ପୁଣି ଅରୁଣାଚଳ ପ୍ରଦେଶକୁ ନିଜର କହିଲା ଚୀନ, ନାଁ ଦେଲା ଜାଙ୍ଗନାନ୍

ନୂଆଦିଲ୍ଲୀ: ପୁଣି ଚୀନର ଭାରତ ବିରୋଧୀ ଯୋଜନା । ଭାରତ ବିରୋଧରେ ପୁଣି ଚୀନର ଷଡ଼ଯନ୍ତ୍ର ରଚିଛି । ଅରୁଣାଚଳ ପ୍ରଦେଶର ନାମ ପରିବର୍ତ୍ତନ କରି ଏହାର ଅନେକ ଅଞ୍ଚଳକୁ ନିଜ ନାମରେ ନାମିତ କରିଛି ଚୀନ । ଚୀନର ସିଭିଲ ଆଫାୟାର୍ସ ବିଭାଗ ପକ୍ଷରୁ ଅରୁଣାଚଳ ପ୍ରଦେଶର ନାଁକୁ ବଦଳାଇ ଜାଙ୍ଗନାନ୍ ରଖାଯାଇଛି । ଏହି ରାଜ୍ୟ ଅନ୍ତର୍ଗତ ୧୫ଟି ଅଞ୍ଚଳକୁ ତିବ୍ବତ, ଚୀନ ଓ ରୋମାନ ଭାଷାରେ ନାମିତ କରାଯାଇଛି । ଚୀନ ଷ୍ଟେଟ କାଉନସିଲ ପକ୍ଷରୁ ଏହି ନୂଆ ନାଁ ଜାରି କରାଯାଇଥିବା ସୂଚନା ମିଳିଛି । ଏହି ୧୫ଟି ସ୍ଥାନ କେଉଁଠି ଅଛି, ତାହାର ଭୌଗଳିକ ବିବରଣୀ ପ୍ରଦାନ କରାଯାଇଥିବା ବେଳେ ସେଥିରୁ ୮ଟି ଆବାସିକ ଅଞ୍ଚଳ, ୪ଟି ପାର୍ବତ୍ୟାଞ୍ଚଳ, ୨ଟି ନଦୀ ଓ ଗୋଟିଏ ମାଉଣ୍ଟେନ ପାସ୍ ରହିଛି ।

ଅରୁଣାଚଳ ପ୍ରଦେଶରେ ଚୀନ କରିଥିବା ଏହି ନାମକରଣ ପ୍ରକ୍ରିୟାକୁ ଭାରତ ତୀବ୍ର ବିରୋଧ କରିଛି । ଦକ୍ଷିଣ ତିବ୍ବତ ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରିବା ସହ ଅରୁଣାଚଳ ପ୍ରଦେଶରେ ନିଜ ଅଧିକାର ସାବ୍ୟସ୍ତ କରିବା ଲାଗି ଏହି ପଦକ୍ଷେପ ନେଇଛି । ପୂର୍ବରୁ ଏପ୍ରିଲ ୨୦୧୭ରେ ମଧ୍ୟ ୬ଟି ଅଞ୍ଚଳକୁ ଚୀନ ପୁନଃନାମିତ କରିଥିଲା ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ଅରୁଣାଚଳ ପ୍ରଦେଶ ସର୍ବଦା ଭାରତର ଅବିଚ୍ଛେଦ ଅଙ୍ଗ ହୋଇ ରହିବ ବୋଲି ସେ କହିଛନ୍ତି । ଦକ୍ଷିଣ ତିବ୍ବତକୁ ଚୀନ ନିଜର ବୋଲି ଦାବି କରିବା ସହ ଅରୁଣାଚଳ ପ୍ରଦେଶ ଦକ୍ଷିଣ ତିବ୍ବତର ଏକ ଅଞ୍ଚଳ ବୋଲି ଚୀନ ଦର୍ଶାଉଛି ।

ଗତବର୍ଷ ପୂର୍ବାଞ୍ଚଳ ଲଦାଖ ସୀମା ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ଅଗ୍ରଗତି ହୋଇ ନଥିବାବେଳେ, ଚୀନର ଏହି ପଦକ୍ଷେପ ପୁଣି ଅଧିକ ବିବାଦ ସୃଷ୍ଟି କରିଛି । ପୂର୍ବରୁ ଚୀନର ସମ୍ଭାବ୍ୟ ଆକ୍ରମଣକୁ ନେଇ ପ୍ରକୃତ ନିୟନ୍ତ୍ରଣ ସୀମା ରେଖାରେ ଭାରତ ସାମରିକ ପ୍ରସ୍ତୁତି ଜାରି ରଖିଛି । ଗତ ଅକ୍ଟୋବରରେ ପୂର୍ବାଞ୍ଚଳ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଚୀନର ଯୁଦ୍ଧ ପ୍ରସ୍ତୁତି ସମ୍ପର୍କରେ ଆଭାସ ଦେଇଥିଲେ ।

Leave a Reply