spot_img
Home Blog Page 5013

ଉତ୍ତର କୋରିଆରେ ଖାଦ୍ୟାଭାବ; କିମଙ୍କ ନିର୍ଦ୍ଦେଶ-୨୦୨୫ ଯାଏଁ କମ୍ ଖାଅ

ସିଓଲ: ଦେଶରେ ବ୍ୟାପକ ଖାଦ୍ୟାଭାବ ଦେଖାଦେଇଛି। ଏପରିକି ଆସନ୍ତା ୨୦୨୫ ଯାଏଁ ଦେଶବାସୀଙ୍କୁ କମ୍ ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର କୋରିଆର ସୁପ୍ରିମଲିଡର କିମ୍ ଜଙ୍ଗ ଉନ୍। ନଚେତ ପରିସ୍ଥିତି ଗୁରୁତର ହେବ ବୋଲି ସେ ଆଶଙ୍କା କରିଛନ୍ତି।

କୋଭିଡ ଯୋଗୁ ଚୀନ ସହ ନିଜର ଥିବା ସୀମାକୁ ଉତ୍ତରକୋରିଆ ସିଲ୍ କରି ଦେଇଥିବାରୁ ଚୀନରୁ କୌଣସି ସାମଗ୍ରୀ ଦେଶରେ ପ୍ରବେଶ କରିପାରୁନାହିଁ । ଦେଶରେ ବ୍ୟୟବହୁଳ ଆଣବିକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଖାଦ୍ୟାଭାବ ଗୁରୁତର ଆକାର ଧାରଣ କରିଛି । ଅତୀତରେ ସୋଭିଏତ ୟୁନିଅନର ପତନ ପରେ ମଧ୍ୟ ଉତ୍ତର କୋରିଆରେ ଭୟଙ୍କର ଦୁର୍ଭିକ୍ଷ ପଡିଥିଲା। ଫଳରେ ପ୍ରାୟ ୩୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଆସନ୍ତା ଦିନରେ ବି ଏହି ପ୍ରକାର ଏକ ଅବସ୍ଥା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଇଛି।

ସେପଟେ ଦେଶରେ ବାରମ୍ବାର ଝଡ, ବାତ୍ୟା ଲାଗି ରହିଥିବାରୁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସ୍ଥିତି ଏପରି ହେଲାଣି ଯେ ୨୦୨୫ ସୁଦ୍ଧା ଖାଦ୍ୟାଭାବ ଦୂର ହୋଇପାରିବ ନାହିଁ ବୋଲି ଆକଳନ କରାଯାଉଛି । ଏହା ସହ ଚୀନ ସହ ଉତ୍ତମ ବୁଝାମଣା ଆସନ୍ତା ୨୦୨୫ ସୁଦ୍ଧା ସମ୍ଭବ ହୋଇ ନପାରେ । ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଶାସକ କିମ୍ ଜଙ୍ଗ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଆଣବିକ କାର୍ଯ୍ୟକ୍ରମ ଯୋଗୁ ଉତ୍ତରକୋରିଆ ବିରୋଧରେ ଆମେରିକା ସମେତ କିଛି ରାଷ୍ଟ୍ର କଟକଣା ଜାରି କରିଥିବାରୁ ଆସନ୍ତା ଦିନରେ ସଂଗୀନ ସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି । ପୂର୍ବରୁ କିମ୍ ଜଙ୍ଗ ପୁଞ୍ଜିବାଦ ବିରୋଧରେ ଲଢେଇ ଲାଗି ଜିନ୍ସ, ଅଳଙ୍କାର, ସାମୁଦ୍ରିକ ମାଛ, ପପ୍ ଆଦିକୁ ନିଷିଦ୍ଧ କରିଥିଲେ ।

ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ; ଖୋର୍ଦ୍ଧାରେ ଫସଲ ନଷ୍ଟ କଲେ ୧୭ ଟିକିଆ ହାତୀପଲ

ଟାଙ୍ଗି: ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ। ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ଗୟାବନ୍ଧ ଜଙ୍ଗଲରୁ ୧୭ ଟିକିଆ ହାତୀପଲ ମଳିପଡା ଗାଁର ବିଭିନ୍ନ ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ରାତି ସାରା ହାତୀଙ୍କ ଗତି ବିଧି ଉପରେ ନଜର ରଖିଥିଲେ ବନ ବିଭାଗ କର୍ମଚାରୀ।

ସୂଚନା ଅନୁଯାୟୀ, ଭୋରରୁ ହାତୀ ପଲକୁ ଚାଷ ଜମିରୁ ଘଉଡାଇ ଦେଇଛି ବନ ବିଭାଗ। ହାତୀପଲରେ ୬ ଛୁଆ ହାତୀ, ୮ ଟି ମାଇ ହାତୀ ଓ ୩ଟି ଦନ୍ତା ରହିଛନ୍ତି। ଗୟାବନ୍ଧ ଜାତୀୟ ରାଜପଥ ଦେଇ ହାତୀ ଅତିକ୍ରମ ସମୟରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ କରାଯାଇଥିଲା।

ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ; ୨ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଠାରୁ ଶ୍ରୀଲଙ୍କା ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ , ଗଜପତି ନବରଙ୍ଗପୁର, ବାଲେଶ୍ବର ଭଦ୍ରକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଦୀପାବଳି ପର୍ଯ୍ୟନ୍ତ ରାଜ୍ୟରେ ରହିବ କୋହଲିଆ ପାଗ । ଉପାନ୍ତରୁ ଉପକୂଳ ସବୁଠି ଆକାଶ ମେଘୁଆ ରହିବା ସହ ଉତ୍ତରା ପବନ ବହିବ।

ବିଶେଷ କରି ସମୁଦ୍ରରୁ ସ୍ଥଳଭାଗ ଆଡକୁ ପବନ ବହୁଥିବାରୁ ରାଜ୍ୟରେ ଶୀତ ପଡିବା ଆରମ୍ଭ ହୋଇଛି । ରାତିର ଅବଧି ବଢିବା ସହ ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ଆରମ୍ଭ ହୋଇଛି । ଉପକୂଳ ଜିଲ୍ଲା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

୩ବର୍ଷ ବଢିଲା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ବର୍ଷ ବୃଦ୍ଧି ପାଇଛି। ଯାହା ଫଳରେ ୨୦୨୪ ଡିସେମ୍ବର ଯାଏଁ ସେ ଏହି ପଦବୀରେ ରହିବେ । ତାଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଡିସେମ୍ବର ୧୦ରେ ଶେଷ ହୋଇଥାନ୍ତା ।

କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ଅନୁମୋଦନ କ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ୨୦୨୧ ଡିସେମ୍ବର ୧୦ରୁ ବର୍ଦ୍ଧିତ କାର୍ଯ୍ୟକାଳ ଲାଗୁହେବ । ୨୦୧୮ ଡିସେମ୍ବର ୧୨ରେ ୩ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ଆହୁରି ୩ବର୍ଷ ପାଇଁ ସେ ଆରବିଆଇ ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିବେ। ଶ୍ରୀ ଦାସ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଥିଲେ । ପୂର୍ବରୁ ବିଶ୍ବ ବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ, ନିଉ ଡେଭଲପମେଣ୍ଟ ବ୍ୟାଙ୍କ, ଏସିଆନ ଇନଫ୍ରାଷ୍ଟକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି ।

ଜି-୨୦ ସମ୍ମିଳନୀ: ୧୨ ବର୍ଷ ପରେ ରୋମ୍ ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ

ରୋମ୍: ଆଜିଠୁ ଇଟାଲୀରେ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଏଥିରେ ୨୦ଟି ଦେଶର ମୁଖ୍ୟ ଭାଗ ନେବେ । କରୋନା ସମୟରେ ବିଶ୍ବର ଆର୍ଥିକ ସ୍ଥିତି ଉପରେ ଆଲୋଚନା କରିବେ ରାଷ୍ଟ୍ର ମୁଖ୍ୟ । ଯେଉଁଥିପାଇଁ ରୋମ୍ ଅଭିମୁଖେ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେବଳ ଏତିକି ନୁହେଁ ପ୍ରାୟ ୧୨ ବର୍ଷ ପରେ ରୋମ୍ ଯାଇଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ।

ଇଟାଲିରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କ ସୂଚନା ଅନୁଯାୟୀ,  ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ରୋମ ଗସ୍ତ। ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ରୋମ ଯାଉଛନ୍ତି। ପ୍ରାୟ ୧୨ ବର୍ଷ ପରେ ଭାରତର ଜଣେ ପ୍ରଧାନମନ୍ତ୍ରୀ ରୋମ ଗସ୍ତରେ ଯାଇଛନ୍ତି।

ଗତବର୍ଷ କୋଭିଡ ପାଇଁ ଜି-୨୦ ବୈଠକ ଭର୍ଟୁଆଲରେ ହୋଇଥିବା ବେଳେ ଏଥର ରୋମରେ ହେବାକୁ ଥିବା ବୈଠକରେ ଯୋଗ ଦେବେ । ଜଳ ବାୟୁ ପରିବର୍ତ୍ତନକୁ ଅଧିକ ଫୋକସ କରାଯିବ ବୋଲି ସୂଚନା ମିଳିଛି। ଏଥିସହ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇବ ଭାରତ । କାଶ୍ମୀରରେ ହେଉଥିବା ଆତଙ୍କୀ ଗତିବିଧି ବନ୍ଦ କରିବାକୁ ବିଭିନ୍ନ ଦେଶର ସମର୍ଥନ ଲୋଡିବ ଭାରତ। ଏଥିସହ ଆଫଗାନସ୍ଥାନ ପ୍ରସଙ୍ଗରେ ମଧ୍ୟ ମତ ରଖିବେ ପ୍ରଧାନମନ୍ତ୍ରୀ।

ତେବେ ଏଥର ବୈଠକରେ ଯୋଗ ଦେବେନି ଚୀନ ରାଷ୍ଟ୍ରପତି। ତାଙ୍କର ପ୍ରତିନିଧି ବୈଠକରେ ନିଜର ମତ ରଖିବେ। ଚୀନ ସହ ସମ୍ପର୍କକୁ ନେଇ ମଧ୍ୟ ରୋମରେ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଆଜି ମେଲାଣି ନେବେ ମା ଗଜଲକ୍ଷ୍ମୀ; ୩୮ ମେଢ଼ର ଭସାଣି

ଢେଙ୍କାନାଳ: ଆଜି ମେଲାଣି ନେବେ ମା ଗଜଲକ୍ଷ୍ମୀ। ଢେଙ୍କାନାଳରେ ୩୮ଟି ମେଢ଼ର ହେବ ଭସାଣି ଉତ୍ସବ। ୧୦ ଦିନ ପରେ ଆଜି ହେଉଛି ଧନଧାତ୍ରୀ ଦେବୀ ମା ଲକ୍ଷ୍ମୀଙ୍କ ଭସାଣି ଉତ୍ସବ। କୋଭିଡ ନିୟମ ଅନୁଯାୟୀ ଘଣ୍ଟ ଘଣ୍ଟାରେ ହେବ ମାଙ୍କ ମେଲାଣି ଉତ୍ସବ।

ସୂଚନା ଅନୁଯାୟୀ, ଆଜି ସକାଳ ୯ଟାରେ ଜିଲ୍ଳାପାଳ ମିନାବଜାର ଠାରେ ନଡ଼ିଆ ଭାଙ୍ଗି ଏହି ଉତ୍ସବର ଶୁଭାରମ୍ଭ କରିବେ । ପରେ ପରେ ମେଢ଼ ଗୁଡିକୁ ନିକଟ ପୋଖରୀରେ ବିସର୍ଜନ କରାଯିବ । ଦିନ ୨ଟା ସୁଦ୍ଧା ୩୮ଟି ମେଢ଼ ବିସର୍ଜନ ସରିବା ନେଇ ନିଷ୍ପତି ନେଇଛି ପ୍ରଶାସନ । ସେହିପରି ଭସାଣିକୁ ଦୃଷ୍ଟିରେ ରଖି ୯ ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହିତ ସହରର ମଦ ଦୋକାନ ଗୁଡିକୁ ସିଲ କରାଯାଇଥିବା ଜଣାଡିଛି।

ପ୍ରଳୟଙ୍କାରୀ ମହାବାତ୍ୟାକୁ ୨୨ ବର୍ଷ; ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ

ଭୁବନେଶ୍ୱର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଘଣ୍ଟାକୁ ୩୦୦ କିଲୋମିଟରରୁ ଅଧିକ ବେଗରେ ମାଡିଆସିଥିଲା ପବନ। ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା । ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା । ସେହି ପ୍ରଳୟଙ୍କାରୀ ମହାବାତ୍ୟାକୁ ପୁରିଛି ୨୨ବର୍ଷ । ଦିନ ଯାଇଛି ହେଲେ ଚିହ୍ନ ଆଜିବି ରହିଛି । ବର୍ଷ ଗଡି ଚାଲିଥିବା ବେଳେ ଆଜିବି ଲୋକଙ୍କ ମାନସପଟରୁ ଲିଭିନି ସେହି କାଳରାତିର ଦୃଶ୍ୟ ।

ସେଦିନର ତାଣ୍ଡବ ଆଜି ବି ଉପକୂଳିଆଙ୍କ ମନ ଭିତରେ ଭୟ ହୋଇ ବଞ୍ଚିଛି । ସେ କାଳରାତୀର କାହାଣୀ ଆଜି ବି ସେହି ମୁହୁର୍ତ୍ତକୁ ଜୀବନ୍ତ କରିଦେଉଛି । ତାଣ୍ଡବର ଭୟଙ୍କର ମୁହୁର୍ତ୍ତ ମନେପଡିଗଲେ ଲୋମ ଟାଙ୍କୁରି ଉଠୁଛି। ସେଦିନ ଓଡ଼ିଶା ଦେଖିଥିଲା ଶତାବ୍ଦିର ସବୁଠୁ ବଡ଼ ମହାବାତ୍ୟା । ମାଟି ମାଆର ଛାତିରେ ଗଦା ହୋଇଥିଲା କୁଢକୁଢ ଶବ।

ମହାବାତ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା । ଏରସମା ଏବଂ ବାଲିକୁଦାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ନିଶ୍ଚିହ୍ନ ହୋଇଯାଇଥିଲା ଅନେକ ଗାଁ ଗଣ୍ଡା । ଜଗତସିଂହପୁର ସମେତ ଆଖପାଖ ପ୍ରାୟ ୧୪ଟି ଜିଲ୍ଲାରେ ମହାବାତ୍ୟାର ପ୍ରଭାବ ପଡ଼ିଥିଲା। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥଇଲା । ଏହି କାଳରୂପି ମହାବାତ୍ୟା ନେଇଥିଲା ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ଜୀବନ । ଲକ୍ଷାଧିକ ଲୋକ ବାସହୀନ ହୋଇଥିଲା ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିଲା । ଆଉ ଉପଡି ପଡିଥିଲା ବଡ଼ବଡ଼ ଗଛ।

ସେଦିନର ଦୃଶ୍ୟ ଯିଏ ଦେଖିଛି ତାହା କେତେ ଭୟଙ୍କର ଥିଲା ସେ ହିଁ ଜାଣିଛି ।ଏହା ଭିତରେ ମହାବାତ୍ୟାକୁ ପୁରିଛି ୨୨ବର୍ଷ । ବଦଳି ଯାଇଛି ଓଡ଼ିଶାର ଅନେକ ଦୃଶ୍ୟପଟ୍ଟ । ଓଡ଼ିଶା ଆହୁରି ସାମ୍ନା କରିଛି ଏକାଧିକ ବାତ୍ୟା । ହେଲେ ସେସବୁର ଦୃଢ ମୁକାବିଲା କରିଛି ଓଡ଼ିଶା । ଓଡ଼ିଶା ସରକାରଙ୍କ ବାତ୍ୟା ପରିଚାଳନା ଓ ଆବଶ୍ୟକ ପଦକ୍ଷେପ ପାଇଁ ସୁରକ୍ଷିତ ହୋଇପାରିଛି ଧନଜୀବନ। ଏଥିପାଇଁ ବିଶ୍ବସ୍ତରରେ ପୁରସ୍କୃତ ମଧ୍ୟ ହୋଇଛି ଓଡ଼ିଶା।

ଅଧିକ ପଢନ୍ତୁ- କେମିତି ଥିଲା ମହାବାତ୍ୟା ?

ଆକାଶ ଛୁଆଁ ପରିବା ଦର; ଚିନ୍ତାରେ ଖାଉଟି

ଭୁବନେଶ୍ୱର: ଦରଦାମରେ ବେହାଲ ହେଲେଣି ଖାଉଟି। ଦିନକୁ ଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢୁଥିବା ବେଳେ ପରିବା ଦର ମଧ୍ୟ ଆାକାଶ ଛୁଆଁ ହୋଇଛି। ସାରା ରାଜ୍ୟରେ ଆକାଶ ଛୁଆଁ ହୋଇଛି ପରିବା ଦର। ଦିନକେଇଟା ଭିତରେ ଦୁଇଗୁଣା ହୋଇଛି ପରିବା ଦାମ୍ । ବାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପୋଟଳ କିଲୋ ୬୦ ଟଙ୍କା ଥିବା ବେଳେ ଟମାଟୋର କିଲୋ ୫୦ ଟଙ୍କା ରହିଛି।

ସେହିପରି ବାଇଗଣ କିଲୋ ୪୦ ଟଙ୍କା ଓ ଭେଣ୍ଡି ୫୦, ଜହ୍ନି-୫୦, ବିନସ୍-୮୦, ଭଣ୍ଡା-୨୫, ଝୁଡୁଙ୍ଗ-୬୦, ସାରୁ-୪୦, ମାଟିଆଳୁ -୬୦, କଖାରୁ- ୨୫ ଓ ଶାଗ ବିଡା- ୧୦ ଟଙ୍କାରେ ବିକ୍ରି ହେଉଛି। ଦରଦାମ ଅଧିକ ଥିବାରୁ ଗ୍ରାହକ କମ ପରିମାଣର ପରିବା କିଣୁଛନ୍ତି। ବ୍ୟବସାୟୀଙ୍କ କହିବା କଥା କାର୍ତ୍ତିକ ମାସରେ ଦର ସାଧାରଣତଃ ଅଧିକ ରହେ। ମାତ୍ର ଚଳିତ ବର୍ଷ ଦରଦାମ୍ ରେକର୍ଡ ଭାଙ୍ଗିଛି।

ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢିବା ଯୋଗୁ ଏହାର ପ୍ରଭାବ ପରିବା ଉପରେ ପଡିଛି। ପରିବହନ ଖର୍ଚ୍ଚ ବଢିଥିବାରୁ ପରିବା ଦର ମଧ୍ୟ ବଢୁଛି । ତୈଳଦର ହ୍ରାସ ଓ ସ୍ଥାନୀୟ ପରିବା ଉତ୍ପାଦନ ହେଲେ ଦରଦାମ୍ ନିୟନ୍ତ୍ରଣକୁ ଆସିବ। ସେହିପରି ଗତକାଲି ଅପେକ୍ଷା ଆଜି ପେଟ୍ରୋଲ ୩୬ ପଇସା ଓ ଡିଜେଲ ୩୯ ପଇସା ବୃଦ୍ଧି ପାଇଥିବା ସୂଚନା ମିଳିଛି ।

ଫେସବୁକର ନୂଆ ନାଁ ‘ମେଟା’

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ଫେସବୁକ ପାଇଲା ନୂଆ ପରିଚୟ। ଫେସବୁକର ନାଁ ବଦଳାଇଛି କମ୍ପାନୀ। ଏବେ ନୂଆ ନାଁ ରଖାଯାଇଛି ‘ମେଟା’। କମ୍ପାନୀର ବାର୍ଷିକ ଉତ୍ସବରେ ନୂଆ ନାଁ ଘୋଷଣା କରିଛନ୍ତି ପ୍ରତିଷ୍ଠାତା ମାର୍କ ଜୁକରବର୍ଗ। ଗତ କିଛିଦିନ ଧରି ଫେସବୁକର ନାମ ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଆସୁଥିଲା।

ଆଗାମୀ କିଛି ବର୍ଷ ମଧ୍ୟରେ କମ୍ପାନୀ ଏହାକୁ ମେଟାଭର୍ସରେ ପରିଣତ କରିବାକୁ ଯୋଜନା ରଖିଛି। ଫେସବୁକ୍ ଇଣ୍ଟରନେଟ ଜଗତର ନୂଆ ଅବତାର ହେବ ବୋଲି ଜୁକରବର୍ଗ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ । ଫେସବୁକର ପୂର୍ବତନ ଇଣ୍ଟିଗ୍ରିଟି ଚିଫ୍ ସମିଦ୍ଧ ଚକ୍ରବର୍ତ୍ତୀ ଏହି ନାମ ପ୍ରସ୍ତାବ ଦେଇଥିଲେ । ଏ ନେଇ ଆସନ୍ତା ୫ବର୍ଷ ମଧ୍ୟରେ ୧୦ହଜାର ନିଯୁକ୍ତି ବାହାର କରିବାକୁ ଯୋଜନା କରାଯାଇଛି।

ଫେସବୁକର ନୂଆ ଭବିଷ୍ୟତ ‘ମେଟାଭର୍ସ’ ଗଢ଼ିବା ପାଇଁ ଏମାନଙ୍କ ସହଯୋଗ ନିଆଯିବ । ଫେସବୁକକୁ ନେଇ ନିକଟରେ ଅନେକ ଅଭିଯୋଗ ଆସିଥିବା ବେଳେ ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖାଯାଉ ନଥିବା ଅଭିଯୋଗ ଆସିଥିଲା । ଫେସବୁକର ଜଣେ କର୍ମଚାରୀ ମଧ୍ୟ କମ୍ପାନୀର କିଛି ଗୁରୁତ୍ବପୂର୍ଣ୍ଣ ଡାଟା ଲିକ୍ କରିଥିଲେ । ଏସବୁକୁ ଦୃଷ୍ଟିରେ ରଖି କମ୍ପାନୀ ଫେସବୁକର ନାଁ ବଦଳାଇଛି ବୋଲି କୁହାଯାଉଛି ।

5-ଟି ମାଧ୍ୟମରେ ରୂପାନ୍ତରଣ ହେବ ଗଜପତି ଜିଲ୍ଲାର 7ଟି ବ୍ଲକର 60ଟି ହାଇସ୍କୁଲ 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 5-ଟି ମାଧ୍ୟମରେ ରୂପାନ୍ତରଣ ହେବ ଗଜପତିର 60ଟି ହାଇସ୍କୁଲ  । ଏନେଇ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଘୋଷଣା କରିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ  । ଜ଼ିଲ୍ଲାର 7ଟି ବ୍ଲକର 60ଟି ହାଇସ୍କୁଲରେ ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ସେଥି ମଧ୍ୟରୁ ମୋହନା ବ୍ଲକର 17 ଟି ହାଇସ୍କୁଲ ଅନ୍ତର୍ଭୁକ୍ତ ରହିଛି  ।

ନିର୍ମାଣ କାର୍ଯ୍ୟ ସରିବା ପରେ କିଭଳି ସ୍ମାର୍ଟ ସ୍କୁଲ ଗୁଡିକୁ ପରିଚାଳନା କରାଯିବ ସେ ସମ୍ପର୍କରେ ପ୍ରଧାନ ଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି 5T ସଚିବ । ଏହାସହ କନଫରେନସିଂରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିଥିଲେ 5ଟି ସଚିବ l ଶିକ୍ଷା କ୍ଷେତ୍ରରେ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଜ଼ିଲ୍ଲାବାସୀ ରାଜ୍ୟ ସରକାରଙ୍କୁ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।