spot_img
Home Blog Page 5041

ଓଏଏସ୍ ସ୍ତରରେ ଅଦଳ ବଦଳ: ୬ଜଣଙ୍କୁ ବିଡିଓ ଭାବେ ପଦୋନ୍ନତି

0

ଭୁବନେଶ୍ୱର: ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସମ୍ବିତ ଶତପଥୀଙ୍କୁ ପୁରୀ ସଦର ବିଡିଓ ଭାବେ ବଦଳି ହୋଇଛି। ପଲ୍ଲବୀ ରାଣୀ ରାଜଙ୍କୁ କୋଇଡାରେ ବିଡିଓ ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲଦାର ସୁନୀଲ ମେହେର ଗଁଦିଆରେ ବିଡିଓ ଭାବେ କାର୍ଯ୍ୟ କରିବେ। କୋରାପୁଟ ଜିଲ୍ଲା କୋଟଗଡ଼ ତହସିଲଦାର ଲକ୍ଷ୍ମୀଧର ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଡିଓ ଭାବେ ବଦଳି ହୋଇଥିବା ବେଳେ ରାୟଗଡ଼ା ତହସିଲଦାର ଉମାକାନ୍ତ ବେହେରାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ବିଡିଓ ଭାବେ ଅବସ୍ଥାପିତ କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାର ସୌମଶ୍ରୀ ପାଣିଗ୍ରାହୀଙ୍କୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବିଡିଓ ଭାବେ ବଦଳି ହୋଇଛି।

ସେହିପରି ଓଏଏସ୍‌ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁଙ୍କୁ ଗଜପତି ଜିଲ୍ଲା କାଶୀନଗର ତହସିଲଦାର ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଥିବା ବେଳେ ସୁଶ୍ରୀ ପ୍ରଧାନଙ୍କୁ କଳାହାଣ୍ଡିକୁ ଡେପୁଟି କଲେକ୍ଟର ଭାବେ ନୂଆ ନିଯୁକ୍ତି ମିଳିଛି।

 

ଅମୃତ ଯୋଜନାରେ କଟକର ଘରେ ଘରେ ପହଞ୍ଚିବ ପିଇବା ପାଣି: ଖର୍ଚ୍ଚ ହୋଇଛି ୩ଶହ କୋଟି

କଟକ: ଘରେ ଘରେ ପହଞ୍ଚିବ ପିଇବା ପାଣି । ଅମୃତ ଯୋଜନାରେ ବିଶୁଦ୍ଧ ପିଇବା ପାଣି ପାଇବେ କଟକବାସୀ । ସହର ସମେତ ଜଗତପୁର ଓ ପ୍ରତାପ ନଗରୀରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ । ଏଥିପାଇଁ ଖର୍ଚ୍ଚ ହୋଇଛି ମୋଟ୍‌ ସାଢେ ୩ ଶହ କୋଟି ଟଙ୍କା । ଏହି କାମ ଲାଗି ମୁଖ୍ୟମନ୍ତ୍ରୀଙ୍କୁ କଟକ ସହରବାସୀ ଧନ୍ୟବାଦ ଦେଇଛନ୍ତି ।

କଟକରେ ରହିବନି ପିଇବା ପାଣି ସଂକଟ । ଅମୃତ ଯୋଜନାରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ମୁଖ୍ୟମନ୍ତ୍ରୀଙ୍କ ବିଶୁଦ୍ଧ ଜଳ ପ୍ରଦାନ ଅଭିଯାନ ଆଣିଛି ଏହି ଖୁସିର ଲହରୀ । କଟକ ସହର ସମେତ ଜଗତପୁର ଓ ପ୍ରତାପ ନଗରୀରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ । ଖର୍ଚ୍ଚ ହୋଇଛି ମୋଟ୍‌ ସାଢେ ୩ ଶହ କୋଟି ଟଙ୍କା । କଟକ ସିଡିଏ ଏବଂ ଚହଟା ଅଞ୍ଚଳକୁ ଅଧିକ ଫୋକସ କରାଯାଇଛି । ଚହଟା ଇନଟେକ ଓ୍ୱେଲ ପାଇଁ ୨୮ କୋଟି ୧୯ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ସିଡିଏ ୧୨ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଖର୍ଚ୍ଚ ହୋଇଛି ୫୦ କୋଟି ୬୮ ଲକ୍ଷ । ଏହି ଦୁଇ ଅଞ୍ଚଳର ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଇନଟେକ୍ ଓ୍ୱେଲ ପାଇଁ ଆଇଓସିଏଲ୍‌ ଖର୍ଚ୍ଚ ହୋଇଛି ୭୮ କୋଟିରୁ ଅଧିକ ଟଙ୍କା । ଅନ୍ୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି । ୧୮ ମିଟର ଗଭୀର ୧୦ ମିଟର ଓସାର ବିଶିଷ୍ଟ ଚହଟା ଇନଟେକ ଓେଲ୍ବରେ ଖଞ୍ଜା ଯାଇଛି ତିନିଟି ୨୭୦ ଏଚପିର ମଟର । ମହାନଦୀରୁ ଏହି ଓ୍ବେଲ ଘଣ୍ଟାକରେ ୫୪ ଲକ୍ଷ ଲିଟର ଜଳ ସଂଗ୍ରହ କରି ସିଡିଏ ୧୨ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପଠାଇବ । ସିଡିଏ ୧୨୯ ଏମ୍‌ଏଲ୍‌ଡି କ୍ଷମତା ସମ୍ପନ୍ନ ଟ୍ରିଟମେଣ୍ଟ ପ୍ଲାଣ୍ଟ ନଦୀ ପାଣିକୁ ବିଶୋଧନ କରି ଲୋକଙ୍କ ଘରେ ପହଞ୍ଚାଇବ । ଏହି ପ୍ଲାଣ୍ଟ ଦିନକୁ ୧୨୯ ମିଲିୟନ ଲିଟର ଜଳ ବିଶୋଧନ କରିପାରିବ ।

ନଦୀ ପାଣିରେ ଥିବା ରାସାୟନିକ ଓ ମଇଳାକୁ ସଫା କରିବା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବ୍ୟବହାର କରାଯିବ ଫିଟିକିରି, ଚୂନ, କ୍ଲୋରିନ୍ । ଟ୍ୟାଙ୍କରୁ ୭ଟି ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ସାହାଯ୍ୟରେ ସହରର ପ୍ରାୟ ୪୦ ସ୍ଥାନରେ ଥିବା ଓଭର ହେଡ ଟ୍ୟାଙ୍କକୁ ପାଣି ଛଡ଼ାଯିବ । ସେଠାରୁ ପାଇପ ଯୋଗେ ସହରବାସୀ ପାଇବେ ବିଶୁଦ୍ଧ ପାନୀୟ ଜଳ । ମେଗା ପ୍ରକଳ୍ପ କୁ ସହରବାସୀ ସ୍ୱାଗତ କରିଛନ୍ତି।

ଶାହଙ୍କ ଜମ୍ମୁ-କାଶ୍ମୀର ଗସ୍ତ ପୂର୍ବରୁ ଅଣକାଶ୍ମୀରଙ୍କ ଶବ ଉଦ୍ଧାର

ଶ୍ରୀନଗର: ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଅକ୍ଟୋବର ୨୩ରୁ ୨୫ ତାରିଖ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାଶ୍ମୀର ଗସ୍ତ କାର୍ଯ୍ୟକ୍ରମ ରହିଛି । ଗତ କିଛିଦିନ ହେବ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ବଡ଼ ଧରଣର ହମଲା ନେଇ ଯୋଜନା ହୋଇଥିବା ଜଣାପଡିଛି । ଦୀପାବଳି ପୂର୍ବରୁ ଜାମ୍ମୁ-କାଶ୍ମୀରରେ ପୁଲଓ୍ବାମା ଭଳି ହମଲା ଯୋଜନା କରିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀରରେ ଅଧିକ ସୁରକ୍ଷାବଳ ନିୟୋଜିତ କରାଯାଇଛି ।

କେବଳ ଶ୍ରୀନଗରର ଅଞ୍ଚଳରେ ୨୦ରୁ ୨୫ଟି ଅଧିକ ପାରାମିଲିଟାରୀ ଫୋର୍ସ ନିୟୋଜିତ ହୋଇଛନ୍ତି। ସିଆରପିଏଫ ଡିଜି, NIAର ବରିଷ୍ଠ ଅଧିକାରୀଙ୍କ ସମେତ IB ଓ RAWର କାଉଣ୍ଟର ଟେରର ବରିଷ୍ଠ ଅଧିକାରୀମାନେ ଘାଟି ଅଞ୍ଚଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।  ଗତ କିଛି ଦିନ ଧରି ଜାମ୍ମୁ-କାଶ୍ମୀରରେ ହିଂସା ଲାଗି ରାହିଛି। ସାଧାରଣ ଲୋକ ଓ ଅଣକାଶ୍ମୀର ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ଆତଙ୍କବାଦୀ । ସେନାର କାର୍ଯ୍ୟାନୁଷ୍ଠାନରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

ତେବେ ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଅନନ୍ତନାଗର ଜଙ୍ଗଲମୁଣ୍ଡର ବିଲାଲ କଲୋନୀ ଅଞ୍ଚଳରୁ ଅଣ କାଶ୍ମୀରି ନାଗରିକଙ୍କ ମୃତଦେହ ମିଳିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୃତକଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ରହିଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ଆରଜେଡି ଟାର୍ଗେଟରେ କାହିଁକି ଭକ୍ତ ଚରଣ ଦାସ?

ପାଟଣା: ବିହାର ମହା ଗଠବନ୍ଧନରେ ALL IS NOT WELL। କଂଗ୍ରେସ ଓ ଆରଜେଡି ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦୁଇ ଦଳ ବିଧାନସଭା ନିର୍ବାଚନ ପାଇଁ ଏକ ହୋଇ ଲଢିଥିବାବେଳେ ଉପନିର୍ବାଚନରେ ଉଭୟ ଉଭୟଙ୍କ ବିରୋଧରେ ପ୍ରାର୍ଥୀ ଦେଇଛନ୍ତି।

କେବଳ ଏତିକି ନୁହେଁ ଏହି ଘଟଣାକୁ ନେଇ ବିବାଦ ବଢିଥିବାବେଳେ ବିସ୍ଫୋରକ ବୟାନ ଦେଇଛନ୍ତି ବିହାର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ। ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ସମସ୍ତ ୪୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ଭକ୍ତ। ଆରଜେଡି ମହା ଗଠବନ୍ଧନର ଧର୍ମ ପାଳନ କରୁନାହିଁ ବୋଲି କହିବାକୁ ପଛାଇ ନାହାଁନ୍ତି ଭକ୍ତ। ଏଣୁ କଂଗ୍ରେସ ଏକାକି ନିର୍ବାଚନ ଲଢିବ । ଏଥି ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ସକ୍ଷମ ବୋଲି କହିଛନ୍ତି ଭକ୍ତ ଦାସ । ବିହାରରେ ବିଜେପି-ଜେଡୟୁ ମେଣ୍ଟ ସରକାର ଚାଲିଥିବାବେଳେ ବିରୋଧୀଙ୍କ ମେଳି ଭାଙ୍ଗିବାରେ ଲାଗିଛି।

ସେହିପରି କଂଗ୍ରେସରେ ଯୋଗଦେବା ପରେ ପ୍ରଥମ ଥର ପାଇଁ ବିହାରକୁ ଆସିଥିବା କହ୍ନେୟା କୁମାର ଆରଜେଡି ନେତାଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି- ‘‘ଯେଉଁମାନେ ବିଜେପି ସହିତ ଲଢିବାକୁ ଚାହୁଁଛନ୍ତି ସେମାନେ କଂଗ୍ରେସ ସହିତ ରହିବେ ଏବଂ ଯେଉଁମାନେ ଏହା କରିବାକୁ ଚାହୁଁନାହାଁନ୍ତି, ସେମାନେ କେବଳ କଥା କହିବେ। ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଜଣେ ଶିକ୍ଷିତ ବ୍ୟକ୍ତି ହୋଇ ସେ ଏଭଳି ଭାଷାର ପ୍ରୟୋଗ କରୁଛନ୍ତି’’।

ପୋଷ୍ୟ ସନ୍ତାନ ପ୍ରତି ବଢ଼ୁଛି ଆଗ୍ରହ: କନ୍ୟା ସନ୍ତାନକୁ ଅଧିକ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି

ଭୁବନେଶ୍ୱର: ପୋଷ୍ୟ ସନ୍ତାନ ଗ୍ରହଣ ପ୍ରତି ବଢୁଛି ଆଗ୍ରହ । ଆଗରୁ କନ୍ୟା ସନ୍ତାନ ଅଲୋଡ଼ା କୁହାଯାଉଥିବା ବେଳେ ଏବେ କନ୍ୟା ସନ୍ତାନ କୁ ଅଧିକ ପୋଷ୍ୟ ଭାବେ ଗ୍ରହଣ କରାଯାଉଛି । ତେବେ ପୋଷ୍ୟ ସନ୍ତାନ ଗ୍ରହଣ କରିବାର କଣ ରହିଛି ନିୟମ ?

ଓଡ଼ିଶାରେ ପୋଷ୍ୟ ସନ୍ତାନ ପ୍ରତି ବଢୁଛି ଆଗ୍ରହ । ୩ ବର୍ଷରେ ୨୫୧ ପୁଅ ଓ ୩୧୬ ଝିଅ ପୋଷ୍ୟ । ‘କାରା’ ପୋର୍ଟାଲରେ ଦିନକୁ ଦିନ ଆସୁଛି ଅଧିକ ଆବେଦନ । ମା’ କଣ କେବେ ନିଷ୍ଠୁର ହୋଇ ପୁଅ ଝିଅ ମଧ୍ୟରେ ଫରକ କରିପାରେ ? ଜନ୍ମଦାତ୍ରୀ କଣ କେବେ ଲିଙ୍ଗଗତ ଅସମାନତା କୁ ଗୁରୁତ୍ୱ ଦିଏ ? ଏଭଳି କିଛି ଅସମାହିତ ପ୍ରଶ୍ନର ଉତ୍ତର ଦେବା ଲକ୍ଷ୍ୟରେ ଏବଂ କନ୍ୟା ରତ୍ନଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ଯାହାର ପ୍ରତିଫଳନ ପୋଷ୍ୟ ସନ୍ତାନଙ୍କ କ୍ଷେତ୍ରରେ ଦେଖାଯାଇଛି । ପ୍ରତ୍ୟାଶି ପିତାମାତା ଅଧିକ ଶିଶୁ କନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ଦେଖାଉଥିବାରୁ ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କ ପ୍ରୟାସକୁ ସ୍ୱାଗତ କରାଯାଇଛି ।

ପୋଷ୍ୟ ସନ୍ତାନ ରୁପେ ଗ୍ରହଣ କରିବାକୁ ହେଲେ ପ୍ରଥମେ ‘କାରା’ ପୋର୍ଟାଲରେ ଆବେଦନ କରିବାକୁ ପଡିବ । ଏକ ପଞ୍ଜିକରଣ ନମ୍ବର ପାଇବା ପରେ କେଉଁ ସହରରୁ ସନ୍ତାନ ଗ୍ରହଣ କରିବେ ତାହା ଦର୍ଶାଇବେ । ନିଜର ଆୟ ସମ୍ପର୍କରେ ସ୍ପଷ୍ଟକ୍ତି ରଖିବା ପରେ ‘ Adoption agency ‘ ପିଲାଟିକୁ ହସ୍ତାନ୍ତର କରିବ । ଆଗାମୀଦିନରେ ଫୋଷ୍ଟର କେୟାର ବା ପାଳିତ ସନ୍ତାନ ପ୍ରଥାକୁ ଆପଣାଇବାକୁ ପିତା , ମାତାଙ୍କୁ ପରାମର୍ଶ ଦିଆଯାଇଛି । ସମାଜରେ ପ୍ରତେକଟି କ୍ଷେତ୍ରରେ ପକ୍ଷପାତିତାର ସାମ୍ନା କରୁଥିବା ଝିଅ ଟି ପ୍ରତି ଲୋକଙ୍କ ଭାବନା ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି ।

ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ଭାରତ; LACରେ Pinaka ଓ Smerch ମୁତୟନ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ଆସାମ ସୀମାର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଠାରୁ ଦୂରରେ ଥିବା ସ୍ଥାନକୁ LACର ଡେପଥ୍ ଏରିଆ କୁହାଯାଏ । ଏଠାରେ ନିୟୋଜିତ ରକେଟ୍ ଲଞ୍ଚ ସିଷ୍ଟମ୍ ଶତ୍ରୁ କ୍ଷେତ୍ରର ଭିତର ଯାଏଁ ଷ୍ଟ୍ରାଇକ୍ କରିବା ସହ ସଠିକ୍ ନିଶାନା ଲଗାଇପାରେ।

ପୂର୍ବ ଲଦାଖର LAC ଉପରେ ଉତ୍ତେଜନା ମଧ୍ୟରେ ଭାରତ LAC ଉପରେ ପ୍ରସ୍ତୁତି ଜାରି ରଖିଛି | କେବଳ ଭାରତର ପ୍ରତିରକ୍ଷା ନୁହେଁ ବରଂ ଆକ୍ରମଣାତ୍ମକ ପ୍ରସ୍ତୁତି ମଧ୍ୟ ଚାଲିଛି। ପୂର୍ବାଞ୍ଚଳ ସେକ୍ଟରରେ ଭାରତୀୟ ସେନା ମଲ୍ଟିବାର୍ଲ ରକେଟ୍ ଲଞ୍ଚ ସିଷ୍ଟମ୍ SMERCH ଏବଂ ମଲ୍ଟି ରକେଟ୍ ଲଞ୍ଚ ସିଷ୍ଟମ୍ ପିନାକକୁ ନିୟୋଜିତ କରିଛି।

ପିନାକା ରକେଟ୍ ଲଞ୍ଚର୍ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏକ ପିନାକ ବ୍ୟାଟେରୀରେ ୬ଟି ଫାୟାରିଂ ୟୁନିଟ୍ (ଲଞ୍ଚର୍) ଏବଂ ଏକ ଲଞ୍ଚରରେ ୧୨ଟି ଟ୍ୟୁବ୍ । ଆଉ ବ୍ୟାଟେରୀରେ ୭୨ ରକେଟ୍ ଏବଂ ଏହି ସମସ୍ତ ରକେଟ୍ ମାତ୍ର ସେକେଣ୍ଡରେ ଶତ୍ରୁ ଉପରେ ବର୍ଷିପାରେ । ପିନାକର ଏକାସାଙ୍ଗରେ 1000 x 800 ମିଟର କ୍ଷେତ୍ରକୁ ନଷ୍ଟ କରିବାର କ୍ଷମତା ରହିଛି ।

ଦ୍ୱିତୀୟ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚ ସିଷ୍ଟମ୍ ହେଉଛି SMERCH | ଋଷର ସହଯୋଗରେ ଏହାକୁ ବିକଶିତ କରାଯାଇଛି | SMERCHର ଏକ ବ୍ୟାଟେରୀରେ ଚାରୋଟି ଲଞ୍ଚର୍ ରହିଛି । ଗୋଟିଏ ବ୍ୟାଟେରୀରେ ମୋଟ 48 ଟି ରକେଟ୍ ରହିଛି| ଏହି ୪୮ରକେଟକୁ ମାତ୍ର ୪୦ ସେକେଣ୍ଡରେ ନିକ୍ଷେପ କରାଯାଇପାରିବ | ଯାହା ଶତ୍ରୁର 1200 X 1200 ମିଟର ଅଞ୍ଚଳକୁ ବିନାଶ କରିବାର କ୍ଷମତା ରଖିଛି ।

ଆସନ୍ତା ଆଇପିଏଲ୍‌ରେ JSPL ଭେନ୍ୟୁ ହୋଇପାରେ ବାରବାଟୀ: ଆଶା ବ୍ୟକ୍ତ କଲେ ଓସିଏ ସମ୍ପାଦକ

0

କଟକ: ଏଣିକି ଆଇପିଏଲ୍‌ରେ ଖେଳିବେ ୧୦ ଦଳ । ଏନେଇ ମେଗା ଅକ୍ସନ ଅନୁଷ୍ଠିତ ହେବ । ଦୁଇଟି ନୂଆ ଦଳ ପାଇଁ ଗୌହାଟୀ, ରାଞ୍ଚି, କଟକ, ଅହମ୍ମଦାବାଦ, ଲକ୍ଷ୍ନୌ ଓ ଧର୍ମଶାଳାକୁ ନୂଆ ସହର ଭାବେ ବିଡ୍‌ ଆହ୍ୱାନ କରାଯାଇଥିଲା। ନୂଆ ଦଳ ପାଇଁ ବିଡ୍‌ର ମୂଳ ଦର ୨ହଜାର କୋଟି ଟଙ୍କା ରଖାଯାଇଥିଲା। ତେବେ ଯେଉଁ ସ˚ସ୍ଥା ବିଡ୍‌ ଦାଖଲ କରିବେ ସେମାନଙ୍କ ବାର୍ଷିକ ହାରାହାରି ଟର୍ଣ୍ଣଓଭର ୩ହଜାର କୋଟି ଥିବା ଆବଶ୍ୟକ। ଏଥିସହ ବିଡ୍‌ ଦାଖଲକାରୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ଅନ୍ୟୂନ ୨୫୦୦ କୋଟି ଟଙ୍କା ହୋଇଥିବା ବାଧ୍ୟତାମୂଳକ ରହିଥିଲା। ତେବେ ବାର୍ଷିକ ଟର୍ଣ୍ଣଓଭର ଧାରା କ୍ଷେତ୍ରରେ କେତେକ ଆଗ୍ରହୀ ବିଡର‌୍‌ ଆପତ୍ତି ଉଠାଇଥିଲେ। ମାନଦଣ୍ତ ପୂରଣ କରିବା ପାଇଁ ଟର୍ଣ୍ଣଓଭର ମୂଲ୍ୟକୁ ହ୍ରାସ କରିବାକୁ ଅନୁରୋଧ ଆସିଥିଲା। ଯେଉଁଥିପାଇଁ ବିସିସିଆଇ ଏହାର ଟେଣ୍ତର ସର୍ତ୍ତରେ କିଛିଟା ପରିବର୍ତ୍ତନ କରିଥିଲା। ଏହାଫଳରେ ନବୀନ ଜିନ୍ଦଲଙ୍କ ସହ ଅନ୍ୟାନ୍ୟ ବିଡରମାନେ ଆଇପିଏଲ୍‌ ଦଳ ପାଇଁ ଆକୃଷ୍ଟ ହୋଇଥିବା କୁହାଯାଉଛି। ନବୀନ ଜିନ୍ଦଲଙ୍କ ବ୍ୟତୀତ କୋଟାକ ଗ୍ରୁପ୍‌, ଟୋରେଣ୍ଟ, ଆଦାନି ଗ୍ରୁପ୍‌ ଭଳି ବଡ଼ ବଡ଼ କମ୍ପାନିମାନେ ଆଇପିଏଲ୍‌ର ବିଭିନ୍ନ ଦଳ ପାଇଁ ଆଗ୍ରହ ଦେଖାଇଛନ୍ତି।

ଅପରପକ୍ଷରେ କଟକ ଟିମକୁ କେହିଁ କିଣିବାକୁ ଆଗ୍ରହ ପ୍ରକାଶ କରନ୍ତି ତେବେ ଓସିଏ ଏହାକୁ ସ୍ୱାଗତ କରିବା ସହ ସବୁ ସ୍ତରରେ ସାହାଯ୍ୟ ସହଯୋଗ କରିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । ଏଥିସହିତ ବିଡିଂ ପାଇଁ ଶିଳ୍ପପତି ନବୀନ ଜିନ୍ଦଲ ଆଗ୍ରହ ପ୍ରକାଶ କରିଥିବା ବେଳେ ବାରବାଟୀକୁ ଭେନ୍ୟୁ କରିବାକୁ ଓସିଏ ପକ୍ଷରୁ ଅନୁରୋଧ କରାଯାଇଛି ।

ଅପରାଧୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିଜେପିର ବିରୋଧ: ଥାନା ଘେରିଲେ, ଢେଲା ମାଡ଼ କଲେ

କଟକ: ନରସିଂହପୁର ଥାନା ଆଗରେ ବିଜେପି କର୍ମୀଙ୍କ ଲଙ୍କାକାଣ୍ଡ । ଅପରାଧୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପୋଲିସ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ପୂର୍ବରୁ ନରସିଂହପୁର କୋର୍ଟ ପରିସରରେ ହୋଇଥିବା ଏକ ଗଣ୍ଡଗୋଳ ଘଟଣାରେ ପୋଲିସ ଗତକାଲି ରତାପାଟ ଗାଁର ତିନିଜଣଙ୍କୁ ଗିରଫ କରିଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି କିଛି ବିଜେପି କର୍ମୀ।

ଥାନା ଘେରାଉ କରିବା ସହ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। କିଛି ମହିଳା ବିଜେପି କର୍ମୀ ଥାନା ଗେଟରେ ତାଲା ପକାଇ ଦେଇଥିଲେ । ଏପରିକି ସେମାନେ ପୋଲିସ ଉପରକୁ ଢେଲା ମାଡ କରିଥିଲେ । ଏଥିରେ ଜଣେ ମହିଳା ଗ୍ରାମରକ୍ଷୀ ଓ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । କାହାର ମୁଣ୍ଡରେ ତ କାହାର ଆଖି ଉପରେ ଗଭୀର ଆଘାତ ଲାଗିଛି। ଆକ୍ରମଣକାରୀଙ୍କୁ ଘଉଡାଇବାକୁ ପୋଲିସ ଲାଠି ଚାଳନା କରିବାକୁ ବାଧ୍ୟ ହୋଇଥିଲା।

ବିଜେପି କର୍ମୀଙ୍କ ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ବିଜେପି କର୍ମୀ ଆହତ ହୋଇଥିଲେ। ସମସ୍ତ ଆହତ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ମହିଳା ଗ୍ରାମରକ୍ଷୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଚୋରି ଓ ସିନାଜୋରି ଭଳି ପୋଲିସ ଉପରେ ଆକ୍ରମଣ ପରେ ନିଜସ୍ୱ ଗୁଣ୍ଡାଗିରିକୁ ଲୁଚାଇବାକୁ ବିଜେପି କର୍ମୀ ରତାପାଟ ଛକ ଠାରେ ୬୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ବିଜେପିର ଏଭଳି କାମକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ବିଜେପି ବରାବର ବିଭିନ୍ନ ଘଟଣାରେ ଆଇନକୁ ହାତକୁ ନେଉଥିବା ଉଦବେଗର ବିଷୟ ହୋଇଛି

କରୋନା ଟିକାକରଣ ଦିଗରେ ଆଉ ଏକ ମାଇଲଖୁଣ୍ଟ : ଏଯାବତ୍ ରାଜ୍ୟରେ ଦିଆଗଲାଣି ସାଢ଼େ ୩କୋଟି ଡୋଜ୍

ଭୁବନେଶ୍ୱର: କରୋନା ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଲା ଓଡ଼ିଶା । ରାଜ୍ୟରେ ଏଯାବତ୍ ମୋଟ ସାଢ଼େ ୩କୋଟି କରୋନା ଟିକାର ଡୋଜ୍  ଦିଆଯାଇସାରିଛି   । ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏଥିସହିତ ଟିକାକରଣ ଦିଗରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ଥିବା ବେଳେ ପାର୍ବଣ ମାସ ଯୋଗୁଁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ କରୋନା କଟକଣାର କଡ଼ା ପାଳନ ସହ ଟିକାକରଣ ବେଶ୍ ଜରୁରୀ ହୋଇପଡ଼ିଛି । ଏଭଳି ସ୍ଥିତିରେ ରାଜ୍ୟରେ ଚାଲିଥିବା ଦ୍ରୁତ ଟିକାକରଣ କରୋନା ମୁକାବିଲା ଦିଗରେ ରାଜ୍ୟକୁ ବେଶ୍ ସହାୟକ ହେବ ।

ସୂଚନା ଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୫୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୫୯୭୩ ରେ ପହଞ୍ଚିଛି । ତେବେ ହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୨୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୭ ଜଣ ପଜିଟିଭ ରହିଛନ୍ତି।

ଡାକ ବାକ୍ସ ଅଛି ଡାକ ନାହିଁ: ଅଲୋଡ଼ା ହୋଇପଡ଼ିରହିଛି ୧୭୦ ବର୍ଷ ପୁରୁଣା ପୋଷ୍ଟ ବକ୍ସ

ଆସିକା: ହଜିବାକୁ ବସିଲାଣି ଡାକବାକ୍ସ । ଚିଠି ମାଧ୍ୟମରେ ଭାବର ଆଦାନପ୍ରଦାନ କମୁଥିବାରୁ ଅବହେଳିତ ଅବସ୍ଥାରେ ପଡିଛି ଡାକବାକ୍ସ । ଦିନଥିଲା ପୋଷ୍ଟ ବକ୍ସ ଉପରେ ନିର୍ଭର କରୁଥିଲେ ଲୋକେ । ସମ୍ପର୍କ ମଧ୍ୟରେ ଦୂରତା କମାଇବା ପରେ ସହଯୋଗ କରୁଥିଲା । ହେଲେ ଏବେ ଆଧୁନିକତା ପାଇଁ ଏହା ଡାକଘର କାନ୍ଥରେ ଭଙ୍ଗା ଦଦରା ଅବସ୍ଥାରେ ଝୁଲୁଛି ।

ଆଧୁନିକତାରେ ଅଲୋଡ଼ା ଡାକବାକ୍ସ । କମିଛି ଚିଠିର ଆଦାନପ୍ରଦାନ । ଦଦରା ଅବସ୍ଥାରେ ଝୁଲୁଛି ଟିଣବାକ୍ସ । ଅଫ୍‌ଲାଇନ୍ ଉପରେ ଭାରିପଡ଼ିଛି ଅନଲାଇନ । ବଳି ପଡ଼ିଯାଇଛି ଚିଠି, ସମ୍ପର୍କରେ ଦୂରତା କମାଇଛି ଇଣ୍ଟରନେଟ୍ । ଟେଲିଫୋନ, ମୋବାଇଲ, ଇ-ମେଲ୍ ଯୋଗେ କ୍ଷଣିକରେ କଥାବାର୍ତ୍ତା ସହ ଭାବର ଆଦାନ ପ୍ରଦାନ ହେଇପାରୁଛି । ଫଳରେ ଦୀର୍ଘ ବର୍ଷ ଧରି ଚିଠି ଦିଆ ନିଆର ମାଧ୍ୟମରେ ପାଲଟିଥିବା ଡାକବାକ୍ସ ଅଲୋଡା ଦଦରା ହୋଇ ପଡିରହିଛି । ସତେ ଯେପରି ଅତୀତକୁ ମନେ ପକାଇ ସେ ଡାକଘର କାନ୍ଥରେ କାନ୍ଦୁଛି ।

ପ୍ରାୟ ୧୭୦ ବର୍ଷର ପରୁତନ ପରଚୟ ହଜାଇଛି ଡାକବାକ୍ସ । ଗଞ୍ଜାମ ଜିଲ୍ଲା ବିଭିନ୍ନ ସ୍ଥାନରେ ପୋଷ୍ଟ ବକ୍ସ ସବୁ ନଷ୍ଟ ହେବାକୁ ବସିଲାଣି । ବ୍ୟବହାର ହେଉନଥିବାରୁ କିଛି ସ୍ଥାନରେ ପୋତି ହୋଇଗଲାଣି । କେବଳ ସରକାରୀ ଚିଠିପତ୍ରକୁ ଝାଡିଦେଲେ ଆଉ ସେଭଳି କାମରେ ଆସୁନଥିବା ଡାକ କର୍ମଚାରୀ କହିଛନ୍ତି । ଆଧୁନିକତା ଭିତରେ ପୁରାତନକୁ ଭୁଲି ଯାଉଛନ୍ତି ଲୋକେ । ଏହା ଉପରେ ସଚେତନ ହେଲେ ଦିନ ଆସିବ ସ୍ମୃତି ହୋଇ ରହିଯିବ ଡାକବାକ୍ସ ।

ଏଥିସହିତ ପଢ଼ନ୍ତୁ: ମନୀଷ ଅନୁରାଗ ହତ୍ୟା ମାମଲା: ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ