ଓମିକ୍ରନ୍ ପାଇଁ ଚିନ୍ତାରେ RBI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ସାରା ଦେଶରେ ବୃଦ୍ଧି ପାଉଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ ପାର କରିସାରିଲାଣି । ଏମିତି କି ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି । ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।  ଯଦି ଓମିକ୍ରନ୍ ଭାରତରେ କାୟା ବିସ୍ତାର କରେ ତେବେ ଦେଶରେ ବ୍ୟାଡ ଲୋନ ବା ଅନାଦେୟ ଋଣ ପରିମାଣ ବଢ଼ିବ । ଚଳିତ ବର୍ଷ ସେପ୍ଟେମ୍ବରରେ ବ୍ୟାଡ ଲୋନ ହାର ୬.୯ ପ୍ରତିଶତ ଥିବାବେଳେ ଆସନ୍ତା ବର୍ଷ ସେପ୍ଟେମ୍ବର ବେଳକୁ ଏହି ହାର ପ୍ରାୟ ୯.୫ ପ୍ରତିଶତ ହେବ ବୋଲି ଚେତାବନୀ ଦେଇଛି ଆରବିଆଇ । ଓମିକ୍ରନ୍ ସଂକ୍ରମଣ ଘନୀଭୂତ ହେଉଥିବା ବେଳେ ଖୁଚୁରା ଋଣ ପରିମାଣ ଉପରେ ଚାପ ପଡିଛି । ଦେଶର ବିଭିନ୍ନ ବ୍ୟାଙ୍କର ମୋଟ ନନ୍‌ପରଫର୍ମିଂ ଆସେଟ୍ସ ବା ଜିଏନପିଏ ୬.୯ ପ୍ରତିଶତ ଥିବାବେଳେ, ନେଟ୍ ନନପରଫର୍ମିଂ ଆସେଟ୍ସ ବା ଏନଏନପିଏ ୨.୩ ପ୍ରତିଶତ ରହିଛି । ମାତ୍ର ଓମିକ୍ରନ୍ ସଂକଟ ଯୋଗୁ ଜିଏନପିଏ ପରିମାଣ ୮.୧ ପ୍ରତିଶତକୁ ବୃଦ୍ଧି ପାଇବ । ଏପରିକି ଏହି ପରିମାଣ ୯.୫ ପ୍ରତିଶତକୁ ବଢିବା ଆଶଙ୍କା ରହିଛି ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଜିଏନପିଏ ପରିମାଣ ଗତ ସେପ୍ଟେମ୍ବରରେ ୮.୮ ପ୍ରତିଶତ ଥିବାବେଳେ ଏହା ଆସନ୍ତା ବର୍ଷ ୧୦.୫ ପ୍ରତିଶତକୁ ବଢିବା ଆଶଙ୍କା କରାଯାଇଛି । ସେହିପରି ଘରୋଇ ବ୍ୟାଙ୍କର ଜିଏନପିଏ ପରିମାଣ ଗତ ସେପ୍ଟେମ୍ବରରେ ୪.୬ ପ୍ରତିଶତ ଥିବାବେଳେ, ଏହା ଆସନ୍ତା ବର୍ଷ ସେପ୍ଟେମ୍ବର ବେଳକୁ ୫.୨ ପ୍ରତିଶତକୁ ବୃଦ୍ଧି ପାଇବ । ବିଦେଶୀ ବ୍ୟାଙ୍କର ଜିଏନପିଏ ପରିମାଣ ଗତ ସେପ୍ଟେମ୍ବରରେ ୩.୨ ପ୍ରତିଶତ ଥିବାବେଳେ, ଆସନ୍ତା ବର୍ଷ ଏହି ପରିମାଣ ୩.୯ ପ୍ରତିଶତ ହେବ ବୋଲି ଆଶଙ୍କା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

Leave a Reply