spot_img
Home Blog Page 4899

ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ କେନ୍ଦ୍ର ସରକାର

ଭୁବନେଶ୍ବର: ଶହ ଶହ ଚାଷୀଙ୍କ ବଳିଦାନ । ଆରବ ଆରବ ଅର୍ଥନୈତିକ କ୍ଷତି । ଗର୍ଜ୍ଜନରୁ ଘେରାବନ୍ଦୀ, ବର୍ଷର୍ରୁ ଅଧିକ ସମୟ ଆନ୍ଦୋଳନ । ହାର ମାନିଲେନି ଚାଷୀ । ନଇଁବାକୁ ବାଧ୍ୟ ହେଲେ କେନ୍ଦ୍ର ସରକାର । ତିନି କୃଷି ଆଇନ ପ୍ରତ୍ୟାହାର ନେଇ ଅଚାନକ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସହ ଦେଶର କୋଣ ଅଣୁକୋଣରେ ଆରମ୍ଭ ହୋଇ ଯାଇଥିଲା ଉତ୍ସବର ମାହୋଲ । କିଏ ନାଚୁଥିଲା ତ କିଏ ଖଉସିରେ ଆତ୍ମହରା ହୋଇଯାଉଥିଲେ । ଏହା ପରେ ବି ସରକାରଙ୍କ ଉପରେ ଭରସା କରିପାରରୁନି ସଂଯୁକ୍ତ କିଷାନ ମୋର୍ଚ୍ଚା  । ଆଇନ ପ୍ରତ୍ୟାହାର ଘୋଷଣା ପରେ ବି ଘମାସାନ ଜାରି ରହିବ ବୋଲି କହିଛନ୍ତି ସଂଗଠନର ପ୍ରମୁଖ ନେତା । ଚେତାବନୀ ଦେଇଛନ୍ତି, ଯେଉଁଦିନ କୃଷି ଆଇନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବ ସେହିଦିନ ଆନ୍ଦୋଳନ ପ୍ରତ୍ୟାହାର ହେବ । ମୋର୍ଚ୍ଚା କେବଳ ଆଇନ ପ୍ରତ୍ୟାହାର ନୁହେଁ ବରଂ ଏମଏସପିର ଆଇନଗତ ମାନ୍ୟତା ପାଇଁ ଆନ୍ଦୋଳନ କରୁଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ସୀମା ଜାମ, ଭୋଟ ଚୋଟ, ଗାଁକୁ ନୋ ଏଣ୍ଟ୍ରି, ନେତାଙ୍କୁ ଘେରାବନ୍ଦୀ । କୃଷି ଆନ୍ଦୋଳନର ଏ ଥିଲା ରଣନୀତି । ବହୁ ସଂଘର୍ଷ ପରେ ଏପରି ନିଷ୍ପତ୍ତିରେ ସାରା ଦେଶରେ ଖୁସିର ମାହୋଲ । ଗାଜିପୁର, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ସବୁଠି ଉତ୍ସବ ମନାଇଛନ୍ତି ଚାଷୀ ସଂଗଠନ । ବାଜା ବଜାଇ ବାଣ ଫୁଟାଇ ନିଜ ବିଜୟକୁ ସେଲିବ୍ରେଟ କରିଛନ୍ତି କୃଷକ ସଂଗଠନ । ସେପଟେ ସରାକାରଙ୍କ ଅହଂକାରର ପତନ ଦେଖି ଆକ୍ରମଣ ମୋଡରେ ବିରୋଧୀ । ଚାଷୀଙ୍କ ଜିଦ୍‌ ଆଗରେ ସରକାରଙ୍କ ଅହଂକାର ଚୂର୍ଣ୍ଣ ହୋଇଛି ବୋଲି କହିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଟିଏମସି, ଏନସିପି, ଆରଜେଡିର ପ୍ରମୁଖ ନେତା ସରକାରଙ୍କୁ କଡ଼ା ଭାଷାରେ କଟାକ୍ଷ କରି ସରକାର ନିର୍ବାଚନ ହାରିବା ଭୟରେ ଆଇନ ପ୍ରତ୍ୟାହାର କରିଥିବା କହିଛନ୍ତି ।

ଜ୍ୟ ବିଜେପି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ଭିନ୍ନ ଢଙ୍ଗରେ ସ୍ବାଗତ କରିଛି । କୃଷି ଆଇନକୁ ଠିକ୍‌ ଭାବେ ବୁଝି ନାହାଁନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । କେବଳ ସେତିକି ନୁହେଁ ପ୍ରତ୍ୟାହାର ପଛର ରହସ୍ୟକୁ ଖୋଲି ଦେଇଛନ୍ତି ବିଷ୍ଣୁ । କହିଛନ୍ତି ଭୋଟ୍ ପାଇଁ ସବୁ ନାଟ । ସେପଟେ ସିପିଆଇ ଦାବି କରିଛି,  ଏମଏସଏପିକୁ ଆଇନ ପରିସରଭୁକ୍ତ କରିବା ସହ ଶ୍ରମ ଓ ବିଦ୍ୟୁତ ଆଇନ ବି କେନ୍ଦ୍ର ପ୍ରତ୍ୟାହାର କରୁ । ଏକାଠି ହେଲେ ନଛୋଡବନ୍ଧା ସରକାରଙ୍କଠାରୁ ଦାବି ହାସଲ କରିହେବ ବୋଲି କହିଛି ସିପିଆଇଏମ ।

ଭାଙ୍ଗିଲା କେନ୍ଦ୍ର ସରକାରଙ୍କ ଅହଂକାର, ଜିତିଲା ଚାଷୀଙ୍କ ଲହୁଲୁହର ବିଦ୍ରୋହ

ଭୁବନେଶ୍ବର: ଚାଷୀଙ୍କ ବିଦ୍ରୋହରେ ଚୂରମାର ହୋଇଗଲା କେନ୍ଦ୍ର ସରକାରଙ୍କ ଅହଂକାର । ବିଜୟ ହେଲା ଲହୁଳୁହର । ନରମିଲା କେନ୍ଦ୍ର । ଚାଷୀଙ୍କ ଜିଦ୍‌ ଆଗରେ ହାର ମାନିଲା ସରକାରଙ୍କ ଅହଙ୍କାର । ୩ଟି ଯାକ କୃଷି ଆଇନ୍‌ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ । ଶୀତ ଅଧିବେଶନରେ ଆରମ୍ଭ ହେବ ପ୍ରକ୍ରିୟା । ତେବେ ଉତ୍ତର ପ୍ରଦେଶ ଓ ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟର ଭୟ ବିଜେପିକୁ ଏତେ ମାତ୍ରାରେ ଘାରିଛି ଯେ, ଏନେଇଛନ୍ତି ଏମିତି ବଡ଼ ନିଷ୍ପତ୍ତି । ଲଖିମପୁର-ଖେରୀ ମାମଲା ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟର ନିଦ ହଜାଇଛି । ସୁପ୍ରିମକୋର୍ଟଙ୍କ ତାଗିଦ ପାଇଁ ବାରମ୍ବାର ରାଜ୍ୟ ସରକାରଙ୍କୁ ନିନ୍ଦିତ ହେବାକୁ ପଡିଛି । ଚାଷୀଙ୍କ ଆନ୍ଦୋଳନ ଜାରି ରହିଲେ ଶହେରୁ ଅଧିକ ଆସନ ହରାଇ ପାରେ ବିଜେପି । ସେହି ଭୟରେ କଲେ ବିବାଦୀ କୃଷୀ ଆାଇନ ପ୍ରତ୍ୟାହାର ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସହ ଅନ୍ନଦାତାଙ୍କ ହୋଇଛି ଐତିହାସିକ ବିଜୟ । ଚାଷୀଙ୍କ ଜିଦ୍‌ ଆଗରେ ହାର ମାନିଲେ କେନ୍ଦ୍ର ସରକାର । ତରିବରିଆ ନିଷ୍ପତ୍ତି ନେଇ ଦେଲେ ପଛଘୁଞ୍ଚା । କୃଷି ଆଇନକୁ ପ୍ରତ୍ୟାହାର କରି ବ୍ୟାକ୍‌ଫୁଟ୍‌ ବିଜେପି ସରକାର ।

କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ନିଷ୍ପତ୍ତି ବିରୋଧୀଙ୍କୁ ବି ଚମକାଇ ଦେଇଛି । ଗୁରୁ ପରବ ଅବସରରେ ନିଜ ସମ୍ବୋଧନରେ କଳା କୃଷି ଆଇନ୍‌ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀଙ୍କ ଦୁଃଖ ତାଙ୍କୁ ଦେଖାଯାଉନି ବୋଲି କହିଛନ୍ତି । ଆନ୍ଦୋଳନ ବନ୍ଦ କରି ଚାଷୀ ଏବେ ନିଜ ନିଜ ଘରକୁ ଫେରିବାକୁ ନିବେଦନ କରିଛନ୍ତି  । ଆସନ୍ତା ଶୀତକାଳିନ ଅଧିବେଶନରେ ଆଇନ୍‌କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ମଣ୍ଡି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି । ଦେଶରେ ମଣ୍ଡି ସଂଖ୍ୟା ବଢିବା ସହ ଏମଏସପି ମଧ୍ୟ ବଢିଛି ବୋଲି କହିଛନ୍ତି ।

ନବୀନଙ୍କ ସ୍ବାଗତ

୩ କୃଷି ଆଇନ ପ୍ରତ୍ୟାହାର ପରେ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିର ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତଥା ଚାଷୀର ସ୍ବାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି । ଯାହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ପରିବାର ଓ ଚାଷ ଜମି ତାଙ୍କୁ ଅପେକ୍ଷା କରିଛି । ଘରକୁ ଫେରିଲେ ସେମାନେ ସ୍ବାଗତ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ସ୍ବାର୍ଥକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି ନବୀନ ।

କୃଷୀ ଆଇନ ପ୍ରତ୍ୟାହାର ପଛର ଅସଲ ସତ

କାହିଁକି ପଛଘୁଞ୍ଚା ଦେଲେ କେନ୍ଦ୍ର ସରକାର ? ଆନ୍ଦୋଳନ ବେଳେ ୭୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆହା ପଦେ କହିନଥିଲେ ପ୍ରଧାନମନ୍ତ୍ରୀ । ଚାଷୀଙ୍କ ଉପରକୁ ଗାଡ଼ି ଚଢା ଯାଇଥିଲେ ମଧ୍ୟ ପ୍ରତିକ୍ରିୟା ଦେବାକୁ ପସନ୍ଦ କରିନଥିଲେ । ବିବାଦରେ ଛନ୍ଦି ହୋଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ନିଜ ମନ୍ତ୍ରିମଣ୍ଡଳରୁ ହଟାଇନଥିଲେ । ହେଲେ ହଠାତ କାହିଁକି ଏହି ନିଷ୍ପତ୍ତି ଆସନ୍ତୁ ନଜର ପକାଇବା ।

ପ୍ରଥମତଃ ୧୧ ମାସରୁ ଅଧିକ ଦିନ ହୋଇଗଲାଣି ଚାଷୀ କୃଷି ଆଇନକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି  । ଚାଷୀ ରାଜରାସ୍ତାରେ ପଡି ରହି ଆନ୍ଦୋଳନ ଜାରି ରଖିଛନ୍ତି । ୩୦ରୁ ଅଧିକ ଥର ସରକାର ଓ ଚାଷୀଙ୍କ ମଧ୍ୟ ଆଲୋଚନା ବିଫଳ ହୋଇଛି । ତଥାପି ସରକାର ନିଜେ ବୁଝିଥିଲେ ନା ଚାଷୀଙ୍କୁ ବୁଝାଇ ପାରିଥିଲେ । ଶେଷରେ ହାର ମାନିଲେ । ଯେଉଁ କୃଷି ଅର୍ଥଶାସ୍ତ୍ରୀଙ୍କ ପରାମର୍ଶ ମାନି ଏଭଳି କରିଛନ୍ତି ବୋଲି କହୁଛନ୍ତି ପ୍ରଧାନମନ୍ତ୍ରୀ । ହେଲଷ ସେମାନଙ୍କ କଥା ଆଜି ପର୍ଯ୍ୟନ୍ତ କାହିଁକି ଶୁଣୁନଥିଲେ ବୋଲି ପ୍ରଶ୍ନ ଉଠିଛି ।

ଦ୍ବିତୀୟ କାରଣ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଆସନ୍ତାବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତରପ୍ରଦେଶ ଓ ପଞ୍ଜାବରେ ନିଜ ସରକାରକୁ ବଞ୍ଚାଇକୁ ଏହା ବଡ଼ କସ୍‌ରତ୍‌  । ନିଜର ମାନ ସମ୍ମାନ ପଛେ ଯାଉ, ରାଜ୍ୟରେ ସରକାର ବଞ୍ଚିରହୁ । ଏହି ଦୁଇ ରାଜ୍ୟରୁ ସବୁଠୁ ଅଧିକ ଚାଷୀ ଏହି କୃଷି ଆଇନ୍‌କୁ ବିରୋଧ କରୁଛନ୍ତି । ସେମାନଙ୍କ ଅସନ୍ତୁଷ୍ଟ ହେବାର କାରଣ ବିଜେପି ସରକାର ଏହି ଦୁଇ ରାଜ୍ୟରେ ନିଜର ଚିହ୍ନବର୍ଣ୍ଣ ମଧ୍ୟ ହରାଇବା ସୁନିଶ୍ଚିତ ।

ଆଇନଗତ ପଦକ୍ଷେପ ମଧ୍ୟ କେନ୍ଦ୍ରର ନିଦ ହଜେଇ ଦେଇଛି । କୃଷି ଆଇନ୍‌ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଲାଗୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଗତ ଜାନୁଆରୀ ମାସରେ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ୩ ଜଣିଆ କମିଟି ମଧ୍ୟ ଗଠନ କରିଥିଲେ । ଗତ ମାର୍ଚ୍ଚରେ ଏହି କମିଟି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ହେଲେ ଆଜି ସୁଦ୍ଧା ରିପୋର୍ଟରେ କ’ଣ ରହିଛି ତାହା ସାର୍ବଜନୀନ ହୋଇପାରିନାହିଁ । ଏବେ ବି ଏହି ମାମଲା ବିଚାରଧୀନ ଅଛି । ଯଦି ସୁପ୍ରିମକୋର୍ଟ ଚାଷୀଙ୍କ ସମର୍ଥନ ରାୟ ଦିଅନ୍ତି, ତାହେଲେ ଶୁଖିଲାରେ କେନ୍ଦ୍ର ସରକାରଙ୍କୁ ଅପମାନ ସହିବାକୁ ପଡିଥାନ୍ତା ।

ଲଖିମପୁର-ଖେରୀ ମାମଲା କେନ୍ଦ୍ର ପାଇଁ ଟର୍ଣ୍ଣିଂ ପଏଣ୍ଟ ପାଲଟିଥିଲା । ୩ ଅକ୍ଟୋବରେ ହୋଇଥିବା ହିଂସା ଯୋଗୁଁ ଚାଷୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମ୍ପୃକ୍ତି, ବିଜେପିକୁ ପଛଘଚଞ୍ଚା ଦେବାକୁ ବାଧ୍ୟ କରିଥିଲା । ଘଟଣାରେ ପୂରା ପ୍ରକରଣ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଯାଇଥିଲା । ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ସନା, ୟୁପିରେ ବିଜେପି ସରକାରର ସ୍ଥିତି ଟଳମଳ କରିଥିଲା । ଯେତେ ଯୋଜନା ଘୋଷଣା କଲେ ମଧ୍ୟ କିଛି ଫରକ ପଡିନଥିଲା ।

ଧୋନିଙ୍କ ପାଇଁ ୧୪୩୬ କି.ମି ପଦଯାତ୍ରା

0

ଝାଡ଼ଖଣ୍ଡ : କ୍ରିକେଟ ଜଗତର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କର ଦେଶରେ କୋଟିଏ ଫ୍ୟାନ୍ସ । ମାତ୍ର ଧୋନିଙ୍କ ପ୍ରତି ଏତେ ଭଲପାଇବା ଦେଖି କିଛି ଏମିତି ଫ୍ୟାନ୍ସଙ୍କ ଫ୍ୟାନ ପାଲଟିଛନ୍ତି ନିଜେ ଧୋନି । ଆମେ କହୁଛୁ ହରିୟାଣାରୁ ଆସିଥିବା ଧୋନିଙ୍କର ଜଣେ ବଡ଼ ପ୍ରଶଂସକଙ୍କ କଥା । ଯିଏ ଧୋନିଙ୍କୁ ନିଜ ଭଗବାନ ମାନନ୍ତି । ଧୋନିଙ୍କ ସହ  କେବଳ ଦେଖା କରିବାକୁ ନିଜ ଗାଁରୁ ଚାଲି ଚାଲି ଆସିଛନ୍ତି । ସେ ପୁଣି ଶହେ କି ଦୁଇଶହ ନୁହେଁ ପୁରା ୧ ହଜାର ୪ ଶହ ୩୬ କିଲୋମିଟର । ଦୀର୍ଘ ୧୮ ଦିନ ପଦଯାତ୍ରା ପରେ ସେ ଧୋନିଙ୍କ ପାଖରେ ପହଁଞ୍ଚିଥିଲେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଜୟ ଗିଲ୍ । ଯେ କି ହରିୟାଣାରୁ ରାଞ୍ଚି ଚାଲି ଚାଲି ଆସିଛନ୍ତି । କେବଳ ଏତିକି ନୁହେଁ ଧୋନିଙ୍କ ପ୍ରତି ନିଜ ଭଲପାଇବା ଜାହିର କରି ସେ ଧୋନିଙ୍କୁ ଆଇ ଲଭ ୟୁ ମଧ୍ୟ କହିଥିଲେ ।

୧୮ ବର୍ଷୀୟ ଅଜୟ ହରିୟାଣା ଜିଲ୍ଲାର ଜଲାନ ଖେଡ଼ାର ବାସିନ୍ଦା । ଧୋନିଙ୍କର ବହୁତ ବଡ଼ ଫ୍ୟାନ୍ସ ନାମରେ ସାରା ଦେଶରେ ପ୍ରସିଦ୍ଧ । ତିନି ମାସରେ ଦ୍ୱିତୀୟ ଥର ପାଇଁ ସେ ପଦଯାତ୍ରା କରି ଧୋନିଙ୍କୁ ଭେଟିଛନ୍ତି । ଗତ ଥର ୧୬ ଦିନରେ ସେ ୧୪୩୬ କିଲୋମିଟରର ପଦଯାତ୍ରା କରିଥିଲେ । ମାତ୍ର ଏଥର ତାଙ୍କୁ ୧୮ ଦିନରେ ଲାଗିଛି । ଧୋନିଙ୍କ ସହ ଭେଟ ହେବା ପରେ ଅଜୟ ଧୋନିଙ୍କ ସହ ତାଙ୍କ ଫାର୍ମ ହାଉସ ଯାଇଥିଲେ ଏଥିସହ ଅଜୟଙ୍କ ସହ ଧୋନି ସେଲ୍ଫି ଉଠାଇଥିଲେ ।

ନିୟନ୍ତ୍ରଣ ବାହାରେ ଅସାମାଜିକ ବ୍ୟକ୍ତି, ସିସିଟିଭି ଲଗାଇବାକୁ ଦାବି

ବୌଦ୍ଧ: ବେଫିକର ଅପରାଧୀ । ବିନା ବାଧାରେ ବୁଲୁଛନ୍ତି, ଲୁଟୁଛନ୍ତି । ଦିନକୁ ଦିନ ବଢିବାରେ ଲାଗିଛି ଚୋରି, ଡକାୟତି । ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ । ଏ ହେଉଛି ବୌଦ୍ଧର ସ୍ଥିତି । ଏଠି ଦିନରେ ବି କୌଣସି ସ୍ଥାନକୁ ଯିବାକୁ ଉଚିତ ମଣୁନାହାନ୍ତି ଲୋକେ । କେତେବେଳେ କେଉଁଠି ଲୁଟେରାଙ୍କ ହାବୁଡ଼ରେ ପଡ଼ିଯିବେ ରହୁଛି ଭୟ । ଏମିତି ସ୍ଥିତିରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ସହ ସହରରେ ସିସିଟିଭି ଲଗାିବାକୁ ହେଉଛି ଦାବି ।

ଲକଡାଉନ୍ ପରେ ସକ୍ରିୟ ଅପରାଧୀ ବାଇକ ଚୋରି ସହିତ ଡିକି ଭାଙ୍ଗି ଟଙ୍କା ଲୁଟ । ରାତି ଅଧରେ ରାଜରାସ୍ତାରେ ଲୁଟ୍ ଏବଂ ଗଞ୍ଜେଇ ଚାଲାଣ ଭଳି ଅନେକ ଅପରାଧ ବଢିବାରେ ଲାଗିଛି ବର୍ଷକ ମଧ୍ୟରେ ୨୦ରୁ ଅଧିକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି ମାତ୍ର ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ । ଏମିତି ସ୍ଥିତିରେ ସହରରେ ସିସିଟିଭି ଲଗାଇବାକୁ ସାଧାରଣରେ ଦାବି ହେଉଛି । ଲୋକଙ୍କ ଦାବିକୁ ନଜରରେ ରଖି ମୁଖ୍ୟ ଟ୍ରାଫିକ ପୋଷ୍ଟରେ ସିସିଟିଭି କ୍ୟାମେରା ଲାଗିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ

ସହରରେ ଅସାମାଜିକ ତଥା ଅପରାଧୀଙ୍କୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ମୁଖ୍ୟ ଛକଗୁଡିକରେ ଲାଇଟ ଲଗାଯିବା ସହିତ ଗହଳି ଅଞ୍ଚଳରେ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି

କୃଷି ଆଇନ ହଟିବା ପରେ ବି-ଟାଉନରେ ଖୁସିର ମାହୋଲ

ଭାରତରେ କୃଷି ଆଇନ ହଟିବା ପରେ ଚାଷୀମାନଙ୍କ ଖୁସି କହିଲେ ନ ସରେ । ଆଜି ସକାଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବିଶେଷ କରି ଭାରତର କୃଷକମାନଙ୍କୁ କ୍ଷମା ମାଗିବା ପରେ ଲାଗୁ ହୋଇଥିବା ତିନୋଟି କୃଷି ଆଇନ ଉଚ୍ଛେଦ କରିଛନ୍ତି । କୃଷି କ୍ଷେତ୍ରରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ତିନୋଟି ଆଇନ ଲାଗୁ କରାଯାଇଥିଲା । ଏହି ଆଇନ ଲାଗୁ ହେବା ପରେ ଭାରତର ଶହ ଶହ ଚାଷୀ ଏହି ଆଇନ ବିରୁଦ୍ଧରେ ଦେଶର ପ୍ରତ୍ୟେକ ସ୍ଥାନରେ ଆନ୍ଦୋଳନ ଜାରି କରିଥିଲେ । ଏଥିସହ ଦେଶର କୋଣଅନୁକୋଣରୁ ହଜାର ହଜାର ଚାଷୀ ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଦୀର୍ଘ ବର୍ଷର କଠିନ ପରିଶ୍ରମ ପରେ ଆଜି କୃଷକମାନଙ୍କ ଆଶା ସଫଳ ହୋଇଛି ।

କୃଷି ଆଇନ ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେଯେ “ବର୍ଷ ବର୍ଷ ଧରି ଦେଶରେ ଚାଷୀ ଆନ୍ଦୋଳନ ଚାଲିଆସୁଥିଲା । ଦେଶରେ ଲାଗୁ ହୋଇଥିବା ଆଇନକୁ ଚାଷୀଙ୍କ ସମର୍ଥନ ମିଳିନଥିଲା । ମୁଁ ଭାରତବାସୀଙ୍କୁ ଏଥିପାଇଁ କ୍ଷମା ମାଗୁଛି । ବୋଧହୁଏ ମୋର କୈାଣସି ଭୁଲ ରହିଥିଲା । ଆଜି ଗୁରୁ ନାନକଙ୍କ ପ୍ରକାଶ ପର୍ବ । ମୁଁ ସମସ୍ତ ଦେଶବାସୀଙ୍କୁ କହିରଖୁଛିଯେ ଲାଗୁ ହୋଇଥିବା ତିନୋଟି କୃଷି ଆଇନ ଉଚ୍ଛେଦ କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି । ଲାଗୁ ହୋଇଥିବା ଏହି ତିନୋଟି କୃଷି ଆଇନ ଉଚ୍ଛେଦର ସମ୍ୱିଧାନିକ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆପଣମାନେ ମଧ୍ୟ ନିଜ ନିଜ ଘର, ପରିବାର, ସମ୍ପର୍କୀୟଙ୍କ ପାଖକୁ ଫେରିଯାନ୍ତୁ । ଆଜିଠୁ ସମସ୍ତେ ଏକ ନୂତନ ସକାଳର ଆରମ୍ଭ କରିବା ।”

ଏହାକୁ ନେଇ ରିଲ୍ ଓ ରିଏଲ ଲାଇଫ ହିରୋ ସୋନୁ ସୁଦ୍ଧ ଲେଖିଥିଲେ, ଚାଷୀ ପୁଣି ନିଜ ଚାଷକ୍ଷେତକୁ ଫେରିବେ । ଦେଶର କ୍ଷେତ ପୁଣି ହସିଉଠିବ । ଦେଶର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଜୟ ଯବାନ ଜୟ କିଶାନ ବୋଲି ନାରା ଦେଇଥିଲେ । ଏହି ଉଚ୍ଛେଦକୁ ନେଇ ‘ଆମେ ବିଜୟୀ ହେଲୁ’ ବୋଲି କହି ଜଣେ ଚାଷୀ ନିଜ ଟ୍ୱିଟରରେ ଲେଖିଥିଲେ । ବିଜୟୀ ହେଲେ ଆପଣ । ଆପଣଙ୍କ ବିଜୟରେ ଆମ ସମସ୍ତଙ୍କ ବିଜୟ ରହିଛି କହି ବଲିଉଡ ଅଭିନେତା ରିଚ୍ଚା ଚଡ୍ଡା ରିଟ୍ୱିଟ୍ କରିଛନ୍ତି । ଏଥିସହ ଉର୍ମିଳା ମାତୋଣ୍ଡକର, ଗିପ୍ପୀ ଗ୍ରେୱାଲଙ୍କ ଭଳି ବଲିଉଡ ଅଭିନେତା ଏହାକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି ।

 

 

 

 

ଇଲାସଙ୍କ ସଂଘର୍ଷ କାହାଣୀ: ପଥର ପିଟିଲେ ୬ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଯାଏ ଦାନା

ଭଞ୍ଜନଗର: ପଥର ପିଟିଲେ ଘର ଜଳୁଛି, ଭୋକ ମେଣ୍ଟୁଛି । ଏଇଥିରୁ ରୋଜଗାର ପଇସାରେ ସ୍ବାମୀଙ୍କ ଚିକତ୍ସା ବି ହେଉଛି । ଏ ହେଉଛି ଗଞ୍ଜାମ ଜିଲ୍ଲା ଘାଟିପଲ୍ଲୀ ଗାଁର ଇଲାସ ନାୟକଙ୍କ ସଂଘର୍ଷର କାହାଣୀ ।  ଲିଭର ନଷ୍ଟ କାରଣରୁ ସ୍ବାମୀ ଘରେ ବସି ରହିଥିବା ବେଳେ ୬ ପ୍ରାଣୀ କୁଟୁମ୍ବଙ୍କ ଦାୟିତ୍ବ ମୁଣ୍ଡାଇଛନ୍ତି ଇଲାସ ।

ଭଙ୍ଗା ଦଦରା ଘର । ଛପର ଦେଇ ଦିଶୁଛନ୍ତି ଚନ୍ଦ୍ର, ସୂର୍ଯ୍ୟ । ଚାରିପାଖରେ ଝାଟିମାଟିର ବାଡ଼ । ଏହାରି ଭିତରେ ପଥର ପିଟିଲେ ଘରେ ଚୁଲି ଜଳେ । ରୋଗୀଣା ସ୍ବାମୀ ସହିତ ୬ ପ୍ରାଣୀଙ୍କର ପେଟକୁ ଦାନା ଯାଏ । ମାସେ ନୁହେଁ କି ବର୍ଷେ ନୁହେଁ, ୫ ବର୍ଷ ହେବ ଏମିତି ସଂଘର୍ଷ କରୁଛନ୍ତି ଇଲାସ । ପଥର ବାଡେଇ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ସାଙ୍ଗକୁ ପିଲାଙ୍କ ବୋଝ ଉଠାଉଛନ୍ତି । ଯେଉଁଦିନ କାମ କରୁନାହାନ୍ତି ସେଦିନ ଚୁଲି ଜଳୁନି । ସାହି ପଡୋଶୀ ଯାହା ଦେଲେ ସେତିକିରେ କଟୁଛି ଦିନ । ଏମିତି ସ୍ଥିତିରେ ପଡୋଶୀ ବି କେତେ ସାହାଯ୍ୟ କରିବେ ।

୫ ବର୍ଷ ପୂର୍ବେ ବୃନ୍ଦାବନଙ୍କୁ ପ୍ରଥମେ ଜ୍ବର ହୋଇଥିଲା । ପରେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା ଜଣାପଡିଥିଲା । ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପରେ ମଧ୍ୟ କିଛି ସଫଳତା ମିଳିନଥିଲା । ରହିବାକୁ ଭଲ ଘରେ ଖଣ୍ଡେ ନଥିବାବେଳେ ଅନିଶ୍ଚିତ ଭବିଷ୍ୟତର ଦିନ ଗଣୁଛନ୍ତି ଚାରି ଚାରୋଟି ପିଲା । ଏ ସମ୍ପର୍କରେ ଜଗନ୍ନାଥ ପ୍ରସାଦ ବିଡିଓଙ୍କୁ ଯୋଗାଯୋଗ କରାଯିବାରେ ବୃନ୍ଦାବନଙ୍କ ଚିକିତ୍ସା ସାଙ୍ଗକୁ ଅନ୍ୟାନ୍ୟ ସୁବଧା ସୁଯୋଗ ଯୋଗାଇ ଦିଆାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବଦଳୁଛି ଗାଁ ସ୍କୁଲର ଚିତ୍ର: ମୁଖ୍ୟମନ୍ତ୍ରୀ ଦେଉଛନ୍ତି ନୂଆରୂପ

ଭଦ୍ରକ/କଣ୍ଟାବାଞ୍ଜି: ବଦଳୁଛି ସ୍କୁଲର ରୂପ । ଗାଁରେ ମିଳୁଛି ବେସରକାରୀ ସ୍କୁଲ ଭଳି ସୁବିଧା । ୫-ଟି ସ୍କୁଲ ଟ୍ରାନ୍ସଫରମେସନରେ ସାରା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଆସୁଛି ବୈପ୍ଳବିକ ପରିବର୍ତ୍ତନ । ଭଦ୍ରକ ଜିଲ୍ଲାରେ ୧୭ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ହୋଇଛି ।

ନୂଆ ରୂପରେ ସଜେଇ ହୋଇଛି ସ୍କୁଲ୍ । ଦୂର ହୋଇଛି ସହର ଓ ଗାଁ ବିଦ୍ୟାଳୟ ମଧ୍ୟରେ ପ୍ରଭେଦ । ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍ କାର୍ଯ୍ୟକ୍ରମରରେ ଭଦ୍ରକ ଜିଲ୍ଲାରେ  ୧୭ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ପ୍ରାଥମିକ ପର୍ଯ୍ୟାୟରେ କେବଳ ଭଦ୍ରକ ନିର୍ବାଚନ ମଣ୍ଡଳୀର ୪ଟି ରୂପାନ୍ତରିତ ସ୍କୁଲର ଲୋକାର୍ପିତ ହୋଇଛି । ଶ୍ରେଣୀଗୃହର ରୂପ ବଦଳିବା ସହିତ ପିଲାମାନଙ୍କ ବୌଦ୍ଧିକ ଓ ଶାରୀରିକ ଉନ୍ନତି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାରଙ୍କର ଏଭଳି ଐତିହାସିକ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ସଚିବ ଓ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।

ସେପଟେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ୬ଟି ବିଦ୍ୟାଳୟର ରୂପାନ୍ତରଣ ହୋଇଛି । ଶ୍ରେଣୀଗୃହରେ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ସ୍କୁଲ ପରିବେଶର ସଜ୍ଜିତ ରୂପ ଦେଖି ବେଶ୍ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଶୀଘ୍ର ଏସବୁ ସ୍କୁଲ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ମାଟିରେ ବିଦ୍ୟାଳୟର ପରିବର୍ତ୍ତିତ ରୂପ ଦେଖି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ ।

ସ୍ମାର୍ଟ ସ୍କୁଲରେ ନିଜ ଭବିଷ୍ୟତ ଗଢ଼ିବେ ବଣ ପାହାଡ଼ ଘେରା ଉପାନ୍ତ ଇଲାକାର ପିଲା

ଧର୍ମଗଡ଼: ଉପାନ୍ତ ଇଲାକାର ବିଲା ବି ଏଣିକି ପଛରେ ରହିବେନି । ସେମାନେ ବି ପଢ଼ିବେ, ଆଗକୁ ବଢ଼ିବେ । ରାଜ୍ୟର ଅନ୍ୟ ପିଲାମାନଙ୍କ ସହ ତାଳ ଦେଇ ନିଜ ଭବିଷ୍ୟତ ଗଠନ କରିପାରିବେ । କାରଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ମାର୍ଟ ହେବ ସ୍କୁଲ୍ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତାମୁଣ୍ଡା ସ୍କୁଲକୁ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଆଗୁଆ ହେବେ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀ । ରୂପାନ୍ତରିତ ବିଦ୍ୟାଳୟରେ ଗଢା ହେବେ ଦେଶର ଭବିଷ୍ୟତ । ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ସ୍ମାର୍ଟ ହେବେ ପିଲା । ସ୍ଥାନୀୟ ଗୋତାମୁଣ୍ଡା ସ୍କୁଲର ରାପାନ୍ତର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପ୍ରକ୍ରିୟା ଆରମ୍ଭ ପୂର୍ବରୁ ସ୍କୁଲ ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ବିଧାୟକ । ଖୁବଶୀଘ୍ର ଗୋତାମୁଣ୍ଡା ସ୍କୁଲ ସ୍ମାର୍ଟ କାହାଣୀରେ ସାମିଲ ହେବ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ ।

୧୯୫୨ ମସିହାରେ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଆଖପାଖ ପ୍ରାୟ ୧୦ଟି ଗାଁର ଛାତ୍ରଛାତ୍ରୀ ଏଇଠି ପାଠ ପଢି ଭବିଷ୍ୟତ ଗଢିଥାନ୍ତି । ଆଗାମୀ ଦିନରେ ସ୍କୁଲର ରୂପାନ୍ତର ହେଲେ ପ୍ରାୟ ୪୦୦ ପିଲା ଏହାଦ୍ବାରା ଉପକୃତ ହେବେ । ସ୍ମାର୍ଟ କ୍ଲାସ ରୁମ ସାଙ୍ଗକୁ ଇ-ଲାଇବ୍ରେରୀ, ଲାବ୍ରୋଟାରି ଓ ଉନ୍ନତ ଭିତ୍ତିଭୂମି ପାଇ ଆଗକୁ ବଢିବେ ଉପାନ୍ତଅଞ୍ଚଳର ଛାତ୍ରଛାତ୍ରୀ ।

ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସାମିଲ କରିବାକୁ ସରକାର ଚଲାଇଛନ୍ତି ପ୍ରଚେଷ୍ଟା । ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତି ପରେ ପିଲାଙ୍କ ସହିତ ଅଭିଭାବକମାନେ ମଧ୍ୟ ବହୁତ ଖୁସି । ଏଥିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ବାବୁଙ୍କ ଭୋଜି ନିଶା: ଅଫିସରେ ତାଲା ପକାଇ ଚାଲିଗଲେ

ଖୋର୍ଦ୍ଧା: ସରକାରୀ ବାବୁଙ୍କ ମନମାନି । ଇଚ୍ଛାରେ ଅଫିସ ଖୋଲୁଛନ୍ତି, ଇଚ୍ଛାରେ ବନ୍ଦ କରୁଛନ୍ତି । ଏମିତି କି କାର୍ଯ୍ୟ ସମୟରେ ଅଫିସରେ ତାଲା ପକାଇ ସବୁ କର୍ମଚାରୀ ପଳାଉଛନ୍ତି ଭୋଜି ଖାଇବା । ଏମିତି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସବ୍ ଟ୍ରେଜେରୀରୁ କର୍ମଚାରୀମାନେ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହୋଇଛି ।

ମନ୍ଦିରରେ ଭୋଜି ଖାଇବାକୁ ଅଫିସ୍ ବନ୍ଦ କରି ଦେଉଛନ୍ତି ବାବୁମାନେ । ଗତ ୧୮ ତାରିଖରେ ଅଫିସରେ ତାଲା ପକାଇ ଭୋଜି ଖାଇବାକୁ ସରକାରୀ ବାବୁମାନେ ଚାଲିଯାଇଥିବା ଅଭିଯୋଗ ହୋଇଛି । ଏଇ ଗୋଟିଏ ଦିନ ନୁହେଁ । ବିଳମ୍ବରେ ଅଫିସ୍ ଆସିବା ବାବୁମାନଙ୍କର ନିତିଦିନିଆ ଘଟଣା । ଅଫିସ ୧୦ଟାରେ ଖୋଲୁଥିଲେ ବି ବାବୁମାନେ ନିଜ ଇଚ୍ଛାରେ ଅଫିସ ଆସିଥାନ୍ତି । ପଚାରିଲେ ଶୁଣିବାକୁ ମିଳିଥାଏ ଅବାନ୍ତର ଯୁକ୍ତି ।

ସୂଚନାଯୋଗ୍ୟ, ଟାଙ୍ଗୀ ସବ୍- ଟ୍ରେଜେରୀ ଅଫିସ ଉପରେ ଟାଙ୍ଗୀ ଓ ଚିଲିକା ବ୍ଲକ୍ ସହିତ ରଣପୁର ଅଞ୍ଚଳର ଲୋକେ ନିର୍ଭର କରନ୍ତି । ପ୍ରତିଦିନ ଶହଶହ ଲୋକ ଏଠାକୁ କାମରେ ଆସିଥାନ୍ତି । ଏଠାରେ  ସରକାରୀ କର୍ମଚାରୀଙ୍କ ଦରମା ସହିତ ଅବସରପ୍ରାପ୍ତ  କର୍ମଚାରୀଙ୍କ  ପେନସନ୍ କାର୍ଯ୍ୟ କରାଯାଇଥାଏ । କିନ୍ତୁ କର୍ମଚାରୀଙ୍କ ଅବହେଳା ପାଇଁ ପ୍ରତିଦିନ ଲୋକେମାନେ ସମସ୍ୟା ଭୋଗୁଛନ୍ତି ।

ବଜ୍ରକପ୍ତା କାତି ଜବତ, ୧୫ ଅଟକ

ବାରିପଦା: ଫସର ଫାଟିଲା ବଜ୍ରକାପ୍ତା କାତି ଚୋରା ଚାଲାଣ । ଡିଲ୍ ବେଳେ ମାଡ଼ଇ ବସିଲା ବନ ବିଭାଗ । କାତି ଜବତ ସହ ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବିନ ବିଭାଗ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗୋଲେଇ ବାଇପାସ ନିକଟରେ ।

ବଜ୍ରକାପ୍ତା କାତି କାରବାର ହେଉଥିବା ନେଇ ବନ ବିଭାଗ ପାଖରେ ଖବର ପହଞ୍ଚି ଥିଲା । ଏହାପରେ ସଦଳବଳେ ବିଭାଗୀୟ କର୍ମଚାରୀ ଚଢ଼ାଉ କରିଥିଲେ ।

ଏହି କାରବାର ପଛରେ ଏକ ଆନ୍ତରାଜ୍ୟ ଗ୍ୟାଙ୍ଗ କାମ କରୁଥିବା ଅନୁମାନ କରାଯାଉଛି । ଅଟକ ଅଭିଯୁକ୍ତଙ୍କ ମଧ୍ୟରୁ କେନ୍ଦୁଝରରୁ ୮ ଜଣ ଥିବା ବେଳେ ଯାଜପୁରରୁ ଜଣେ,  ଝାଡ଼ଖଣ୍ଡରୁ ୩ ଜଣ ଓ କରଞ୍ଚିଆରୁ ୩ ଜଣ ଅଛନ୍ତି ।