ଦୁଇ ଜିଲ୍ଲାରେ ଲେଖା ହେବ ସ୍ମାର୍ଟ ହେଲଥ୍ କାହାଣୀ

ଭୁବନେଶ୍ବର: ସ୍ମାର୍ଟ କାହାଣୀରେ ଯୋଡ଼ି ହେବ ଆଉ ଦୁଇ ଜିଲ୍ଲା । ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାବାସୀଙ୍କ ଦୂର ହେବ ସ୍ବାସ୍ଥ୍ୟ ସମସ୍ୟା । ଉଭୟ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସ୍ମାର୍ଟ କାର୍ଡ ।

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ଦେଢ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ଦ୍ବାରା ଉପକୃତ ହେବେ । ଏହାସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସୁବର୍ଣ୍ଣପୁରରେ ମୋଟ ୭୯ କୋଟି ୨୨ ଲକ୍ଷ ଟଙ୍କା ପ୍ରକଳ୍ପର ଉଦଘାଟନ ସହିତ ୧୪୮କୋଟି ୪ଲକ୍ଷ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ସହରରେ ସୁଇମିଂ ପୁଲ, ଟାଉନ ହଲ, ବିଦ୍ୟୁତ୍ ଚାଳିତ ଶବ ସଂସ୍କାର ଗୃହ ସହିତ ଗ୍ରାମାଞ୍ଚଳର ବିଭିନ୍ନ ରାସ୍ତା ଓ ସେତୁକୁ ଉଦଘାଟନ କରାଯିବ ।

ସେହିପରି  ବୌଦ୍ଧ ଜିଲ୍ଲାରେ ୧ ଲକ୍ଷ ୮ ହଜାର ୫ ଶହ ୫୫ ପରିବାରର ୩ ଲକ୍ଷ ୭୨ ହଜାର ୩ ଶହ ୮୭ ଜଣ ହିତାଧିକାରୀ ସ୍ମାର୍ଟକାର୍ଡ ଦ୍ବାରା ଉପକୃତ ହେବେ । ଏଥିସହିତ ୨୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ୪୬୩ କୋଟିର ନୂତନ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ଇତିହାସରେ ସାମିଲ ହେଉଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ସ୍ମାର୍ଟ ହେଲପ୍‌ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । କେବଳ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସପିଟାଲରେ ଉନ୍ନତ ଚିକିତ୍ସା ପାଇପାରିବେ ।

Leave a Reply