spot_img
Home Blog Page 5004

ଚୀନର ଷଡ଼ଯନ୍ତ୍ର ! କଳା ପଡ଼ିଗଲା କାମେଙ୍ଗ ନଦୀ ଜଳ, ମରିଗଲେ ଲକ୍ଷାଧିକ ମାଛ

ଇଟାନଗର: ହାତରେ ନମାରି ଭାତରେ ମାରୁଛି ଚୀନ  । ପୁଣି ଡ୍ରାଗନର ଲୁଚାଛପା ଷଡ଼ଯନ୍ତ୍ର  । ଯବାନଙ୍କ ସହ ଲଢୁଥିଲା, ଏବେ ନିରୀହ ଜୀବଙ୍କୁ ନିଶାନା କରିଛି  । ସବୁ କିଛି ଥିଲା ଠିକଠାକ  । ଅରୁଣାଚଳ ପ୍ରଦେଶ କାମେଙ୍ଗ ନଦୀ ଜଳ ଥିଲା ପୂର୍ବ ଭଳି  । ଆନନ୍ଦରେ ଖେଳୁଥିଲେ ଜଳଚର ଜୀବ । କିନ୍ତୁ ହଠାତ ବିଗିଡ଼ିଯାଇଥିଲା ସ୍ଥିତି  । ନୀଳ ଜଳରାଶି କଳା ରଙ୍ଗରେ ପରିବର୍ତ୍ତନ ହୋଇଯାଇଥିଲା  । ଖୁସିରେ ଖେଳି ଉଠୁଥିବା ମାଛ ଗୁଡିକ ମୃତ୍ୟୁର ଜ୍ୱାଳାରେ ଛଟପଟ ହେଉଥିଲେ  । କିନ୍ତୁ କିଛି ସମୟ ପରେ ହଜାର ହଜାର ମାଛ ମରି ଭାସୁଥିବେ ଦେଖିବାକୁ ମିଳିଛି  । କାମେଙ୍ଗ ନଦୀର ଏଭଳି ଦୃଶ୍ୟ ସ୍ଥାନୀୟ ବାସୀନ୍ଦାଙ୍କୁ ଆତଙ୍କିତ କରିଛି  ।

ଏଭଳି ଘଟଣା ଦେଖିବା ପରେ ପ୍ରଶାସନକୁ ଜଣାଇଥିଲେ ସ୍ଥାନୀୟ ଲୋକ  । ସେପଟେ ନଦୀ ଉପରେ ଜୀବୀକ ନିର୍ବାହ କରୁଥିବା ଲୋକଙ୍କୁ ନଦୀକୁ ଯିବାକୁ କିମ୍ବା ମାଛ ନଖାଇବାକୁ ପରାମର୍ଶ ଦେଇଛନ୍ତି ଅରୁଣାଚ ପ୍ରଦେଶ ପ୍ରଶାସନ  । ଅନ୍ୟପଟେ ଏଭଳି ଘଟଣା କେବେ ଘଟିନଥିବାବେଳେ ଏହା ଚୀନର ଏକ ଷଡ଼ଯନ୍ତ୍ର ହୋଇଥିବା ନେଇ ଅନୁମାନ କରିଛନ୍ତି ସ୍ଥାନୀୟ ସରକାର  । ଘଟଣାସ୍ଥଳକୁ ଏକ  ସ୍ୱତନ୍ତ୍ର ତଦନ୍ତକାରୀ ଟିମ ପଠାଯାଇଛି  । କାହିଁକି ହଠାତ କାମେଙ୍ଗ ନଦୀର ଜଳ କଳା ପଡିଲା ଏବଂ ଏହାର ପଛର ପ୍ରକୃତ କାରଣ ଖୋଜୁଛି ଏହି ତଦନ୍ତକାରୀ ଟିମ  ।

ଗୋଟେପଟେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଏବଂ ତଦନ୍ତକାରୀ ଟିମ ମଧ୍ୟରେ ତାଳମେଳ ଖାପ ଖାଉନି  । ନଦୀ ଜଳରେ ଟିଡିଏସ ବୃଦ୍ଧି ପାଉଛି  । ଯେଉଁଥିପାଇଁ ରଙ୍ଗ କଳା ପଡୁଛି ଏବଂ ମାଛ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା କହିଛନ୍ତି ମତ୍ସ୍ୟ ଅଧିକାରୀ  । ଅନ୍ୟପଟେ ତଦନ୍ତକାରୀ ଟିମ କହିଛି, ନଦୀ ଜଳରେ ଲିଟର ପିଛା ୬.୮୦୦ ମିଗ୍ରା ଟିଡିଏସ୍ ରହିଛି । ଯାହା ସାଧାରଣ ନଦୀ ଜଳରେ ମଧ୍ୟ ରହେ  ।  ଜଦି ଜଳର ମାନ ଠିକ ଥିଲା ତେବେ କାହିଁକି ହଠାତ ବଦଳିଗଲା ସବୁକୁଛି  । କାହିଁକି ମରିଗଲେ ହଜାର ହଜାର ମାଛ  ।

 

 

ବିହନ ଯୋଗାଇବାରେ ବିଫଳ ଉଦ୍ୟାନ କୃଷି ବିଭାଗ: ଚଢ଼ା ଦରରେ ବିହନ କିଣୁଛନ୍ତି ଚିନାବାଦାମ୍ ଚାଷୀ

ଯାଜପୁର: ଚିନାବାଦମ ଚାଷ ଆରମ୍ଭରୁ ବିହନ ସମସ୍ୟା । ଚାଷ ପାଇଁ ବିହନ ମିଳୁନଥିବାରୁ ଚିନ୍ତାରେ ବଡ଼ଚଣା ଅଞ୍ଚଳର ଶହ ଶହ ଚାଷୀ । ଜମିକୁ ବେଉସଣ କରି ରଖିଥିଲେ ମଧ୍ୟ ଉଦ୍ୟାନ କୃଷି ବିଭାଗ ଚିନାବାଦମ ବିହନ ଯୋଗାଇବାରେ ବିଫଳ ହୋଇଛି । ଫଳରେ ବଜାରରୁ ଚଢା ଦରରେ ଚାଷୀ ବିହନ କିଣିବାକୁ ବାଧ୍ୟ ହେଉଛନ୍ତି ।

ଚାଷ ଆରମ୍ଭରୁ ବିହନ ସମସ୍ୟା । ମିଳୁନି ଚିନାବାଦାମ ବିହନ, ଚାଷୀଙ୍କୁ ଘାରିଲାଣି ଚିନ୍ତା । କେତେବେଳେ ନିଅଣ୍ଟିଆ ବର୍ଷା ତ ପୁଣି କେତେବେଳେ ବିହନ ଆଉ ସାର ସମସ୍ୟା । ଚିନାବାଦାମ ଚାଷ ନେଇ ଚିନ୍ତାରେ ଏବେ ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ଚାଷୀ । ଉଦ୍ୟାନ କୃଷି ବିଭାଗ ବିହନ ଯୋଗାଇବାରେ ବିଫଳ ହୋଇଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଲାଭ ଖୋର୍ ବ୍ୟବସାୟୀ । କ୍ୱିଣ୍ଟାଲ ପିଛା ୯ହାଜରରୁ ୧୦ହଜାର ଟଙ୍କାରେ ଚିନାବାଦମ ବିକ୍ରି କରୁଛନ୍ତି । ଫଳରେ ଉପାୟ ନପାଇ ଚଢା ଦରରେ କିଣିବାକୁ ବାଧ୍ୟ ହୋଇଛନ୍ତି ଚାଷୀ ।

ବଡ଼ଚଣା ବ୍ଲକର କେଲୁଆ, ଗେଙ୍ଗୁଟି ଓ ବିରୂପା ନଦୀର ଅବବାହିକାରେ ଭଲ ଚିନାହାଦାମ ଚାଷ ହୋଇଥାଏ । ପ୍ରାୟ ୧୪ଶହ ହେକ୍ଟର ଜମିରେ ଚାଷ କରିଥାନ୍ତି ଚାଷୀ । ଚଳିତ ବର୍ଷ ଚାଷ ପାଇଁ ଜଳବାୟୁ ଉପଯୁକ୍ତ ରହିଥିଲେ ବିହନ ସମସ୍ୟା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଏନେଇ ବଡ଼ଚଣା କୃଷି ଅଧିକାରୀଙ୍କୁ ପଚାରିବାରୁ, ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଇକି ବିହନ ସମସ୍ୟା କି ଫସଲର ଅଭାବି ବିକ୍ରି । ସବୁବେଳେ ସମସ୍ୟା ଘେରରେ ରହୁଛନ୍ତି ଚାଷୀ । ତେବେ ଏଦିଗରେ କୃଷି ବିଭାଗ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ଏଥିସହିତ ପଢ଼ନ୍ତୁ: କ୍ରାଇମବ୍ରାଞ୍ଚ କବ୍‌ଜାରେ ନକଲି ଆଇଏଏସ୍: ପ୍ରଜେକ୍ଟ କରେଇଦେବା ନାଁରେ କୋଟିଏ ଟଙ୍କା ଠକିଥିଲେ

ନଦୀରେ ବୁଡ଼ି ନିଖୋଜ ଛାତ୍ରଙ୍କୁ ଜୀବିତ ବାହାର କରିବା ନାଁରେ ମହିଳା ତାନ୍ତ୍ରିକଙ୍କ ଡ୍ରାମା

ଦରଭଙ୍ଗା: ଅସହାୟତାର ସୁଯୋଗ ନେଇ ତନ୍ତ୍ରମନ୍ତ୍ରର ମାୟାଜାଲରେ ଫସାଇଥାନ୍ତି ଭଣ୍ଡ ତାନ୍ତ୍ରିକ । ଆଉ ଅନ୍ଧବିଶ୍ବାସରେ ଅନ୍ଧ ମଣିଷ ଜୀ ହାଁ, ଜୀ ହାଁ କରି ସେଥିରେ ସାମିଲ ହୋଇଯାଇଥାନ୍ତି । ଏମିତି ଜଣେ ମହିଳା ଭଣ୍ଡ ତାନ୍ତ୍ରିକ ଏକ ସପ୍ତାହରୁ ଅଧିକ ହେବ ନିଖୋଜ ଛାତ୍ରଙ୍କୁ ନଦୀରୁ ଜୀବିତ ବାହାର କରିବାକୁ ଘଣ୍ଟା ଘଣ୍ଟା ଧରି ନଦୀ କୂଳରେ କରିଥିଲା ଡ୍ରାମା । ଯାହାକୁ ଦେଖିବାକୁ ରୁଣ୍ଡ ହୋଇଥିଲେ ଆଖପାଖ ଅଞ୍ଚଳର ଶହ ଶହ ଲୋକ ।

ଘଟଣା ବିହାର ଦରଭଙ୍ଗା ଅଞ୍ଚଳର । ଗତ ୨୧ରେ ଏକ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଛାତ୍ରଙ୍କୁ ନଦୀରୁ ଜୀବିତ ବାହାର କରିବାକୁ  ଦାବି କରିଥିଲା ମହିଳା ତାନ୍ତ୍ରିକ କମଳା ବାଲନ । ତାନ୍ତ୍ରିକ ପୂରା ଟିମ୍ ସହ ନଦୀ କୂଳରେ କରିଥିଲା ତନ୍ତ୍ରମନ୍ତ୍ରର ଡ୍ରାମା ।

ପ୍ରଥମେ ନିଖୋଜ ଛାତ୍ରଙ୍କ ପରିବାର ଲୋକଙ୍କୁ ନଦୀରେ ବୁଡ଼ ପକାଇବାକୁ କହିଥିଲା । ସେମାନଙ୍କୁ ନଦୀ ବାଲିରେ ହାତ ଯୋଡ଼ି ବସାଇ ଦେଇଥିଲା । ଏହାପରେ ତାନ୍ତ୍ରିକ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଢୋଲ, ମୃଦଙ୍ଗ ବଜାଇ ନାଚିବାକୁ ଲାଗିଥିଲେ ।

ନଦୀକୂଳରେ ଆତ୍ମା ଥିବା କହି କମଳା ଡ୍ରାମା ଆରମ୍ଭ କରିଥିଲା । ଏହାପରେ ବି ନିଖୋଜ ଛାତ୍ର ନଦୀରୁ ନବାହାରିବାରୁ ନିଜେ ପାଣିରେ ପଶି ବୁଡ଼ ପକାଇବାକୁ ଲାଗିଥିଲା । ଦୁଇ ହାତକୁ ନଦୀ ପାଣିରେ ପଶାଇ ଛାତ୍ରଙ୍କୁ ବାହାର କରିବାକୁ ଉଦ୍ୟମ କରିବାର ନାଟକ କରିଥିଲା ।

 

 

ଏମିତି ଘଣ୍ଟା ଘଣ୍ଟା ବିତି ଯାଇଥିଲା । ଦେଖଣାହାରୀଙ୍କ ସଂଖ୍ୟା ବି ସମୟକୁ ତାଳ ଦେଇ ବଢ଼ିବାକୁ ଲାଗିଥିଲା । ସମସ୍ତଙ୍କ ନଜର କିନ୍ତୁ ନଈ ପାଣିରୁ ହଟୁ ନଥିଲା । ଚାତକ ପକ୍ଷୀ ପରି ସମେସ୍ତ ଅନାଇ ବସିଥିଲେ କେତେବେଳେ ନିଖୋଜ ଛାତ୍ର ନଦୀରୁ ଜୀବିତ ବାହାରକୁ ଆସିବ । ମଝିରେ ମଝିରେ କମଳା ମାତାଙ୍କ ଜୟ ଧ୍ବନୀ ମଧ୍ୟ ଦେଉଥିଲେ । ଶେଷରେ ଡ୍ରାମ ଧରାପଡ଼ିଯିବା ଜାଣି ଚମ୍ପଟ ମାରିବାକୁ ଯୋଜନା ଆରମ୍ଭ କରିଦେଲେ କମଳା ଓ ତାଙ୍କ ତନ୍ତ୍ରମନ୍ତ୍ର ଟିମ୍ । କାହିଁକି ଛାତ୍ର ବାହାରିଲେନି, ପୂଜାପାଠରେ କ’ଣ ସମସ୍ୟା ରହିଗଲା ଦେଖିବା କହି ତାନ୍ତ୍ରିକ ନିଜ ଟିମ୍ ସହ ସେଠୁ ଛୁ ମନ୍ତର ମାରିଥିଲା ।

ଘଣ୍ଟା ଘଣ୍ଟା ଗୁଣି ଗାରେଡିର ଏହି ଖେଳ ଚାଲିଥିଲେ ବି ସ୍ଥାନୀୟ ପୋଲିସ ସୂଚନା ପାଇନଥିଲା ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ନଦୀରେ ଡଙ୍ଗା ଦୁର୍ଘଟଣାରେ ୧୨ ଜଣ ଲୋକ ବୁଡ଼ି ଯାଇଥିଲେ । ୧୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଛାତ୍ର ନିଖୋଜ ଥିଲେ । ପରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ କୌଣସି ସନ୍ଧାନ ମିଳିନାହିଁ ।

କ୍ରାଇମବ୍ରାଞ୍ଚ କବ୍‌ଜାରେ ନକଲି ଆଇଏଏସ୍: ପ୍ରୋଜେକ୍ଟ କରେଇଦେବା ନାଁରେ କୋଟିଏ ଟଙ୍କା ଠକିଥିଲେ

ଭୁବନେଶ୍ୱର:  କ୍ରାଇମବ୍ରାଞ୍ଚ କବଜାରେ ନକଲି ଆଇଏଏସ ସୂର୍ଯ୍ୟମଣି ତ୍ରିପାଠୀ । ନକଲି ଆଇଏଏସ ଓ ପିଓଡବ୍ଳ୍ୟୁ ଅଧିକାରୀ କହି ୧ କୋଟି ଟଙ୍କାର ଚୂନ । ଓଡ଼ିଶାରେ ଠିକାଦାରୀ ଦେବା ନାମରେ ଠକେଇ । ଦିଲ୍ଲୀର ଷ୍ଟିଲ ବ୍ୟବସାୟୀ ରିକବ ଚାନ୍ଦ ଓରଫ ମୁକେଶ ଜୈନଙ୍କ ଠାରୁ ଠକେଇ । ନକଲି ଆଇଏଏସ ସୂର୍ଯ୍ୟମଣି ତ୍ରିପାଠୀ ନିଜକୁ ଅତିରିକ୍ତ ସଚିବ ପରିଚୟ ଦେଇଥିବା ବେଳେ ଅମିତ ସ୍ୱାଇଁ ନିଜକୁ ପିଡବ୍ଲ୍ୟୁଡି ଆସିଷ୍ଟାଣ୍ଟ ଇଞ୍ଜିନିୟର ପରିଚୟ ଦେଇ ଭୂଆଁ ବୁଲାଇଥିଲେ । ନକଲି ଅଫିସର ରାଜେଶ ଗେହେଲଟ ଓ ଟ୍ରେଜର ଲେଡି ଅଫିସର ଏବେ ଫେରାର ଅଛନ୍ତି । କେନ୍ଦ୍ର ସରକାରଙ୍କ ବଡ଼ ବଡ଼ ପ୍ରୋଜେକ୍ଟ କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ସେ ନିଜକୁ ପିଡବ୍ଲ୍ୟୁଡିର ଅତିରିକ୍ତ ସଚିବ ଭାବେ ପରିଚୟ ଦେଇଥିବା ବେଳେ, ଅମିତ ସ୍ବାଇଁ ନିନକୁ ପିଡବ୍ଲ୍ୟୁଡିର ଆସିଷ୍ଟାଣ୍ଟ ଇଞ୍ଜିନିୟର ପରିଚୟ ଦେଉଥିଲା ।

ସେହିପରି ନକଲି ର’ ଅଫିସର ରାଜେଶ ଗେହେଲଟ ଓ ନକଲି ଟ୍ରେଜରି ଲେଡି ଅଫିସର ଏବେ ଫେରାର ଅଛନ୍ତି । ଠକେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଇଓଡବ୍ଲ୍ୟୁ । ସୂଚନା ଅନୁସାରେ, ଦିଲ୍ଲୀର ରିକବ ଚାନ୍ଦ ଓରଫ ମୁକେଶ ଜୈନ ଦିଲ୍ଲୀର ଏକ ଷ୍ଟ୍ରେନ ଲେସ୍ ଷ୍ଟିଲ୍ ନାଁରେ କମ୍ପାନୀ କରିଥିଲେ । ଅଭିଯୁକ୍ତ ସୂର୍ଯ୍ୟମଣି ତ୍ରିପାଠୀ, ଅମିତ, ଦିଲ୍ଲୀର ରାଜେଶ ଗେହେଲଟ ନିଜକୁ ର’ ଅଫିସରର ପରିଚୟ ଦେଇ ମୁକେଶଙ୍କ ଠାରୁ ୧ କୋଟି ୧୭ ଲକ୍ଷ ଟଙ୍କା ଠକେଇ କରିଥିଲେ । ଏଥିରେ ଜଣେ ମହିଳାଙ୍କ ସଂପୃକ୍ତି ଥିବା ବେଳେ, ନିଜକୁ ଟ୍ରେଜେରୀ ଅଫିସର ପରିଚୟ ଦେଇଥିଲେ । ମୁକେଶଙ୍କର ଭୁବନେଶ୍ବର କଳିଙ୍ଗ ନଗର ନିକଟରେ ଏକ ବ୍ରାଞ୍ଚ ଅଫିସ ରହିଛି । ଯାହାକୁ ତାଙ୍କ ପୁଅ ଅକ୍ଷୟ ବୁଝୁଥିଲେ ।

୨୦୧୭ରେ ତାଙ୍କର ଜଣେ ବନ୍ଧୁଙ୍କ ଜରିଆରେ ରାଜେଶ ଗେହେଲଟଙ୍କ ସମ୍ପର୍କରେ ଆସିଥିଲେ । ୨୦୧୮ରେ ସୂର୍ଯ୍ୟମଣି ସେମାନଙ୍କୁ ଏଗ୍ରିମେଣ୍ଟ ପାଇଁ ଡାକିଥିଲେ । ଏକ ଫାର୍ମ ପଞ୍ଜିକୃତ କରିବା ପାଇଁ ୨୦୧୮ରେ ୨୫ ଲକ୍ଷ ଟଙ୍କା ଟ୍ରେଜେରୀରେ ଜମା କରିବାକୁ କହିଥିଲେ । ଏହା ବଦଳରେ ସୂର୍ଯ୍ୟମଣି ଦୁଇଟି ଓ୍ବାର୍କ ଅର୍ଡର ହସ୍ତାନ୍ତର କରିଥିଲେ । ସେହିପରି ୨୧ ଅଗଷ୍ଟ ୨୦୧୮ରେ ୩୨ କୋଟି ୫୨ ଲକ୍ଷ ଓ ୪୭ କୋଟି ୫୨ ଲକ୍ଷ ଟଙ୍କାର ଓ୍ବାର୍କ ଅର୍ଡର ଦିଆଯାଇଥିଲା । ସୂର୍ଯ୍ୟମଣି ଏନେଇ ଇଆଇସି, ନିର୍ମାଣ ସୌଧ ଅଫିସର ଆକାଉଣ୍ଟ ଅଫିସରଙ୍କ ଦସ୍ତଖତ ଥିବା ଏକ ଜାଲ ଚିଠି ଦେଇଥିଲେ । ତେବେ କାମ ନହେବାରୁ ସନ୍ଦେହ କରିଥିଲେ ମୁକେଶ ଓ ତାଙ୍କ ପୁଅ । ପରେ ସବୁ କିଛି ଜାଲ ବୋଲି ଜାଣିବାକୁ ପାଇଥିଲେ । ଏନେଇ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ସୂର୍ଯ୍ୟମଣି ଓ ଅମିତକୁ ଗିରଫ କରିଛି । ଅନ୍ୟମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ଇଓଡବ୍ଲ୍ୟୁ ।

ସ୍ମାର୍ଟ ସ୍କୁଲରେ ପାଠ ପଢ଼ିବେ ସ୍ୱାଭିମାନ ଅଞ୍ଚଳ ଛାତ୍ରଛାତ୍ରୀ

ମାଲକାନଗିରି: ଲାଲଗଡ଼ରେ ମଡେଲ ସ୍କୁଲ । ସ୍ୱାଭିମାନ ଅଞ୍ଚଳରେ ସ୍ମାର୍ଟ ସ୍କୁଲରେ ପାଠ ପଢିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ରୂପାନ୍ତର ପ୍ରକ୍ରିୟାରେ ଚିତ୍ରକୋଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂଆ ରୂପରେ ଝଲସୁଛି । ପିଲାଙ୍କୁ ପଢିବା ପାଇଁ ସ୍ମାର୍ଟ କ୍ଲାସରୁମ୍, ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର, ଇ-ଲାଇବ୍ରେରୀ ବ୍ୟବସ୍ଥା ହୋଇଛି । ଯାହା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରୁଛି ।

ମାଓଗଡ଼ରେ ମୁଣ୍ଡ ଟେକିଛି ମଡେଲ ସ୍କୁଲ । ସ୍ୱାଭିମାନ ଅଞ୍ଚଳରେ ସହରିଆ ଝଲକ । ସ୍ମାର୍ଟ ସ୍କୁଲରେ ପଢିବେ ଉପାନ୍ତ ପିଲା । ଆଉ ନାହିଁ ସେ ୮୦ ଦଶକର ବିଦ୍ୟାଳୟ । ବଦଳିଛି କ୍ଲାସ୍ ରୁମ୍ ବଦଳିଛି ପାଠପଢାର ଢାଞ୍ଚା । ଏଣିକି ସ୍ମାର୍ଟ ସ୍କୁଲରେ ପାଠ ପଢିବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ । ହାଇସ୍କୁଲ ରୂପାନ୍ତର ପ୍ରକ୍ରିୟାରେ ବଦଳିଛି ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚିତ୍ର ।

ପିଲାଙ୍କୁ ପାଠପଢିବା ପାଇଁ ଅତ୍ୟାଧୁନିକ କ୍ଳାସ୍‌ ରୁମ୍ ସହ ସ୍ମାର୍ଟ ବୋଡ୍ର ବ୍ୟବସ୍ଥା ହୋଇଛି । ଇ-ଲାଇବ୍ରେରୀ, ସାଇନ୍ସଲ୍ୟାବ, କମ୍ପ୍ୟୁଟର ଲ୍ୟାବ, ଆଧୁନିକ ଶୌଚାଳୟ, ସହ କ୍ରୀଡ଼ା ଭିତ୍ତିଭୂମୀର ବିକାଶ କରାଯାଇଛି । ଯାହା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରୁଛି ।ସ୍ୱାଭିମାନ ଅଞ୍ଚଳରେ ପରିବର୍ତ୍ତରର ରଙ୍ଗ ଲାଗିଛି । ଫାଇଭ୍-ଟି ଅଧିନରେ ମହକୁଛି ଚିତ୍ରକୋଣ୍ଡାର ପୁରୁଣା ସ୍କୁଲ । ରଙ୍ଗବେରଙ୍ଗର ଫୁଲଗଛରେ ବିଦ୍ୟାଳୟ ବଗିଚା ସଜେଇ ହୋଇଥିବା ବେଳେ କାନ୍ଥରେ ଆଦିବାସୀଙ୍କ ପାରମ୍ପରିକ ଚିତ୍ର ଓ ନୀତିବାଣୀରୁ ନୀତି ଶିକ୍ଷା ନେଉଛନ୍ତି ଛାତ୍ରଛାତ୍ରୀ । ସେପଟେ ବିଦ୍ୟାଳୟର ବିକାଶକୁ ନେଇ ଖୁସି ପ୍ରକାଶ କରିଛନ୍ତି ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ।

ଆଜି ପୃଥିବୀ ସହ ମାଡ଼ ହୋଇପରେ ଜିଓମ୍ୟାଗ୍ନେଟିକ୍ ଝଡ, ଜାଣନ୍ତୁ କ’ଣ ସବୁ ହେବ ପ୍ରଭାବିତ ?

ୱାଶିଂଟନ: ପୃଥିବୀଠାରୁ କୋଟି କୋଟି କିଲୋମିଟର ଦୂରରେ ଥିବା ସୂର୍ଯ୍ୟଠାରୁ ଆମକୁ ଆଲୋକ ମିଳିଥାଏ । କିନ୍ତୁ ବହୁବାର ସୂର୍ଯ୍ୟ ଦେହରୁ ବାହାରୁ ଥିବା ଝଡ ଆମ ପାଇଁ ବିନାଶକାରୀ ହୋଇପାରେ। ଏଭଳି ଏକ ସୌର ଝଡ ଆଜି (ଶନିବାର) ପୃଥିବୀ ଦେହରେ ମାଡ ହୋଇପାରେ। ଆମେରିକା ମହାକାଶ ସମ୍ପର୍କିତ ପାଣିପାଗ ବିଷୟରେ ସୂଚନା ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେସ୍ ଆଡମିନଷ୍ଟେ୍ରସନ୍ (ନାସା)ଏନେଇ ଚେତାବନୀ ଦେଇଛି।

କୁହାଯାଉଛି ଯେ, ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ ବା ଭୂ-ଚୁମ୍ବକୀୟ ଝଡ ସୂର୍ଯ୍ୟର ଏକ ଅଂଶରେ ବିସ୍ଫୋରଣ ହେବାପରେ ଆସିଛି। ଏହା ସହିତ ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ନାସାର ସୋଲାର ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ମଧ୍ୟ ସୂର୍ଯ୍ୟରୁ ରଶ୍ମୀରୁ ଉଜ୍ଜ୍ୱଳ ଆଲୋକ ବାହାରୁଥିବାର ସୂଚନା ଦେଇଛି। ଏହାଦ୍ୱାରା ଶନିବାର ଅର୍ଥାତ ଆଜି ପୃଥିବୀ ସହ ଏକ ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ ବା ଭୂ-ଚୁମ୍ବକୀୟ ଝଡ ମାଡ ହୋଇପାରେ।

କୁହାଯାଉଛି ଯେ, ଏହି ଝଡଦ୍ୱାରା ମଣିଷକୁ କିଛି କ୍ଷତି ହେବାର ସମ୍ଭାବନା ନାହିଁ, କିନ୍ତୁ ଜିପିଏସ୍ ଓ ସଞ୍ଚାର ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ଏହି ଝଡର ବିଶେଷ ପ୍ରଭାବ ଆମେରିକାରେ ଦେଖିବାକୁ ମିଳିପାରେ। କୁହାଯାଉଛି ଯେ, ଗୁରୁବାର ସୂର୍ଯ୍ୟର ୫ଟି କ୍ଲଷ୍ଟର୍ସରୁ ଗୋଟିଏ ବିନ୍ଦୁରୁ ଲକ୍ଷାଧିକ ଟନ୍  ଆୟୋନାଇଜଡ୍ ଗ୍ୟାସ୍ ବାହାରିଥାଏ। ସେଭଳି ଆମେରିକା ସ୍ପେସ୍ ଏଜେନ୍ସି ସୂଚନା ଦେଇଛି ଯେ, ଗୁରୁବାର ସୂର୍ଯ୍ୟଠାରୁ X1  କ୍ଲାସ ପ୍ଲେୟାର ଅର୍ଥାତ ଚକମ ବାହାରିଥିଲା। ନାସାର କହିବା ଅନୁସାରେ X କ୍ଲାସ ସବୁଠାରୁ ତୀବ୍ର ଚମକ ଦେଇଥାଏ।  X2, X3 କିନ୍ତୁ  ଏହାଠାରୁ ଅଧିକ ତୀବ୍ର ହୋଇଥାଏ। ସୂର୍ଯ୍ୟରେ ହୋଇଥିବା ଏହି ଗତିବିଧି କାରଣରୁ ରେଡିଓ ବ୍ୟବସ୍ଥା ଉପରେ ପ୍ରଭାବ ପଡିପାରେ।

ଏଥର ଦୀପାବଳିରେ ଚୀନର କ୍ଷତି ହେବ ୫୦ ହଜାର କୋଟି

ନୂଆଦିଲ୍ଲୀ: ଚଳିତ ଦୀପାବଳିରେ ଆତ୍ମନିର୍ଭର ହେବ ଭାରତ । ଚାଇନା ସାମଗ୍ରୀ ଉପରୁ ମୁହଁ ବୁଲାଉଛନ୍ତି ଭାରତୀୟ । ପୂର୍ବ ଭଳି ଚୀନ୍ ନିର୍ମିତ ସାମଗ୍ରୀ ପ୍ରତି ଆଗ୍ରହ ନାହାନ୍ତି ଭାରତୀୟ । ଯାହା ଫଳରେ ଭାରତୀୟ ସାମଗ୍ରୀଗୁଡିକର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି କି ନିକଟରେ ୨୦ଟି ‘ଡିଷ୍ଟ୍ରିବ୍ୟୁସନ ସିଟି’ରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଦୀପାବଳି ସାମଗ୍ରୀ, ବାଣ ଏବଂ ଅନ୍ୟାନ ସାମଗ୍ରୀ ପାଇଁ କୌଣସି ଭାରତୀୟ ବ୍ୟବସାୟୀ ଚୀନ ସାମଗ୍ରୀ ଆମଦାନିକାରୀଙ୍କୁ କିଛି ବରାଦ ଦେଇ ନାହାନ୍ତି । ଯାହା ଫଳରେ ଚୀନର ପ୍ରାୟ ୫୦ ହଜାର କୋଟିର କ୍ଷତି ହୋଇଛି ।

ଅନ୍ୟପକ୍ଷରେ ଚଳିତ ବର୍ଷ ଭାରତୀୟମାନେ ଚୀନ୍ ନିର୍ମିତ ବାଣ ଏବଂ ଅନ୍ୟାନ ଶସ୍ତା ଉତ୍ସବକାଳୀନ ସାମଗ୍ରୀ ବର୍ଜନ କରିଥିବାରୁ ଭାରତୀୟ ଉତ୍ପାଦଗୁଡିକର ବିକ୍ରୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେବେ ଏ ସମ୍ପର୍କରେ ସିଏଆଇଟି ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି ଯେ ପର୍ବପର୍ବାଣି ଦେଶର ବଜାରଗୁଡିକରେ କ୍ରେତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସ୍ବଦେଶୀ ସାମଗ୍ରୀଗୁଡିକରୁ ଅଧିକ ଲାଭ ମିଳିବ ବୋଲି ଆଶା କରାଯାଉଛି । କେବଳ ଦୀପାବଳି ବ୍ୟବସାୟରେ ଭାରତୀୟ ବଜାରରେ ୨ ଲକ୍ଷ କୋଟି ଟଙ୍କା ଆୟ କରିବ ବୋଲି କହିଛନ୍ତି ଖଣ୍ଡେଲଓ୍ବାଲ । ତେବେ ଗତକାଲି ସିଏଆଇଟି ଦେଇଥିବା ବିବୃତିରେ ଉଲ୍ଲେଖ ଅଛି ଗତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସିଏଆଇଟି ଚୀନ ସାମଗ୍ରୀ ବର୍ଜନ ପାଇଁ ଡାକରା ଦେଇଛି । ଯାହାଫଳରେ ଚୀନ ପ୍ରାୟ ୫୦ ହଜାର କୋଟି ଟଙ୍କାର ବ୍ୟବସାୟିକ କ୍ଷତି ସହିବ ବୋଲି କହିଛନ୍ତି ଖଣ୍ଡେଲଓ୍ବାଲ ।

ତେବେ ସର୍ଭେ କରାଯାଇଥିବା ଉକ୍ତ ୨୦ଟି ସହର ହେଉଛି ନୂଆଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ, ନାଗପୁର, ଜୟପୁର, ଲକ୍ଷ୍ନୌ, ଚଣ୍ଡିଗଡ଼, ରାୟପୁର, ଭୁବନେଶ୍ବର, କୋଲକାତା, ରାଞ୍ଚି,ଗୌହାଟି,ପାଟନା, ଚେନ୍ନାଇ, ବେଙ୍ଗାଲୁରୁ,ହାଇଦ୍ରାବାଦ,ମଦୁରାଇ, ପୁଡ୍ଡୁଚେରୀ, ଭୋପାଳ ଏବଂ ଜମ୍ମୁ । ଆମେ ଏଠାରେ କହିରଖିବାକୁ ଚାହୁଁ କି ରାକ୍ଷିଠାରୁ ନବବର୍ଷ ମଧ୍ୟରେ ଭାରତୀୟ ବ୍ୟବସାୟୀମାନେ ପ୍ରାୟ ୭୦ ହଜାର କୋଟିର ସାମଗ୍ରୀ ଆମଦାନୀ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଚୀନ ଏହି ପାର୍ବଣ ସମୟରେ ପ୍ରାୟ ୫୦ ହଜାର କୋଟି ଟଙ୍କାର କ୍ଷତି ହେବ ।

ଛାତ୍ରକୁ ଓଲଟା କରି ଗିରଫ ହେଲେ ପ୍ରଧାନଶିକ୍ଷକ

0

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲାର ଏକ ବେସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ଛାତ୍ରକୁ ଓଲଟା କରି ଦଣ୍ଡ ଦେବାରୁ ଉତ୍ତରପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଛି  । ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମିର୍ଜାପୁର ବିଚାରପତି ଶିକ୍ଷକଙ୍କ ନାଁରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରିଥିଲା  । ବର୍ତ୍ତମାନ ଉକ୍ତ ଶିକ୍ଷକ ଜଣକ ଗିରଫ ହୋଇଥିବା ଜଣାପଡ଼ିଛି  । ଏହି ଘଟଣା ଅକ୍ଟୋବର ୨୮ ତାରିଖ ମିର୍ଜାପୁର ଜିଲ୍ଲା ଅରଉରାର ସଦଭାବନା ଶିକ୍ଷଣ ସଂସ୍ଥାନର  ।

ପ୍ରଧାନଶିକ୍ଷକଙ୍କ କହିବାନୁଯାୟୀ ସ୍କୁଲର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଅସଦାଚରଣ କରିବାରୁ ତାକୁ ଏହି ଦଣ୍ଡ ଦିଆଯାଇଥିଲା  । ଅନେକ ଗୁହାରି କରିବା ସତ୍ତ୍ୱେ ଶିକ୍ଷକ ଜଣକ ପିଲାଟିର କୈାଣସି କଥା ନ ଶୁଣି ୧୦ ମିନିଟ୍ ଯାଏ ପିଲାଟିକୁ ଗୋଟିଏ ମହଲାରୁ ଓଲଟା ଧରି ତଳକୁ ଓଳାଇ ରଖିଥିଲେ  । ପିଲାଟିର ବାପା ଥାନାରେ ମାମଲା ରୁଜ୍ଜୁ କରିବାରୁ ଆଇପିସି ଧାରା ୩୫୨ ଏବଂ ୫୦୬ରେ ଗିରଫ କରାଯାଇଛି  ।

ନ୍ୟୁଜିଲାଣ୍ଡ ବିପକ୍ଷରେ କାହାକୁ ଦଳରେ ସାମିଲ କରିବେ ବିରାଟ?

ଦୁବାଇ: ଟି-୨୦ ବିଶ୍ବକପରେ ଆସନ୍ତାକାଲି ଭାରତ ତା’ର ଦ୍ବିତୀୟ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ ହେବା ପରେ ଆସନ୍ତାକାଲି ନ୍ୟୁଜିଲାଣ୍ଡକୁ ଭେଟିବ ବ୍ଲୁ ବ୍ରିଗେଡ । ସେମିଫାଇନାଲ ରେସରେ ଭାରତ ରହିବାକୁ ହେଲେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ଭାରତକୁ ଜିତିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେଣୁ ନ୍ୟୁଜିଲାଣ୍ଡ ମ୍ୟାଚ ପାଇଁ ଜୋର ସୋରରେ ଅଭ୍ୟାସ କରୁଛି ବିରାଟ ବାହିନୀ ।

ତେବେ ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦି ପାକିସ୍ତାନଠାରୁ ପରାଜୟ ପରେ ଆସନ୍ତାକାଲି ଖେଳାଯିବାକୁ ଥିବା ମ୍ୟାଚରେ ଭାରତ ତା’ର ଚୁଡାନ୍ତ ଏକାଦଶରେ ପରିବର୍ତ୍ତନ କରିବ ନା ନାହିଁ ତାହା ଏକ ପ୍ରଶ୍ନ । ଟିମ୍ ଇଣ୍ଡିଆରେ ହାର୍ଦ୍ଦିକଙ୍କୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ହାର୍ଦ୍ଦିକ ଅଲରାଉଣ୍ଡର ଭାବରେ ଦଳରେ ଖେଳୁଛନ୍ତି । କିନ୍ତୁ କିଛି ଦିନ ହେବ ବୋଲିଂ କରୁନାହାନ୍ତି ହାର୍ଦ୍ଦିକ ।  ଏମିତିକି ଚଳିତ ଆଇପିଏଲରେ ବି ଗୋଟିଏ ଓଭର ବୋଲିଂ କରିନଥିଲେ ହାର୍ଦ୍ଦିକ । ଯଦିଓ ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ସେ ନେଟ୍ସରେ ବୋଲିଂ କରିଥିଲେ କିନ୍ତୁ ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ବୋଲିଂ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଯଦି ଟିମ୍ ମ୍ୟାନେଜମେଣ୍ଟ କଥା କହିବା ତାହାଲେ ମ୍ୟାନେଜମେଣ୍ଟ ଏବେ ବି ହାର୍ଦ୍ଦିକଙ୍କୁ ଖେଳାଇବା ସମର୍ଥରେ ରହିଛି । କାହିଁକି ନା ହାର୍ଦ୍ଦିକଙ୍କୁ ଏକ ଭରସାଯୋଗ୍ୟ ଫିନିସର ଭାବରେ ଦେଖୁଛି ଟିମ୍ ମ୍ୟାନେଜମେଣ୍ଟ । ଖାସକରି ଟିମ୍ ଇଣ୍ଡିଆ ମେଣ୍ଟର ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ହାର୍ଦ୍ଦିକ ଦଳରେ ଥିବା କୁହାଯାଉଛି ।

ଅନ୍ୟପଟେ ଯଦି ହାର୍ଦ୍ଦିକ ଚୁଡାନ୍ତ ଏକାଦଶରେ ଖେଳୁ ନାହାନ୍ତି ତେବେ ହାର୍ଦ୍ଦିକଙ୍କ ସ୍ଥାନରେ କିଏ ଖେଳିବ? ହାର୍ଦ୍ଦିକଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କ ନାମ ଆସୁଛି । ଯେହତୁ ସେ ଦ୍ରୁତ ବୋଲିଂ କରନ୍ତି ଏବଂ ଶେଷ ଓଭରରେ ଆସି ଦମଦାର ବ୍ୟାଟିଂ ମଧ୍ୟ କରିପାରନ୍ତି । ଏପରି ସ୍ଥିତିରେ ଯଦି ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ହାର୍ଦ୍ଦିକଙ୍କୁ ସ୍ଥାନ ନ ମିଳୁଛି ତେବେ ତାଙ୍କ ସ୍ଥାନରେ ନିଶ୍ଚିତ ଭାବରେ ଶାର୍ଦ୍ଦୁଳ ଖେଳିବେ । କାହିଁକି ନା ଶାର୍ଦ୍ଦୁଳ ଦ୍ରୁତ ବୋଲିଂ ବି କରନ୍ତି । ଅନ୍ୟପକ୍ଷରେ ଯଦି ହାର୍ଦ୍ଦିକଙ୍କ ସ୍ଥାନରେ ଇଶାନ କିଶାନ ଖେଳନ୍ତି ତେବେ ସେ କେବଳ ବ୍ୟାଟ୍ସମ୍ୟାନ ଭାବରେ ଖେଳିବେ । ତେଣୁ ଇଶାନ ଖେଳିବାରେ ସମ୍ଭାବନା ବହୁତ କମ୍ ରହିଛି ।

Dhanteras 2021: ସୁନା ରୁପାଠୁ ବି ଅଧିକ ଶୁଭ ହୋଇଥାଏ ଏହି ୯ଟି ଜିନିଷ, ଧନତେରାସରେ ନିଶ୍ଚୟ କିଣନ୍ତୁ

ଧନତେରାସ ୨୦୨୧: ନଭେମ୍ବର ୨ ତାରିଖରେ ଧନତେରାସ ଉତ୍ସବ ପାଳନ କରାଯିବ । ମନସ୍କାମନା ପୂରଣ କରିବା ପାଇଁ ଧନତେରାସକୁ ସବୁଠୁ ପବିତ୍ର ଦିନ ବୋଲି ମନେ କରାଯାଏ । ଧନତେରାସରେ ଜିନିଷ କିଣିବାର ପ୍ରମୁଖ ପ୍ରଥା ରହିଛି । ବର୍ଷ ତାମାମ ଆର୍ଥିକ ରୂପେ ସୁଦୃଢ଼ ରହିବା ପାଇଁ ଧନତେରାସ ଦିନ ଛୋଟ ମୋଟ ଜିନିଷ କିଣିବା ଉଚିତ । କୁହାଯାଏ ଯେ, ଧନତେରାସ ଦିନ କିଣାଯାଇଥିବା ପ୍ରତ୍ୟେକଟି ଜିନିଷ ବର୍ଷ ତମାମ ଶୁଭ ଫଳ ଦେଇଥାଏ । ତେବେ ଜାଣନ୍ତୁ ସୁନା ଓ ରୁପା ବ୍ୟତୀତ ଏମିତି କେଉଁ ଜିନିଷ କିଣିଲେ ବର୍ଷ ତମାମ ଶୁଭ ଫଳ ମିଳିବ…

ଝାଡୁ: ଝାଡୁକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନେ କରାଯାଏ । ମାନ୍ୟତା ରହିଛି ଯେ, ଧନତେରାସ ଦିନ ଝାଡୁ କିଣିବା ଦ୍ୱାରା ଘରେ ମାଆ ଲକ୍ଷ୍ମୀଙ୍କ ଆବାହନ ହୋଇଥାଏ । ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଧନତେରାସ ଦିନ ନିଶ୍ଚୟ ଝାଡ଼ୁ କିଣନ୍ତୁ । ମାନ୍ୟତା ରହିଛି ଯେ ଝାଡୁ କିଣିବା ଦ୍ୱାରା ନକାରାତ୍ମକ ଶକ୍ତି ଗୁଡ଼ିକ ନଷ୍ଟ ହୋଇ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଝାଡୁକୁ ଘରର ସୁଖ ସମୃଦ୍ଧିର କାରକ ବୋଲି ମନେ କରାଯାଏ । ସେଥିପାଇଁ ଧନତେରାସ ଦିନ ଝାଡୁ କିଣଇବାକୁ ଶୁଭ ମନେ କରାଯାଏ ।

 

ବ୍ୟବସାୟ ସମ୍ବନ୍ଧୀୟ ସାମଗ୍ରୀ: ଧନତେରାସ ଦିନ ଆପଣ ଆପଣଙ୍କର ବ୍ୟବସାୟ ସହିତ ଜଡିତ ଯେକୌଣସି ଜିନିଷ, ଯେପରିକି କଲମ, ଆର୍ଟିଷ୍ଟ ବ୍ରଶ୍ ଏବଂ ବିଦ୍ୟାର୍ଥୀଙ୍କ ବହି ଖାତାକିଣି ପାରିବେ । ଏହି ଜିନିଷଗୁଡିକ ଧନତେରାସ ଦିନରେ ମଧ୍ୟ ପୂଜା କରାଯିବା ଉଚିତ୍ ।

ଇଲେକଟ୍ରୋନିକ୍ସ ଆଇଟମ: ଧନତେରାସ ଦିନ ଇଲେକଟ୍ରୋନିକ୍ସ ଜିନିଷ ଯଥା ଫ୍ରିଜ, ଓଭେନ, ମୋବାଇଲ ଫୋନ, ଲାପଟପ୍ ଇତ୍ୟାଦି ମଧ୍ୟ କିଣିପାରିବେ । ଆପଣ ଏହି ସବୁ ଜିନିଷ ଗୁଡ଼ିକୁ ଘରର ଉତ୍ତର ପୂର୍ବ ଦିଗରେ ରଖିପାରିବେ ।

ବାସନ: ଧାନତେରାସ ଦିନରେ ବାସନ କିଣିବାର ଏକ ପରମ୍ପରା ମଧ୍ୟ ଅଛି, କିନ୍ତୁ କେଉଁ ଧାତୁ ବାସନ କିଣାଯିବ ସେବାବଦରେ ଅଧିକାଂଶ ଲୋକ ଜାଣିନଥାନ୍ତି । ଯଦି ଆପଣଙ୍କର ସନ୍ଦେହ ଅଛି, ତେବେ ପିତ୍ତଳ ବାସନ କିଣନ୍ତୁ ଏବଂ ଏହାକୁ ଆପଣଙ୍କ ଘରର ପୂର୍ବ ଦିଗରେ ରଖନ୍ତୁ । ଧାନତେରାସରେ ମଧ୍ୟ ଅନେକ ସୁନା ଓ ରୂପା ଜିନିଷ କିଣାଯାଏ । ଯଦି ଆପଣ ମଧ୍ୟ ଏହି ପର୍ବରେ ସୁନା ଏବଂ ରୂପା ଜିନିଷ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏଥିରେ କିଛି କଥା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ସୁନା ମୁଦ୍ରା: ଧନତେରାସ ଦିନ ସୁନା ମୁଦ୍ରା କିଣନ୍ତୁ ଯେଉଁଥିରେ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଥିବ । ଯଦି ଆପଣ ସୁନା ମୁଦ୍ରା କିଣିପାରିବେ ନାହିଁ, ତେବେ ଦେବୀ ଲକ୍ଷ୍ମୀଙ୍କ କୌଣସି ଚିତ୍ରକୁ ମଧ୍ୟ ପୂଜା କରିପାରିବେ ।

ରୂପା ମୁଦ୍ରା: ଯଦି ଆପଣ ସୁନା ମୁଦ୍ରା କିଣିବାକୁ ସକ୍ଷମ ନୁହଁ, ତେବେ ରୂପା ମୁଦ୍ରାରେ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବେ । କାହାକୁ ଉପହାର ଦେବା ପାଇଁ ରୂପା ମୁଦ୍ରା ମଧ୍ୟ ଏକ ଭଲ ବିକଳ୍ପ ଅଟେ ।

ଅଳଙ୍କାର: ଯେକୌଣସି ପ୍ରକାରର ଅଳଙ୍କାର, ବିଶେଷତଃ ସୁନା ଏବଂ ରୂପା ଅଳଙ୍କାର କିଣିବା ପାଇଁ ଧାନଟେରସ୍ ହେଉଛି ସବୁଠାରୁ ଶୁଭ ସମୟ । ଏହା ବ୍ୟତୀତ ଏହି ଦିନ କବାଟରେ ଶ୍ୱସ୍ତିକ ଚିହ୍ନ କରିବା ମଧ୍ୟ ଭାଗ୍ୟ ବଢ଼ାଇଥାଏ |