ବ୍ରଜରାଜନଗର: ରାସ୍ତା କଡ଼ରେ ଲମ୍ବା ଲାଇନ । ସମସ୍ତେ ଯୋଡ଼ିଛନ୍ତି ହାତ । ଆଖିରୁ ଝରି ଯାଉଛି ଲୁହ । ଶୋକରେ ବୁଡ଼ିଛି ବ୍ରଜରାଜନଗର । ବିଦାୟ ନେଉଛନ୍ତି ପ୍ରିୟ ନେତା କିଶୋର ମହାନ୍ତି । ଶେଷ ଯାତ୍ରାରେ କିଶୋରଙ୍କୁ ଲୋକେ ଦେଉଛନ୍ତି ଆଶ୍ରୁଳ ବିଦୟ ।

ବ୍ରଜରାଜନରେ ଶୋକାକୁଳ ପରିବେଶ । ସହର ସ୍ତବ୍ଧ । ମଉଳି ଯାଇଛନ୍ତି ଅଞ୍ଚଳର ଗରିବ ଲୋକଙ୍କ ପାଇଁ ଛିଡ଼ା ହେଉଥିବା ସେହି ହୃଦୟବାନ ବ୍ୟକ୍ତି । ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ସେମାନଙ୍କ ଦୁଃଖ ସମୟରେ ସାହସ ହୋଇ ଛିଡ଼ା ହେଉଥିବା କିଶୋର ବାବୁ ।

ଝଡ଼ସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ମଙ୍ଗଳା ବଜାର ସ୍ଥିତି ବାସଭବନରେ କିଶୋର ମହାନ୍ତି ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ । କିଶୋର ମହାନ୍ତି ଅମର ରହେ ଧ୍ବନୀରେ ପ୍ରକମ୍ପିତ ହେଉଛି ଅଞ୍ଚଳ । ୬ ଖଣ୍ଡ କାଠର କୋକେଇରେ ଶୋଇଥିବା ପ୍ରିୟ ନେତାଙ୍କୁ ରାସ୍ତାର ଦୁଇ କଡ଼ରେ ହାତଯୋଡ଼ି ଛିଡ଼ା ହୋଇ ବିଦାୟ ଦେଉଛନ୍ତି ଅଞ୍ଚଳବାସୀ । କିଶୋର ବାବୁଙ୍କ ମରଶରୀର ବ୍ରଜରାଜନଗର ସହର ପରିକ୍ରମା କରିବା ପରେ ଅପରାହ୍ନରେ ଝାଡ଼େଶ୍ବର ମନ୍ଦିରସ୍ଥିତ ମୁକ୍ତିଧାମଠାରେ ଶେଷକୃତ୍ୟ କରାଯିବ ।

ସହର ପରିକ୍ରମା ପରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାଧାରଣ ଲୋକ ଶେଷ ଦର୍ଶନ କରିପାରିବେ । କିଶୋରଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବ୍ରଜରାଜନଗର ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ କିଶୋରଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଆଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେପଟେ ଭୁବନେଶ୍ବର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ଶୋକସଭା । ଦଳର ବରିଷ୍ଠ ବିଧାୟକ ଓ ନେତା କିଶୋରଙ୍କ ସ୍ମୃତିଚାରଣ କରିଛନ୍ତି । କିଶୋର ମହାନ୍ତିଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ବିଜେଡି ନେତା ।

Leave a Reply