spot_img
Home Blog Page 4853

ବଟାନିକାଲ ଗାର୍ଡେନରେ ବଣଭୋଜିକୁ ଅନୁମତି

0

ଭୁବନେଶ୍ୱର: ପଯ୍ୟଟକଙ୍କ ପାଇଁ ଖୁସି ଖବର । କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନର ବଟାନିକାଲ ଗାର୍ଡେନ । ଏଥିସହିତ ଏଠାରେ ବଣଭୋଜିକୁ ଅନୁମତି ଦେଇ କର୍ତ୍ତୃପକ୍ଷ । ପର୍ଯ୍ୟଟକମାନେ ଉଦ୍ୟାନର ସବୁଜଭରା ବୃକ୍ଷଲତା ସହ ପ୍ରଜାପତି ଉଦ୍ୟାନ, ମୋଗଲ ଉଦ୍ୟାନ, ଗୋଲାପ ଉଦ୍ୟାନ, କାଚଘର ସମେତ ବିଭିନ୍ନ ପ୍ରଜାତିର ଉଦ୍ୟାନ ଶୋଭାରାଜିକୁ ବୁଲି ଦେଖିବା ସହ ବଣଭୋଜିର ମଜ୍ଜା ଉଠାଇ ପାରିବେ ମଜା ଉଠାଇପାରିବେ ପଯ୍ୟଟକ । ପିଣ୍ଡି ଗୁଡିକ ଅନ ଲାଇନ www.nandankanan.org ୱେବସାଇଟ ମାଧ୍ୟମରେ ବୁକିଂ କରିପାରିବେ ।

କୋଭିଡ ନିୟମ ବାଧ୍ୟତା ମୂଳକ ରଖାଯାଇଛି । ଅଫ ଲାଇନରେ ମଧ୍ୟ ବୁକିଂ କରିହେବ । ଭୋଜି ସ୍ଥଳ ରେ ଛୋଟ ବଡ଼ ପିଣ୍ଡି ମିଶି ୬୩ଟି ରହିଛି । ଛୋଟ ପିଣ୍ଡି ୩୦୦ ଟଙ୍କା ଥିବାବେଳେ ୨୦-ଜଣଙ୍କୁ ଅନୁମତି ଓ ବଡ଼ ପିଣ୍ଡି ୫୫୦ଟଙ୍କା ଥିବାବେଳେ ୩୦-ଜଣଙ୍କୁ ଅନୁମତି ଦିଆଯିବ । ପିକନିକ ସେଡ ଗୁଡିକ ୧୩ଶହ, ୧୬ଶହ , ୨୬ଶହ ଟଙ୍କା ରଖାଯାଇଛି ।

ଏଥିସହିତ ପଢ଼ନ୍ତୁ: ପୋଷ୍ଟର ମାରି ସ୍ଥିତି ଜାହିର କଲା ଲାଲ ବାହିନୀ: ମାସେ ଯାଏଁ ଜଙ୍ଗଲକୁ ନ ଆସିବାକୁ ଉଲ୍ଲେଖ

ପୋଷ୍ଟର ମାରି ସ୍ଥିତି ଜାହିର କଲା ଲାଲ ବାହିନୀ: ମାସେ ଯାଏଁ ଜଙ୍ଗଲକୁ ନ ଆସିବାକୁ ଉଲ୍ଲେଖ

ବାଲିଗୁଡ଼ା: କିଛି ମାସର ନିରବତା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପୁଣି ସ୍ଥିତି ଜାହିର କଲା ଲାଲ୍ ବାହିନୀ । ବାଟାଗୁଡା, ରେବିଙ୍ଗିଆ, ମିଡ଼ିଆପାଙ୍ଗା ଓ ବାରଖମାର ବିଭିନ୍ନ ସ୍ଥାନରେ KKBN ମାଓ ସଂଗଠନର ପୋଷ୍ଟର ଜାରି କରିଥିବା ଦେଖିବାକୁ ମିଳିଛି । ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳିବାକୁ ଆହ୍ୱାନ ଦିଆଯାଇଥିବାବେଳେ ଜୀବନ ପାଇଁ ଜଙ୍ଗଲକୁ ଏକମାସ ପର୍ଯ୍ୟନ୍ତ ନଯିବାକୁ ପୋଷ୍ଟର ମାଧ୍ୟମରେ ଅଞ୍ଚଳବାସୀଙ୍କୁ ନିବେଦନ କରିଛି ସଂଗଠନ ।

ଜଙ୍ଗଲରେ ଜାଗା ଜାଗାରେ ବସ୍ ଲାଗିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଗଞ୍ଜେଇ ଚାଷ ନଷ୍ଟ କରିବା ଉଦ୍ଦେଶ୍ୟରେ ମାଓ ଦମନକୁ ବିରୋଧ କରିବାସହ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାଧ୍ୟମରେ କୁହାଯାଇଛି । ଏକାସାଙ୍ଗରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ଦେଖି ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ବିଜେପି କୋର କମିଟିରେ ସ୍ଥାନ ପାଇଲେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧି ଆଉ ୩ବର୍ଷ ବଢ଼ିଲା

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧିକ ୩ବର୍ଷ ବୃଦ୍ଧି କରାଯାଇଛି । ଏନେଇ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ୨୦୨୧ରୁ ୨୦୨୪ ଯାଏଁ ଯୋଜନା ବୃଦ୍ଧି କରିଛନ୍ତି ଓଡିଶା ସରକାର । ଏହି ଯୋଜନା ପାଇଁ ଖର୍ଚ୍ଚ ହେବ ଅଧିକ ୨ ହଜାର କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅପହଞ୍ଚ ଗ୍ରାମୀଣ ରାସ୍ତାକୁ ସମ୍ପ୍ରସାରଣ କରାଯିବ । ମାଓବାଦୀ ଅଞ୍ଚଳରେ ନିର୍ମାଣ ହେବ ୩୭ ନୂଆ ସଡ଼କ ପ୍ରକଳ୍ପ ଯାହା ୪୧୭ ଦଶମିକ ୨୫ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ କରାଯିବ । ୨ ହଜାର ୩୪୩ ଦଶମିକ ୯୫ କିଲୋମିଟର ବିଶିଷ୍ଟ ୩୫୦ଟି ଗ୍ରାମୀଣ ରାସ୍ତାର ହେବ ଉନ୍ନତିକରଣ । ଯେଉଁ ଗ୍ରାମୀଣ ରାସ୍ତାକୁ ଅନ୍ୟ କୌଣସି ଯୋଜନାରେ ସାମିଲ କରାଯାଇ ନଥିବ, ତାହା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ ହେବ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା ୭୮୪ ଦଶମିକ ୦୭ କିଲୋମିଟରର ୧୫୭ଟି ସଡକ ପ୍ରକଳ୍ପର କାମ ସରିବ ।

ସମ୍ଭାବ୍ୟ ବାତ୍ୟା ‘ଜଓ୍ୱାଦ’କୁ ନେଇ ଆଜି ସ୍ପଷ୍ଟ ହେବ ଚିତ୍ର

0

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଜଓ୍ୱାଦକୁ ନେଇ ଆଜି ଆସିବ ସ୍ପଷ୍ଟ ଚିତ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ରୂପରେଖ ସ୍ପଷ୍ଟ ହେବ । ତେବେ ବାତ୍ୟା ନେଇ ସବିଶେଷ ସୂଚନା ଆସିବା ପୂର୍ବରୁ ଭୟ ବଢାଇଛି ଓ୍ୱିଣ୍ଡଲି ଆକଳନ । ଏହି ଆକଳନ କହୁଛି ବାତ୍ୟା ଗୋପାଳପୁର ଏବଂ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଅଧିକ ସମ୍ଭାବନା ରହିଛି । କିନ୍ତୁ ଓଡ଼ିଶା ମଧ୍ୟକୁ ଏହା ପ୍ରବେଶ କରିବା ବେଳକୁ ଦୁର୍ବଳ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି ।

ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ବେଶୀ ନ ପଡ଼ିଲେ ବି ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଆସନ୍ତା ୨ ତାରିଖରୁ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ । ୪ ତାରିଖ ବେଳକୁ ପୁରୀ, ଜଗତସିଂହପୁର, ଗଞ୍ଜାମ, ନୟାଗଡ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ ଏବଂ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚାଷ ଜମିରେ ପାଣି ଜମିବା ସହ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ଡିସେମ୍ବର ୨ ରୁ ୩ ତାରିଖ ମଧ୍ୟରେ ଲଗାଣ ବର୍ଷା ଆଶଙ୍କା ରହିଛି । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରିଛି ଓୟୁଏଟି ।

ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ଅମଳ ହେବା ପୂର୍ବରୁ ଏବଂ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ ।

ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମୁଡା ସାଇହାଲୋଥ୍ରୋନ କିମ୍ବା ୨ମି.ଲି. ହିସାବରେ (କ୍ଲୋରୋପାଇରିଫସ +ସାଇପରମେଥୁନ) ସିଂଚନ କରନ୍ତୁ । ଏହା ସହିତ ହୁଡା ଚାରିପଟେ ମାଲାଥୁଅନ ୫ଡିକୁ ଏକର ପ୍ରତି ୧୦ କି.ଗ୍ରା. ହିସାବରେ ଛିଞ୍ଚି ବିଷ ବଳୟ ସୃଷ୍ଟି କରନ୍ତୁ ।

ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । ବର୍ତମାନ ମୂଳା, ବିନସ, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ/ତୋଳି ବିକ୍ରୟ କରିବାକୁ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ବିଜେପି କୋର କମିଟିରେ ସ୍ଥାନ ପାଇଲେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଟ୍ୱିଟର ସିଇଓ ପଦରୁ ଇସ୍ତଫା ଦେଲେ ଜ୍ୟାକ୍ ଡୋର୍ସି: ପରାଗ ଅଗ୍ରଓ୍ୱାଲ ହେବେ ନୂଆ ସିଇଓ

ନୂଆଦିଲ୍ଲୀ: ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ଇସ୍ତଫା ଦେଲେ ଜ୍ୟାକ୍ ଡୋର୍ସି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜ୍ୟାକ୍ । ସେ କହିଛନ୍ତି, କେହି ଜାଣିଛନ୍ତି କି ନାହିଁ ମୁଁ ଜାଣିନି, ମୁଁ ଟ୍ୱିଟରରୁ ଇସ୍ତଫା ଦେଇଛି । ଜ୍ୟାକ୍ ଡୋର୍ସି ଟ୍ୱିଟର CEO ପଦ ଛାଡିବା ପାଇଁ କମ୍ପାନୀ ଗତ ଏକ ବର୍ଷରୁ ପ୍ରସ୍ତୁତି କରିଥିଲା । ଜ୍ୟାକ୍ ଡୋର୍ସି ୨୮ ନଭେମ୍ବରରେ ଏକ ଟ୍ୱିଟ୍ କରିଥିଲେ, ସେ କହିଥିଲେ ମୁଁ ଟ୍ୱିଟରକୁ ଭଲ ପାଏ । ଜ୍ୟାକ CEO ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ନେବେ ପରାଗ ଅଗ୍ରୱାଲ ।

ପରାଗ ଏବେ ଟ୍ୱିଟର CTO ପଦରେ ଅଛନ୍ତି । ୨୦୧୭ରୁ ଚିଫ୍ ଟେକ୍ନୋଲୋଜି ଅଫିସର ଅଛନ୍ତି ପରାଗ । ଏଥି ସହ ସେ କମ୍ପାନୀର ବୋର୍ଡ ସଦସ୍ୟ ମଧ୍ୟ ଅଛନ୍ତି । ୪୫ ବର୍ଷ ବୟସ୍କ ଜ୍ୟାକ୍ ପେମେଣ୍ଟସ କମ୍ପାନୀ ସ୍କୋୟାରର ସିଇଓ ବି ଅଛନ୍ତି । ଏହା ସହ ସେ କ୍ରିପ୍ଟୋକରେନ୍ସି ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି । ଗତବର୍ଷ ଅନ୍ୟତମ ନିବେଶକ ଇଲିଅଟ ନେଜମେଣ୍ଟ କମ୍ପାନୀ ସହ ତାଙ୍କ ମତପାର୍ଥକ୍ୟ ହୋଇଥିଲା । ପରାଗ ହେଉଛନ୍ତି ମୁମ୍ବାଇ ଆଇଆଇଟି ଛାତ୍ର । ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ସେ ଡକ୍ଟୋରେଟ ଲାଭ କରିଛନ୍ତି । ମାଇକ୍ରୋସଫ୍ଟ ଓ ୟାହୁରେ କାମ କରିବା ପରେ ସେ ଟ୍ୱିଟର  ଯୋଗ ଦେଇଥିଲେ । ଟ୍ୱିଟରର ଟେକ୍ନୋଲୋଜିକାଲ ଷ୍ଟ୍ରାଟେଜିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ଦଲାଲଙ୍କ କବ୍‌ଜାରେ ଭୁବନେଶ୍ୱର ଏମ୍ସ: ୧୫୦୦ ଟଙ୍କାରେ ବିକ୍ରି ହେଉଛି ୧୦ ଟଙ୍କାର ଟିକେଟ୍, ଅଡିଓ ଭାଇରାଲ

ରାଜ୍ୟ ବିଜେପି କୋର କମିଟିରେ ସ୍ଥାନ ପାଇଲେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଶକ୍ତଧକ୍କା । ରାଜ୍ୟ ବିଜେପିର କୋର କମିଟିରେ ସ୍ଥାନ ପାଇଲେନି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳ ପକ୍ଷରୁ ପ୍ରକାଶ ପାଇଥିବା କୋର କମିଟି ତାଲିକାରେ ଅପରାଜିତାଙ୍କ ନାଁ ନାହିଁ । ତାଲିକାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପୂର୍ବତନ ରାଜ୍ୟ ସମ୍ପାଦକ ସୁରମା ପାଢୀ ଓ ମନମୋହନ ସାମଲଙ୍କ ଭଳି ନେତାନେତ୍ରୀ ନାଁ ଥିବା ବେଳେ, ବାଦ ପଡ଼ିଛନ୍ତି ଅପରାଜିତା । ତେବେ ନୂଆ ତାଲିକାରେ ଅପରାଜିତାଙ୍କୁ ସ୍ଥାନ ନମିଳିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଯୋଗ୍ୟ ଯେ, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳରେ ବଡ଼ ନେତାଙ୍କ ସମର୍ଥନ ମିଳୁନଥିବା ନଜିର ରହିଛି । ଏପରିକି ଅପରାଜିତା ଯେଉଁଆଡେ ଯାଉଛନ୍ତି, ସେଠାରେ ବିଜେପି ଦୁଇଫାଳ ହେଉଛି । ଏମିତି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି କେନ୍ଦୁଝର ଆନନ୍ଦପୁରରେ । ଅପରାଜିତା ଦୁଇ ଦିନିଆ କେନ୍ଦୁଝର ଗସ୍ତ କରିଥିଲେ ।

ଏହି ସମୟରେ କେନ୍ଦୁଝରର କୌଣସି ବିଜେପି ଟାଣୁଆ ନେତାଙ୍କ ଦେଖା ମିଳିନଥିଲା । ଗସ୍ତର ଦ୍ୱିତୀୟ ଦିନରେ ଆନନ୍ଦପୁର ବସଷ୍ଟାଣ୍ଡରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ଅପରାଜିତା । ଏହି ସଭାରେ କୌଣସି ବଡ଼ନେତାଙ୍କୁ ଦେଖିବାକୁ ମିଳିନଥିଲା । ପରୋକ୍ଷରେ ଅପରାଜିତା ଏଭଳି ଦଳୀୟ ଅସହଯୋଗକୁ ସ୍ୱୀକାର ମଧ୍ୟ କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ:ଅପରାଜିତାଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପୂର୍ବତନ ଭିଜିଲାନ୍ସ ନିର୍ଦ୍ଦେଶକ ଡ.ଦେବାଶିଷ ପାଣିଗ୍ରାହୀଙ୍କ ନାମରେ ନାମିତ ହେଲା ରାଜ୍ୟ ଭିଜିଲାନ୍ସ ଏକାଡେମୀ ଅଡିଟୋରିଅମ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ଥିବା ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନଙ୍କର ସମ୍ମିଳନୀ ସୋମବାର ରାଜ୍ୟ ଭିଜିଲାନ୍ସ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକାଡେମୀର ପ୍ରେକ୍ଷାଳୟ (ଅଡିଟୋରିଅମ୍)କୁ ପୂର୍ବତନ ଭିଜିଲାନ୍ସ୍ ନିର୍ଦ୍ଦେଶକ ସ୍ୱର୍ଗତ ଦେବାଶିଷ ପାଣିଗ୍ରାହୀଙ୍କ ନାମରେ ନାମିତ କରିବା ସହ ସମ୍ମିଳନୀର ଉଦ୍‌ଘାଟନ କରିଥିଲେ ।

ପରେ ପରେ ମୁଖ୍ୟ ଶାସନ ସଚିବ ସ୍ୱର୍ଗତ ପାଣିଗ୍ରାହୀଙ୍କର ଉକୃଷ୍ଟ ସେବା ପାଇଁ ସମ୍ମାନପତ୍ର ଓ ସ୍ମାରକୀ ପ୍ରଦାନ କରିଥିଲେ । ସ୍ୱର୍ଗତଃ ପାଣିଗ୍ରାହୀଙ୍କ ପତ୍ନୀ ଝୁମକି ରଥ (ପାଣିଗ୍ରାହୀ) ଏହି ମାନପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ, ଡ. ପାଣିଗ୍ରାହୀ ଉତ୍କୃଷ୍ଟମାନର ବୃତ୍ତିଗତ କୌଶଳ ଯୋଗୁ ରାଜ୍ୟ ଭିଜିଲାନ୍ସକୁ ଏକ ଉଚ୍ଚତର ସୋପାନକୁ ନେଇ ପାରିଥିଲେ ।

ଏକାଡେମୀର ପ୍ରେକ୍ଷାଳୟ ତାଙ୍କ ନାମରେ ନାମିତ ହେବା ଏକ ସମୁଚିତ ପଦକ୍ଷେପ ।ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନଙ୍କୁ ସମ୍ବୋଧି୍ତ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଦୁର୍ନୀତି ନିରାକରଣରେ ଭିଜିଲାନ୍ସ୍ ଅଧିକାରୀମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ଉଭୟ ଦଣ୍ଡାତ୍ମକ ଏବଂ ପ୍ରତିରୋଧାତ୍ମକ ପଦ୍ଧତି ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ସ୍ୱଚ୍ଛ ଏବଂ ତ୍ୱରିତ ସେବା ପ୍ରଦାନ ତଥା ଯୋଜନା କାର୍ଯ୍ୟାନ୍ୱୟନ ଉପରେ ସର୍ବଦା ଗୁରୁତ୍ୱ ଆରୋପ କରିଆସିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ମୋ ସରକାର ବ୍ୟବସ୍ଥା ଦୁର୍ନୀତି ନିରାକରଣ ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ଏହି ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ବରିଷ୍ଠ ଅଧିକାରୀ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନିଜେ ଜନସାଧାରଣଙ୍କ ଠାରୁ ସରକାରୀ କାର୍ଯ୍ୟାଳୟରେ ସେବା ପ୍ରଦାନ ଏବଂ ସରକାରୀ ଅଧିକାରୀମାନଙ୍କ ବ୍ୟବହାର ଓ କାର୍ଯ୍ୟକଳାପ ବିଷୟରେ ସିଧାସଳଖ ମତାମତ ସଂଗ୍ରହ କରୁଛନ୍ତି ।

ଏହାଛଡ଼ା ୫୦ ବର୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ମାପିବା ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ମାନକ ସ୍ଥିର କରାଯାଇଛି । ଏହି ପ୍ରକ୍ରିୟାରେ ପ୍ରାୟ ୧୩୦ ରୁ ଉର୍ଦ୍ଧ୍ୱ ଅଧିକାରୀ ଏବଂ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପୋଲିସ୍ ମହା ନିର୍ଦ୍ଦେଶକ ଡଃ ଅଭୟ କୁମାର କହିଥିଲେ ଯେ ସ୍ୱର୍ଗତଃ ଦେବାଶିଷ ପାଣିଗ୍ରାହୀ ଉଭୟ ବୃତ୍ତିଗତ ଏବଂ ସୃଜନାତ୍ମକ କ୍ଷେତ୍ରରେ ଏକ ଉଚ୍ଚକୋଟିର ବ୍ୟକ୍ତିତ୍ୱ ଥିଲେ । ପୋଲିସ୍ ବିଭାଗରେ ତାଙ୍କୁ ସମସ୍ତେ ଏକ ସୁଦକ୍ଷ ଅଧିକାରୀଭାବେ ଜାଣିଥିଲେ । ତାଙ୍କର ସୃଜନାତ୍ମକ ପ୍ରତିଭାହେତୁ ତାଙ୍କୁ ସାହିତ୍ୟ ଏକାଡେମୀ ସମ୍ମାନରେ ବିଭୁଷିତ କରାଯାଇଥିଲା ।

ଭିଜିଲାନ୍ସ ନିର୍ଦ୍ଦେଶକ ୟେଶ୍ୱନ୍ତ ଜେଠୱା ଏବଂ ଆଇ.ଜି. ଅସୀତ ପାଣିଗ୍ରାହୀ ଯଥାକ୍ରମେ ଉଦ୍‌ଘାଟନୀ ପର୍ଯ୍ୟାୟରେ ସ୍ୱାଗତ ସମ୍ଭାଷଣ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସମ୍ମିଳନୀଟି ସମୁଦାୟ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟନୀ ପର୍ଯ୍ୟାୟ ପରେ ପରେ ବିଶେଷଜ୍ଞମାନେ ‘ପରବର୍ତ୍ତିତ ସମୟରେ ମୁଖ୍ୟ ଭିଜିଲାନ୍ସ ସେବାର ରୂପରେଖ’, ‘ସତର୍କତା ହୁଇସିଲ-ବାଦନ ସଂସ୍କୃତିର ପ୍ରସାରରେ ଭିଜିଲାନ୍ସ୍ ଅଧିକାରୀମାନଙ୍କ ଭୁମିକା’ ଏବଂ ‘ଦୁର୍ନୀତି ନିବାରଣରେ ଆଧୂନିକ ସୂଚନା-ପ୍ରଯୁକ୍ତିବିଦ୍ୟା ବୈଷୟିକ କୌଶଳ ପ୍ରଯୋଗ’ ଆଦି ବିଷୟରେ ତାଲିମ୍ ଓ ଅନୁପ୍ରେରଣା ଦେଇଥିଲେ । ଶେଷ ପର୍ଯ୍ୟାୟରେ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀ ଏବଂ କନିଷ୍ଠ ଓ ନୂଆ ଭିଜିଲାନ୍ସ୍ ଅଧିକାରୀମାନଙ୍କ ମଧ୍ୟରେ ଅଭିଜ୍ଞତା ଆଦାନ ପ୍ରଦାନ ହୋଇଥିଲା । ୪୧ ଟି ସରକାରୀ ବିଭାଗ, ୮୫ ଟି ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ୩୩ ଟି ସାଧାରଣ ଉଦ୍ୟୋଗରେ କାର୍ଯ୍ୟକରୁଥିବା ମୁଖ୍ୟ ଭିଜିଲାନ୍ସ୍ ଅଧିକାରୀଙ୍କ ସହ ଭିଜିଲାନ୍ସ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସମ୍ମେଳନରେ ଅଂଶ ଗ୍ରହଣ କରିଥିଲେ ।

ଦଲାଲଙ୍କ କବ୍‌ଜାରେ ଭୁବନେଶ୍ୱର ଏମ୍ସ: ୧୫୦୦ ଟଙ୍କାରେ ବିକ୍ରି ହେଉଛି ୧୦ ଟଙ୍କାର ଟିକେଟ୍, ଅଡିଓ ଭାଇରାଲ

ଭୁବନେଶ୍ୱର: ଏମ୍ସ ହସ୍ପିଟାଲ । ମାଗଣାରେ ଡାକ୍ତରଙ୍କ ପରାମର୍ଶ ସହ ଉନ୍ନତ ଚିକିତ୍ସା ସେବା ଯୋଗାଉଥିବା ଜାତୀୟସ୍ତରର ଏକମାତ୍ର ସରକାରୀ ପ୍ରତିଷ୍ଠାନ । ଏଣୁ ପ୍ରତିଦିନ ଦୂରଦୂରାନ୍ତର ରୋଗୀଙ୍କ ଭିଡ଼ ଜମେ ରାଜଧାନୀର ଏହି ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ । ହେଲେ ଦଲାଲଙ୍କ ଦୌରାତ୍ମ ଯୋଗୁଁ ମାଗଣା ସ୍ୱାସ୍ଥ୍ୟସେବା ପ୍ରହସନ ପାଲଟିଛି । ସାଧାରଣ ଓପିଡି ଟିକେଟ ଖଣ୍ଡେ ପାଇଁ ରୋଗୀଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟ କରୁଛନ୍ତି ଦଲାଲ ।

ଦଲାଲ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ଚାଲିଛି ଡିଲ୍ । ମାଗଣା ଓପିଡି ଟିକେଟ ଖଣ୍ଡିଏ ପାଇଁ ଏଭଳି ଲୁଟର ଶିକାର ହେଉଛନ୍ତି ନୀରିହ ରୋଗୀ । ଆଡଭାନ୍ସ ଟଙ୍କା ଦେଲେ ବୁକ୍ ହେଉଛି ଟିକେଟ୍‌ । ଉନ୍ନତ ତଥା ଅତ୍ୟାଧୁନିକ ଚିକିତ୍ସା ସେବା ପାଇଁ କେବଳ ଓଡିଶା କାହିଁକି ପଡୋଶୀ ରାଜ୍ୟର ଲୋକଙ୍କ ଭରସା ଭୁବନେଶ୍ୱର ଏମ୍ସ । ଡାକ୍ତରଖାନାର ସୁପରିଚାଳନା ଓ ସୁରକ୍ଷା ଦୃଷ୍ଟିରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ସୁରକ୍ଷା କର୍ମୀ ଓ ସିସିଟିଭି ଲଗାଯାଇଛି । ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗଇବାକୁ ଓପିଡି ଟିକେଟ ମଧ୍ୟ ମାଗଣା ରଖାଯାଇଛି । ହେଲେ ଲମ୍ବା ଧାଡିରେ ଦୀର୍ଘ ସମୟ ଧରି ଅପେକ୍ଷା କରି ମଧ୍ୟ ଟିକେଟ ଖଣ୍ଡିଏ ସଂଗ୍ରହ କରିବା ରୋଗୀଙ୍କ ପାଇଁ ସମ୍ଭବପର ହେଉନି । ଫଳରେ ଦଲାଲ ହାବୁଡରେ ପଡ଼ି ଲୁଟର ଶିକାର ହେଉଛନ୍ତି ରୋଗୀ । ଏମ୍ସ କର୍ମଚାରୀ ଓ ଦଲାଲଙ୍କ ମିଲିଭଗତରେ ଏଭଳି ଲୁଟତରାଜ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀ ଓ ସମ୍ପର୍କୀୟ ।

ଏମ୍ସରେ ଦଲାଲରାଜ କଥା ସ୍ୱୀକାର କରିଛନ୍ତି ଏମ୍ସ ଅଧିକ୍ଷକ । କହିଛନ୍ତି, ହସ୍ପିଟାଲରେ ନ୍ୟୁରୋଲୋଜି, ନେଫ୍ରୋଲୋଜି ଓ ୟୁରୋଲୋଜି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସିଟ ସଂଖ୍ୟା କମ୍ ରହିଛି । ଫଳରେ ସପ୍ତାହିକ ମାତ୍ର ୩ଦିନ ରୋଗୀସେବା ମିଳିଥାଏ । ରୋଗୀଙ୍କ ସୁବିଧା ପାଇଁ ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ ସଂଗ୍ରହ ସୁବିଧା ରହିଛି । ତେବେ ପୂର୍ବରୁ ୩-୪ଜଣ ଦଲାଲଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଲୋକ ସଚେତନ ନହେଲେ ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା କଷ୍ଟକର ବୋଲି କହିଛନ୍ତି ଏମ୍ସ ଅଧିକ୍ଷକ ।

ଏମ୍ସ ଭଳି ଜାତୀୟସ୍ତରର ଡାକ୍ତରଖାନାକୁ ଦଲାଲରାଜ ନେଇ ଚିନ୍ତା ପ୍ରକଟ କରିଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ନଚେତ ଉନ୍ନତମାନର ଚିକିତ୍ସା ସେବା ତ ଦୂରର କଥା ସାମାନ୍ୟତମ ସେବା ପାଇବା ମଧ୍ୟ ମୁସ୍କିଲ ହୋଇପଡ଼ିବ ।

ପେନସନ ଭୋଗୀଙ୍କ ଜୀବନ ପ୍ରମାଣ ପତ୍ର ଦାଖଲ ଅବଧି ୩୧ ଡିସେମ୍ୱରକୁ ବୃଦ୍ଧି

0

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚାକିରିରୁ ଅବସର ନେଇ ପେନସନ ପାଉଥିବା ବୟସ୍କ ଲୋକମାନଙ୍କ ପାଇଁ ଏକ ଭଲ ଖବର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପେନସନଭୋଗୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଜୀବନ ପ୍ରମାଣପତ୍ର ବା ଲାଇଫ ସାର୍ଟିଫିକେଟ ଦାଖଲ ମିଆଦକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସାଧାରଣତଃ ରାଜ୍ୟ ସରକାରଙ୍କଠାରୁ ପେନସନ ପାଉଥିବା ବୟସ୍କ ବ୍ୟକ୍ତିମାନଙ୍କୁ ପ୍ରତିବର୍ଷ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । ଯଦି କୌଣସି ପେନସନଭୋଗୀ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ଦିଅନ୍ତି ନାହିଁ, ତେବେ ଡିସେମ୍ବରଠାରୁ ତାଙ୍କର ପେନସନ ବନ୍ଦ ହୋଇଯାଏ । ପରେ ସେ ଜୀବନ ପ୍ରମାଣପତ୍ର ଦାଖଲ କଲେ ତାଙ୍କ ପେନସନ ପୁଣି ଆରମ୍ଭ ହୁଏ ।

କିନ୍ତୁ ଏବର୍ଷ ରାଜ୍ୟରେ କରୋନା ମହାମାରୀ ପ୍ରଭାବ ଅଳ୍ପେ ବହୁତ ଥିବାରୁ ଓ ବୟସ୍କ ଲୋକମାନଙ୍କ ପ୍ରତି ବିପଦ ଆଶଙ୍କା ଅଧିକ ଥିବାରୁ ସରକାର ଏହି ମିଆଦକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ନିୟମ ରାଜ୍ୟ ସରକାରଙ୍କ ସମସ୍ତ ପେନସନ୍ ଭୋଗୀ କର୍ମଚାରୀ ଏବଂ ତାଙ୍କ ପରିବାରର ପେନସନ ଭୋଗୀ ସଦସ୍ୟଙ୍କ ପାଇଁ ଲାଗୁ ।

ଏଥିସହିତ ପଢ଼ନ୍ତୁ: ଜୀବନ ବଞ୍ଚାଉଛି BSKY ସ୍ମାର୍ଟ କାର୍ଡ: ହୃଦରୋଗର ନିଶୁଳ୍କ ଚିକିତ୍ସା କରାଇଲେ ସୋରର ଉମାକାନ୍ତ

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ: ମୋଟ ୧୦୭୮ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର/ଯାଜପୁର: ଅଗଷ୍ଟ ମାସରେ ହିଞ୍ଜିଳିକାଟୁରେ ଆରମ୍ଭ ହୋଇଥିବା ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପର୍ବ ଆଜି ଯାଜପୁର ବିରଜା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ସାଂକୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶନ ମଧ୍ୟରେ ଶେଷ ହୋଇଛି । ପ୍ରଥମ ପର୍ଯାୟରେ ସାରା ରାଜ୍ୟର ୩୦ଟି ଜିଲ୍ଲାରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବିଜୁ ବାବୁଙ୍କ ଜୟନ୍ତୀ ୨୦୨୨ ମାର୍ଚ୍ଚ ସୁଦ୍ଧା ୩୩୦୦ ସ୍କୁଲର ରୂପାନ୍ତରଣ ଲକ୍ଷ୍ୟ ରଖାଯାଇଛି ।

ଆଜି କୋରାପୁଟ, ଗଜପତି, ଢେଙ୍କାନାଳ, ଅନୁଗୁଳ ବରଗଡ ଓ ଯାଜପୁର ଜିଲ୍ଲାର ୨୪୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପିଲାମାନେ ଦେଖିଥିବା ସ୍ୱପ୍ନକୁ ସାକାର କରିବାରେ ସହଯୋଗ କରିବା ହେଉଛି ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ଏବଂ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ହେଉଛି ଏ ଦିଗରେ ସମସ୍ତଙ୍କର ମିଳିତ ସହଯୋଗର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହି ଅବସରରେ ସମବେତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନରେ  ସ୍ୱପ୍ନ ହିଁ ଆଗକୁ ବାଟ ଦେଖାଇଥାଏ । ବଡ଼ ବଡ଼ ସ୍ୱପ୍ନ ଦେଖିବା ସହିତ ତାକୁ ପୂରଣ କରିବା ପାଇଁ ଅହରହ ଚେଷ୍ଟା ଜାରି ରଖିବା ହେଉଛି ଜୀବନର ସାର୍ଥକତା । ଏହି ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ଆହ୍ୱାନକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ  ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୂରା  ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ ।

ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ୫-ଟି ନୀତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର 5-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି– ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ ।

ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୫ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି ।

ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା ଓ ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ କହିଥିଲେ। କୋରାପୁଟର ତପସ୍ବିନୀ ମହାପାତ୍ର, ଗଜପତିରି ମର୍ଣ୍ଣିକା ରାଇତା, ଢେଙ୍କାନାଳର ଶୁଭସ୍ମିତା ସାହୁ, ଅନୁଗୁଳର ଶ୍ରେୟାଂସା ପ୍ରଧାନ, ବରଗଡର ସ୍ମୃତିରେଖା ସାହୁ ଓ ଯାଜପୁରର ରଶ୍ମିରେଖା ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କୁଲ ରୂପାନ୍ତରଣ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛି ଏବଂ ସରକାରୀ ସ୍କୁଲରେ ପାଠ ପଢିବାର ଗୌରବ ଆଜି ଆମେ ଅନୁଭବ କରୁଛୁ । ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ପନ୍ଦର ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଓ ସାଂସଦ ଶ୍ରୀ ମହେଶ ସହୁ ପ୍ରମୁଖ ଉଦ୍‌ବୋଧନ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ ଏବଂ ଏହା ପିଲାମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ।

କାର୍ଯ୍ୟକ୍ରମ ସଂଞ୍ଚାଳନ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ହୋଇଥିବାରୁ ଏଥିସହ ସଂଶ୍ଳିଷ୍ଟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ୨୦୨୨ ମାର୍ଚ୍ଚ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟରେ ୩୩୦୦ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ସ୍କୁଲର ବିକାଶ ସହ ସଶ୍ଲିଷ୍ଟ ଥିବା ୯୦୦୦ ବ୍ୟକ୍ତି ବିଶେଷଙ୍କ ସହିତ ୭୦୦୦ ମିନିଟ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଆଲୋଚନା କରି ଯୋଜନାକୁ ଚୂଡାନ୍ତ ରୂପ ଦେଇଥିଲେ ।

ସ୍କୁଲର ପୁରାତନ ଛାତ୍ର ଭାବରେ ଯାଜପାରରେ ବିରଜା ହାଇସ୍କୁଲରେ ଉପସ୍ଥିତ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ଘଡାଇ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ଏକ ଐତିହାସିକ ଉଦ୍ୟମ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏହାସ ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଓ କାର୍ଯ୍ୟକୁ ସୁନ୍ଦର ଭାବରେ ଆଗେଇ ନେଇଥିବା ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଏକ ସମୃଦ୍ଧ ଓଡିଶାର ସ୍ବପ୍ନକୁ ସାକାର କରିବ ବୋଲି ମତପୋଷଣ କରିଥିଲେ ।

ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ଓ ଆଇପିଏସ୍‌ ହୋଇଥିବା ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରି ଧଳ ଏବଂ ଗୁଇନ୍ଦା ବିଭାଗର ଡିଆଇଜି ଅନୂପ ସାହୁ ସେମାନଙ୍କ ସ୍କୁଲ ଜୀବନର ଅନୁଭୂତି ବଖାଣିବା ସହିତ ଦୃଢ ସଂକଳ୍ପ, ଉଚ୍ଚାକାଂକ୍ଷା ଓ କଠିନ ପରିଶ୍ରମ ଦ୍ୱାରା ହିଁ ଜୀବନରେ ସଫଳତା ହାସଲ କରାଯାଇପାରେ ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫-ଟି ସ୍କୁଲ ରୂପାନ୍ତରଣ ଉପରେ ଟାସ୍କ ଫୋର୍ସ ରେକମେଣ୍ଡେସନ୍ ନାେଲେଜ ପେପର ଉନ୍ମୋଚନ କରିଥିଲେ । ଏଥିରେ ରୂପାନ୍ତରିତ ସ୍କୁଲ ମାନଙ୍କର ରକ୍ଷଣାବେକ୍ଷଣ ଓ ପରିଚାଳନା ସଂପର୍କରେ ବିଶେଷ ନିର୍ଦ୍ଦେଶାବଳୀ ସନ୍ନିବେଶିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଉପ ବାଚସ୍ପତିଙ୍କ ସମେତ ବିଭିନ୍ନ ଜିଲ୍ଲାର ବିଧାୟକଗଣ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ । ଉନ୍ନୟନ କମିଶନର  ପ୍ରଦୀପ ଜେନା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ  ସତ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।