ପୁଣି ବିବାଦରେ କଙ୍ଗନା: ଏଥର ଟାର୍ଗେଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧି

1 min read

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ପୁଣି ଥରେ ବିବାଦରେ ଫସିଛନ୍ତି ପଦ୍ମଶ୍ରୀ କଙ୍ଗନା ରାଣାଓ୍ବତ । ଦେଲେ ମାନହାନିକର ମନ୍ତବ୍ୟ । କହିଲେ, ଇନ୍ଦିରା ନିଜ ଜୋତାରେ ମଶାଙ୍କୁ ଦଳିବା ପରି ଶିଖମାନଙ୍କୁ ଦଳି ଦେଇଥିଲେ ।

କଙ୍ଗନା କହିଛନ୍ତି, ‘ଆଜି ସରକାରଙ୍କ ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଚାପ ପକାଉଛନ୍ତି । ନିଜ ଇଚ୍ଛାନୁସାରେ ପରିଚାଳିତ କରିବାକୁ ଚାହୁଁଛନ୍ତି । ମାତ୍ର ଆମେ ଜଣେ ମହିଳାଙ୍କୁ ଭୁଲି ଯିବା ଉଚିତ ହେବ ନାହିଁ । ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଯିଏ ନିଜ ଜୋତାରେ ସେମାନଙ୍କୁ ଦଳି ଦେଇଥିଲେ । ସେ ଦେଶ ଲାଗି କେତେ କ୍ଷତି କରିଛନ୍ତି ତାହା ବଡ କଥା ନୁହେଁ ବରଂ ସେ ମଶାଙ୍କୁ ଦଳିବା ପରି ସେମାନଙ୍କୁ ଦଳି ଦେଇଥିଲେ । ବର୍ତ୍ତମାନ ବି ସେମାନେ ଏହି ଘଟଣାରେ ଶିହରି ଉଠୁଛନ୍ତି ।’

କଙ୍ଗନାଙ୍କ ଏପରି ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିବାଦ କରିଛି ଅକାଳୀ ଦଳ । ଦଳର ନେତା ମନଜିନ୍ଦର ସିଂ ସିର୍ସା କଙ୍ଗନାଙ୍କ ବିରୋଧରେ ଦିଲ୍ଲୀର ମନ୍ଦିର ମାର୍ଗ ଥାନାରେ ଏହି ମାମଲା ରୁଜୁ କରିଛନ୍ତି । ଦିଲ୍ଲୀ ଶିଖ୍ ଗୁରୁଦ୍ବାର ପରିଚାଳନା କମିଟି ସଭାପତି ଥିବା ମନଜିନ୍ଦର କହିଛନ୍ତି କଙ୍ଗନା ଚାଷୀ ଆନ୍ଦୋଳନକୁ ଉଦ୍ଦେଶ୍ୟମୂଳକ ଭାବେ ଖଲିସ୍ଥାନୀ ଆନ୍ଦୋଳନ ସହ ଯୋଡୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ସେୟାର କରି ସେ କହିଛନ୍ତି- ଖଲିସ୍ତାନୀ ଆନ୍ଦୋଳନ ବୃଦ୍ଧି ସହ ଇନ୍ଦିରାଙ୍କ କାହାଣୀ ପୂର୍ବ ତୁଳନାରେ ଅଧିକ ଯଥାର୍ଥ ରହିଛି ।

ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବିଜେପି ସରକାରଙ୍କୁ ଖୋଲାଖୋଲି ସମର୍ଥନ କରି ଚର୍ଚ୍ଚାରେ ରହିଥିବା କଙ୍ଗନାଙ୍କ ଏହି ମନ୍ତବ୍ୟ ପୁଣି ଚର୍ଚ୍ଚାର କାରଣ ହୋଇଛି । କଙ୍ଗନା ରଣାଓ୍ବତ ବିବାଦୀୟ କୃଷି ଆଇନର ଜଣେ ଦୃଢ଼ ସମର୍ଥକ ଥିଲେ ।

Leave a Reply