ଆଇପିଏଲରେ ଟଙ୍କା ବର୍ଷା; ବର୍ଷକରେ ୪୦ ଗୁଣ ବଢ଼ିଲା ନିଲାମ ମୂଲ୍ୟ

1 min read

ନୂଆଦିଲ୍ଲୀ: ଆଇପିଏଲରେ ହେଉଛି ଟଙ୍କା ବର୍ଷା । ମାଲାମାଲ ହେଉଛନ୍ତି ଖେଳାଳି । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପୂର୍ବରୁ ହେବ ମେଗା ଅକ୍ସନ । ତେବେ ଏହି ମେଗା ଅକ୍ସନ ପୂର୍ବରୁ ଗତକାଲି ସବୁ ଟିମ୍ ସେମାନଙ୍କ ରିଟେନ୍ ଲିଷ୍ଟ ଜାରି କରିଛନ୍ତି । କିଛି ଟିମ୍ ବଡ଼ ବଡ଼ ଖେଳାଳିଙ୍କୁ ଆଗାମୀ ସିଜିନ ପାଇଁ ନ ରଖିଥିବା ବେଳେ କିଛି ଟିମ୍ ନୂଆ ଖେଳାଳିଙ୍କୁ ଆସନ୍ତା ସିଜିନ ପାଇଁ ଦଳରେ ରଖିଛନ୍ତି । ଯଦି ଆମେ କୋଲକାତା ନାଇଟ ରାଇଡର୍ସ କଥା କହିବା ତାହାଲେ ଆଗାମୀ ସିଜିନ ପାଇଁ ଚାରି ଜଣ ଖେଳାଳିଙ୍କୁ ଦଳରେ ରଖିଛି । ସେମାନେ ହେଉଛନ୍ତି ଆଣ୍ଡ୍ରେ ରସଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର ଏବଂ ସୁନୀଲ ନାରାୟଣ ।

କୋଲକାତା ନାଇଟ ରାଇଡର୍ସ ଭେଙ୍କଟେଶ ଆୟରଙ୍କୁ ୮ କୋଟି ଟଙ୍କାରେ ଦଳରେ ରିଟେନ କରିଛି । ଗତ ସିଜିନରେ ଭେଙ୍କଟେଶ ଆୟରଙ୍କୁ ମାତ୍ର ୨୦ ଲକ୍ଷ ଟଙ୍କାରେ କିଣିଥିଲେ କେକେଆର । ତେବେ ଗୋଟିଏ ବର୍ଷ ମଧ୍ୟରେ ଆୟରଙ୍କ ନିଲାମ ମୂଲ୍ୟ  ୨୦ ଲକ୍ଷରୁ ବଢ଼ି ୮ କୋଟିରେ ପହଞ୍ଚିଛି । ଅର୍ଥାତ ଗୋଟିଏ ବର୍ଷରେ ଆୟରଙ୍କ ନିଲାମି ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଭେଙ୍କଟେଶ ଆୟର ଆଇପିଏଲ-୨୦୨୧ର ୟୁଏଇ ଲେଗରେ ଦମଦାର ପ୍ରଦର୍ଶନ କରିଥିଲେ । କେକେଆରକୁ ଫାଇନାଲରେ ପହଞ୍ଚାଇବାରେ ଏକ ବଡ଼ ଭୂମିକା ତୁଲାଇଥିଲେ ଆୟର । ଉଭୟ ବ୍ୟାଟିଂ ଏବଂ ବୋଲିଂରେ କମାଲ କରିଥିଲେ ଆୟର । ୟୁଏଇ ଲେଗରେ ଆୟର ୧୦ଟି ମ୍ୟାଚରେ ୩୭୦ ରନ କରିଥିଲେ ।

ଭେଙ୍କଟେଶ ଆୟରଙ୍କ ଏହି ପ୍ରଦର୍ଶନ ଫଳରେ ତାଙ୍କ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ସୁଯୋଗ ମିଳିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ କାରଣରୁ ବୋଲିଂ କରିପାରୁ ନାହାନ୍ତି ଏବଂ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିପାରୁ ନାହାଁନ୍ତି । ଯାହାର ଫାଇଦା ମିଳିଛି ଭେଙ୍କଟେଶ ଆୟରଙ୍କୁ । ଯାହା ଫଳରେ ଆୟରଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଥିଲା ।

ଭେଙ୍କଟେଶ ଆୟରଙ୍କ ବ୍ୟତୀତ ଆଉ କିଛି ଖେଳାଳି ଏମିତି ଅଛନ୍ତି ଯାହାଙ୍କ ଉପରେ ଚଳିତ ଆଇପିଏଲରେ ଟଙ୍କା ବର୍ଷା ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଅବଦୁଲ ସମଦ । ତାଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ ୪ କୋଟିରେ ରିଟେନ କରିଛି । ଯାହାଙ୍କୁ ହାଇଦ୍ରାବାଦ ଗତ ସିଜିନରେ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ସେହିପରି ଭାବରେ ପଞ୍ଜାବର ଅର୍ଶଦୀପ ସିଂହ ୨୦ ଲକ୍ଷ ଟଙ୍କାରୁ ୪ କୋଟିରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକୋଡ ୨୦ ଲକ୍ଷ ଟଙ୍କାରୁ ୬ କୋଟି ଟଙ୍କାରେ ପହଞ୍ଚିଛନ୍ତି ।

Leave a Reply