spot_img
Home Blog Page 5037

BSKY ଯୋଜନାରେ 75 ଚକ୍ଷୁ ରୋଗୀଙ୍କୁ ଯୋଗାଇ ଦିଆଗଲା ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରି ଆସୁଥିବା ଜନସାଧାରଣଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। କାର୍ଡ ବଣ୍ଟନ ହେବାର ଗୋଟିଏ ଦିନ ନ ପୂରୁଣୁ ରାସଗୋବିନ୍ଦପୁର ସ୍ଥିତ ରଙ୍ଗାମାଟିଆ ଠାରେ ଥିବା ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଉକ୍ତ ସ୍ୱାସ୍ଥ୍ୟକାର୍ଡ଼ ଯୋଗେ 75 ଜଣ ଚକ୍ଷୁ ପୀଡିତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା କୁପାରୀ ଅଞ୍ଚଳରୁ 43 ଜଣ ଏବଂ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରୁ 32 ଜଣ ମୋତିଆବିନ୍ଦୁରେ ପୀଡିତଙ୍କୁ ଚି଼ହ୍ନଟ କରାଯାଇଥିଲା। ଚକ୍ଷୁ ପୀଡିତ ମାନେ ରାସଗୋବିନ୍ଦପୁର ବ୍ଲକ ରଙ୍ଗାମାଟିଆ ସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟକୁ ଆସି ସେମାନଙ୍କର ଚକ୍ଷୁ ଅସ୍ତ୍ରୋପଚାର କରାଇଛନ୍ତି।

ରାଜ୍ୟ ସରକାରଙ୍କ ସହଯୋଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ମାଧ୍ୟମରେ ଦୀର୍ଘ ଦିନ ଧରି ହୋଇପାରୁନଥିବା ଚିକିତ୍ସାର ସଫଳ ଚିକିତ୍ସା ପରେ ଚକ୍ଷୁ ପୀଡିତ ମାନେ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜାଲରେ ପଡିଲା ୫ ଟନ ମାଛ, ଅନଲୋଡ କଲେ ଶହେ ମତ୍ସ୍ୟଜୀବୀ

ଭଦ୍ରକ: ଜାଲରେ ପଡିଲା ୫ ଟନରୁ ଅଧିକ ମାଛ । ଅନଲୋଡ କରିବାକୁ ଲାଗିଲେ ଶହେ ଜଣ ମତ୍ସ୍ୟଜୀବୀ । ଏମତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ପୁରୁଣା ଧାମରା ଜେଟିରେ । ଜେଟିରେ ଏକ ଟ୍ରଲର ଲାଗିଥିଲା । ଏକାଥରକେ ଏତେ ମାଛକୁ ଦେଖିବାକୁ ଲୋକେ ଭିଡ ଜମାଇଥିଲେ । ଜାଲରେ ଥିବା ମାଛ ଗୁଡିକ ଇଲା ମାଛ ହୋଇଥିବାବେଳେ ଗୋଟିକର ଓଜନ ପ୍ରାୟ ୩ ଶହ ଗ୍ରାମ ଥିବା ଜଣାପଡିଛି ।

ଜାଲରୁ ମାଛକୁ କାଢିବାକୁ ଶହେଜଣ ମତ୍ସ୍ୟଜୀବୀ ଲାଗିଥିଲେ । ଧାମରା ଅଞ୍ଚଳର ମାଲିକ ବିକି ମଣ୍ଡଳଙ୍କ ଇଲାବତୀ ଟଲର ଦୁଇଦିନ ପୂର୍ବେ ଧାମରାର ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା । ତେବେ ଜାଲରେ ହଠାତ ଏକାଥରକେ ଏତେ ପରିମାଣର ମାଛ ପଡିବା ପରେ ଏହାକୁ ନେଇ ମତ୍ସ୍ୟଜୀବୀ ଫେରି ଆସିଥିଲେ । ଏସବୁ ମାଛ କେଜି ପିଛା ଶହେରୁ ୧୫୦ଟଙ୍କାରେ ବିକ୍ରିହେବ । ଏହାକୁ ପଶ୍ଚିମବଙ୍ଗ ପଠାଯିବ ବୋଲି ଟ୍ରଲର ମାଲିକ କହିଛନ୍ତି ।

ଚିକେନ୍ ପକୋଡ଼ା ଖାଅ, ଲକ୍ଷେ ଟଙ୍କିଆ ଚାକିରି ପାଅ

ବ୍ରିଟେନ: ଚାକିରି ଖୋଜୁଛନ୍ତି କି ? କେତେ ଦରମା ହେଲେ ଚାକିରି କରିବାକୁ ପସନ୍ଦ କରିବେ ? ଆମେ ଏମିତି ଏକ ଚାକିରି ବିଷୟରେ କହିବାକୁ ଯାଉଛି ଯେଉଁଥିରେ ମାସିକ ଦରମା କଥା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆଜ୍ଞା ହଁ ଦରମା ବାବଦକୁ ମିଳିବ ଏକ ଲକ୍ଷ ଟଙ୍କା । ଏବେ ଭାବୁଥିବେ କାମ କ’ଣ କରିବାକୁ ପଡ଼ିବ ଏତେ ଦରମା ପାଇଁ ? କାମ କିଛି ଖାସ ନୁହେଁ, କେବଳ ବସି ବସି ଚିକେନ ପକୋଡ଼ା ଖାଇବେ ଓ ମାସିକ ଦରମା ଏକ ଲକ୍ଷ ଟଙ୍କା ପାଇବେ । ଏମିତି ଚାକିରି ଅଫର୍ ବାହାର କରିଛି ବ୍ରିଟେନର ଏକ ଫୁଡ୍ କମ୍ପାନୀ । ପୋଷ୍ଟର ନାଁ ରଖିଛି ‘ଟେଷ୍ଟ ଟେଷ୍ଟର’ ।

ସୂଚନାଯୋଗ୍ୟ, ବ୍ରିଟେନର ଫୁଡ଼ କମ୍ପାନୀ BirdsEye ଚିକେନ୍ ପକୋଡ଼ା ପ୍ରସ୍ତୁତ କରିଥାଏ । କିଛିଦିନ ହେବ କମ୍ପାନୀ ଟେଷ୍ଟ ଟେଷ୍ଟର ଚାକିରି ପାଇଁ ଆବେଦନ ମାଗିଛି । ନିଜ ପ୍ରଡକ୍ଟ ଚିକେନ ଡିପର୍ସ ଓ ସସ୍ ପାଇଁ ସ୍ବାଦ ଚାଖିବାରେ ଅନୁଭବି ଲୋକଙ୍କ ପାଇଁ ଚାକିରି ଅଫର୍ କରିଛି ।

‘ଦି ସନ୍’ ରିପୋର୍ଟ ଅନୁସାରେ, ଯେଉଁ ବ୍ୟକ୍ତିଙ୍କ ସ୍ବାଦ ବାରିବାର ଭଲ ଅନୁଭବ ଥିବ ତାକୁ ହିଁ ଏହି ଚାକିରି ମିଳିବ । ସେମାନଙ୍କ ପାଖରେ ଚିକେନ୍ ଡିପର୍ସର କ୍ରିପ୍ସ, କ୍ରଞ୍ଚ ଓ ସସ୍ ଆଦିର ସ୍ବାଦ ଠିକଠାକ ବାରିବା କ୍ବାଲିଟି ଥିବା ଦରକାର ।

କେମିତି ପାଇବେ ଏହି ଚାକିରି ?

କମ୍ପାନୀ ଚାକିରିର ସବୁ ତଥ୍ୟ ସେୟାର କରିଛି । ଆଶାୟୀଙ୍କୁ କମ୍ପାନୀର ଚିଫ୍ ଡିପିଙ୍ଗ ଅଫିସରଙ୍କ ପୋଷ୍ଟ ଦିଆଯିବ । ଇଚ୍ଛୁକ ପ୍ରାର୍ଥୀ https://www.birdseye.co.uk/ ରେ ଆବେଦନ କରିପାରିବେ । ଏହାବାଦ [email protected] ରେ ୨୫୦ ଶବ୍ଦରେ ଏକ ଚିଠି ଲେଖି ନିଜ ବିଷୟରେ କହିବାକୁ ପଡ଼ିବ ।

ନିକଟ ଅତୀତରେ ବ୍ରିଟେନରେ ଏକ ସର୍ଭେ ହୋଇଥିଲା । ଏଥିରେ କିଛି ଲୋକ ଚିକେନ ଡିପର୍ସ ସହ ଟମାଟୋ ସସକୁ ବେଷ୍ଟ କହିଥିବା ବେଳେ ଆଉ କିଛି  ଲୋକ ମାୟୋନାଇଜ (Mayonnaise)କୁ ବେଷ୍ଟ କହିଥିଲେ । ଏମିତି ସ୍ଥିତିରେ କମ୍ପାନୀ ଚିକେନ୍ ଡିପର୍ସ ଓ ସସକୁ ଆହୁରି ଅଧିକ ସ୍ବାଦିଷ୍ଟ କରିବାକୁ ଏହି ଚାକିରି ବାହାର କରିଛି । ଏଥିରେ ଚାକିରି ପାଇଥିବା ବ୍ୟକ୍ତିଙ୍କୁ କମ୍ପାନୀ କର୍ମଚାରୀ ପ୍ରସ୍ତୁତ କରିଥିବା ଚିକେନ ଡିପର୍ସ ଓ ସସକୁ ଟେଷ୍ଟ କରି କେମିତି ଅଧିକ ଭଲ ଓ ସ୍ବାଦିଷ୍ଟ ହୋଇପାରିବ ସେ ନେଇ ପରାମର୍ଶ ଦେବେ ଓ ମାସିକ ଲକ୍ଷେ ଟଙ୍କା ଦରମା ପାଇବେ ।

ହିନ୍ଦୀ ଶିକ୍ଷକ ନିଯୁକ୍ତି ଫଳ ଚୂଡାନ୍ତ, SEBC ବର୍ଗରୁ କେବଳ ୫୯୬ ଜଣ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟ ସରକାର ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲିଥିବା ହିନ୍ଦୀ ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ତା4.10.2021 ରିଖରେ ହୋଇଥିବା ଅନଲାଇନ ପରୀକ୍ଷାର ଫଳ ଚୂଡାନ୍ତ ହୋଇଛି ମୋଟ 953 ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ତନ୍ମଧ୍ୟରୁ 207 ଜଣ ସାଧାରଣ ବର୍ଗର, 596ଜଣ SEBC ବର୍ଗର, 101 ଜଣ ଅନୁସୂଚିତ ଜାତି ଓ 49 ଜଣ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଅଟନ୍ତି

ପ୍ରାର୍ଥୀମାନେ ତାଙ୍କ ପରୀକ୍ଷାଫଳ ୱେବସାଇଟ dseodisha.inରେ ଲଗଇନ କରି ଦେଖିପାରିବେପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କ ଡ଼କ୍ୟୁମେଣ୍ଟ ଯାଞ୍ଚତା 29.10.2021 ରିଖରୁ ନିଜ ସ୍ଥାୟୀ ଠିକଣା ଜିଲ୍ଲାରେ ହେବ  ।ଏହାପାଇଁ ସବିଶେଷ ସୂଚନା ଖୁବଶୀଘ୍ର ୱେବସାଇଟରେ ପ୍ରକାଶିତ ହେବ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସୂତ୍ରରୁ ଏହି ସୂଚନା ହସ୍ତଗତ ହୋଇଛି

ଶାହଙ୍କ ଆହ୍ବାନ: ଆତଙ୍କବାଦୀ ବିରୋଧରେ ଅନ୍ତିମ ଲଢେଇ ଲଢ଼

ଶ୍ରୀନଗର: ଆତଙ୍କବଦୀଙ୍କ ବିରୋଧରେ ହେବ ଶେଷ ଲଢ଼େଇ । ଖୋଜି ଖୋଜି ଆତଙ୍କବଦୀଙ୍କୁ ନିପାତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଆତଙ୍କବଦୀଙ୍କ ବିରୋଧରେ ଶେଷ ଲଢ଼େଇ ଲଢ଼ିବାକୁ ସୁରକ୍ଷାକର୍ମୀ ଓ ଯବାନଙ୍କୁ ଦେଇଛନ୍ତି ଆହ୍ବାନ ।

ଘାଟିରେ କିଛିଦିନ ହେବ ବିଗିଡ଼ି ଥିବା ସ୍ଥିତି ଭିତରେ ତିନିଦିନିଆ ଜମ୍ମୁ ଓ କାଶ୍ମୀର ଗସ୍ତରେ ଯାଇ ଆଜି ପହଞ୍ଚିଛନ୍ତି ଶାହ । ଶ୍ରୀନଗରରେ ସୁରକ୍ଷାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।

ଦିନ ୧୨ଟାରେ ଆରମ୍ଭ ହୋଇଥିବା ବୈଠକ ସାଢ଼େ ୪ ଘଣ୍ଟା ଚାଲିଥିଲା । ଘାଟିରେ ଅନ୍ୟ ରାଜ୍ୟର ନାଗରିକ, ଅଣ ହିନ୍ଦୁଙ୍କୁ ଆତଙ୍କବଦୀମାନେ ଟାର୍ଗେଟ କରିବାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ଚଳିତ ମାସ ଆରମ୍ଭରୁ ଆତଙ୍କବଦୀ ଅଣ କାଶ୍ମୀର ଲୋକଙ୍କୁ ଆକ୍ରମଣ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶ, ବିହାର ଓ ଅନ୍ୟ ରାଜ୍ୟର ଶ୍ରମିକ ଶ୍ରେଣୀର ଲୋକଙ୍କୁ ଆତଙ୍କବାଦୀ ଟାର୍ଗେଟ କରି ହତ୍ୟା କରୁଛନ୍ତି । ସେତିକି ନୁହେଁ, ଆତଙ୍କବଦୀଙ୍କ ଆକ୍ରମଣରେ ପାଖାପାଖି ୯ ଜଣ ଯବାନ ସହିଦ ହୋଇଛନ୍ତି ।

ସହିଦ ଇନ୍ସପେକ୍ଟରଙ୍କ ପରିବାରକୁ ଭେଟିଲେ ଶାହ

ସୁରକ୍ଷା ବିଭାଗ ଓ ଗୁଇନ୍ଦା ସଂସ୍ଥାଙ୍କ ସହ ବୈଠକ ପୂର୍ବରୁ ଶାହ ସହିଦ ଇନ୍ସପେକ୍ଟର ପରଭେଜ ଅହମଦ ଦାରଙ୍କ କରିବାରକୁ ଭେଟିଥିଲେ । ଏହି ସମୟରେ ଅହମଦଙ୍କ ପତ୍ନୀ ଫାତିମା ଅଖତରଙ୍କୁ ସରକାରୀ ଚାକିରି ଦେବାକୁ ଶାହ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଶାହ କହିଛନ୍ତି, ‘ପୂରା ଦେଶ ଆପଣଙ୍କ ପରିବାର ସହ ଅଛି । ଆମେ ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ପରଭେଜ ଅହମଦ ଦାରଙ୍କ ବଳିଦାନକୁ ସବୁବେଳେ ମନେ ରଖିବୁ ।’ ସୂଚନାଯୋଗ୍ୟ, ଗତ ଜୁନରେ ଶ୍ରୀନଗରରେ ଆତଙ୍କବାଦୀ ପରଭେଜଙ୍କୁ ଗୁଳି ମାରି ଦେଇଥିଲେ ।

୫ ଅଗଷ୍ଟ ୨୦୧୯ ସ୍ବର୍ଣ୍ଣାକ୍ଷରରେ ଲେଖାଯିବ

ଶ୍ରୀନଗରରେ ଏକ କାର୍ଯ୍ୟକ୍ରମରେ ଶାହ କହିଥିଲେ ୨୦୧୯ ଅଗଷ୍ଟ ୫ ତାରିଖରୁ ଅନୁଚ୍ଛେଦ ୩୭୦ ହଟିବା ଜମ୍ମୁ ଓ କାଶ୍ମୀର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖା ହୋଇ ରହିବ । ସେ କହିଥିଲେ, ‘ଘାଟିରେ ପଥର ମାଡ଼ ଓ ହିଂସାର ଖବର ପ୍ରାୟ ସବୁଦିନ ଆସୁଥିଲା । ଏବେ ସ୍ଥିତି ବଦଳିଛି । ପରିବର୍ତ୍ତନର ଧାରାରେ ଘାଟି ଆଗକୁ ବଢ଼ୁଛି, ଯାହାକୁ କେହି ଅଟକାଇ ପାରିବେ ନାହିଁ ।’

ଅନୁଚ୍ଛେଦ ୩୭୦ ହଟିବାକୁ ନେଇ ସେ କହିଥିଲେ, ‘ଏହା ଆତଙ୍କବାଦ, ଦୁର୍ନୀତି, ଭାଇ-ଭତିଜାବାଦର ଅନ୍ତର ଦିନ ଥିଲା । ଯେଉଁ ଯୁବବଗଙ୍କ ହାତରେ ଦିନେ ପଥର ଥିଲା ଆଜି ସେମାନେ ବିକାଶ, ରୋଜଗାର ଓ ପାଠପଢ଼ା କଥା କହୁଛନ୍ତି । ଏବେ ସେମାନଙ୍କ ଉପରେ ବଡ଼ ଦାୟିତ୍ବ ସେମାନେ ଶ୍ରୀନଗରର ବିକାଶକୁ ଆଗକୁ ନେବେ ।‘

ଅଧା ବିଶ୍ୱରେ ପୁଣି ଡେଲଟା ଭାଇରସ ରାଜ୍, ଏସିଆ ଓ ୟୁରୋପରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: ଅଧା ବିଶ୍ବରେ ପୁଣି ଡେଲଟା ଭାଇରସର ରାଜ୍ । କରୋନା ବିପର୍ଯ୍ୟୟରୁ ମିଳୁନି ନିସ୍ତାର । ସାରା ଏସିଆ ଓ ୟୁରୋପରେ ପୁଣି ବଢିଲା ସଂକ୍ରମଣ । ଚିନ୍ତା ବଢାଇଲା ଡେଲଟା ଭାଇରସର 20ଟି ପ୍ରଜାତି । ସେଗୁଡିକୁ ଟ୍ରାକ କରିବା ହେଲାଣି କଷ୍ଟକର । 20 ପ୍ରଜାତିରୁ କେବଳ AY.4.2କୁ ଚିହ୍ନଟ କରାଯାଇପାରିଛି ଏବଂ ଏହାକୁ ଟ୍ରାକିଂ କରାଯାଇପାରିଛି । ସେପଟେ ଶୀତ ଯୋଗୁ ସଂକ୍ରମଣ ବଢିବ ବୋଲି ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଋଷ, ଚୀନ, ପୂର୍ବ ୟୁରୋପ, ବ୍ରିଟେନରେ କୋଭିଡ ସଂକ୍ରମଣ ଆଖିଦୃଶିଆ ବୃଦ୍ଧି ପାଇଛି । ଗତ ସପ୍ତାହ ତୁଳନାରେ ବ୍ରିଟେନରେ ୧୪ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଋଷରେ ଗତ ସପ୍ତାହ ତୁଳନାରେ ଏହି ସଂଖ୍ୟା ୧୫ ପ୍ରତିଶତ ଏବଂ ୟୁରୋପୀୟ ରାଷ୍ଟ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ଅଧିକ ହୋଇଛି । ବ୍ରିଟେନ ସମେତ ଏହି ସବୁ ରାଷ୍ଟ୍ରରେ AY.4.2 ଡେଲଟା ପ୍ଲସ ଭାରିଆଣ୍ଟ ଉତ୍ପାତ ଜାରି ରଖିଛି । ଋଷରେ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୧ ହଜାର ୬୪ ଜଣ ଯାହାକି ମହାମାରୀ ଆରମ୍ଭ କାଳରୁ ସର୍ବାଧିକ ।

ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଆସନ୍ତା ୩୦ରୁ ସାତ ଦିନ ଲାଗି ଦେଶରେ କାମ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ, ଜର୍ଜିଆରେ ସ୍ଥିତି ବି ବିଶେଷ ଗୁରୁତର ହେଲାଣି । ସିଙ୍ଗାପୁରରେ ବି କ୍ରମଶଃ ଆତଙ୍କ ସୃଷ୍ଟି କଲାଣି ଭାଇରସ । ସେପଟେ ଚୀନର ଜିରୋ କୋଭିଡ ସ୍ଲୋଗାନ ନେଇ ଉଠିଛି ପ୍ରଶ୍ନ । ବିଭିନ୍ନ ପ୍ରଜାତନ୍ତ୍ରରେ ବଢିଛି ସଂକ୍ରମଣ । ବେଜିଂରେ ପୁଣି ଆରମ୍ଭ ହୋଇଛି ମାସ୍ ଟେଷ୍ଟିଂ । ନ୍ୟୁଜିଲାଣ୍ତରେ ବି ସଂକ୍ରମଣ ବଢିବା ଯୋଗୁ ଆରମ୍ଭ ହୋଇଛି ଲକଡାଉନ ।

ଭାରତରେ ବି କ୍ରମାଗତ ୧୬ ହଜାର ଉପରେ ରହୁଛି ସଂକ୍ରମଣ । ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୬୬୬ ଲୋକ । ତେଣେ କଟକଣାକୁ କୋହଳ କରାଯ଼ିବାରୁ ଏହି ବିପଦ ପୁଣି ଉଭା ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ସଂଗଠନର ଜରୁରୀକାଳୀନ ବିଭାଗ ମୁଖ୍ୟ ଡାକ୍ତର ମାଇକ ରିଆନ କହିଛନ୍ତି ଶୀତ ପଡିବା ଯୋଗୁ ସଂକ୍ରମଣ ଅଧିକ ହେବାରେ ଲାଗିଛି । ବିଭିନ୍ନ ରାଷ୍ଟ୍ର କୋଭିଡ କଟକଣା କୋହଳ କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି । ଡେଲଟା ଭାରିଆଣ୍ଟ ଏବେ ବିଶ୍ବରେ ସବୁଠାରୁ ଶକ୍ତିଶାଳୀ ଭୂତାଣୁ ଭାବେ ପରିଗଣିତ ହେଲାଣି ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଷୟିକ ମୁଖ୍ୟ ମାରିଆ ଭାନ କେର୍କୋଭ ।

ନବଜ୍ୟୋତ ଖୋଲିଲେ କ୍ୟାପଟେନଙ୍କ ଗୁମର

ଲୁଧିଆନା: ପାକିସ୍ତାନୀ ସାମ୍ବାଦିକ ଅରୁସା ଆଲମ ମାମଲାରେ ନବଜ୍ୟୋଜି ସିଂହ ସିଦ୍ଧୁଙ୍କ ପତ୍ନୀ ନବଜ୍ୟୋତି କୌର ସିଦ୍ଧୁଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହଙ୍କ ବିରୋଧରେ ହଲ୍ଲା ବୋଲ୍ । ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧଓ୍ବାଙ୍କ ପରେ କୌର କ୍ୟାପଟେନଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି । କ୍ୟାପଟେନଙ୍କ ଶାସନ ସମୟରେ ଟଙ୍କା ବଦଳରେ ଚାକିରି ମିଳୁଥିବା ଅଭିଯୋଗ ଆଣିଲେ । କ୍ୟାପଟେନ ଚାକିରି ବଦଳରେ ଟଙ୍କା ନେଇ ସେଥିରେ ଗିଫ୍ଟ କିଣି ଅରୁସାଙ୍କୁ ଦେଉଥିଲେ ବୋଲି ସେ କହିଛନ୍ତି ।

କ୍ୟାପଟେନଙ୍କ ନୂଆ ଦଳ ଗଠନକୁ ନେଇ କଟାକ୍ଷ କରିବା ସହ ନବଜ୍ୟୋତି କୌର କହିଛନ୍ତି, ‘କ୍ୟାପଟନ ସାବହଙ୍କ ବୟସ ଏବେ ପୂଜାପାଠ କରିବାର । ବାକି ସମୟ ଅରୁସା ଆଲମଙ୍କ ସହ ତା କଟିବା କଥା ।’

ସେ ଆହୁରି କହିଛନ୍ତି, ‘କ୍ୟାପଟେନଙ୍କ ନୂଆ ଦଳ ପଞ୍ଜାବ କଂଗ୍ରେସ ଉପରେ କୌଣସି ପ୍ରଭାବ ପକାଇବନି । କ୍ୟାପଟେନଙ୍କ ଶାସନ ସମୟରେ କାମ କରିବାରେ ମତଭେଦ କରାଯାଉଥିଲା । ଏବେ ସବୁ କ୍ଷେତ୍ରରେ ବିକାଶ ବାର୍ଯ୍ୟ ହେଉଛି ।’

କ୍ୟାପଟେନଙ୍କ ଉପରେ ନବଜ୍ୟୋତି କୌର ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ‘ଅରୁସାଙ୍କ ବିନା ଅନୁମତିରେ କୌଣସି ବ୍ୟକ୍ତି ମନ୍ତ୍ରୀ କ’ଣ ଚପରାଶି ବି ହୋଇପାରୁନଥିଲେ । ଏପରିକି ଏସଏଚଓ, ଏସପିଙ୍କ ପୋଷ୍ଟିଂ ମଧ୍ୟ ଅରୁସାଙ୍କ ସହମତିରେ ହେଉଥିଲା ।’

ଅରୁସା କ୍ୟାପଟେନଙ୍କ ସରକାରରେ ପଞ୍ଜାବ ପୋଲିସର ଡିଜିପି ଥିଲେ ବୋଲି ମଧ୍ୟ କୌର କହିବାକୁ ପଛାଇ ନଥିଲେ ।

ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ସୁଖଜୀନ୍ଦର ସିଂହ ରନ୍ଧଓ୍ବା କହିଥିଲେ, ‘କ୍ୟାପଟେନ ଅମରିନ୍ଦ୍ର ସିଂହଙ୍କ ପାକିସ୍ତାନୀ ମହିଳା ବନ୍ଧୁ ଏବଂ ପାକ ଗୁଇନ୍ଦା ସଂସ୍ଥା ସହ ସମ୍ପର୍କର ଯାଞ୍ଚ କରାଯିବ ।‘ ଏହାସହ ଅରୁସା ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସମ୍ପର୍କର ଯାଞ୍ଚ କରିବାକୁ ଡିଜିପି ଇକବାଲ ପ୍ରିତ ସହୋତାଙ୍କୁ ମଧ୍ୟ ସେ ନିର୍ଦ୍ଦେଶ କହିଥିଲେ ।

ମହଙ୍ଗା ମାଡ଼, ୧୪ ବର୍ଷ ପରେ ବଢ଼ିଲା ଦିଆସିଲି ଦାମ

ନୂଆଦିଲ୍ଲୀ: ମାତ୍ର ୧ ଟଙ୍କାରେ ୫୦ ଥର ଜଳୁଥିବା ଦିଆସିଲି ପେଡ଼ା ଆଉ ଟଙ୍କାଏରେ ମିଳିବ ନାହିଁ । ମହଙ୍ଗା ମାଡ଼ର ପ୍ରଭାବ ଏବେ ଦିଆସିଲି କାଠି ଉପରେ ପଡ଼ିଛି । ପ୍ରାୟ ୧୪ ବର୍ଷ ପରେ ବଢ଼ିବାକୁ ଯାଉଛି ଦିଆସିଲି ପେଡ଼ାର ଦାମ ।

Matchbox Price Revised After 14 Years, From December To Costlier

ଦେଶରେ ଦିଆସିଲି କାରାଖାନର ଶିଳ୍ପ କହିଲେ ଶିବକାଶୀକୁ ବୁଝାଏ । ଦିଆସିଲି ପ୍ରସ୍ତୁତ କରୁଥିବା ୫ଟି ବଡ଼ କମ୍ପାନୀ ଏବେ ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଡିସେମ୍ବର ପହିଲାରୁ ମହଙ୍ଗା ହୋଇଯିବ ଦିଆସିଲି । ଟଙ୍କାଏ ବଦଳରେ ଗୋଟିଏ ଦିଆସିଲି ପେଡ଼ାକୁ ୨ ଟଙ୍କା ଦେଇ କିଣିବାକୁ ପଡ଼ିବ ।

ଏହା ପୂର୍ବପୁ ଦିଆସିଲିର ଦର ୧୪ ବର୍ଷ ତଳେ ବଢ଼ିଥିଲା । ୨୦୦୭ ମସିହାରେ ଦିଆସିଲିର ଦାମ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି ପାଇଥିଲା । ଦିଆସିଲି ନିର୍ମାତାଙ୍କ କହିବା ଅନୁସାରେ, ମ୍ୟାଚିସ୍ ପ୍ରସ୍ତୁତରେ ବ୍ୟବହୃତ ୧୪ଟି ପଦାର୍ଥର ଦାମ ବଢ଼ିଛି । ଲାଲ୍ ପାରଦର ଦାମ ୪୨୫ ଟଙ୍କାରୁ ବଢ଼ି କେଜି ପିଛା ୮୧୦ ଟଙ୍କା ହୋଇଛି ।

Matchbox Price Revised After 14 Years, From December To Costlier

ସେହିଭଳି ମହମ, ଦିଆସିଲି ପେଡ଼ା, ପୋଟେସିୟମ୍ କ୍ଲୋରେଟ୍ ଓ ସଲଫେଟ୍ ଦାମ ମଧ୍ୟ ଅକ୍ଟୋବର ୧୦ ତାରିଖରୁ ଲଗାତାର ବଢ଼ୁଛି । ଏହା ବାଦ୍ ଡିଜେଲ ଦର ଆଉ ଏକ ବୋଝ । ଏଥିସହ ଦିଆସିଲି ପାଇଁ ୧୨ ପ୍ରତିଶତ ଟିକସ ଦେବାକୁ ପଡ଼ିବ ।

ଆଇଟିଡିସି ନାଁରେ ପୁରୀରେ ଠକେଇ, ଜଣଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର: ଜାଲ କାଗଜପତ୍ର ଜରିଆରେ ପୁରୀରେ ଥିବା ଆଇଟିଡିସିର ଏକ ହୋଟେଲକୁ ବିକ୍ରି କରିବା ଷଡଯନ୍ତ୍ର କରି ୫୦ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ । ଗିରଫ ଅଭିଯୁକ୍ତ ହେଲା, କଟକ ବକ୍ସିବଜାର ଅଞ୍ଚଳର ଅନିକେଶ ସାହୁ । ଅନିକେଶ ନିଜକୁ ଆଇଟିଡିସିର ଜଣେ କଂଟ୍ରାକ୍ଟର କହି ଠକିଥିଲା । ସେପଟେ ଠକେଇ ହୋଇଥିବା ଜାଣିବା ପରେ ବ୍ରେନ ଷ୍ଟୋକରେ ଶିକାର ହେଲେ ଅଭିଯୋଗ ଆଣିଥିବା ପୁରୀର ଜଣେ ବ୍ୟବସାୟୀ ।

ଠକେଇ ମାମଲାରେ ଆଉ କାହାର ଲିଙ୍କ ଅଛି ନା ନାହିଁ ଛାନଭିନ କରୁଛି ପୋଲିସ । ମହା ଠକେଇ ଫଛରେ ମାଷ୍ଟର ମାଇଣ୍ଡ ଭଣ୍ଡ ବାବା ବିଜୟାନନ୍ଦ ସ୍ବାମୀ ଓରଫ ବିଜୟନ୍ଦ ଚୌଧୁରୀ । ମୋହରା ସାଜିଥିଲା ଠକ ଠିକାଦର ଅନିକେଶ ସାହୁ । ଜାଲ କାଗଜପତ୍ର ଦେଇ ଅଣ୍ଡା ବ୍ୟାବସାୟୀଙ୍କୁ ଲଗାଇଥିଲା ୫୦ଲକ୍ଷ ଟଙ୍କାର ଚୂନ । ପୁରୀର ତପନ ମହାନ୍ତି ନାମକ ଜଣେ ବ୍ୟବସାୟୀଙ୍କ ୧୫ କୋଟି ଟଙ୍କାରେ ବିକ୍ରି କରିବାକୁ ଡିଲ କରିଥିଲେ । ଅଗ୍ରୀମ ଆକାରରେ ୫୦ଲକ୍ଷ ନେଇଥିଲେ ।

ତପନ ମହାନ୍ତି ଆଇଟିଡିସିର ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ଡିପୋଜିଟ କରିଥିବା ବେଳେ ୩୦ ଲକ୍ଷ ଟଙ୍କା ଅନିକେଶଙ୍କୁ ଦେଇଥିଲେ । ଅନିକେଶଙ୍କ ହାତରେ ଟଙ୍କା ପଡିବା ପରେ ଜାଲ କାଗଜପତ୍ର ଦେଇ ଚମ୍ପଟ ମାରିଥିଲେ । ତପନଙ୍କ ପତ୍ନୀ ଏ ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିବା ପରେ ଗତ ୨୧ ତାରିଖରେ ଇଓଡବ୍ଲ୍ୟୁରେ ମାମଲା ରୁଜୁ କରି ତଦନ୍ତ କରିଥିଲା ।

ସ୍ତ୍ରୀର ଦାମ୍ ଲକ୍ଷେ ୮୦ ହଜାର, ଫୋନ୍ ପାଇଁ ବିକିଦେଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀର ଦାମ୍ ଲକ୍ଷେ ୮୦ ହଜାର  ।  ବୟସ ଛୋଟ , କାଣ୍ଡ ବଡ଼  ।  ୧୭ ବର୍ଷିଆ ସ୍ମାମୀର ସାଙ୍ଘାତିକ ଷଡ଼ଯନ୍ତ୍ର  ।  ଫେସବୁକରେ ପ୍ରେମ କଲେ  । ମଣ୍ଡପରେ ବାହା ହେଲେ  ।  ସ୍ମାର୍ଟ ଫୋନ ପାଇଁ ସ୍ମାର୍ଟ ସ୍ୱାମୀର ସ୍ମାର୍ଟ ଷଡ଼ଯନ୍ତ୍ର  ।   ପ୍ରେମିକାରୁ ପତ୍ନୀ କଲା  । ସାତ ଜନ୍ମକୁ ସାକ୍ଷୀ ରଖି ସାଥି କଲା  । ବିବାହର ଦୁଇ ମାସ ପରେ ରାଜସ୍ଥାନ ଚାଲିଗଲେ ଭଉୟେ  । ପ୍ରଥମେ ହାଇଦ୍ରାବାଦ ଏବଂ ପରେ ରାଜସ୍ଥାନର ମଞ୍ଜୁଲା ଗାଁର ଏକ ଇଟାଭାଟିରେ କାମ କରିବାକୁ ବାହାରି ପଡ଼ିଥିଲେ ପତ୍ନୀ-ପତି  । ସେଠାରେ ଦୀର୍ଘ ଦିନ ରହିଥିଲେ  । ଏକାଠି ଖାଉଥିଲେ, ଦୁହେଁ ଦୁହିଁଙ୍କ କଥା ବୁଝୁଥିଲେ  । କିନ୍ତୁ ସ୍ମାର୍ଟ ଫୋନ କିଣିବାର ନିଶା ଆଗରେ, ପତ୍ନୀର ପୀରତି ପର ହୋଇଯାଇଥିଲା  । ନିଜ ପତ୍ନୀକୁ ରାଜସ୍ଥାନର ଜଣେ ବ୍ୟକ୍ତିକୁ ବିକିବା ନେଇ ମୁଲଚାଲ କରିଥିଲା  । ଆଉ ଶେଷରେ ଟଙ୍କା ଛିଣ୍ଡିଥିଲା ଲକ୍ଷେ ୮୦ ହଜାର  ।

ବଲାଙ୍ଗୀର ଜିଲ୍ଲା ବେଲପଡା ଥାନାର ଅନ୍ତର୍ଗତ ସୁଲେକେଲା ଗାଁର ଏହି ଘଟଣା । ଗାଁର ସରୋଜ ରଣା ତିନି ମାସ ତଳେ ସଇଁତଳା ଥାନା ଅଂଚଳର ଜଣେ ଯୁବତୀଙ୍କୁ ଜୁଲାଇ ମାସରେ ବିବାହ କରିଥିଲେ । ପରେ ଦୁହେଁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ଆଉ ବିବାହର ତିନି ମାସ ପରେ କାମ ପାଇଁ ବାହାର ରାଜ୍ୟକୁ ଯାଇଥିଲେ  । ରାଜସ୍ଥାନର ମଞ୍ଜୁଲା ଗାଁରେ କାମ ପତ୍ନୀକୁ ନେଇ କାମ କରୁଥିବା ସ୍ୱାମୀ ସରୋଜ ଦଲାଲ ସାହାଯ୍ୟରେ  ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ନଜ ସ୍ତ୍ରୀକୁ ବିକିବାକୁ ମୂଲଚାଲ କରିଥିଲେ  । ଏକ ଲକ୍ଷ ୮୦ହଜାର ଟଙ୍କାରେ  ।  ପରେ ଯୁବକ ଧୁମ ବୁଲାବୁଲି କରିଥିଲେ  । ଯାହା ମନ ହେଉଥିଲା କିଣୁଥିଲେ  । ଏମିତିକି ଗୋଟେ ସ୍ମାର୍ଟ ପୋନ ମଧ୍ୟ କିଣିଥିଲେ  । ଆଉ ନିଜ ଉପାର୍ଜିତ ଅର୍ଥ କହି ବାପାକୁ ମଧ୍ୟ ବୁଲାଇ ନେଇଥିଲେ  ।

ତେବେ ଏଇଠି ଅଟକିନଥିଲା ସରୋଜର ପ୍ନାନ  ।  ବିକ୍ରି କରିବାର କିଛି ଦିନ ପରେ ସରୋଜ ନିଜ ଆଡୁ ଶ୍ୱଶୂର ଘରକୁ ଫୋନ କରିଥିଲା  । ଏବଂ ତାଙ୍କ ଝିଅ ଅନ୍ୟଜଣେ ଯୁବକ ସହ ଫେରାର ହୋଇ ଯାଇଥିବା କହିଥିଲା । କିନ୍ତୁ ଏକଥାକୁ ବିଶ୍ୱାସ କରିନଥିଲେ ଶ୍ୱଶୂର ଘର  । ବେଲପଡା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ପରେ ଯୁବକର କଥାରୁ କିଛି ଆଭାସ ପାଇଥିବା ପୋଲିସ ଆରମ୍ଭ କରିଥିଲା ତଦନ୍ତ  ।  ରାଜସ୍ଥାନର ଉକ୍ତ ଅଞ୍ଚଳ ଗସ୍ତ କରିଥିଲା ବଲାଙ୍ଗୀର ପୋଲିସର ଏକ ଟିମ  । ରାଜସ୍ଥାନ ପୋଲିସ ସାହାର୍ଯ୍ୟରେ ସେହି ୫୫ ବର୍ଷୀୟ ବ୍ୟକ୍ତିଙ୍କ ଘରେ ପହଁଚିଥିଲା ବଲାଙ୍ଗୀର ପୋଲିସ  । ଲକ୍ଷାଧିକ ଟଙ୍କା ଦେଇ ମହିଳାଙ୍କୁ କିଣିଥିବା ଦାବି କରିଥିଲା ବୟସ୍କ ବ୍ୟକ୍ତି  । କିନ୍ତୁ ମହିଳା ଜଣଙ୍କ ବଖାଣିଥିଲେ ସ୍ୱାମୀର ସବୁ ଷଡଯନ୍ତ୍ର  ।