ଟ୍ରେସନ ସୋରିଷ ତେଲକୁ ଏକ ଖାଦ୍ୟ ତେଲ ଭାବରେ ବ୍ୟବହାର କରିବା ଉପରେ ରୋକ ଲଗାଇଛନ୍ତି । ଆଡମିନଷ୍ଟ୍ରେସନଙ୍କ ଅନୁସାରେ ସୋରିଷ ତେଲର ବ୍ୟବହାର ଶରୀର ପାଇଁ ହାନିକାରକ ।

ବାସ୍ତବରେ ସୋରିଷ ତେଲରେ ପ୍ରଚୁର ମାତ୍ରାରେ ମୋନୋଅନସାଚୁରେଟେଡ ଫ୍ୟାଟି ଏସିଡ ରହିଛି । ଏହା ସତଯେ ଏହା ଶରୀର ମଧ୍ୟରୁ ଖରାପ କୋଲେଷ୍ଟ୍ରଲକୁ ବାହାର କରିଦିଏ । କିନ୍ତୁ ଏଫଡିଏ ଅନୁସାରେ ୟୁରିସିକ୍ ଏସିଡର ବହୁଳ ବ୍ୟବହାର ମଣିଷ ଶରୀର ପାଇଁ କ୍ଷତିକାରକ । ସୋରିଷ ତେଲରେ ୨୦ରୁ ୪୦ ପ୍ରତିଶତ ୟୁରିସିକ୍ ଏସିଡ୍ ଥାଏ । ପଶୁ ଦେହରେ ଏହାକୁ ନେଇ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲାଯେ, ଏହା ଶରୀରର ପୋଷକ ତତ୍ତ୍ୱକୁ କମ୍ କରିଦିଏ । ଏହାଦ୍ୱାରା ହୃତପିଣ୍ଡକୁ କ୍ଷତି ପହଞ୍ଚାଇଥାଏ ।

ଭାରତ ବ୍ୟତୀତ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ବାଂଲାଦେଶରେ ବହୁଳ ମାତ୍ରାରେ ସୋରିଷ ତେଲ ବ୍ୟବହାର ହୁଏ । ଭାରତ ସରକାର ଚଳିତ ବର୍ଷ ୮ ଜୁନରେ ସୋରିଷ ତେଲରେ କୌଣସି ପ୍ରକାରର ଭେଜାଲ ମିଶାଇବା ଉପରେ ରୋକ ଲଗାଇଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ସୋରିଷ ତେଲରେ ପାମ୍ ଏବଂ ରାଇସ ବ୍ରାନ ଅଏଲ ବ୍ୟବହାର ହେଉଥିଲା । ତେବେ ୧୯୯୦ରେ ସରକାର ସୋରିଷ ତେଲରେ ଅନ୍ୟ ତେଲ ମିଶାଇବାକୁ ଅନୁମତି ଦେଇଥିଲେ ।

କଟକରେ ରାଜ୍ୟ ସିନିୟର କୁସ୍ତି ପ୍ରତିଯୋଗିତା ଉଦଘାଟିତ, ଭାଗ ନେଇଛନ୍ତି ୧୫୦ ଖେଳାଳି

କଟକ: କଟକ ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ ପରିସରରେ ଆରମ୍ଭ ହୋଇଛି ରାଜ୍ୟ ସିନିୟର କୁସ୍ତି ପ୍ରତିଯୋଗିତା। ଓଡିଶା କୁସ୍ତି ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ଚାମ୍ପିଅନସିପରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୫୦ କୁସ୍ତି ଖେଳାଳି ଭାଗ ନେଇଛନ୍ତି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ସିନିୟର, ଜୁନିୟର, ସବଜୁନିୟର ଓ କ୍ୟାଡେଟ୍ ବର୍ଗରେ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି।

ଏହି କୁସ୍ତି ପ୍ରତିଯୋଗିତାରୁ ଜାତୀୟ ପ୍ରତିଯୋଗିତା ପାଇଁ ଓଡିଶା ସିନିୟର, ଜୁନିୟର, ସବଜୁନିୟର ଓ କ୍ୟାଡେଟ୍ ଟିମ୍ ଚୟନ କରାଯିବ। ପରେ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ସେମାନଙ୍କୁ ଜାତୀୟ ପ୍ରତିଯୋଗିତାକୁ ପଠାଯିବ ବୋଲି ଜଣାପଡିଛି।

ବିନା ବିଜ୍ଞାପନରେ ଦେଖିପାରିବେ ୟୁଟ୍ୟୁବ ଭିଡ଼ିଓ

ନୂଆଦିଲ୍ଲୀ: ୟୁଟ୍ୟୁବ୍ ହେଉଛି ଏକ ପପୁଲାର ଭିଡ଼ିଓ ଷ୍ଟ୍ରିମିଂ ପ୍ଲାଟଫର୍ମ । ଏଥିରେ ଆପଣ ଅନେକ ପ୍ରକାରର ଭିଡ଼ିଓ ଦେଖିପାରିବେ । ଗୀତଠାରୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ ଆପଣ ପ୍ରତ୍ୟେକଟିର ମଜା ନେଇପାରିବେ । କିନ୍ତୁ ଭିଜୁଆଲ ଦେଖିବା ସମୟରେ ବାରମ୍ବାର ଆସୁଥିବା ବିଜ୍ଞାପନ ଅନେକଙ୍କୁ ଚିଡ଼ିଚିଡ଼ା କରିଦିଏ ।

ଭିଡ଼ିଓ ମଧ୍ୟରେ ୟୁଟ୍ୟୁବ ବିଜ୍ଞାପନ ଆସିଯିବା ଦ୍ୱାରା ଦେଖିବାର ମଜା ଫିକା ପଡ଼ିଯାଏ । ଏହାକୁ ହଟାଇବା ପାଇଁ କମ୍ପାନୀ ଅପ୍ସନ ମଧ୍ୟ ଦିଏ । କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରିମିୟମ୍ ସବସ୍କ୍ରିପ୍ସନ ନେବାକୁ ପଡ଼ିବ । ଆପଣ ୟୁଟ୍ୟୁବର ପ୍ରିମିୟମ ସବସ୍କ୍ରିପ୍ସନ ନ ନେଇ ମଧ୍ୟ ବିନା ବିଜ୍ଞାପନରେ ୟୁଟ୍ୟୁବ ଭିଡ଼ିଓ ଦେଖିପାରିବେ । ତେବେ ଏହା କିଭଳି ସମ୍ଭବ, ତା’ର ସହଜ ଉପାୟ ଆଜି ଆମେ ଆପଣଙ୍କୁ କହିବୁ । ଏହା ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଖୁବ୍ ସହଜ ।

ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ବିନା ବିଜ୍ଞାପନରେ ଭିଡ଼ିଓ ଦେଖିବା ପାଇଁ ତ ଅନେକ ଉପାୟ ରହିଛି, କିନ୍ତୁ ଆମେ ଆପଣଙ୍କୁ କହୁଛୁ ବ୍ରେଭ୍ ବ୍ରାଉଜର ବିଷୟରେ ।
ବ୍ରେଭ୍ ବ୍ରାଉଜରରେ ବିନା କୌଣସି ବିଜ୍ଞାପନରେ ୟୁଟ୍ୟୁବ ଦେଖିବାର ଏକାଧିକ ଉପାୟ ରହିଛି । ବ୍ରେଭ୍ ବ୍ରାଉଜର ଆଡ୍ସ ଏବଂ ଟ୍ରାକରକୁ ବ୍ଲକ୍ କରିଦିଏ । ଏହାକୁ ଆପଣ ଗୁଗଲ ପ୍ଲେ ଷ୍ଟାରରୁ ଡାଉନଲୋଡ କରିପାରିବେ । ବ୍ରେଭ୍ ବ୍ରାଉଜରରେ ବିନା ବିଜ୍ଞାପନ ବ୍ଲକ୍ କରିବା ପରେ ୟୁଟ୍ୟୁବ ଓ୍ୱେବସାଇଟକୁ ସପନ କରନ୍ତୁ । ଏହାପରେ ଆପଣ ଆପଣଙ୍କର ପସନ୍ଦର ଭିଡ଼ିଓକୁ ବିନା କୌଣସି ବିଜ୍ଞାପନରେ ଦେଖିପାରିବେ ।

ଲକ୍ଷ୍ମୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସିର ଗାଇଡଲାଇନ ଜାରି

ଭୁବନେଶ୍ୱର: କାର୍ତ୍ତିକ ମାସ ପାଇଁ ପୂଜା ଗାଇଡ୍‌ଲାଇନ ଜାରି କଲା ବିଏମସି । ରାଜଧାନୀରେ ଲକ୍ଷ୍ମୀ ପୂଜାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ହେବାକୁ ଥିବା ପୂଜା ଲାଗି ମାର୍ଗଦର୍ଶିକା ଜାରି କରିଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ। କରୋନା କଟକଣାରେ ପୂଜା ପାଳନ ହେବ।

ଲକ୍ଷ୍ମୀ ଓ କାର୍ତ୍ତିକେଶ୍ବରଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ୭ଜଣରୁ ଅଧିକ ଲୋକ ଉପସ୍ଥିତ ରହିବା ମନା । ଏହାସହ ପୂଜା ମଣ୍ଡପ ଓ ଏହାର ଆଖପାଖରେ କୌଣସି ସାଂସ୍କୃତିକ ଓ ଧାର୍ମିକ ସମାବେଶ କରାଯିବ ନାହିଁ ବୋଲି ବିଏମସି ଗାଇଡଲାଇନ ଜାରି କରିଛି । ସେହିପରି ଭସାଣ ଶୋଭାଯାତ୍ରାରେ ମଧ୍ୟ କଟକଣା ଲଗାଯାଇଛି । ଭସାଣି ଶୋଭାଯାତ୍ରାରେ ସର୍ବାଧିକ ୧୦ଜଣ ଲୋକ ସାମିଲ ହୋଇପାରିବେ । ଭସାଣିରେ ସାମିଲ ହୋଇଥିବା ଲୋକମାନେ କରୋନା ଡବଲ ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ ।

ସେହିପରି କାର୍ତ୍ତିକ ବ୍ରତ ବେଳେ ହବିଷ୍ୟାଳିଙ୍କୁ ମନ୍ଦିରରେ ଏକତ୍ରିତ ହେବା ଉପରେ କଟକଣା ଜାରି କରାଯାଇଛି। କୌଣସି ମନ୍ଦିରରେ ରହି ହବିଷ୍ୟାଳି କାର୍ତ୍ତିକ ବ୍ରତ କରିପାରିବେ ନାହିଁ । ବିନ୍ଦୁସାଗର ଓ ଅନ୍ୟ ସମସ୍ତ ନଦୀ ପୁଷ୍କରିଣୀରେ କାର୍ତ୍ତିକ ଉତ୍ସବ ପାଳନକୁ ବାରଣ କରାଯାଇଛି । ତେବେ ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତି ତଥା ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଛି।

ମୃତଦେହକୁ କାନ୍ଧ ଦେଲେନି ସାହି ପଡ଼ିଶା; ଶବ ସତ୍କାର କଲେ ସ୍ତ୍ରୀ

ନବରଙ୍ଗପୁର: ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ସାହି ପଡ଼ିଶାଙ୍କ କାନ୍ଧ। ଶବ ସତ୍କାର କଲେ ସ୍ତ୍ରୀ ଓ ବାପା-ମା’। ଏଭଳି ଅଭାବନାୟୀ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ଗାଁରେ। ସାରଥି ଯାନୀଙ୍କ ପୁଅ ଜଗବନ୍ଧୁ ଯାନୀ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଥିଲେ।

ଖବର ପାଇ ଗାଁର ଅନ୍ୟ ସମ୍ପ୍ରଦାୟର ୩ ଯୁବକ ସହାୟତା ପାଇଁ ମେଡିକାଲରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ ଯୋଗେ ଗାଁରେ ଜଗବନ୍ଧୁଙ୍କ ମୃତଦେହ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବିବାଦ। ଅନ୍ୟ ସମ୍ପ୍ରଦାୟର ଯୁବକ ମୃତଦେହକୁ ଛୁଇଁଥିବା ଅଭିଯୋଗ କରି ଜାତି ଭାଇମାନେ ଶବ ସତ୍କାର କରିବା ପାଇଁ ମନା କରିଦେଇଥିଲେ।

ତେବେ ଜଗବନ୍ଧୁଙ୍କର ପ୍ରଥମ ପତ୍ନୀ ଥିବା ବେଳେ ସେ ଅନ୍ୟ ସଂପ୍ରଦାୟର ଆଉ ଏକ ଝିଅକୁ ବାହା ହୋଇଥିବାରୁ ସାହି ଭାଇ ଶବ ସତ୍କାର କରିନଥିଲେ। ଶେଷରେ ବାଧ୍ୟ ହୋଇ ଜଗବନ୍ଧୁ ଯାନୀଙ୍କ ୨ ସ୍ତ୍ରୀ, ମା’ ଓ ବାପା ମୃତଦେହକୁ କୋକେଇରେ ମଶାଣିକୁ ନେଇ ସତ୍କାର କରିଥିଲେ। ଜଗବନ୍ଧୁଙ୍କ ୨ କୁନି ପୁଅ ମୁଖାଗ୍ନି ଦେଇଥିଲେ।

ପୋଲିସ କବଜାରେ ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ

ବଲାଙ୍ଗୀର: ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣାରେ ଫେରାର୍ ଥିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ଯାହାକୁ ମଙ୍ଗଳବାର ଦିନ ଧରାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଲେ ବଲାଙ୍ଗୀର ଏସପି ।

ସୂଚନା ଅନୁଯାୟୀ, ଗୋବିନ୍ଦ ଭଉଣୀ ଘରେ ଲୁଚି ରହିଥିଲା ବେଳେ ତା’କୁ ବୁଢ଼ିପଦରରୁ ପୋଲିସ ଗିରଫ କରିଛି । ଭଉଣୀ ଘର ଆଖୁବାଡିରେ ଲୁଚିଥିଲେ ଗୋବିନ୍ଦ । ଚଢାଉ କରି ଆଖୁବାଡିରୁ ତାଙ୍କୁ ଗିରଫ କରିଛି ପୋଲିସ । ସେପଟେ ଡିଆଇଜି ଦୀପକ କୁମାର ଗୋବିନ୍ଦଙ୍କୁ ଗିରଫଦାରୀ ସଂପର୍କରେ ସୂଚନା ଦେବା ସହ ତାଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଗୋବିନ୍ଦଙ୍କ ସହଯୋଗ ମାନଙ୍କୁ ପୋଲିସ ଖୋଜୁଥିବା ସୂଚନା ଦେଇଛନ୍ତି ଡିଆଇଜି । ଗତ ରବିବାର ରାତିରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ ଗୋବିନ୍ଦ । ଗୋବିନ୍ଦଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୋଲିସ ।

ନିକଟ ଅତୀତରେ ପୋଲିସ କବଜାରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ୍ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଥିଲା ବଲାଙ୍ଗୀର ପୋଲିସ । ଏପରିକି ଗୋବିନ୍ଦଙ୍କ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ମିଳିବ ବୋଲି ଲଟକା ଜାରି କରିଥିଲା ପୋଲିସ। ସେହିପରି ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଡ଼ ଦୀପକ କୁମାର । ତଦନ୍ତର ଅଗ୍ରଗତି ନେଇ ଏସପିଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଡିଆଇଜି।

 

ପୁରୀ ସମୁଦ୍ରରେ ବୁଡିଗଲେ ୨ ପର୍ଯ୍ୟଟକ; ଜଣେ ମୃତ ଓ ଅନ୍ୟଜଣେ ନିଖୋଜ

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇଛନ୍ତି ଦୁଇ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛନ୍ତି।

ତେବେ ଉଦ୍ଧାର ହୋଇଥିବା ଯୁବକଙ୍କର ଏଯାବତ୍ ପରିଚୟ ମିଳିନାହିଁ । ସୂଚନା ଅନୁଯାୟୀ, ସେ ଲାଇଟ ହାଉସ ନିକଟରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ। ସ୍ୱର୍ଗଦ୍ୱାର ନିକଟରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।

ସେହିପରି ଅନ୍ୟଜଣେ ପିଙ୍କ ହାଉସ ନିକଟ ବେଳାଭୂମିରେ ଗାଧୋଉଥିବା ବେଳେ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

ଉତ୍ତରାଖଣ୍ଡରେ ଜଳପ୍ରଳୟ; ଉଦ୍ଧାର କାର୍ଯ୍ୟରେ ନିୟୋଜିତ SDRF ଟିମ୍

ନୈନିତାଲ: ଉତ୍ତରାଖଣ୍ଡରେ ଜଳପ୍ରଳୟ ସ୍ଥିତି ଦେଖାଦେଇଛି। ଗତକାଲିଠାରୁ ପ୍ରବଳ ବର୍ଷା ସହ ଭୂସ୍ଖଳନ ଯୋଗୁ ସ୍ଥିତି ବେହାଲ । ନୈନିତାଲ ଅନ୍ତର୍ଗତ ରାମଗଡରେ ଆଜି ସକାଳୁ ମୂଷଳ ଧାରାରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପାହାଡ଼ ଧସିବା ଯୋଗୁ ଅନେକ ଯାତ୍ରୀ ଫସି ରହିଛନ୍ତି । ଧସି ଥିବା ପାହାଡ଼ ତଳେ ଅନେକ ଗାଡ଼ି ଫସି ରହିଛି।

ଘାଟି ରାସ୍ତା ଦେଇ ଆସୁଥିବା କେତେକ କାର୍‌ ତଳକୁ ଖସିପଡ଼ିଥିବା ବେଳେ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଉଛି। ଅନେକ ଯାତ୍ରୀ ମୃତାହତ ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସେପଟେ ଦେବଭୂମିର ଅନ୍ୟ ଜିଲ୍ଲାରେ ବି ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ ଏବେସୁଦ୍ଧା ପ୍ରାୟ ୫ଜଣଙ୍କ ମୃତ୍ୟୁ ହୋଇଛି ।

ଚମୋଲି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ମନ୍ଦାକିନୀ ନଦୀରେ ବନ୍ୟା ସ୍ଥିତି ଉପୁଜିଛି । ସେପଟେ ଗଙ୍ଗାରେ ଜଳସ୍ତର ବୃଦ୍ଧି ଯୋଗୁ ଋଷିକେଶ ଓ ଅନ୍ୟଘାଟ ଜଳମଗ୍ନ ହୋଇଛି । ବର୍ଷା ଓ ବାଦଲ ଫଟା ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ପ୍ରାୟ ୧୬ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ କେଦାରନାଥ ଯାତ୍ରାରୁ ଫେରୁଥିବା ବେଳେ ପାହାଡ଼ ଧସିବା ଯୋଗୁ ଫସି ରହିଥିବା ୨୨ ଯାତ୍ରୀଙ୍କୁ SDRF ଟିମ୍ ଉଦ୍ଧାର କରିଛନ୍ତି । ସମସ୍ତେ ସୁରକ୍ଷିତ ଅଛନ୍ତି ।

ସନ୍ଦିଗ୍ଧ ଗୋବିନ୍ଦ ସାହୁଙ୍କ ପାଇଁ ଇନାମ୍ ଘୋଷଣା କଲା ପୋଲିସ

0

ଧର୍ମଗଡ଼: ମାଟି ତଳୁ ମିଳିଲା ମଣିଷ ଶରୀରର ଅଧାପୋଡା ମର ଶରୀର । କଳାହାଣ୍ଡି ମହାଲିଙ୍ଗ ମିନି ଷ୍ଟାଡିୟମରୁ ଦରପୋଡା ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତଦେହ ମମିତାଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନି । ପରିବାର ଲୋକ ଚିହ୍ନଟ କଲେ ତଦନ୍ତ ଆଗକୁ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ବଲାଙ୍ଗୀର ଏସପି । ସେପଟେ ପୋଲିସ କବଜାରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ୍ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଛି ବଲାଙ୍ଗୀର ପୋଲିସ । ଏଥିସହିତ ଗୋବିନ୍ଦଙ୍କ  ସମ୍ପର୍କରେ ସୂଚନା ଦେବା ଲାେକଙ୍କ ନିମନ୍ତେ ଘୋଷଣା କରାଯାଇଥିବା ୨୦ ହଜାର ଟଙ୍କାର ପୁରସ୍କର ରାଶିକୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏନେଇ ଲଟକା ଜାରି କରିଛି ପୋଲିସ । ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ଗତ ୧୨ଦିନ ହେବ ନିଖୋଜ ଅଛନ୍ତି । ମମିତାଙ୍କୁ ମାରି ପୋଡ଼ି ଦେବା ପରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଇଥିଲା । ଏହାପରେ ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡିଆର ଚିହ୍ନଟ ସ୍ଥାନ ଖୋଳାଯାଇଥିଲା । ମାଟିତଳୁ ଅଧାପୋଡା ମର ଶରୀର ଉଦ୍ଧାର ହୋଇଛି ।

ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ନିର୍ମାଣାଧୀନ ମିନି ଷ୍ଟାଡିୟମରେ ନିୟୋଜିତ ଜେସିବି ଡ୍ରାଇଭର ଓ ସିକ୍ୟୁରିଟି ଗାର୍ଡକୁ ଅଟକ ରଖାଯାଇଛି । ଜେସିବି ଡ୍ରାଇଭରର ବୟାନକୁ ଆଧାର କରି ସ୍କୁଲ ପରିସରରେ ଚିହ୍ନଟ ଜାଗାକୁ ଖୋଳା ହୋଇଥିଲା । ସେପଟେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ରବିବାର ରାତିରୁ ଫେରାର ହୋଇଯାଇଛନ୍ତି ।

ଏଲ୍‌ଏସିରେ ସକ୍ରିୟ ଚୀନ ସେନା: ଆଲୋଚନା ସତ୍ତ୍ୱେ ଗ୍ରାମ ପ୍ରତିଷ୍ଠା କରୁଛି ଚୀନ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ବେଶ୍ ସକ୍ରିୟ ଚୀନର ପିପୁଲସ ଲିବରେସନ ଆର୍ମି । ବିଭିନ୍ନ ସ୍ଥାନରେ ବାର୍ଷିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ସହ ବିଭିନ୍ନ ତଳିଆ  ସ୍ଥାନରେ ସୈନ୍ୟ ମୁତୟନ କରିଛି ବୋଲି କହିଛନ୍ତି ପୂର୍ବାଞ୍ଚଳ ସେନା କମାଣ୍ଡର ଲେଫଟନାଣ୍ଟ ଜେନରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ବିଭିନ୍ନ ଆଲୋଚନା ସତ୍ତ୍ୱେ ଚୀନ ବିବାଦୀୟ ଏଲଏସି ଅଞ୍ଚଳରେ ଗ୍ରାମ ପ୍ରତିଷ୍ଠା କରୁଛି ଏବଂ ସେଥିପ୍ରତି ବେଶ୍ ସଜାଗ ରହିଛି ଭାରତ ।

ଉଭୟ ସାମରିକ ଓ ବେସାମରିକ ସ୍ତରରେ ଭାରତ ସଜାଗ ରହିଛି ବୋଲି ସେ କହିଛନ୍ତି । ଆରୁଣାଚଳ ପ୍ରଦେଶର ରୁପାଠାରେ ପାଣ୍ଡେ କହିଛନ୍ତି ଏଲଏସିରେ ଚୀନ ନିଜର ସାମରିକ କାର୍ଯ୍ୟକଳାପ ବଢାଇବାରେ ଲାଗିଛି ଏବଂ ସ୍ଥାନୀୟ କମାଣ୍ଡର ସ୍ତରରେ ଏହାର ସମାଧାନ କରାଯାଉଛି । ସୀମାନ୍ତରେ ସୃଷ୍ଟି ହେଉଥିବା ଉତ୍ତେଜନା ପ୍ରଶମନ ଲାଗି ଭାରତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି ଏବଂ ତିନିଟି ହଟଲାଇନ ପ୍ରତିଷ୍ଠା ହୋଇଛି ବୋଲି କହିଛନ୍ତି । ଏଲଏସିରେ ଦୁଇ ପକ୍ଷ ଭିତ୍ତିଭୂମି ପ୍ରତିଷ୍ଠା କରୁଥିବା ବିଷୟ ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜମ୍ମୁ-କଶ୍ମୀରରେ ନବେ ଦଶକର ସ୍ଥିତି: ଭିଟାମାଟି ଛାଡ଼ି ପାଳୟନ କରୁଛନ୍ତି କଶ୍ମୀରବାସୀ