ବନ୍ଧାହେଲେ ବଙ୍ଗୋମୁଣ୍ଡା ଥାନା ବାବୁ: ବାଡ଼ ହୋଇ କ୍ଷେତ ଖାଉଥିଲେ, ଧରିଥିଲା ଭିଜିଲାନ୍ସ

ବଲାଙ୍ଗୀର: ଫସିଗଲେ ଥାନା ବାବୁ । ବେହିସାବୀ ଭାବେ ବେଆଇନ ଟଙ୍କା ଗୋଟାଉଥିଲେ  । କିନ୍ତୁ ହିସାବ ଦେଇ ପାରୁନଥିଲେ  । ଶେଷରେ ବନ୍ଧା ହେଲେ ପୋଲିସ ବାବୁ  । ଦାଦନ ଦଲାଲଙ୍କ ଠାରୁ  ମୋଟା ଅଙ୍କର ଚାନ୍ଦା ଆଦାୟ କରି ବେଆଇନ ଟଙ୍କା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବାସଭବନକୁ ନେଉଥିବା ବେଳେ ମାଡି ବସିଥିଲା ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର । ଏକ ମାରୁତି କାରରେ ଥିବା ବଙ୍ଗୋମୁଣ୍ଡ ଥାନା ଅଧିକାରୀ ବିନୋଦ ବିହାରୀ ନାଏକ କାବୁ କରିବା ସହ ତାଙ୍କ ନିକଟରୁ ୨ଲକ୍ଷ,୬ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା ।

ଏନେଇ ବିନୋଦଙ୍କୁ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ ଭିଜିଲାନ୍ସର ଚାରୋଟି ଟିମ । ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ଟିମ ବିନୋଦଙ୍କ କୁଚିଣ୍ଡା ବାସଭବନ, ଦେଓଗଡ଼ ପୈତୃକ ଘର, ବଙ୍ଗୋମୁଣ୍ଡା ଥାନା ଓ ସରକାରୀ ବାସଭବନରେ ଚଢ଼ାଉ ଜାରି ରହିଛି । ବିନୋଦ ବିହାରୀ ନାଏକଙ୍କ ବଙ୍ଗୋମୁଣ୍ଡା ଥାନା ବାସଭବନରୁ ଭିଜିଲାନ୍ସ ବିଭାଗ ଚଢଉ କରି ୩ଲକ୍ଷ, ୮୦ହଜାର ୯୨୦ ଟଙ୍କା ଜବତ କରାଯାଇଥିବା ବେଳେ କୁଚିଣ୍ଡା ଓ ଦେଓଗଡ଼ ଘରୁ ୪ଟି ପ୍ଲଟ ସମେତ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହ କିଛି ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାପଡିଛି ।

ମୋଟ ୫ଲକ୍ଷ, ୮୬ହଜାର ନଗଦ ଟଙ୍କା ତାଙ୍କ ନିକଟରୁ ଭିଜିଲାନ୍ସ ଜବତ କରିଥିବା ବେଳେ ଏବେ ଆୟବହିର୍ଭୁତର ଖାନତଲାସୀ ଆରମ୍ଭ ହୋଇଛି । ଥାନାଧିକାରୀ ନାଏକ କାରରେ ଆୟବହିର୍ଭୁତ ଲକ୍ଷାଧିକ ଟଙ୍କା ଧରି ନିଜ ଘରକୁ ଯାଉଥିବା ଖବର ପାଇଁ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ଭିଜିଲାନ୍ସ ବିଭାଗ ବରଗଡ ଟୋଲଗେଟ୍ ଠାରେ ଚଢଉ କରି ଲକ୍ଷାଧିକ ଟଙ୍କା ଜବତ ସହ ବିନୋଦ ବିହାରୀଙ୍କୁ ଅଟକ ରଖିଥିଲା । ଟଙ୍କାର ହିସାବ ଦେଇ ନପାରିବାରୁ ବଙ୍ଗୋମୁଣ୍ଡା ଥାନାଧିକାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ସମ୍ବଲପୁର ଭିଜିଲାନ୍ସ ଅଫିସରେ ରଖାଯାଇଥିବା ନେଇ ବଲାଙ୍ଗୀର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି ସୂଚନା ଦେଇଛନ୍ତି ।

Leave a Reply