ବିବାହର ପ୍ରତିଶ୍ରୁତି ଦେଇ ଛାଡ଼ି ଚାଲିଗଲା: ବଧୂ ବେଶରେ ଘର ସାମ୍ନାରେ ପ୍ରେମିକାର ଧାରଣା

ବ୍ରହ୍ମପୁର: ପ୍ରଥମେ ଫ୍ରେଣ୍ଡସିପ୍, ପରେ ପ୍ରେମ । କୋର୍ଟ ମ୍ୟାରେଜ କରିବା ପରେ ପତିପତ୍ନୀ ଭାବେ ଗୋଟିଏ ଘରେ ବିତାଉଥିଲେ ଜୀବନ । ଦୀର୍ଘ ୭ ମାସ ରହିବା ପରେ ପୁଅ ଡାକ୍ତର ସୁମିତ କୁମାର ସାହୁ ତାଙ୍କ ପତ୍ନୀ ଡିମ୍ପଲଙ୍କୁ ଛାଡ଼ି ନିଜ ବାପା ଓ ମା’ଙ୍କ ନିକଟକୁ ଫେରିଯାଇଥିଲେ । ଆଉ କଥା ଦେଇଥିଲେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ପରେ ତାଙ୍କୁ ଘରକୁ ଆଣିବେ । କିନ୍ତୁ ବାରମ୍ବାର ଭଣ୍ଡାଇବା ପରେ ଆଜି ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ବିବାହ ଉତ୍ସବ ପାଇଁ କୌଣସି ଆୟୋଜନ କରିନଥିଲେ ସୁମିତଙ୍କ ପରିବାର ।

ଏପରିକି ଡିମ୍ପଲ ବିବାହ ପୋଷାକରେ ସଜବାଜ ହୋଇ ପହଞ୍ଚିବା ପରେ ତାଙ୍କୁ ଘର ଭିତରକୁ ପଶିବାକୁ ଅନୁମତି ଦେଇ ନଥିଲେ । ଶେଷରେ ପ୍ରତିବାଦ କରି ଶଙ୍ଖ ବଜାଇ ପୁଅ ଘର ସାମ୍ନାରେ ଧାରଣା ଦେଇଥିଲେ ଡିମ୍ପଲ । ଏମିତି ଏକ ଘଟଣା ଘଟିଛି ବ୍ରହ୍ମପୁର ନୂଆବସଷ୍ଟାଣ୍ଡ ନିକଟ ବ୍ରହ୍ମାନଗର ପ୍ରଥମ ଲାଇନରେ । ଘଟଣାସ୍ଥଳରେ ମହିଳା ଥାନା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପ୍ରେମିକର ବାରଣ୍ଡାରୁ ହଟିଥିଲେ ଡିମ୍ପଲ ।

ପୂର୍ବରୁ ଏନେଇ ସେ ବାରମ୍ୱାର ମହିଳା ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳିନଥିବା କହିଛନ୍ତି । ତେଣୁ ତାଙ୍କ ପ୍ରେମିକ ତାଙ୍କୁ ଗ୍ରହଣ କରିବା ଲାଗି ଦାବି କରିବା ସହ ଗ୍ରହଣ ନକଲେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି ଡିମ୍ପଲ । ଆଜି ଡ଼ିମ୍ପଲ ନିଜର ପ୍ରେମିକ ସୁମିତଙ୍କ ଘର ସମ୍ମଖରେ ଧାରଣା ଦେବା ସମୟରେ ସମାଜସେବୀ ପ୍ରମିଳା ତାଙ୍କୁ ସହଯୋଗ କରିଥିଲେ । କିଛି ମାସ ତଳେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ ଡିମ୍ପଲ । ଏନେଇ ମାମଲା ରୁଜୁ ହେବା ପରେ ଏହାର ଚାର୍ଜସିଟ୍ ମଧ୍ୟ ଶେଷ ହୋଇଛି । ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚରାଧୀନ ରହିଛି । ସେପଟେ ଡ଼ିମ୍ପଲଙ୍କ ପରିବର୍ତ୍ତୀ ଲିଖିତ ଅଭିଯୋଗ ଓ କୋର୍ଟର ଆଦେଶ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରିପାରିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।

ଏଥିସହିତ ପଢ଼ନ୍ତୁ: ଶିଶୁକନ୍ୟାକୁ ପଡ଼ିଆରେ ଛାଡ଼ିଦେଇ ଅପହରଣର ନାଟକ ରଚିଥିଲେ ବାପା ଓ ଆଈ!

Leave a Reply