ଜୁନିଅର ହକି ବିଶ୍ୱକପ: ସେମିରେ ଟିମ୍ ଇଣ୍ଡିଆ; ବେଲଜିୟମକୁ ୧-୦ରେ ଦେଲା ମାତ୍

1 min read

ଭୁବନେଶ୍ୱର: ଜୁନିଅର ହକି ବିଶ୍ୱକପ ସେମିଫାଇନାଲରେ ଟିମ୍ ଇଣ୍ଡିଆ । ଟୋକିଓ ଅଲମ୍ପିକ୍ସ ପରାଜୟର ବଦଲା ନେଇଛି ଜୁନିଅର ହକି ଟିମ୍ । ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ କ୍ବାଟର ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମକୁ ହରାଇ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଏଥିସହ ଚତୁର୍ଥ ଟିମ୍ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ  । ଆଜି ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ପ୍ରଥମ କ୍ୱାଟରରେ ଉଭୟ ଦଳ ଗୋଲ ସ୍କୋର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପ୍ରଥମ କ୍ୱାଟର ଶେଷ ସୁଦ୍ଧା କୌଣସି ଦଳ ଗୋଲ ସ୍କୋର କରି ପାରିନଥିଲେ । ତେବେ ଦ୍ୱିତୀୟ କ୍ୱାଟରରେ ବେଲିଜିୟମ ଉପରେ ଭାରି ପଡ଼ିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ୨୦ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲା ଟିମ୍ ଇଣ୍ଡିଆ ।  ଯାହା ଫଳରେ ଭାରତ ୧-୦ରେ ଆଗୁଆ ରହିଥିଲା । ଦ୍ବିତୀୟ କ୍ବାଟର ଶେଷ ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା ।

ଦ୍ୱିତୀୟ କ୍ୱାଟରରେ ଗୋଲ ସ୍କୋର କରିବା ପରେ ଏହି ଲିଡକୁ ମ୍ୟାଚର ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲା ଭାରତ । ଶେଷ ଦୁଇଟି କ୍ୱାଟରରେ ବିପକ୍ଷ ଦଳ ବେଲଜିୟମକୁ ଏକାଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲା କିନ୍ତୁ ଏହି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାକୁ ଦେଇନଥିଲେ ଭାରତୀୟ ରକ୍ଷଣ ଭାଗ ଖେଳାଳି । ଖାସ୍ କରି ଭାରତୀୟ ଗୋଲ ରକ୍ଷକ ପ୍ରଶାନ୍ତ ଚୌହାନ ଦମଦାର ପ୍ରଦର୍ଶନ କରିଥିଲେ । ବେଲଜିୟମର ସମସ୍ତ ଆକ୍ରମଣକୁ ଅଟକାଇଥିଲେ ପ୍ରଶାନ୍ତ । ଏହି ବିଜୟ ସହ ଚତୁର୍ଥ ଦଳ ଭାବରେ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଏଥିସହ ଆସନ୍ତା ଡିସେମ୍ବର ୩ରେ ସେମି ଫାଇନାଲ ମୁକାବିଲାରେ ଜର୍ମାନୀକୁ ଭେଟିବ ଡିଫେଡିଂ ଚମ୍ପିଆନ ଭାରତ । ଡିସେମ୍ବର ୩ରେ ହେବାକୁ ଥିବା ସେମି ଫାଇନାଲ ମ୍ୟାଚରେ ଭାରତ ବିଜୟ ଲାଭ କରି ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

Leave a Reply