spot_img
Home Blog Page 5012

ଟିକା ନେଇଥିବା ଲୋକଙ୍କ ପାଖରୁ ଶୀଘ୍ର ବ୍ୟାପୁଛି ଡେଲଟା ଭାରିଏଣ୍ଟ

ନୂଆଦିଲ୍ଲୀ: ଭ୍ୟାକସିନ ନେଲେ ବି ବ୍ୟାପୁଛି କରୋନା । ଗୁରୁବାର ବ୍ରିଟିଶର ଏକ ମଡେଲରୁ ଜଣା ପଡ଼ିଛି ଯେ କରୋନା ଭାଇରସର ଡେଲଟା ଭ୍ୟାରିୟଣ୍ଟ ଟିକାକରଣ ହୋଇଥିବା ଲୋକଙ୍କଠାରୁ ସେମାନଙ୍କ ନିକଟ ସର୍ମ୍ପକୀୟ ପାଖକୁ ସହଜରେ ବ୍ୟାପି ପାରେ । କିନ୍ତୁ ଡେଲଟା ଭାରିଏଣ୍ଟ ସମ୍ପର୍କରେ ଆସୁଥିବା ଲୋକ ଯଦି ଟିକା ନେଇଥିବେ ତାହାଲେ ସେମାନେ ସଂକ୍ରମିତ ହେବା ସମ୍ଭାବନା କମ୍ ରହିଛି । ଲଣ୍ଡନର ଇମ୍ପେରିଆଲ୍‌ କଲେଜ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁଠାରେ ଲୋକମାନେ ଟିକା ନେଇଛନ୍ତି ସହି ଜନସଂଖ୍ୟାରେ ଡେଲଟା ଭାରିଏଣ୍ଟ ବିସ୍ତାର କରିପାରେ । ଅନୁସନ୍ଧାନକାରୀମାନେ କହିଛନ୍ତି କି କୋଭିଡ-୧୯ ସଂକ୍ରମଣକୁ ହ୍ରାସ କରିବାର ସର୍ବୋତ୍ତମ ଉପାୟ ହେଉଛି ଭ୍ୟାକସିନ୍ । ଏହାସହ ବୁଷ୍ଟର ଡୋଜ ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ବାରୂପ କରିଛନ୍ତି ।

ଅନୁସନ୍ଧାନକାରୀମାନେ ଆହୁରି କହିଛନ୍ତି କି ଯେଉଁମାନେ ଭ୍ୟାକସିନ୍ ନେଇଛନ୍ତି ସେମାନେ ଶୀଘ୍ର ସୁସ୍ଥ ହେଉଛନ୍ତି । ତେବେ ଏହି ଅଧ୍ୟୟନର ସହ ଲେଖକ ଅନିକା ସିଙ୍ଗନାୟଗମ କହିଛନ୍ତି କି କରୋନାରେ ସଂକ୍ରମିତ ହେଉଥିବା ଲୋକଙ୍କଠାରୁ ବାରମ୍ବାର ନମୁନା ସଂଗ୍ରହ କରିବା ପରେ ଜଣା ପଡ଼ିଛି କି ଟିକାକରଣ ହୋଇଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି ଏବଂ ସେମାନଙ୍କ ଘରେ ସଂକ୍ରମଣ ବିସ୍ତାର ମଧ୍ୟ କରିପାରିବେ । ଯେଉଁମାନେ ଟିକା ନେଇଛନ୍ତି ସେମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବେ ବୋଲି କହିଛନ୍ତି ସିଙ୍ଗନାୟଗମ ।

ତେବେ ଏହି ଅଧ୍ୟୟନରେ ୬୨୧ ଜଣ ଲୋକ ଭାଗ ନେଇଥିଲେ । ଯେଉଁଥିରୁ ଜାଣିବାକୁ ମିଳିଥିଲା କି କରୋନାର ଡେଲଟା ଭ୍ୟାରିୟଣ୍ଟ ଦ୍ବାରା ୨୦୫ଟି ଘର ସମ୍ପର୍କରେ ଥିଲେ । ସେଥିମଧ୍ୟରୁ ପିଜିଟିଭ୍ ଆସିଥିବା ଲୋକଙ୍କ ମଧ୍ୟରେ ୨୫ ପ୍ରତିଶତ ଲୋକ ଟିକା ନେଇଥିବା ବେଳେ ୩୮ ପ୍ରତିଶତ ଲୋକ ଟିକା ନେଇନଥିଲେ । ଅନୁସନ୍ଧାନକାରୀଙ୍କ କହିଛନ୍ତି ଯେ ଟିକା ନେଉଥିବା ଲୋକମାନେ ରୋଗ ପ୍ରତିରୋଧକ ଶକ୍ତି ହରାଉଛନ୍ତି  । ତେଣୁ ସେମାନଙ୍କୁ ଏକ ବୁଷ୍ଟର ଡୋଜ୍ ଦିଆଯିବା ନିହାତି ଦରକାର । ଅନ୍ୟପଟେ ଇମ୍ପେରିଆଲ୍‌ ଏପିଡେମୋଲୋଜିଷ୍ଟ୍ ନିଲ୍ ଫର୍ଗୁସନ କହିଛନ୍ତି କି ସମୟ ସହିତ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ସେଥିପାଇଁ ଟିକା ନେଇଥିବା ବ୍ୟକ୍ତି ଯେକୌଣସି ସମୟରେ ସଂକ୍ରମିତ ହୋଇପାରନ୍ତି  । ତେଣୁ ଏଥିପାଇଁ ଏକ ବୁଷ୍ଟର ଡୋଜ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

କାହିଁକି ବଦଳିଲା ଫେସବୁକ ନାଁ, ଆପଣଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ ?

ନୂଆଦିଲ୍ଲୀ: ନାଁ ବଦଳାଇଲା ଫେସବୁକ୍ । ଦୁନିଆର ଲୋକପ୍ରିୟ ସୋସିଆଲ୍ ମିଡିଆ ଫେସବୁକ ନାଁ ପରିବର୍ତ୍ତନ କରି ‘ମେଟା’ ରଖିଛି । କମ୍ପାନୀର ସିଇଓ ମାର୍କ ଜକରବର୍ଗ ଗୁରୁବାର ଏନେଇ ଘୋଷଣା କରିଛନ୍ତି । ଫେସବୁକ ନାଁ ପରିବର୍ତ୍ତନ କାହିଁକି କଲା ଆସନ୍ତୁ ଜାଣିବା…

ପ୍ରକୃତରେ ମାର୍କ ଜକରବର୍ଗ ଚାହାଁନ୍ତି, ତାଙ୍କ କମ୍ପାନୀକୁ କେବଳ ଏକ ସୋସିଆଲ୍ ମିଡିଆ କମ୍ପାନୀ ଭାବେ ଗଣାଯାଉ । କମ୍ପାନୀ ସୋସିଆଲ୍ ମିଡିଆରୁ ଆଗକୁ ବଢ଼ି ମେଟାବର୍ସ ୱର୍ଲ୍ଡର ପ୍ରସ୍ତୁତ କରୁଛି । ଏଥିପାଇଁ କମ୍ପାନୀ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବ । ମେଟାବର୍ସକୁ ଆପଣ ଭର୍ଚୁଆଲ୍ ରିଆଲିଟି ଭାବେ ଗ୍ରହଣ କରିପାରନ୍ତି ।

ଏଥିସହ ପଢ଼ନ୍ତୁ: ଫେସବୁକର ନୂଆ ନାଁ ‘ମେଟା’

ଅର୍ଥାତ୍ ଏମିତି ଏକ ଦୁନିଆ ଯେଉଁଠି ଲୋକଙ୍କ ଉପସ୍ଥିତି ଡିଜିଟାଲ୍ ଭାବେ ରହିବ । ଡିଜିଟାଲ୍ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କ ସହ ମିଶି ପାରିବ । ତେବେ ମେଟାବର୍ସ ଉପରେ କେବଳ ଫେସବୁକ୍ ନୁହେଁ ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀ ମଧ୍ୟ ନିବେଶ କରୁଛନ୍ତି । ବହୁ ପୂର୍ବରୁ ଜକରବର୍ଗ ଭର୍ଚୁଆଲ୍ ରିୟଲିଟି ଓ ଅଗମେଣ୍ଟେଡ୍ ରିୟଲିଟି ଉପରେ ବିପୁଳ ନିବେଶ କରୁଛନ୍ତି ।

ମୋଟମୋଟା ଭାବେ କହିବାକୁ ଗଲେ ମେଟାବର୍ସ ଜଗତରେ ଆଗକୁ ବଢ଼ିବା ପାଇଁ ଫେସବୁକ୍ ନାଁ ପରିବର୍ତ୍ତନ କରି ମେଟା ରଖିଛି । ପରିବର୍ତ୍ତିତ ନାଁ କେବଳ ସହଯୋଗୀ କମ୍ପାନୀ ପାଇଁ । କମ୍ପାନୀର ଅନ୍ୟ ପ୍ଲାଟଫର୍ମ ଯେମିତି- ‘ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍’କୁ ଏହି ନାମରେ ଜଣାଯିବ । ନାଁ ପରିବର୍ତ୍ତନ ଦ୍ୱାରା ବ୍ୟବହାରକାରୀଙ୍କ ଉପରେ ସିଧାସଳଖ ଭାବେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆଗକୁ କମ୍ପାନୀ କିଛି ବଡ଼ ଘୋଷଣା କରିପାରେ ।

୧୦ ଦଫା ଦାବିରେ ଓଡ଼ିଶା ଡ୍ରାଇଭର ମହାସଂଘର ପଦଯାତ୍ରା

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଲି କରାଯାଇଛି। ସମ୍ବଲପୁରରୁ ରାଲିରେ ଆସି ପଦଯାତ୍ରା କରିଛନ୍ତି ଡ୍ରାଇଭର ସଂଘ।

ସୂଚନା ଅନୁଯାୟୀ, କରୋନା ଯୋଦ୍ଧାର ମାନ୍ୟତା, ସ୍ବତନ୍ତ୍ର ଭାବରେ ୫ ହଜାର ଟଙ୍କା ପେନସନ, ରାଜପଥରେ ଶୌଚାଳୟ ନିର୍ମାଣ, ପ୍ରତି ଶହେ କିଲୋମିଟର ବ୍ୟବଧାନରେ ବିଶ୍ରାମଗାର ସହ ମୋଟ ୧୦ ଦଫା ଦାବିରେ ବିଶାଳ ପଦଯାତ୍ରା କରିଛନ୍ତି ଡ୍ରାଇଭର ମହାସଂଘ ।

କୁବେର କନେଷ୍ଟବଳ: ୧୯ ଘଣ୍ଟାର ରେଡ୍, ୫ କୋଟିରୁ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର: ଗିରଫ ପୂର୍ବତନ କୋଟିପତି କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ୧୯ ଘଣ୍ଟା ଧରି ରେଡ୍ କରିଛି ଭିଜିଲାନ୍ସ ଟିମ୍। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମାମଲା ରୁଜୁ କରିବ ଭିଜିଲାନ୍ସ । ମାମଲା ରୁଜୁ ପରେ ଭିଜିଲାନ୍ସ କୋର୍ଟରେ ରିମାଣ୍ଡ ଆବେଦନ କରିବ ବୋଲି ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ଗତକାଲି ୫ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ରେଡ୍ ପରେ ଅନେକ ଗୁମର ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ପାଖରୁ ୫ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ରାଜଧାନୀର ଡୁମୁଡୁମାରେ ପ୍ରସନ୍ନଙ୍କର ଫର୍ଣ୍ଣିଚର ଶୋ ରୁମର ମୂଲ୍ୟ ୧ କୋଟି ୪୭ ଲକ୍ଷରୁ ଅଧିକ ହେବ ହୋଇଥିବା ବେଳେ ୧୮ଶହ ବର୍ଗଫୁଟ ଏରିଆରେ ନିର୍ମିତ ହୋଇଛି ଶୋ ରୁମ । ପ୍ରସନ୍ନଙ୍କ ନାଁରେ ଖୋର୍ଦ୍ଧାର ନୂଆପଡ଼ାରେ ପ୍ଲଟ ରହିଛି, ଏହାର ମୂଲ୍ୟ ୪୫ଲକ୍ଷ ହେବ ।

ସେହିପରି ପତ୍ନୀଙ୍କ ନାଁରେ ଭୁବନେଶ୍ୱର ସୁନ୍ଦରପଦାରେ ୨୪ଲକ୍ଷ ଟଙ୍କାର ଫ୍ଳାଟ ରହିଛି । ପ୍ରସନ୍ନ ଓ ପରିବାର ନାଁରେ ରହିଛି ୫୦ଲକ୍ଷରୁ ଅଧିକ ଟଙ୍କାର ଇନସ୍ୟୁରାନ୍ସ । ୪ଟି ଦାମୀ କାର ଥିବା ବେଳେ ଏହାର ମୁଲ୍ୟ ୩୧ଲକ୍ଷରୁ ଅଧିକ ଟଙ୍କା ହେବ । ୨୧ଟି ବ୍ୟାଙ୍କ ପାସବୁକ, ୨ଲକ୍ଷରୁ ଅଧିକ ଟଙ୍କାର ୨ଟି ବାଇକ ଜବତ କରାଯାଇଛି ।

ବିଜେଡିରେ ମିଶିଲେ ପୂର୍ବତନ ବିଜେପି ନେତା ବିଶ୍ବ ମଲ୍ଲିକ

ଭୁବନେଶ୍ୱର: ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ବିଶ୍ବ ମଲ୍ଲିକ। କିଛି ଦିନ ପୂର୍ବରୁ ସେ ବିଜେପି ଛାଡିଥିଲେ। ବରୀ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲା ପରିଷଦ ସଭ୍ୟ, ଅନେକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡିରେ ମିଶୁଛନ୍ତି। ୨୦୧୯ରେ ବିଜେପିର ବରୀ ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ବ ମଲ୍ଲିକ।

ବରୀର ରାସ୍ତାଘାଟ, ମେଡିକାଲ, କଲେଜର ଉନ୍ନତିକରଣ ପାଇଁ ଦଳ ପକ୍ଷରୁ ପ୍ରତିଶୃତି ଦିଆଯାଇଛି। ଖାଲି ଏତିକି ନୁହେଁ ରତ୍ନଗିରିର ଉନ୍ନତି ପାଇଁ ମଧ୍ୟ ସ୍ୱୀକୃତି ମିଳିଛି । ଦଳ ଯାହା ନିଷ୍ପତ୍ତି ନେବ ତାହା ମାନିବେ ବୋଲି କହିଛନ୍ତି ବିଶ୍ବ ମଲ୍ଲିକ ।

ସେପଟେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝି ଆସନ୍ତା ୬ ତାରିଖରେ ବିଜେଡିରେ ଯୋଗ ଦେଇପାରନ୍ତି । ଅପରପକ୍ଷେ ଗତ ଅକ୍ଟୋବର ୨୦ ତାରିଖରେ ବିଜେପି ଛାଡ଼ିଥିଲେ ବରିଷ୍ଠ ନେତା ବିଶ୍ୱରଞ୍ଜନ ମଲ୍ଲିକ। ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।  ବିଶ୍ୱରଞ୍ଜନଙ୍କ ସହ ଆଉ ୩ ନେତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

‘କୋଣାର୍କ କ୍ୟାନସର ଫାଉଣ୍ଡେସନ’ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: କ୍ୟାନସର ରୋଗୀଙ୍କ ଭରସା ସାଜିଛି କୋଣାର୍କ କ୍ୟାନସର ଫାଉଣ୍ଡେସନ। କ୍ୟାନସର ଫାଉଣ୍ଡେସନର ବାର୍ଷିକ ସମ୍ମିଳନୀରେ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମ୍ୟାନେଜିଂ ଟ୍ରଷ୍ଟି ଅରୁପ ପଟ୍ଟନାୟକ ‘କୋଣାର୍କ କ୍ୟାନସର ଫାଉଣ୍ଡେସନ’ର ବାର୍ଷିକ ବିବରଣୀ ଉପରେ ବର୍ଣ୍ଣନା କରିଥିଲେ।

ଫାଉଣ୍ଡେସନ ତରଫରୁ ରେଫର୍ କରାଯାଇଥିବା ତଥା ମୁମ୍ବାଇରେ ସହାୟତା ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା, ଡାକ୍ତରଖାନାରେ କାଗଜପତ୍ର ପ୍ରକ୍ରିୟାରେ ସହାୟତା କରାଯାଇଛି। ଚିକିତ୍ସା ପାଇଁ ଆଭ୍ୟନ୍ତରୀଣ ସମନ୍ବୟ ରକ୍ଷା କରିବା ସହିତ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ରହିବା ପାଇଁ ବ୍ୟବସ୍ଥା କରାଇଦେବା ଭଳି ବିଭିନ୍ନ ସହାୟତା ବିଷୟରେ ଅବଗତ କରିଥିଲେ।

ତେବେ କୋଣାର୍କ କ୍ୟାନସର ଫାଉଣ୍ଡେସନ ପ୍ରତ୍ୟେକ କର୍କଟ ରୋଗୀଙ୍କୁ ନିଜ ପରିବାରର ଏକ ସଦସ୍ୟ ରୂପେ ଗ୍ରହଣ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇବା ଉପରେ ଆଲୋକପାତ କରିଥିଲେ ଅରୂପ ପଟ୍ଟନାୟକ ।

ଉତ୍ତର କୋରିଆରେ ଖାଦ୍ୟାଭାବ; କିମଙ୍କ ନିର୍ଦ୍ଦେଶ-୨୦୨୫ ଯାଏଁ କମ୍ ଖାଅ

ସିଓଲ: ଦେଶରେ ବ୍ୟାପକ ଖାଦ୍ୟାଭାବ ଦେଖାଦେଇଛି। ଏପରିକି ଆସନ୍ତା ୨୦୨୫ ଯାଏଁ ଦେଶବାସୀଙ୍କୁ କମ୍ ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର କୋରିଆର ସୁପ୍ରିମଲିଡର କିମ୍ ଜଙ୍ଗ ଉନ୍। ନଚେତ ପରିସ୍ଥିତି ଗୁରୁତର ହେବ ବୋଲି ସେ ଆଶଙ୍କା କରିଛନ୍ତି।

କୋଭିଡ ଯୋଗୁ ଚୀନ ସହ ନିଜର ଥିବା ସୀମାକୁ ଉତ୍ତରକୋରିଆ ସିଲ୍ କରି ଦେଇଥିବାରୁ ଚୀନରୁ କୌଣସି ସାମଗ୍ରୀ ଦେଶରେ ପ୍ରବେଶ କରିପାରୁନାହିଁ । ଦେଶରେ ବ୍ୟୟବହୁଳ ଆଣବିକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଖାଦ୍ୟାଭାବ ଗୁରୁତର ଆକାର ଧାରଣ କରିଛି । ଅତୀତରେ ସୋଭିଏତ ୟୁନିଅନର ପତନ ପରେ ମଧ୍ୟ ଉତ୍ତର କୋରିଆରେ ଭୟଙ୍କର ଦୁର୍ଭିକ୍ଷ ପଡିଥିଲା। ଫଳରେ ପ୍ରାୟ ୩୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଆସନ୍ତା ଦିନରେ ବି ଏହି ପ୍ରକାର ଏକ ଅବସ୍ଥା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଇଛି।

ସେପଟେ ଦେଶରେ ବାରମ୍ବାର ଝଡ, ବାତ୍ୟା ଲାଗି ରହିଥିବାରୁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସ୍ଥିତି ଏପରି ହେଲାଣି ଯେ ୨୦୨୫ ସୁଦ୍ଧା ଖାଦ୍ୟାଭାବ ଦୂର ହୋଇପାରିବ ନାହିଁ ବୋଲି ଆକଳନ କରାଯାଉଛି । ଏହା ସହ ଚୀନ ସହ ଉତ୍ତମ ବୁଝାମଣା ଆସନ୍ତା ୨୦୨୫ ସୁଦ୍ଧା ସମ୍ଭବ ହୋଇ ନପାରେ । ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଶାସକ କିମ୍ ଜଙ୍ଗ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଆଣବିକ କାର୍ଯ୍ୟକ୍ରମ ଯୋଗୁ ଉତ୍ତରକୋରିଆ ବିରୋଧରେ ଆମେରିକା ସମେତ କିଛି ରାଷ୍ଟ୍ର କଟକଣା ଜାରି କରିଥିବାରୁ ଆସନ୍ତା ଦିନରେ ସଂଗୀନ ସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି । ପୂର୍ବରୁ କିମ୍ ଜଙ୍ଗ ପୁଞ୍ଜିବାଦ ବିରୋଧରେ ଲଢେଇ ଲାଗି ଜିନ୍ସ, ଅଳଙ୍କାର, ସାମୁଦ୍ରିକ ମାଛ, ପପ୍ ଆଦିକୁ ନିଷିଦ୍ଧ କରିଥିଲେ ।

ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ; ଖୋର୍ଦ୍ଧାରେ ଫସଲ ନଷ୍ଟ କଲେ ୧୭ ଟିକିଆ ହାତୀପଲ

ଟାଙ୍ଗି: ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ। ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ଗୟାବନ୍ଧ ଜଙ୍ଗଲରୁ ୧୭ ଟିକିଆ ହାତୀପଲ ମଳିପଡା ଗାଁର ବିଭିନ୍ନ ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ରାତି ସାରା ହାତୀଙ୍କ ଗତି ବିଧି ଉପରେ ନଜର ରଖିଥିଲେ ବନ ବିଭାଗ କର୍ମଚାରୀ।

ସୂଚନା ଅନୁଯାୟୀ, ଭୋରରୁ ହାତୀ ପଲକୁ ଚାଷ ଜମିରୁ ଘଉଡାଇ ଦେଇଛି ବନ ବିଭାଗ। ହାତୀପଲରେ ୬ ଛୁଆ ହାତୀ, ୮ ଟି ମାଇ ହାତୀ ଓ ୩ଟି ଦନ୍ତା ରହିଛନ୍ତି। ଗୟାବନ୍ଧ ଜାତୀୟ ରାଜପଥ ଦେଇ ହାତୀ ଅତିକ୍ରମ ସମୟରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ କରାଯାଇଥିଲା।

ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ; ୨ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଠାରୁ ଶ୍ରୀଲଙ୍କା ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ , ଗଜପତି ନବରଙ୍ଗପୁର, ବାଲେଶ୍ବର ଭଦ୍ରକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଦୀପାବଳି ପର୍ଯ୍ୟନ୍ତ ରାଜ୍ୟରେ ରହିବ କୋହଲିଆ ପାଗ । ଉପାନ୍ତରୁ ଉପକୂଳ ସବୁଠି ଆକାଶ ମେଘୁଆ ରହିବା ସହ ଉତ୍ତରା ପବନ ବହିବ।

ବିଶେଷ କରି ସମୁଦ୍ରରୁ ସ୍ଥଳଭାଗ ଆଡକୁ ପବନ ବହୁଥିବାରୁ ରାଜ୍ୟରେ ଶୀତ ପଡିବା ଆରମ୍ଭ ହୋଇଛି । ରାତିର ଅବଧି ବଢିବା ସହ ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ଆରମ୍ଭ ହୋଇଛି । ଉପକୂଳ ଜିଲ୍ଲା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

୩ବର୍ଷ ବଢିଲା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ବର୍ଷ ବୃଦ୍ଧି ପାଇଛି। ଯାହା ଫଳରେ ୨୦୨୪ ଡିସେମ୍ବର ଯାଏଁ ସେ ଏହି ପଦବୀରେ ରହିବେ । ତାଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଡିସେମ୍ବର ୧୦ରେ ଶେଷ ହୋଇଥାନ୍ତା ।

କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ଅନୁମୋଦନ କ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ୨୦୨୧ ଡିସେମ୍ବର ୧୦ରୁ ବର୍ଦ୍ଧିତ କାର୍ଯ୍ୟକାଳ ଲାଗୁହେବ । ୨୦୧୮ ଡିସେମ୍ବର ୧୨ରେ ୩ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ଆହୁରି ୩ବର୍ଷ ପାଇଁ ସେ ଆରବିଆଇ ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିବେ। ଶ୍ରୀ ଦାସ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଥିଲେ । ପୂର୍ବରୁ ବିଶ୍ବ ବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ, ନିଉ ଡେଭଲପମେଣ୍ଟ ବ୍ୟାଙ୍କ, ଏସିଆନ ଇନଫ୍ରାଷ୍ଟକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି ।