ଶେଷ ବଲରେ ଶାହରୁଖଙ୍କ ଛକା: ଧାନୀଙ୍କ ଖୋଜିବା ଶେଷ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏବେ ଚର୍ଚ୍ଚାରେ ଯୁବ ଖେଳାଳି ଶାହରୁଖ ଖାନ୍ । ଧୋନୀଙ୍କ ଷ୍ଟାଇଲରେ ଶେଷ ବଲରେ ଛକା ମାରି ତାମିଲନାଡୁକୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଭେଟି ଦେଇଛନ୍ତି । କର୍ଣ୍ଣାଟକ ବିରୋଧରେ ସେ ଏହି ଛକା ମାରିବା ସହ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ମିଷ୍ଟର କୁଲ ମହେନ୍ଦ୍ର ସିଂ ଧୋନୀଙ୍କ ନଜରକୁ ଆସିଛନ୍ତି । ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗସ୍ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛି । ଯେଉଁଥିରେ ଧୋନୀ ଟିଭିରେ ଶାହରୁଖଙ୍କ ଛକା ମାରିବା ଦେଖୁଥିବା ନଜରକୁ ଆସୁଛି ।

ସିଏସକେ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ମାତ୍ରେ ଭାଇରାଲ ହେବା ଆରମ୍ଭ ହୋଇଯାଇଛି । ବହୁ ସମର୍ଥକ କମେଣ୍ଟ ବକ୍ସରେ ଚେନ୍ନାଇ ସୁପର କିଙ୍ଗସକୁ ନୂଆ ଧୋନୀ ମିଳିଗଲା ବୋଲି ଉଲ୍ଲେଖ କରିଚନ୍ତି । ୨୦୨୨ ଆଇପିଲେ ପାଇଁ ସିଏସକେକୁ ଶାହରୁଖଙ୍କ ଉପରେ ନଜର ପକାଇବା ଜରୁରୀ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି ।

ଗୁରୁତ୍ବପୁର୍ଣ୍ଣ କଥା ହେଲେ ଶାହରୁଖ ପଞ୍ଜାବ କିଙ୍ଗସ୍ ପାଇଁ ଆଇପିଏଲ ଖେଳୁଛନ୍ତି । ଗତ ଆଇପିଏଲରେ ପଞ୍ଜାବ ଓ ସିଏସକେ ମ୍ୟାଚରେ ପରେ ଶାହରୁଖ ଧୋନୀଙ୍କ ପାଖରୁ ବ୍ୟାଟିଂ ଟିପ୍ସ ନେଇଥିବା ଦେଖିବାକୁ ମିଳିଥିଲା । ଲମ୍ବା ଲମ୍ବା ଛକା ମାରିବା ଓ ଧୋନୀଙ୍କ ପରି ମ୍ୟାଚ୍ ଫିନିସ୍ କରିବା ପାଇଁ ବେଶ ଜଣାଶୁଣା ଶାହରୁଖ । ଏବେ ସିଏସକେ ଧୋନୀଙ୍କ ପରି ଜଣେ ଫିନସର ଖୋଜୁଛି ।

ଆଇପିଏଲ ୧୪ ନିଲାମୀରେ ଅଲରାଉଣ୍ଡର ଶାହରୁଖଙ୍କୁ ପଞ୍ଜାବ ୫.୨୫ କୋଟି ଟଙ୍କାରେ କିଣିଥିଲା । ନିଲାମୀରେ ତାଙ୍କ ବେସ ପ୍ରାଇସ୍ ମାତ୍ର ୨୦ ଲକ୍ଷ ଟଙ୍କା ଥିଲା । ପଞ୍ଜାବ ବ୍ୟତୀତ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟ ତାଙ୍କୁ କିଣିବାକୁ ଡାକ ଦେଇଥିଲେ । ଶେଷରେ ପଞ୍ଜାବ କ୍ୟାମ୍ପରେ ୫.୨୫ କୋଟି ଟଙ୍କା ମୂଲ୍ୟରେ ଏଣ୍ଟ୍ରି କରିଥିଲେ ।

ଆସନ୍ତାବର୍ଷ ଆଇପିଏଲରେ ଦୁଇଟି ନୂଆ ଟିମ ସାମିଲ ହେଉଛନ୍ତି । ଏଥିପାଇଁ ଚଳିତବର୍ଷ ଶେଷ ଆଡକୁ ମେଗା ଅକ୍ସନ ହେବାର ଅଛି । ପଞ୍ଜାବ ଯଦି ଶାହରୁଖଙ୍କୁ ରିଟେନ ନରଖେ ଚେନ୍ନାଇ ତାଙ୍କୁ ନେବାକୁ ଉଦ୍ୟମ କରିପାରେ ବୋଲି ଆଲୋଚନା ହେଉଛି ।

Leave a Reply