ପାଇକ ବିଦ୍ରୋହ ପ୍ରଥମ ସ୍ୱାଧିନତା ସଂଗ୍ରାମ ନୁହେଁ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

1 min read

ଭୁବନେଶ୍ୱର: ୧୮୧୭ ମସିହା ଓଡ଼ିଶାର ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ନୁହେଁ । ରାଜ୍ୟସଭାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କ୍ରିଷ୍ଣା ରେଡ୍ଡୀ ଏହା କହିଛନ୍ତି । ଗୁରୁବାର ପ୍ରଶାନ୍ତ ନନ୍ଦ ଏହି ବାବଦରେ କରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହା ଦର୍ଶାଇଛନ୍ତି । ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ । କିନ୍ତୁ କେନ୍ଦ୍ର ସରକାର ଏହି ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏହା ଓଡ଼ିଶା ପ୍ରତି ଅଣଦେଖା ଓ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅପମାନ ବୋଲି ମତ ପ୍ରକାଶ ପାଇଛି ।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଆହୁରି କହିଛନ୍ତି କି ଏହି ବିଷୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ ରିସର୍ଚ୍ଚ (ICHR) ଯାଞ୍ଚ କରିଥିଲା । ICHR ରୁ ମିଳିଥିବା ମନ୍ତବ୍ୟ ଅନୁଯାୟୀ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତାର ସଂଗ୍ରାମ କହୁଯାଇପାରିବ ନାହିଁ ।

ଉଲ୍ଲେଖଯୋଗ୍ୟ, ଖୋର୍ଦ୍ଧା ପାଇକମାନେ ପ୍ରଥମ ଥର ପାଇଁ ବ୍ରିଟିଶ ସରକାର ବିରୋଧରେ ୧୮୧୭ରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ । ଏହି ବିଦ୍ରୋହ ପରବର୍ତ୍ତୀ ସମୟରେ ବିଟ୍ରିଶ ଶାସନ ବିରୋଧରେ ସଂଗ୍ରାମ ପାଇଁ ଦେଶର ବିଭିନ୍ନ ଗୋଷ୍ଠୀକୁ ପ୍ରଭାବିତ କରିଥିଲା । ଓଡ଼ିଆ ସଂଗ୍ରାମୀଙ୍କ ଅସ୍ମିତା ଓ ବଳିଦାନକୁ ସମ୍ମାନ ଜଣାଇ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ବହୁବାର କେନ୍ଦ୍ର ନିକଟରେ ଦାବି କରି ଆସିଛନ୍ତି । ମାତ୍ର କେନ୍ଦ୍ର ସରକାର ଓଡ଼ିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ରାଜି ନୁହନ୍ତି । କେନ୍ଦ୍ରର ଏହା ଓଡ଼ିଶା ବିରୋଧୀ ମାନସିକତା ବୋଲି ମତପ୍ରକାଶ ପାଇଛି ।

Leave a Reply