spot_img
Home Blog Page 5049

୨୪ରୁ ରାଜଧାନୀରେ ପୁଣି ହକି ମହାକୁମ୍ଭ

ଭୁବନେଶ୍ବର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ । ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର କ୍ରୀଡ଼ାସୂଚୀ ଘୋଷଣା କରିଛି ।

୧୬ଟି ଦଳକୁ 4 ଟି ପୁଲରେ ଭାଗ କରାଯାଇଛି । ଆୟୋଜକ ଭାରତ ପୁଲ୍‌ ବି‘ରେ ରହିଛି । ନଭେମ୍ବର ୨୪ ତାରିଖରେ ମୋଟ୍‌ ୫ଟି ମ୍ୟାଚ୍‌ ରହିଥିବାବେଳେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ ଭାରତ-ଫ୍ରାନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ । ପୁଲ ରାଉଣ୍ଡରୁ ଫାଇନାଲ ପର୍ଯ୍ୟନ୍ତ ମୋଟ୍‌ ୪୮ଟି ମ୍ୟାଚ୍‌ ଖେଳାଯିବା । ଫାଇନାଲ ମ୍ୟାଚ୍‌ ଡିସେମ୍ବର ୫ ତାରିଖରେ ହେବ ।

ନଭେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁଲ ପର୍ଯ୍ୟାୟ, ୩୦ ତାରିଖରେ ୯ମରୁ ୧୬ତମ ସ୍ଥାନ ପାଇଁ ମ୍ୟାଚ୍‌, ଡିସେମ୍ବର ୧ ତାରିଖରେ କ୍ୱାର୍ଟର ଫାଇନାଲ, ଡିସେମ୍ବର ୨ ତାରିଖରେ ପୋଜିସନ୍‌ ମ୍ୟାଚ୍‌, ଡିସେମ୍ବର ୩ ତାରିଖରେ ସେମି ଫାଇନାଲ, ଡିସେମ୍ବର ୪ ତାରିଖରେ ପୋଜିସନ୍‌ ଏବଂ ୫ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

କିଏ କେଉଁ ପୁଲରେ ?

ପୁଲ୍‌ ଏ: ୨୦୧୬ ସଂସ୍କରଣର ରନର୍ସଅପ୍‌ ବେଲଜିୟମ, ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ।

ପୁଲ୍‌ ବି: ଡିଫେଣ୍ଡିଂ ଚାମ୍ପିଅନ ଭାରତ, କାନାଡ଼ା, ଫ୍ରାନ୍ସ ଓ ପୋଲାଣ୍ଡ ।

ପୁଲ୍‌ ସି: କୋରିଆ, ନେଦରଲାଣ୍ଡସ, ସ୍ପେନ ଓ ଆମେରିକା ।

ପୁଲ୍‌ ଡି: ଆର୍ଜେଣ୍ଟିନା, ଜର୍ମାନୀ, ପାକିସ୍ତାନ ଓ ଇଜିପ୍ଟ  ।

ପୁଲ ଡି’ ମ୍ୟାଚଗୁଡ଼ିକ ସଂଘର୍ଷ ପୂର୍ଣ୍ଣ ହେବ । କାରଣ ଏହି ପୁଲରେ ଶକ୍ତିଶାଳୀ ଆର୍ଜେଣ୍ଟିନା ସହ ଜର୍ମାନୀ ଓ ପାକିସ୍ତାନ ଅଛନ୍ତି । ୩ ଦଳ ଶକ୍ତିଶାଳୀ ହୋଇଥିବାରୁ କ୍ୱାର୍ଟରକୁ ଯିବାକୁ ସମେସ୍ତ ଦମ ଲଗାଇ ଦେବେ ।

ଦେଉଥିଲେ ପାଣିପାଗ ସଂପର୍କିତ ସୂଚନା, ହଠାତ ସ୍କ୍ରିନରେ ଚାଲିବାକୁ ଲାଗିଲା ପର୍ଣ୍ଣ ଭିଡିଓ, ଆଉ ତାପରେ…

ୱାଶିଂଟନ: ଆମେରିକାର ୱାଶିଂଟନ୍‌ରେ ପାଣିପାଗ ପୂର୍ବାନୁମାନ ଦେଖୁଥିବା ଦର୍ଶକମାନେ ରବିବାର ସନ୍ଧ୍ୟାରେ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟରେ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ ପାଣିପାଗ ସୂଚନା ଦେବା ସମୟରେ ଭୁଲ୍ ଭାବରେ ଏକ ଅଶ୍ଳୀଳ କ୍ଲିପ୍ ପ୍ରସାରଣ କରିଥିଲା । ୱାଶିଂଟନ୍‌ର ସ୍ପୋକାନେରେ ଏକ ନ୍ୟୁଜ୍ ଚ୍ୟାନେଲ୍ ସଂନ୍ଧ୍ୟା ୬ ଟାରେ ନ୍ୟୁଜ୍ ପ୍ରସାରଣ ସମୟରେ ୧୩ ସେକେଣ୍ଡର ଏହି ଭିଡିଓ ପ୍ରସାରଣ କରିଥିଲା ​​।

ହଠାତ୍ ସ୍କ୍ରିନ୍‌ରେ ଉପସ୍ଥାପକଙ୍କ ପଛରେ ଏକ ପର୍ଣ୍ଣ କ୍ଲିପ୍ ଚାଲିବା ଆରମ୍ଭ କରିଥିଲା । ଏହି ସମୟରେ ପାଣିପାଗ ବିଶେଷଜ୍ଞ ମିସେଲ ବସ୍ ପାଣିପାଗ ଅପଡେଟ୍ ଦେଉଥିଲେ । ଏହି ଭିଡିଓ ବିଷୟରେ ସେ କିମ୍ବା ତାଙ୍କ କୋ-ଆଙ୍କର୍ କୋଡି ପ୍ରକ୍ଟରଙ୍କର କୌଣସି ଧାରଣା ନଥିଲା । ଗ୍ରାଫିକ୍ ଭିଡିଓ ସ୍କ୍ରିନ୍‌ରେ ଚାଲିବା ପୂର୍ବରୁ ଉଭୟେ ସେମାନଙ୍କ ରିପୋର୍ଟ ଜାରି ରଖିଥିଲେ ।

ରିପୋର୍ଟ ଅନୁଯାୟୀ, ରାତି ୧୧ ଟା ପ୍ରସାରଣ ସମୟରେ ଏହି ଭିଡିଓ ପାଇଁ ଚ୍ୟାନେଲ୍ କ୍ଷମା ମାଗିଛି । କହିଛି ଯେ, ଆଜି ରାତିରେ ଆମର ଖବର ପ୍ରସାରଣରେ କିଛି ଘଟିଛି, ଆମେ ସମସ୍ତେ ଏଥିପାଇଁ କ୍ଷମା ମାଗିବାକୁ ଚାହୁଁଛୁ । “ଶୋ’ର ପ୍ରଥମାର୍ଦ୍ଧରେ ଏକ ଭିଡିଓ ପ୍ରସାରିତ ହୋଇଥିଲା । ଏହା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆମେ ଚେଷ୍ଟା କରୁଛୁ ।”

ପିଶାଚ ବାପାର ନାରକୀୟ କାଣ୍ଡ, ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଶିଶୁକନ୍ୟାର ଗୁପ୍ତାଙ୍ଗ କାଟିଲା ବାପା

ଭଦ୍ରକ: ପିଶାଚ ବାପର ନାରକୀୟ କାଣ୍ଡ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ୩ ବର୍ଷ ଶିଶୁକନ୍ୟାର ଯୌନାଙ୍ଗ କାଟିଲା ନୃଶଂସ ବାପା । ଗୁରୁତର ଅବସ୍ଥାରେ ଝିଅକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ବାପାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା କାଶୀମପୁର ପଞ୍ଚାୟତ ମଲ୍ଲିକ ସାହିରେ ଏଭଳି ଘଟଣା ଘଟିଛି ।

ଚନ୍ଦନ ମଲ୍ଲିକ ତାଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ କନ୍ୟା ସହ ରହୁଥିଲା । ପୂର୍ବରୁ ଅନେକ ଥର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ମାରଧର କରୁଥିଲା ଚନ୍ଦନ । ଗତକାଲି ପୁଣି ସମାନ ଘଟଣାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉତକ୍ଷିପ୍ତ ହୋଇ ଚନ୍ଦନ ଏପରି ନାରକୀୟ କାଣ୍ଡ ଘଟଣାଇଛି । ଶିଶୁକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ପିଶାଚ ବାପାର ଗୋଡ଼ ଓ ହାତରେ ଲୁହା କଡ଼ି ପକାଇ ଗ୍ରାମବାସୀ ବାନ୍ଧି ପକାଇଥିଲେ । ପୋଲିସ ପହଞ୍ଚି ଚନ୍ଦନକୁ ଥାନାକୁ ଆଣି ପଚରାଉଚୁରା କରୁଛି ।

ନୂଆ ଢାଞ୍ଚାରେ ହେବ ନବମ ଓ ଦଶମ ପରୀକ୍ଷା

କଟକ: ନୂଆ ପଦ୍ଧତିରେ ହେବ ନବମ ଓ ଦଶମ ପରୀକ୍ଷା । ବର୍ଷକୁ ୪ଟି ଫରମେଟିଭ ଓ ୨ଟି ସମେଟିଭ ଆସେସମେଣ୍ଟ ପରୀକ୍ଷା କରାଯିବ । ନୂତନ ପରୀକ୍ଷା ପଦ୍ଧତି ନେଇ ବିସ୍ତୃତ ବିବରଣୀ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ ।

ବୋର୍ଡ ସୂଚନା ଅନୁସାରେ ବର୍ଷକୁ ୬ଟି ଆସେସମେଣ୍ଟ ପରୀକ୍ଷା ଆଧାରରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଖାତା ମୂଲ୍ୟାୟନ ହେବ । ପ୍ରଥମ ଫରମେଟିଭ ଆସେସମେଣ୍ଟ ପରୀକ୍ଷା ସରିଛି । କେତେକ ସ୍କୁଲରେ ଦ୍ବିତୀୟ ଫରମେଟିଭ୍ ପରୀକ୍ଷା ଚାଲିଥିବା ବେଳେ ଅନ୍ୟ କେତେକ ସ୍କୁଲରେ ଶେଷ ହୋଇଛି ।

ଆସନ୍ତା ନଭେମ୍ବର ୨୨ରୁ ଆରମ୍ଭ ହେବ ପ୍ରଥମ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା । ସମେଟିଭ୍ ଆସେସମେଣ୍ଟ ପାଇଁ ବୋର୍ଡ ପ୍ରଶ୍ନପତ୍ର ଦେବ । ୨୦ ମାର୍କ ମଲଟିପୁଲ ଚଏସ ଓ ୨୦ ମାର୍କର ସବଜେକ୍ଟିଭ୍ ପ୍ରଶ୍ନ ଆସିବ । କ୍ବୋଶ୍ଚିନ କମ୍ ଆନସର ବୁକଲେଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ନିଜ ସ୍କୁଲରେ ପରୀକ୍ଷା ହେବାକୁ ଥିବା ବେଳେ ନ୍ୟୁଟ୍ରାଲ ସ୍କୁଲରେ ଖାତା ମୂଲ୍ୟାୟନ ହେବ । ତେବେ କେଉଁ ସ୍କୁଲରେ ଖାତା ଦେଖା ହେବ, ତାହା ଡିଇଓ ଚୟନ କରିବେ । ନଭେମ୍ବର ୨୩ରୁ ୩୦ତାରିଖ ମଧ୍ୟରେ ନ୍ୟୁଟ୍ରାଲ ସ୍କୁଲରେ ଖାତାଦେଖା ହେବ । ଡିସେମ୍ବର ୨ତାରିଖ ସୁଦ୍ଧା ଖାତା ଦେଖାସରିବ । ଡିସେମ୍ବର ୬ରୁ ୧୩ ତାରିଖ ମଧ୍ୟରେ ଅନଲାଇନ ଟାବୁଲେସନ ରେଜିଷ୍ଟ୍ରାରରେ ମାର୍କ ଅପଲୋକ କରାଯିବ । ଫରମେଟିଭି-୧ ଓ ୨ ଏବଂ ସମେଟିଭ-୧ ମାର୍କ ସାଇଟରେ ଅପଲୋଡ କରାଯିବ ।

ଋଷରେ ପୁଣି କରୋନା କାଳ: ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦୨୮,ଦେଶରେ ଦରମା ସହ ଛୁଟି ଘୋଷଣା କଲେ ରାଷ୍ଟ୍ରପତି

ମସ୍କୋ: ରୁଷରେ ପୁଣି କାୟା ମେଲାଇଲା କରୋନା । ସ୍ଥିତି ହେଲାଣି ଗୁରୁତର । ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ୭ ଦିନ କାମ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆସନ୍ତା ୩୦ରୁ ସାରା ଦେଶରେ କାମ ବନ୍ଦ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ଏବଂ ପରେ ଏହା ବୃଦ୍ଧି କରାଯିବାର ସମ୍ଭାବନା ରହିଛି । ତୁରନ୍ତ ସମସ୍ତ ନାଗରିକ ଟିକା ନେବା ଲାଗି ମଧ୍ୟ ପୁଟିନ ପରାମର୍ଶ ଦେଇଛନ୍ତି । ଗତ ୨୪ ଘଣ୍ଟାରେ ମୃତ୍ୟୁସଂଖ୍ୟା  ୧୦୨୮ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା କରୋନାରେ ପ୍ରାଣ ହରାଇଲେଣି ୨ ଲକ୍ଷ ୨୬ ହଜାରରୁ ଅଧିକ ଲୋକ ।

ସାରା ୟୁରୋପରେ ରୁଷର ମୃତ୍ୟୁ ସଂଖ୍ୟା ହୋଇଛି ସର୍ବାଧିକ । ପୁଟିନ କହିଛନ୍ତି ସଂକ୍ରମଣ ଦୃଷ୍ଟିରୁ କ୍ୟାବିନେଟରେ ଗୃହିତ ପ୍ରସ୍ତାବକୁ ସେ ସମ୍ମତି ଦେଇଛନ୍ତି । ବର୍ତ୍ତମାନ ଦେଶରେ ସପ୍ତାହର ୭ ଦିନ ମଧ୍ୟରୁ ୪ଦିନ ଅଣକାର୍ଯ୍ୟଦିବସ ଭାବେ ନିୟମ ଜାରି ରହିଛି । ଏହି ୪ ଦିନରୁ ୨ ଦିନ ରହିଛି ରାଷ୍ଟ୍ରୀୟ ଛୁଟିଦିନ । ଯେଉଁ ଅଞ୍ଚଳରେ କରୋନା ଗୁରୁତର ଆକାର ଧାରଣ କଲାଣି, ସେହି ସବୁ ସ୍ଥାନରେ ତୁରନ୍ତ କାମ ବନ୍ଦ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବ ।

ଅନେକ ଲୋକ ଏବେ ବି ଅତି ସଙ୍କଟଜନକ ସ୍ଥିତିରେ କରୋନା ମୁକାବିଲା କରୁଛନ୍ତି ଏବଂ ରିସ୍କ ନେଇ କାମ କରୁଛନ୍ତି । ତେବେ ଜାତୀୟ ତଥା ବୃହତ ସ୍ବାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଛି । ଏହା ସହ ସ୍ବାସ୍ଥ୍ୟ ସେବା ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ପୁଟିନ କହିଛନ୍ତି । ରୁଷର ୧୪୬ ନିୟୁତ ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି ୪୫ ନିୟୁତ ଲୋକ । ଲକ୍ଷାଧିକ ଲୋକ ଏବେ ସଂକ୍ରମିତ ରହିଛନ୍ତି ।

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ତମ୍ବୁ ହଟାଇଲେ ରେକେଶ ଟିକୈତ, ଖୋଲିଲାକି ଗାଜିପୁର ସୀମା ?

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଗାଜିଆବାଦକୁ ଯାଉଥିବା ଯାତ୍ରୀମାନେ ଖୁବ୍ ଶୀଘ୍ର ଏକ ବଡ଼ ଆରାମ ପାଇପାରିବେ । ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା କୃଷକମାନେ ବ୍ୟାରିକେଡର ଏକ ଅଂଶ ହଟାଇବା ଆରମ୍ଭ କରିଛନ୍ତି । ଚାଷୀମାନେ ଉଭୟ ଫ୍ଲାଏ ଓଭର ଏବଂ ସର୍ଭିସ ରାସ୍ତା ଅବରୋଧ କରିଥିଲେ। ଗୁରୁବାର ଦିନ ନୋଏଡା ନାଗରିକଙ୍କ ପିଟିସନରେ ସୁପ୍ରିମକୋର୍ଟ ରାସ୍ତା ଅବରୋଧକୁ ନେଇ କଟୁ ମନ୍ତବ୍ୟ ଦେଇଛନ୍ତି । ଏହା ପରେ ଗାଜିପୁର ସୀମାରେ ସକ୍ରିୟତା ବୃଦ୍ଧି ପାଇଲା । ରିପୋର୍ଟ ଅନୁଯାୟୀ, କୃଷକମାନେ ସର୍ଭିସ ରାସ୍ତା ଖାଲି କରି ଫ୍ଲାଏ ଓଭରରେ ଠିଆ ହେବେ। ତେବେ ଭାରତ କିସାନ ୟୁନିଅନ ସୀମା ଖାଲି କରିବା ପ୍ରସଙ୍ଗକୁ ଏକ ଗୁଜବ ବୋଲି କହିଛି ।

ଗାଜିପୁର ସୀମାରେ କିପରି ରହିଛି ସ୍ଥିତି ?

ଅପରାହ୍ନ ୩ ଟା ସୁଦ୍ଧା କୃଷକମାନେ କେବଳ ନିମ୍ନ ରାସ୍ତାରୁ (ଗାଜିପୁରକୁ ଯାଉଥିବା ରାସ୍ତା) ତମ୍ବୁ ଖୋଲୁଛନ୍ତି । ଦିଲ୍ଲୀ ପୋଲିସର ବ୍ୟାରିକେଡ୍ ଏପର୍ଯ୍ୟନ୍ତ ହଟାଯାଇ ନାହିଁ । ଉପରେ NH-9 ଉପରେ ଏକ ତମ୍ବୁ ଅଛି । ସେହି ରାସ୍ତାଟି ବନ୍ଦ ରହିଛି ।

ରାକେଶ ଟିକୈତ୍ କଣ କହିଲେ ?

ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଟିକୈତ୍ କହିଛନ୍ତି ଯେ, ‘ଆମେ ରାସ୍ତା ଅବରୋଧ କରିନାହୁଁ, ପୋଲିସ ଏହାକୁ ବନ୍ଦ କରି ଦେଇଛି । ଆମେ କହିଛୁ ଆମେ ମଧ୍ୟ ଅପସାରଣ କରୁଛୁ, ତୁମେ ମଧ୍ୟ ହଟାଇବା ଉଚିତ୍। ‘ ସେ କହିଛନ୍ତି ଯେ ‘ପୁରା ରାସ୍ତା ଖୋଲିବ।’ ଏହା ପରେ ସେ କହିଛନ୍ତି ଯେ କୃଷକମାନେ ଏବେ ଦିଲ୍ଲୀ ଯାଇ ସଂସଦକୁ ଘେରାଉ କରିବେ ।

ମମିତା ହତ୍ୟା ମାମଲା: କେ ଗାଁ ଆଇଆଇସି ନିଲମ୍ବିତ

ବଲାଙ୍ଗିର: ମମିତା ମେହେର ହତ୍ୟା ମାମଲାରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ । କେ ଗାଁ ଆଇଆଇସି ଡମୁ ପରଜା ନିଲମ୍ବିତ । କଳାହାଣ୍ଡି ଏସପି ଶ୍ରବଣ ବିବେକ ଦେଲେ ସୂଚନା । କର୍ତ୍ତବ୍ୟରେ ଅବହେଳା ପାଇଁ ଡମୁଙ୍କୁ ନିଲମ୍ବିତ କରାଯାଇଛି । ନିଖୋଜ ନେଇ ପ୍ରଥମେ ପରିବାର ଲୋକେ କେ ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ଭେଟିଥିଲେ । ହେଲେ ଥାନା ଅଧିକାରୀ ଅଭିଯୋଗ ରଖିନଥିବା ନେଇ ଅଭିଯୋଗ କରିଥିଲେ ପରିବାର ଲୋକ ।

ସୂଚନାଯୋଗ୍ୟ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ପରକୀୟା ପ୍ରୀତି ଭୟରେ ମମିତାଙ୍କୁ ଗାଡ଼ି ଭିତରେ ଯୋଜନାବଦ୍ଧ ଭାବେ ଅଭିଯୁକ୍ତ ଗୋବିନ୍ଦ ସାହୁ ହତ୍ୟା କରିଥିବା ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଖୁଲାସା କରିଥିଲେ ।

ଗୋବିନ୍ଦଙ୍କ ପରକୀୟା ପ୍ରୀତି ସମ୍ପର୍କ ବିଷୟରେ ଜାଣିଥିଲେ ମମିତା । ସେଥିପାଇଁ ତାଙ୍କୁ ରାସ୍ତାରୁ ହଟାଇ ଦେବା ଲାଗି ଷଡ଼ଯନ୍ତ୍ର ରଚା ଯାଇଥିଲା । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ । ପୋଲିସ ୧୩ ତାରିଖରେ ଗୋବିନ୍ଦଙ୍କୁ ଉଠାଇ ନେଇଥିବା ବେଳେ ୧୭ ତାରିଖ ରାତିରେ ସେ ଜେଲ ପାଚେରି ଡେଇଁ ପଳାଇଥିଲା । ୧୯ ତାରିଖରେ ଆଖୁ କିଆରିରୁ ଗୋବିନ୍ଦକୁ ଧରିଥିଲା ପୋଲିସ ।

Aryan Khan Drugs Case : NCB ଅଫିସ ପହଞ୍ଚିଲେ ଅଭିନେତା ଅନନ୍ୟା ପାଣ୍ଡେ, ସାଙ୍ଗରେ ବାପା ଚଙ୍କି ପାଣ୍ଡେ

ମୁମ୍ବାଇ: ଗୁରୁବାର ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଏକ ନୂଆ ମୋଡ଼ ଆସିଛି । ଏନସିବି ଟିମ୍ ନିଜ କାର୍ଯ୍ୟାନୁଷ୍ଠାନ ଜୋରସୋରରେ ଆଗେଇଛି । ଅଧିକାରୀମାନେ ଆର୍ୟନ ଖାନଙ୍କ ଘରକୁ ଆଇନଗତ ନୋଟିସ ଦେବାକୁ ସେଠାକୁ ଯାଇଥିଲେ । ଏହି ସମୟରେ ଏନସିବି ଦଳ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରକୁ ମଧ୍ୟ ଯାଇଥିଲେ । ଅନନ୍ୟାଙ୍କୁ ସମନ ଦେଇ ପଚରାଉଚରା ପାଇଁ ଡାକିଛି ଏନସିବି ।

ଏନସିବି ଅଫିସରେ ଅନନ୍ୟା ପାଣ୍ଡେ

ଏନସିବି ଦ୍ୱାରା ଡକାଯିବା ପରେ ଅନନ୍ୟା ପାଣ୍ଡେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କ ପିତା ଚଙ୍କି ପାଣ୍ଡେ ମଧ୍ୟ ଅନନ୍ୟାଙ୍କ ସହ ଉପସ୍ଥିତ ଅଛନ୍ତି । ଏନସିବି ଅନନ୍ୟାଙ୍କୁ ଆର୍ଯ୍ୟନ ଖାନଙ୍କ ସହ ଡ୍ରଗ୍ ଚାଟ୍ ବିଷୟରେ ପ୍ରଶ୍ନ କରିବ । ଏନସିବି ଅନନ୍ୟା ପାଣ୍ଡେଙ୍କୁ ଦିନ ୩.୩୦ ରେ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲା ।

ସେପଟେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲାରେ ଗତ କିଛି ଦିନ ହେବ ଜେଲରେ ଅଛନ୍ତି। ତାଙ୍କୁ ଚଳିତ ମାସ ୩ ତାରିଖରେ ଏକ ରେଭ୍‌ ପାର୍ଟିରେ ଡ୍ରଗ୍ଦ ନେବା ମାମଲାରେ ଗିରଫ କରାଯାଇଛି। ନାର୍କୋଟିକ୍ କନଟ୍ରୋଲ ବ୍ୟୁରୋ( ଏନସିବି) ରେଡ୍ ସମୟରେ ଏହି ରେଭ୍ ପାର୍ଟିରୁ ଆର୍ଯ୍ୟନକୁ ଗିରଫ କରାଯାଇଥିଲା। ଏପର୍ଯ୍ୟନ୍ତ ଆର୍ଯ୍ୟନଙ୍କ ଜାମିନକୁ ନେଇ କୌଣସି ନିଷ୍ପତ୍ତି ହୋଇପାରିନି।

ଏହି ବ୍ୟକ୍ତି ନେଲେ ୧୦୦ କୋଟି ତମ ଟିକା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଭାରତ ଆଜି ଇତିହାସ ରଚିଛି । ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର ଦେଶରେ ଲାଗିଛି ୧୦୦ କୋଟି କରୋନା ଡୋଜ୍ । ଏ ସମ୍ପର୍କରେ ତ ଆପଣ ଜାଣିସାରିଥିବେ । ହେଲେ ଜାଣିଛନ୍ତି କି କିଏ ସେ ବ୍ୟକ୍ତି, ଯିଏ ଏହି ୧୦୦ କୋଟି ତମ ଟିକା ନେଇଛନ୍ତି । ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ ।

ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଯେତେବେଳେ ୧୦୦ କୋଟି ତମ ଟିକା ଲଗାଗଲା, ଦେଶରେ ଉତ୍ସବର ମାହୋଲ ଆରମ୍ଭ ହୋଇଯାଇଥିଲା । ଏହି ଟିକା ନେଇଥିଲେ ଅରୁଣ ରାୟ । ମଜାଦାର କଥା ହେଲା ଦିନେ ଭାରତୀୟ ଟିକାକୁ ବିଶ୍ବାସ କରୁନଥିବା ଅରୁଣଙ୍କ ଭାଗ୍ୟରେ ଆସିଥିଲା ଏହି ଐତିହାସିକ ଟିକା । ଅରୁଣ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀର ବାସିନ୍ଦା ।

ଅରୁଣ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । ସେ ଟିକା ନେବାକୁ ରାମ ମନୋହର ଲୋହିଆା ହସ୍ପିଟାଲରେ ରେଜିଷ୍ଟ୍ରେସନ କରିଥିଲେ । ଟିକା ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋହି ସେଠାରେ ତାଙ୍କୁ ସାକ୍ଷାତ କରିଥିଲେ । ଏପର୍ଯ୍ୟନ୍ତ କାହିଁକି ଟିକା ନେଇ ନଥିଲ ବୋଲି ପିଏମ୍ ଯେତେବେଳେ ପଚାରିଥିଲେ ତାଙ୍କ ଉତ୍ତର ଶୁଣି ସମେସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଟିକା ପ୍ରତି ତାଙ୍କର ବିଶ୍ବାସ ନଥିଲା ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ଦେଶରେ ଟିକାକରଣ ୭୦ କୋଟି ପାର ହେବା ପରେ ସେ ଟିକା ନେବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ଦେଖା ହୋଇଥିଲେ ବି ସେ ତାଙ୍କ ସହ ଗୋଟେ ସେଲଫି ନେଇ ପାରିନଥିବାରୁ ମନ ଦୁଃଖ କରିଛନ୍ତି ।

ଅରୁଣ କହିଛନ୍ତି, ସେ ଯେତେବେଳେ ଦିଲ୍ଲୀ ତାଙ୍କ ସାଙ୍ଗ ପାଖକୁ ଆସିଥିଲେ ସେତେବେଳେ ଦେଶରେ ୭୦ କୋଟି ଟିକା ଲାଗିଥିଲା । ସେତେବେଳେ ସେ ମନ ସ୍ଥିର କରିନେଇଥିଲେ ୧୦୦ କୋଟି ଟିକାଟି ସେ ହିଁ ଲଗାଇବେ । ତାଙ୍କ ସାଙ୍ଗ ରେଜିଷ୍ଟ୍ରେସନ କରିବାକୁ କହିଥିଲେ । ଏହାପରେ ଅରୁଣ ରାମ ମନୋହର ଲୋହିଆ ହସ୍ପିଟାଲରେ ଟିକା ପାଇଁ ରେଜିଷ୍ଟ୍ରେସନ କରାଇଥିଲେ ।

ବାଂଲାଦେଶ ସାମ୍ପ୍ରଦାୟିକ ହିଂସା ପଛରେ ମୁସଲିମ ଯୁବକ

ଢାକା: ବାଂଲାଦେଶରେ ଦଶହରାଠାରୁ ଲାଗି ରହିଥିବା ହିଂସା ପଛରେ ମୁସଲମାନ ଯୁବକ । ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ବିଭ୍ରାଟ ସୃଷ୍ଟି କରି ହିଂସା ଘଟାଇବାକୁ ଦୁର୍ଗାପୂଜା ପେଣ୍ଡାଲରେ ଜାଣିଶୁଣି ରଖିଥିଲା କୋରାନ । ଅଭିଯୁକ୍ତ ଜଣଙ୍କ ଇକବାଲ ହୁସେନ ବୋଲି ଚିହ୍ନଟ କରାଯାଇଛି । ଏବେ ସେ ଫେରାର ଥିବା ପୋଲିସ କହିଛି ।

ବାଂଲାଦେଶ ସ୍ବାଧୀନ ହେବା ପରଠାରୁ ଛୋଟମୋଟ ସାମ୍ପ୍ରଦାୟିକ ମତଭେଦ ଦେଖା ଦେଉଥିଲେ ବି ଗତ ଦୁର୍ଗାପୂଜାରେ ସବୁ ସୀମା ଟପି ଯାଇଥିଲା ହିନ୍ଦୁଙ୍କ ପ୍ରତି ଉଗ୍ର ମନୋଭାବ ରଖୁଥିବା କିଛି ଲୋକଙ୍କର । ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ଘଟାଇବାକୁ ରଚିଥିଲେ ଷଡଯନ୍ତ୍ର । ଯାହାର ଶିକାର ହୋଇଥିଲେ ନିରୀହ ହିନ୍ଦୁ । ଏକାଧିକ ମନ୍ଦିର ଭାଙ୍ଗିବା ସହ ୭ ଜଣ ହିନ୍ଦୁଙ୍କୁ ହତ୍ୟା କରିଯାଇଥିଲା ।

ଢାକା ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ ଫେରାର ଅଭିଯୁକ୍ତ ଇକବାଲର ତଲାସୀ ଚଲାଥିବା ବାଂଲା ପୋଲିସ କହିଛି । ପୋଲିସ ସୂଚନା ଅନୁସାରେ ଅକ୍ଟୋବର ୧୩ ତାରିଖରେ ଇକବାଲ କୋରାନକୁ ଦୁର୍ଗା ପେଣ୍ଡାଲରେ ରଖିଥିଲା । ପୂଜା ପେଣ୍ଡାଲ ବାହାରେ ଲଗିଥିବା ସିସିଟିଭିରୁ ଏହି ପ୍ରମାଣ ପୋଲିସ ହାତରେ ଲାଗିଛି । ଇକବାଲ ଜଣେ ବଦମାସ ସ୍ବଭାବର ପିଲା ଓ ତା’ର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ଅଛି କି ନାହିଁ ଏପର୍ଯ୍ୟନ୍ତ ଜଣାପଡ଼ିନି ।

ଦେଶରେ ଦେଖା ଦେଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୪୫୦ ଜଣଙ୍କୁ ଗିରଫ କରାଯାଇଛି । ବିଶେଷ କରି କମିଲା ଜିଲ୍ଲା ହିଂସାକୁ ନେଇ ବର୍ତ୍ତମାନ ସୁଦ୍ଧା ୪ଟି ମାମଲା ରୁଜୁ କରାଯାଇ ୪୧ ଜଣଙ୍କୁ ଗିରଫ କରାଯାଇଛି । ଇକବାଲର ୪ ଜଣଙ୍କ ସମ୍ପର୍କରେ ଥିଲା । ବାଂଲାଦେଶ ଗୃହମନ୍ତ୍ରୀଙ୍କ କହିବା ଅନୁସାରେ ଇକବାଲ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ତାକୁ ଧରିବାରେ ସମସ୍ୟା ହେଉଛି ।

କେବଳ ସାମ୍ପ୍ରଦାୟିକ ହିଂସାକୁ ନେଇ ୭୨ଟି ମାମଲା ରୁଜୁ କରାଯାଇଛି । ଏହି ହିଂସାରେ ହଜାର ହଜାର ହିନ୍ଦୁଙ୍କ ଘର ଓ ଦୋକାନରୁ ଲୁଟ ହୋଇଛି । ଏକାଧିକ ମନ୍ଦିର ଓ ଦୁର୍ଗାପୂଜା ପେଣ୍ଡାଲକୁ ଭାଙ୍ଗି ନଷ୍ଟ କରିଦିଆଯାଇଛି ।