ତାମିଲନାଡୁରେ ବର୍ଷା ବିତ୍ପାତ, ୩ ମୃତ

1 min read

ନୂଆଦିଲ୍ଲୀ: ତାମିଲନାଡୁରେ ଜାରି ରହିଛି ଅବିଶ୍ରାନ୍ତ ବର୍ଷା । ଲଗାଣ ବର୍ଷାରେ ଉବୁଟୁବୁ ଚେନ୍ନାଇ ସହ ଅନେକ ସହର । ଗତ ୨୪ ଘଣ୍ଟାରେ ଚେନ୍ନାଇରେ ୨୦୦ ମିଲିମିଟର ବର୍ଷା ହୋଇଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ବର୍ଷା ବିତ୍ପାତ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଇଲେକ୍ଟ୍ରି କରେଣ୍ଟ ଲାଗି ୩ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନ୍ନା ନାଗୋଟା ଅଞ୍ଚଳରେ ଏକ ମଲର ଛାତ ଖସି ପଡ଼ିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଅବିଶ୍ରାନ୍ତ ବର୍ଷା ଫଳରେ ରାସ୍ତାଘାଟ ସହ ତଳିଆ ଅଞ୍ଚଳ ସବୁ ଜଳମଗ୍ନ ହୋଇଛି ।

 

ବର୍ଷା ସାଙ୍ଗକୁ ଚେମ୍ବ୍ରାମ୍ବକମ ଡ୍ୟାମରୁ ଏକ ହଜାର କ୍ୟୁସେକ ପାଣି ଛଡ଼ାଯାଇଥିବା ବେଳେ ଚେନ୍ନାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି । ବର୍ଷା ଜଳ ନିଷ୍କାସିତ ହୋଇପାରୁ ନଥିବାରୁ ଚାରିଟି ସବ୍-ଓ୍ୱେକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଚେନ୍ନାଇ ସମେତ ତୀରୁଭାଲୁର, କାଞ୍ଚିପୁରମ୍ ଓ ଚେଙ୍ଗଲପେଟ୍ଟୁ ଜିଲ୍ଲାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ ବନ୍ଦ ଘୋଷଣା କରାଯାଇଛି । କେବଳ ଜରୁରୀକାଳୀନ ସେବା ଚାଲୁ ରହିଥିବାବେଳେ ଅନ୍ୟ ସମସ୍ତ ଅଫିସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

Leave a Reply