୨୧୦ ରନ୍‌ରେ ସୀମିତ ଦକ୍ଷିଣ ଆଫ୍ରିକା: ୭୦ରନ୍‌ରେ ଆଗୁଆ ଭାରତ

କେପ୍ ଟାଉନ୍: ଦମ୍ ଦେଖାଇଲେ ଭାରତୀୟ ବୋଲର । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଦ୍ୱିତୀୟ ଦିବସରେ ଭାରତୀୟ ବୋଲରଙ୍କ ଶାଣିତ ଓ ଶୃଙ୍ଖଳିତ ବୋଲିଂ ଫଳରେ ୨୧୦ ରନ୍‌ରେ ସୀମିତ ରହିଛି ଆୟୋଜକ ଦଳ । ଯଶପ୍ରୀତ ବୁମ୍‌ରା ସର୍ବାଧିକ ୫ ୱିକେଟ୍ ହାସଲ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦୁଇ ଓପ୍ନରଙ୍କୁ ହରାଇଛି ଏବଂ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୫୭ ରନ୍ କରିଛି। ଫଳରେ ଭାରତ ମୋଟ ୭୦ ରନରେ ଆଗୁଆ ରହିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଧିନାୟକ ବିରାଟ୍ କୋହଲି ୧୪ ଓ ଚେତେଶ୍ୱର ପୂଜାରା ୯ ରନ୍ କରି ଅପରାଜିତ ରହିଛନ୍ତି।

Image

ପ୍ରଥମ ଇନିଂସରେ ୧୩ ରନରେ ଆଗୁଆ ଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା।  ଦୁଇ ଓପ୍ନର ମୟଙ୍କ ଅଗ୍ରୱାଲ୍ (୧୦) ଓ ଲୋକେଶ ରାହୁଲ (୭) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ତେବେ କୋହଲି ଓ ପୂଜାରା ଅଭିଜ୍ଞତାର ଫାଇଦା ଉଠାଇଥିଲେ ଏବଂ ଦଳକୁ ଆଉ କ୍ଷତି ହେବାକୁ ଦେଇନାହାନ୍ତି। ଦୁହେଁ ତୃତୀୟ ୱିକେଟ୍ ପାଇଁ ୩୩ ରନର ଭାଗିଦାରୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ଓ କାଗିସୋ ରବାଡା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

 ୧୭/୧ରୁ ଦକ୍ଷିଣ ଆଫ୍ରିକା ଦଳ ନିଜର ଖେଳ ଆରମ୍ଭ କରିଥିଲା। ଦଳ ପକ୍ଷରୁ କୀଗାନ ପିଟରସନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଓପ୍ନର ଏଡେନ୍ ମାର୍କରମ ୮ ରନ୍ କରି ବୁମ୍‌ରାଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିବା ବେଳେ ନାଇଟ୍ ୱାଚ୍ ମ୍ୟାଚ୍ ଭାବେ ଆସିଥିବା କେଶବ ମହାରାଜ ୨୫ ରନ୍ କରି ଉମେଶ ଯାଦବଙ୍କ ଶିକାର ହୋଇଥିଲେ। କେବେ ପିଟରସନ୍ ଓ ରାସି ଭାନ୍ ଡର୍ ଡୁସେନ୍ ଚତୁର୍ଥ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ଡୁସେନ୍ ପୁଣିଥରେ ନିରାଶ କରି ମାତ୍ର ୨୧ ରନରେ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ବୁମ୍‌ରା ସର୍ବାଧିକ ୫ ଓ୍ୱିକେଟ ନେଇଥିବା ବେଳେ ଉମେଶ ଓ ମହମ୍ମଦ ଶାମି ୨ଟି ଲେଖାଏ ୱିକେଟ୍ ଓ ଶ୍ରାଦ୍ଧୁଳ ଠାକୁର ଗୋଟିଏ ଓ୍ୱିକେଟ ନେଇଥିଲେ । ତେବେ ଆର ଅଶ୍ୱିନ କେବଳ ୯ ଓଭର ବୋଲିଂ କରିଥିବା ବେଳେ କୌଣସି ଓ୍ୱିକେଟ ହାସଲ କରିନାହାନ୍ତି ।

Leave a Reply