ISROର ନୂଆ ମୁଖ୍ୟ ହେବେ ଏସ. ସୋମନାଥ

1 min read

ନୂଆଦିଲ୍ଲୀ: ISROକୁ ମିଳିଲା ନୂଆ ମୁଖ୍ୟ । କେ. ଶିବନଙ୍କ ସ୍ଥାନରେ ଏସ. ସୋମନାଥ ହୋଇଛନ୍ତି ନୂଆ ISRO ମୁଖ୍ୟ । ଜାନୁଆରୀ ୧୪ରେ କେ. ଶିବନଙ୍କ କାର୍ଯ୍ୟକାଳ ଶେଷ ହେବ । ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର (VSSC) ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍‌. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO)ର ନୂଆ ମୁଖ୍ୟ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । VSSC ପୂର୍ବରୁ ଏସ. ସୋମନାଥ ଥିରୁଓ୍ବନନ୍ତପୁରମ ସ୍ଥିତ ଲିକ୍ୱଡ୍ ପ୍ରୋପଲ୍ସେନ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ରହିଥିଲେ । VSSC ନିର୍ଦ୍ଦେଶକ ଏସ୍‌ ସୋମନାଥଙ୍କୁ ଦେଶର ଜଣେ ବିଚକ୍ଷଣ ଟେକ୍ନୋଲୋଜିଷ୍ଟ ଏବଂ ଏରୋସ୍ପେସ୍‌ ଇଞ୍ଜିନିୟର ଭାବେ ଗଣାଯାଏ ।

ଇସ୍ରୋର ରକେଟ୍‌ ବିକାଶ ପାଇଁ ତାଙ୍କ ଭୂମିକା ଅତୁଳନୀୟ । ସେ ଲଞ୍ଚ ଡିଜାଇନିଂରେ ବିଶେଷ ରୁଚି ରଖିଛନ୍ତି । କେବଳ ସେତିକି ନୁହେଁ ଏସ୍‌. ସୋମନାଥ ଲଞ୍ଚ ସିଷ୍ଟମ୍‌ ଇଞ୍ଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ୍‌, ଷ୍ଟ୍ରକଚରାଲ ଡାୟନେମକ୍ସ ଏବଂ ପାଇରୋଟେକନିକ୍ସ ଏକ୍ସପର୍ଟ ।

କ୍ୟାରିଅରର ଆରମ୍ଭରେ ପିଏସ୍‌ଏଲଭି ସାଟେଲାଇଟ୍‌ ଲଞ୍ଚିଂରେ ସେ ଥିଲେ ଟିମ୍ ଲିଡ଼ର । ଦୃଢ ଇଚ୍ଛା ଶକ୍ତି ଯେ ଅସମ୍ଭବକୁ ସମ୍ଭବ କରିପାରେ ତାହା ପ୍ରମାଣ କରିଛନ୍ତି ଏସ୍ ସୋମନାଥ । ଜୁଲାଇ ୧୯୬୩ରେ ଜନ୍ମଗ୍ରହଣ କରିଥିଲେ ଏସ. ସୋମନାଥ । କେରଳ ବିଶ୍ବବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଆଇଆଇଏସସିରେ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଜି ପରେ ବେଙ୍ଗାଳୁରୁରେ ପାଇଥିଲେ ଗୋଲ୍ଡ ମେଡାଲ୍ । ୨୦୧୪ରେ ISRO ପକ୍ଷରୁ ପରଫରମାନ୍ସ ଏକ୍ସଲେନ୍ସ ସମ୍ମାନ ପାଇଥିଲେ ସେ ।

Leave a Reply