spot_img
Home Blog Page 4854

ଶୀତ ଅଧିବେଶ ପୂର୍ବରୁ ଛାୟା ବିଧାନସଭା: ପିଲାଙ୍କ ବିଧାନସଭା ପରିଚାଳନା ଦେଖି ଅଭିଭୂତ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ ପାରିତ ହୋଇଛି ଶିଶୁ ଶ୍ରମ ନିରୋଧ ଆଇନ୍-୨୦୨୧ । ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ଆଗତ କରିଥିବା ବିଲ୍‌ଟି ବହୁ ମତରେ ପାରିତ ହୋଇଛି । ବିଲ୍ ପାରିତ ସମୟରେ ଶାସକଦଳ ଟେବୁଲ ବାଡ଼େଇ ସ୍ୱାଗତ କରିଛନ୍ତି । ଏଥିସହିତ ପ୍ରଶ୍ନୋତ୍ତର, ଶୂନ୍ୟକାଳ, ମୁଲତବି ପ୍ରସ୍ତାବ ଉପରେ ବି ଆଲୋଚନା ହୋଇଛି । ରାଜ୍ୟପାଳ ଗୃହରେ ତାଙ୍କର ଅଭିଭାଷଣ ରଖିଥିବା ବେଳେ ୨୦୨୧-୨୨ ବଜେଟ ବି ଗୃହରେ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀମାନେ ଗୃହରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଥିବା ବେଳେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇଛନ୍ତି ।

ତେବେ ଏହି ସବୁ ଦୃଶ୍ୟ ରାଜ୍ୟ ବିଧାନସଭା ନୁହେଁ ବରଂ ଛାୟା ବିଧାନସଭାରେ ଦେଖିବାକୁ ମିଳିଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ୟୁନିସେଫର ମିଳିତ ପ୍ରୟାସରେ ଆୟୋଜିତ ଏହି ଛାୟା ଅଧିବେଶନ ଅସଲ ବିଧାନସଭାର ଭ୍ରମ ସୃଷ୍ଟି କରିଥିଲା ।  ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର ପୁରାତନ ସୌଧରେ ଆୟୋଜିତ ଏହି ଛାୟା ବିଧାନସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର, ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ୍ କାନୁନ୍‌ଗୋ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍) ସମ୍ପାଦକ ରଞ୍ଜନ ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ୟୁନିସେଫର ଶିଶୁ ସୁରକ୍ଷା ଅଧିକାରୀ ନେହା ନାଇଡୁ, ଆକ୍ସନ ଏଡ୍‌ର ଘାଷିରାମ ପଣ୍ଡା ।

ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ, ସ୍ୱର୍ଣ୍ଣପଦକପ୍ରାପ୍ତ ଭାରୋତ୍ତଳନକାରୀ କେ. ରବିକୁମାର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିଶୁମାନେ ଉପସ୍ଥିତ ଥିଲେ । ସୋମବାର ଅନୁଷ୍ଠିତ ଏହି ଛାୟା ବିଧାନସଭାରେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇ ପାରିତ ହୋଇଥିଲା । ପରେ ପରେ ପ୍ରଶ୍ନୋତ୍ତର, ଶୂନ୍ୟକାଳ ଆୟୋଜିତ ହୋଇଥିବା ବେଳେ ୨୦୨୧-୨୨ ବର୍ଷ ପାଇଁ ବଜେଟ ଆଗତ ହୋଇ ଗୃହର ଅନୁମୋଦନ ଲାଭ କରିଥିଲା । ଏଥିସହିତ ଗୃହରେ ବିଭାଗୀୟ ମନ୍ତ୍ରୀ ଶିଶୁ ଅଧିକାର ସୁରକ୍ଷା ବିଲ୍ ଆଗତ କରିଥିଲେ । ଏହା ଉପରେ ବିସ୍ତୃତ ଆଲୋଚନା ପରେ ବହୁମତରେ ତାହା ପାରିତ ହୋଇଥିଲା । ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ଓ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଛାୟା ବିଧାନସଭାରେ ରାଜ୍ୟପାଳ ଭାବେ ଚିନ୍ମୟୀ ବେହେରା, ମୁଖ୍ୟମନ୍ତ୍ରୀ ଭାବେ ପ୍ରୀତିଶ କୁମାର ସୁବୁଦ୍ଧି, ବାଚସ୍ପତିଭାବେ ଶ୍ରଦ୍ଧାଞ୍ଜଳି ଖଟାଇ, ବିରୋଧିଦଳ ନେତା ଭାବେ ନିକି ପାଟ୍ଟଶାଣୀ, ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସୌମ୍ୟ ରଞ୍ଜନ ପାତ୍ର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଶତଭିସାଦାସ, ଶିକ୍ଷାମନ୍ତ୍ରୀ ଭାବେ ସାଗରିକା ପାଟ୍ଟଶାଣୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ପଦ୍ମାବତୀ ଭଟ୍ଟ, ଅର୍ଥମନ୍ତ୍ରୀ ଭାବେ ବବିତା ମିଙ୍ଗ୍, ବିଧାନସଭାର ସଚିବଭାବେ ଶୁଭସ୍ମିତା ବେହେରା, ମୁଖ୍ୟ ସଚେତକ ଭାବେ ଶୁଭଶ୍ରୀ ପ୍ରଧାନ, ଉପମୁଖ୍ୟ ସଚେତକ ଭାବେ ମହେଶ୍ୱର ବେହେରା, ବିଧାୟକ ଭାବେ ସସ୍ମିତା ଭୋଇ, ସ୍ୱର୍ଣ୍ଣପ୍ରଭା ବେହେରା, ଲିଜା ବେହେରା, ଲିଜାରାଣୀ ପ୍ରଧାନ, ତିଷ୍ଣା କିରଣ, ସ୍ଥିତିପ୍ରଜ୍ଞା , ଅର୍ପିତା ବାରିକ  , ଏଡିସି ଭାବେ ତ୍ରିନାଥ  ବେହେରା, ମାର୍ଶାଲ ଭାବେ ସୌମ୍ୟ ରଞ୍ଜନ ସିଂହ ନିଖୁଣ ପ୍ରଦର୍ଶନ କରିଥିଲେ ।

ଛାୟା ବିଧାନସଭା ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ହେବା ସହିତ ଆଗାମୀ ଦିନରେ ଜଣେ ଜଣେ ଦକ୍ଷ ରାଜନେତା ହୋଇ ବାହାରିବେ ବୋଲି ବାଚସ୍ପତି ତାଙ୍କ ଅଭିଭାଷଣରେ କହିଥିଲେ । ପିଲାଙ୍କ ଏଭଳି ଚମତ୍କାର ବିଧାନସଭା ପରିଚାଳନା ଦେଖି ବାଚସ୍ପତିଙ୍କ ସମେତ ଉପସ୍ଥିତ ଲୋକପ୍ରତିନିଧିମାନେ ସେମାନଙ୍କ ଭୂୟସୀ ପ୍ରଶଂସା କରିଥିଲେ ।

ଅମଳ ବେଳକୁ ବାତ୍ୟା ଭୟ: ଆତଙ୍କିତ ଚାଷୀ କୂଳ, କଞ୍ଚା ଧାନକୁ କାଟି ନେଲେ

ଭଦ୍ରକ/ଗଜପତି: ବର୍ଷା ଶେଷରେ ବାତ୍ୟା ଭୟ । ଡିସେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟା ‘ଜଓ୍ୱାଦ’ ଦେଖାଇପାରେ ତାର ନାଲିଆଖି । ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପାଣିପାଗ ବିଭାଗର ଏହି ଆକଳନ ପରେ ଚିନ୍ତାରେ ଚାଷୀ । କରୋନା ପାଇଁ କ୍ଷତି ସହିଥିବା ଚାଷୀ ଏବେ ଅମଳ ସମୟରେ ବାତ୍ୟା ଆଶଂକା ଚାଷୀଙ୍କୁ ଆତଙ୍କିତ କରିଛି ।

ଡିସେମ୍ବରରେ ଡରାଇଲା ବାତ୍ୟା । ତାଣ୍ଡବ ରଚିବ ସାମୁଦ୍ରିକ ଝଡ ‘ଜଓ୍ୱାଦ’ । ପ୍ରଭାବରେ ହୋଇପାରେ ପ୍ରବଳ ବର୍ଷା । ପାଣିପାଗ ବିଭାଗର ଏପରି ଆକଳନ ପରେ ଆତଙ୍କିତ ଚାଷୀକୂଳ । କରୋନା କ୍ଷତି ଭରଣା ନହେଉଣୁ ଏବେ ଅମଳ ଋତୁରେ ବାତ୍ୟା ଆସିବା ନେଇ ପୂର୍ବାନୁମାନ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜମିରେ ଧାନ ପାଚିଲା ବେଳକୁ ବର୍ଷା ଦାଉ ସାଧିବ । ତେଣୁ ଭଦ୍ରକ ଜିଲ୍ଲାରେ ତରତର ହୋଇ କଞ୍ଚା ଧାନକୁ କାଟି ନେଉଛନ୍ତି ଚାଷୀ । ଅଦିନରେ ଧାନ କାଟିଲେ ଧାନ ଅଗାଡି ହୋଇଯିବ ଜାଣିବା ପରେ ବି ବର୍ଷା ଭୟରେ ନାଚାର ଥିବା କହଛନ୍ତି ଚାଷୀ ।

ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖରିଫ ଧାନଚାଷ ପ୍ରଭାବିତ ହୋଇଛି । ଧାନ ଭିଜିବା ଫଳରେ ଧାନର ମାନ କମି ବିଶେଷ କ୍ଷତି ହୋଇଛି । ତେଣୁ ସ୍ୱତନ୍ତ୍ର ଟିମ୍ ଚାଷଜମି ପରିଦର୍ଶନ କରି କ୍ଷତିର ପରିମାଣ ଆକଳନ କରିବା ଏକର ପିଛା ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ । ଏହାସହ ଡିସେମ୍ବର ୨୭ ତାରିଖ ପରିବର୍ତ୍ତେ କିଛି ଦିନ ଆଗରୁ ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ଚାଷୀ । ଅଦିନିଆ ବର୍ଷା, ରୋଗ ପୋକ ଚାଷକୁ ପ୍ରଭାବିତ କରିଥିବାବେଳେ ଏବେ ବାତ୍ୟା ‘ଜଓ୍ୱାଦ’ ଆଶଂକା ଚାଷୀକୂଳକୁ ହତାସ କରିଛି ।

ଏଥିସହିତ ପଢ଼ନ୍ତୁ: ବଡ଼ ଠକଙ୍କ ଫଟୋ ଜାରି କଲା EOW, ସୂଚନା ଦେଲେ ଗୋପନ ରହିବ ପରିଚୟ

ଡିସେମ୍ୱର ମାସରେ ରାଜ୍ୟରେ ଲଗାଣ ବର୍ଷା ଆଶଙ୍କା: ୮୫ ପ୍ରତିଶତ ପାଚି ଯାଇଥିବା ଧାନକୁ କାଟି ନେବାକୁ ପରାମର୍ଶ

0

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ଡିସେମ୍ବର ୨ ରୁ ୩ ତାରିଖ ମଧ୍ୟରେ ଲଗାଣ ବର୍ଷା ଆଶଙ୍କା ରହିଛି । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ପରାମର୍ଶ ଜାରି କରାଯାଇଛି ।

ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ଅମଳ ହେବା ପୂର୍ବରୁ ଏବଂ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ ।

ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମୁଡା ସାଇହାଲୋଥ୍ରୋନ କିମ୍ବା ୨ମି.ଲି. ହିସାବରେ (କ୍ଲୋରୋପାଇରିଫସ +ସାଇପରମେଥୁନ) ସିଂଚନ କରନ୍ତୁ । ଏହା ସହିତ ହୁଡା ଚାରିପଟେ ମାଲାଥୁଅନ ୫ଡିକୁ ଏକର ପ୍ରତି ୧୦ କି.ଗ୍ରା. ହିସାବରେ ଛିଞ୍ଚି ବିଷ ବଳୟ ସୃଷ୍ଟି କରନ୍ତୁ ।

ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । ବର୍ତମାନ ମୂଳା, ବିନସ, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ/ତୋଳି ବିକ୍ରୟ କରନ୍ତୁ ।

ବାଇଗଣ, ବିଲାତି ବାଇଗଣ,ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି ଓ କାପସିକମ ଆଦି ଫସଲର ତଳି ଘେରାରେ ଧଳା ଜରି ଓ ବାଉଁଶ ଢେରା ଦେଇ ଘୋଡାଇ ବର୍ଷା ଦାଉରୁ ରକ୍ଷା କରନ୍ତୁ । ପନିପରିବା ଫସଲ ଛୋଟ ଅବସ୍ଥାରେ ଥିଲେ ଓ ବର୍ଷା ହେତୁ ଗଛର ପତ୍ର ମାଟିରେ ପୋତି ହୋଇଥିଲେ ପତ୍ର ଗୁଡିକୁ ଛିଣ୍ଡାଇ ଦିଅନ୍ତୁ ।

ବର୍ଷା ପରେ ପନିପରିବା ଫସଲରେ ମୂଳସଢା ଓ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥିବାରୁ ବର୍ଷା ଛାଡିଗଲା ପରେ ପ୍ରତି ୧୦ ଲିଟର ପାଣିରେ ୧.୫ ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ ଓ ୨୦ଗ୍ରାମ (ମେଟାଲିକ୍ସିଲ + ମାଙ୍କୋଜେବ) ମିଶାଇ ଫସଲର ମୂଳ ଭାଗକୁ ସିଂଚନ କରନ୍ତୁ । ବିଲାତି ବାଇଗଣ ଓ କୋବି ଜାତୀୟ ଫସଲରେ ଧୂଆଁପତ୍ର ଗୋଟିପୋକ ଲାଗିବାର ସମ୍ଭାବନା ଥିବାରୁ ଏକର ପ୍ରତି ୮୦ ଗ୍ରାମ ଇମାମେକ୍ଟିନ ବେଞ୍ଜୋଏଟ କିମ୍ବା ୩୦୦ ମି.ଲି. ଲାମୁଡା ସାଇହାଲୋଥ୍ରୋନ କୀଟନାଶକ ଔଷଧକୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରିବାକୁ ପରାମର୍ଶ ।

ଖବର କାଗଜ ବିତରକ ସଂଘ ସହ ୫-ଟି ସଚିବଙ୍କ ଆଲୋଚନା: ନିର୍ମାଣ ଶ୍ରମିକଙ୍କ ପରି ମାନ୍ୟତା ପ୍ରଦାନ ନେଇ ହକ୍‌ରଙ୍କ ଦାବି

ଭୁବନେଶ୍ୱର:  ସୋମବାର ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଇଥିଲେ ରାଜ୍ୟ ଖବରକାଗଜ ବିକ୍ରେତ ସଂଘ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ହକରମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ । ହକରଙ୍କୁ ନିର୍ମାଣ ଶ୍ରମିକଙ୍କ ପରି ମାନ୍ୟତା ସହ ବର୍ଷାରୁ ଖବରକାଗଜର ସୁରକ୍ଷା ପାଇଁ ସେଡର ଦାବି କରିଥିଲା ସଂଘ । କୋଭିଡ ପାଇଁ ଦୁଇ ବର୍ଷରୁ ଭୋଗୁଥିବା ଦୁର୍ଦ୍ଦଶାର ସମାଧାନର ଦିଗରେ ମଧ୍ୟ ଆଲୋଚନା ହୋଇଛି । ଏଥିପାଇଁ ଆବାସ ଯୋଜନାରେ ବାସଗୃହ, ସାମାଜିକ ନିରାପତ୍ତା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ଦିଗରେ ବି ଆଲୋକପାତ ହୋଇଛି । ଖୁବ୍ ଶୀଘ୍ର ହକରମାନଙ୍କ ଦାବି ଉପରେ ନିଷ୍ପତ୍ତି ହେବା ୫-ଟି ସଚିବ ହକର ସଂଘକୁ ଆଶ୍ୱାସନା ଦେଇଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଜୀବନ ବଞ୍ଚାଉଛି BSKY ସ୍ମାର୍ଟ କାର୍ଡ: ହୃଦରୋଗର ନିଶୁଳ୍କ ଚିକିତ୍ସା କରାଇଲେ ସୋରର ଉମାକାନ୍ତ

ଜୀବନ ବଞ୍ଚାଉଛି BSKY ସ୍ମାର୍ଟ କାର୍ଡ: ହୃଦରୋଗର ନିଶୁଳ୍କ ଚିକିତ୍ସା କରାଇଲେ ସୋରର ଉମାକାନ୍ତ

ସୋର: ଜୀବନ ଦେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ । ଚିକିତ୍ସା ପାଇଁ ଆଉ କାହା ନିକଟରେ ହାତ ପତାଇବାକୁ ପଡ଼ୁନି । ନା ଜମିବାଡି ବିକ୍ରି ହେଉଛି ନା ଘର ବନ୍ଧା ପଡ଼ିବାର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ଏହି ଯୋଜନା ଏବେ ଅଭାବୀ ଲୋକଙ୍କ ପାଇଁ ସାଜିଛି ସଞ୍ଜୀବନୀ । ଏହି ଯୋଜନା ବଳରେ ସ୍ୱାମୀଙ୍କୁ ସୁସ୍ଥ କରି ପାରିଛନ୍ତି ବାଲେଶ୍ୱର ଜିଲ୍ଲା ବାରାଯୋଡ଼ି ଗାଁର ଅହଲ୍ୟା । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି କୃତଜ୍ଞତା ।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ବାରାଯୋଡି ଗାଁର ଉମାକାନ୍ତ ମଲ୍ଲିକ । ଦିନ ମଜୁରିଆ ଉମାଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ଝିଅ । ଅଭାବୀ ପରିବାରକୁ ରୋଗ ସାଜିଥିଲା ଦାଉ । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ପରେ କଟକ ମେଡିକାଲରେ ଯାଞ୍ଚ କରି ହାର୍ଟରେ ବ୍ଲକେଜ ଥିବା ଜାଣିବାକୁ ପାଇଥିଲେ । ଅପରେସନ ପାଇଁ ଆବଶ୍ୟକ ଥିଲା ୨ ଲକ୍ଷ ଟଙ୍କା । ଶୁଣିବା ପରେ ସ୍ତ୍ରୀ ଅହଲ୍ୟାଙ୍କ ମୁଣ୍ଡରେ ଚଡକ ପଡିଥିଲା । ଉମା ରୋଗରେ ପଡ଼ିବା ପରେ ଝିଅର ପାଠପଢା ବି ବନ୍ଦ ହୋଇଗଲା । ହେଲେ ଏହି ଅଭାବୀ ପରିବାରକୁ ବରଦାନ ସାଜିଲା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା BSKY ସ୍ମାର୍ଟ କାର୍ଡ । ଆଜି ଏହି କାର୍ଡ ବଳରେ ଉମା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିପାଇଁ ଲୋତକପୂର୍ଣ୍ଣ ଆଖିରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅହଲ୍ୟା ।

ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ମାଗଣାରେ ହୋଇଛି ଉମାଙ୍କ ଅପରେସନ । ଏଥିପାଇଁ ଏକଲକ୍ଷ ୯୭ ହଜାର ଟଙ୍କା ଯୋଗାଇଛି BSKY କାର୍ଡ । ଏହି ଯୋଜନା ଏବେ ଖାଲି ଉମା ନୁହନ୍ତି ଜିଲ୍ଲାର ସବୁ ଅଭାବୀ ପରିବାର ପାଇଁ ସଞ୍ଜୀବନୀ ସାଜିଥିବା କହିଛନ୍ତି ମନ୍ତ୍ରୀ । BSKY ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ସବୁ ଗରିବ ପରିବାର ।

ଏଥିସହିତ ପଢ଼ନ୍ତୁ: ବିଷ୍ଣୁଙ୍କ ବିତଣ୍ଡା ଯୁକ୍ତି, ଦରଦାମ ବଢ଼ିଲେ ସମସ୍ୟା କ’ଣ ? 

ନିଶ୍ଚିତ ବିଜୟରୁ ବଞ୍ଚିତ ଭାରତ: ଅମୀମାଂସିତ ରହିଲା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ କାନପୁର ଟେଷ୍ଟ

କାନପୁର: ଅୀମାମାଂସିତ ରହିଲା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ । ନଶ୍ଚିତ ବିଜୟରୁ ବର୍ତ୍ତିଗଲା ଭାରତ । ଭାରତୀୟ ସ୍ପିନରଙ୍କ ଚମତ୍କାର ବୋଲିଂ ସତ୍ତ୍ୱେ ବିଜୟରୁ ବଞ୍ଚିତ ହୋଇଛି ଭାରତ । ବିଶେଷକରି ମ୍ୟାଚ୍ ଶେଷ ଆଡ଼କୁ କିୱି ଟିମର ଲଢ଼ୁଆ ବ୍ୟାଟିଂ ଯୋଗୁଁ ମ୍ୟାଚ୍ ଅମୀମାଂସିତ ରଖିବାରେ ସଫଳ ହୋଇଛି ନ୍ୟୁଜିଲ୍ୟାଣ୍ଡ । ଦ୍ୱିତୀୟ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ଦଳ ୨୮୪ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଏକ ସମୟରେ ୨ ୱିକେଟ୍‌ ହରାଇ ୧୧୮ ରନ୍ କରି ଭଲ ସ୍ଥିତିରେ ଥିଲା। କିନ୍ତୁ ଜାଡେଜା ଓ ଅଶ୍ୱିନଙ୍କ ଯୋଡ଼ି ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ହେଲେ ନ୍ୟୁଜିଲ୍ୟାଣ୍ଡର ଶେଷ ଯୋଡ଼ି ରଚିନ୍ ରବୀନ୍ଦ୍ର ଓ ଏଜାଜ ପଟେଲ ୮.୪ ଓଭର ବ୍ୟାଟିଂ କରି ମ୍ୟାଚକୁ ଡ୍ର’ କରି ଭାରତ ମୁଠାରୁ ନିଶ୍ଚିତ ବିଜୟ ଛଡ଼ାଇ ନେଇଛନ୍ତି। ଏବେ ମ୍ୟାଚ୍ ଡ୍ର’ ରହିବା ଦ୍ୱାରା ମୁମ୍ବାଇରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ସିରିଜ୍ ଫଳାଫଳା ନିର୍ଦ୍ଧାରଣ କରିବ। ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ଶତକ ଓ ଅର୍ଦ୍ଧଶତକ ମାରିଥିବା ଶ୍ରେୟସ ଆୟର୍ (୧୦୫ ଓ ୬୫ ରନ୍) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ନ୍ୟୁଜିଲ୍ୟାଣ୍ଡ ତା’ର ପୂର୍ବଦିନର ସ୍କୋର ୪/୧ରୁ ଖେଳ ଆରମ୍ଭ କରିଥିଲା। ଓପ୍ନର ଟମ୍ ଲାଥମ ଓ ନାଇଟ୍ ୱାଚମ୍ୟାଚ୍ ଭାବେ ଆସିଥିବା ୱିଲିୟମ ସୋମରଭିଲ୍ଲେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ଭାରତୀୟ ସ୍ପିନ୍ ଆଟାକକୁ ଦୃଢ଼ତାର ସହ ସାମ୍ନା କରିଥିଲେ। ମଧ୍ୟାହ୍ନ ଭୋଜନ ସୁଦ୍ଧା ଲାଥମ୍ ଓ ସୋମରଭିଲ୍ଲେ ଦଳକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ଏହି ସମୟରେ ଲାଗୁଥିଲା କିୱି ଟିମ୍ ମ୍ୟାଚକୁ ଡ୍ର’ କରିନେବ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଭାରତ ୩୪୫ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରେୟସ ଆୟର ନିଜର ଡେବ୍ୟୁ ମ୍ୟାଚରେ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଜବାବରେ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୯୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଲିଥମ ୯୫ ଓ ଓ୍ୱିଲ୍‌ ୟଙ୍ଗ୍ ୮୯ ରନ କରିଥିଲେ । ଭାରତ ନିଜର ୨ୟ ଇନିଂସରେ ୭ ଓ୍ୱିକେଟରେ ୨୩୪ ରନ କରି ଇନିଂସ ସମାପ୍ତି ଘୋଷଣା କରିଥିଲା । ଭାରତର ୨ୟ ଇନିଂସରେ ମଧ୍ୟ ଆୟର ସର୍ବାଧିକ ୬୫ ରନ କରିଥିଲେ ।

ତେବେ ଦ୍ୱିତୀୟ ସେସନର ପ୍ରଥମ ବଲରେ ଭାରତକୁ ନିର୍ଣ୍ଣାୟକ ବ୍ରେକ୍ ଥ୍ରୁ ଦେଇଥିଲେ ଉମେଶ ଯାଦବ। ସେଟ୍ ହୋଇଥିବା ସୋମରଭିଲ୍ଲେ (୩୬)ଙ୍କୁ ବାଉନ୍ସରରେ ଆଉଟ୍ କରିଥିଲେ ଉମେଶ। ଆଉଟ୍ ହେବା ପୂର୍ବରୁ ସେ ଲାଥମଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନର ଭାଗିଦାରୀ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ୍ କେନ୍ ୱିଲିୟମସନ୍ ଓପନର ଲାଥମଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୩୯ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ଅଶ୍ୱିନ୍। ଲାଥମ୍ ବ୍ୟକ୍ତିଗତ ୫୨ ରନ୍ କରି ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇଥିଲେ।

‘ମୋ ଝିଅକୁ ଅପହରଣ କରାଯାଇଛି, ଜଣେ ଯୁବକ ତାକୁ ଭଲ ପାଉଥିଲା’

ଭଦ୍ରକ: ମୋ ଝିଅକୁ ଅପହରଣ କରାଯାଇଛି । ଜଣେ ଯୁବକ ତାକୁ ଭଲ ପାଉଥିଲା , ବାରମ୍ବାର ହଇରାଣ କରୁଥିଲା । ହେଲେ ଗତ ଏପ୍ରିଲ ୧୩ ତାରିଖରୁ ମୋ ଝିଅର ପତ୍ତା ମିଳୁ ନାହିଁ । ମୋ ଝିଅ କୁ ଫେରାଇଦିଅ , ଏମିତି କିଛି କହି କାନ୍ଦି କାନ୍ଦି ପୋଲିସ ଆଗରେ ନିଜ ଝିଅ ପାଇଁ ଗୁହାରି କରୁଛନ୍ତି ଜଣେ ମାଆ । ଝିଅ ପାଇଁ ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ଧୂସୁରି ଅଞ୍ଚଳର ଜଣେ ମହିଳା ।

ଅଭିଯୋଗ ଅନୁଯାୟୀ ନାବାଳିକାକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବଳପୂର୍ବକ ଅପହରଣ କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ନାବାଳିକାକୁ ଏକତରଫା ଭଲପାଉଥିବା ବେଳେ ଅନେକ ସମୟରେ ହଇରାଣ କରୁଥିବା କହିଛନ୍ତି ତାଙ୍କ ମାଆ । ଏ ନେଇ ଭଦ୍ରକ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଶେଷରେ ନାବାଳିକାଙ୍କ ମାଆ ଥାନା ସମ୍ମୁଖ ରେ ଅନଶନରେ ବସିଛନ୍ତି ।

ବିଷ୍ଣୁଙ୍କ ବିତଣ୍ଡା ଯୁକ୍ତି, ଦରଦାମ ବଢ଼ିଲେ ସମସ୍ୟା କ’ଣ ?

ଭୁବେନଶ୍ବର: ଦର ବଢୁ । କଣ ଅସୁବିଧା ହୋଇଗଲା ? ଦରବୃଦ୍ଧି ହେଲେ କିଛି ଯାଏ ଆସେ ନାହିଁ । ଏମିତି ବିତଣ୍ଡା ଯୁକ୍ତି କରିଛନ୍ତି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ । ବିଷ୍ଣୁଙ୍କ ଏଭଳି ଖାମଖିଆଲ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ବେଶ୍ ପ୍ରତିକ୍ରିୟା ପ୍ରକାଶ ପାଇଛି । ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିଛି । ଦରଦାମ ବୃଦ୍ଧିରେ ସାଧାରଣ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ରନ୍ଧନ ଗ୍ୟାସର ଦରବୃଦ୍ଧି ହାଣ୍ଡିଶାଳରେ ଚଡ଼କ ପକାଇଛି ।

ତୁରନ୍ତ ଗ୍ୟାସ୍ ଦର କମାଇବାକୁ କେନ୍ଦ୍ର ଉପରେ ଚାପ ପକାଇବାକୁ ବିଜେଡି ଆନ୍ଦୋଳନ ଚଳାଇଛି । କେନ୍ଦ୍ରର ବିଜେପି ସରକାର ଲୋକଙ୍କ ସମସ୍ୟା ଦୂର କରିବା ବଦଳରେ ଅଧିକ ସଂଗୀନ୍ କରୁଛି । ଏଭଳି ସମୟରେ ବିଷ୍ଣୁ କହିଛନ୍ତି, ଦେଶବାସୀଙ୍କର କରୋନା ଟେଷ୍ଟ ସହ ଟିକା ଦିଆଗଲା । ଏଥିପାଇଁ ଟଙ୍କା କେଉଁଠୁ ଆସିବ? ଦରଦାମ କିଛି ବଢ଼ି ଯଦି ଆମେ ଏଥିରେ ସହଯୋଗ କରିପାରିଲେ ଅସୁବିଧା କ‘ଣ? ଦରଦାମ ବଢ଼ିଲେ କିଛି କ୍ଷତି ନାହିଁ ।

ତେବେ ବିଷ୍ଣୁଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି, ବିଷ୍ଣୁ କିଏ? ନା ସେ ଦରଦାମ କମାଇପାରିବେ ନା ବଢ଼ାଇପାରିବେ । ଟିକା ଦେଇ କେନ୍ଦ୍ର ଆମକୁ ଦୟାକରୁନି । ଟିକା ଦେବାର ମାନେ ନୁହେଁ ଦରଦାମ ହୁ ହୁ ହୋଇ ବଢ଼ିବ? ଦର ନକମିଲେ ବିଜେପି ମନ୍ତ୍ରୀ ଓ ବିଧାୟକଙ୍କୁ ରାସ୍ତାରେ ଚଲେଇ ଦେବୁନି । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ ମଧ୍ୟ ବିଷ୍ଣୁଙ୍କୁ କଡ଼ା ସମାେଲୋଚନା କରିଛନ୍ତି ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ସେ କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୁଁ କୃତଜ୍ଞ  । ଓଡ଼ିଶା ସରକାର ଗୃହ ନିର୍ମାଣ, ପରିମଳ, ସ୍ୱଛତା, ଜଳ ଯୋଗାଣ ଏବଂ ନଗର ଉନ୍ନୟନରେ କିପରି କାର୍ଯ୍ୟ କରାଯାଉଛି ସେନେଇ ଅବଗତ ହୋଇଛି  ।

ସଠିକ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଯୋଜନା ଗୁଡ଼ିକ କିପରି କାର୍ଯ୍ୟକାରୀ କରାଯାଉଛି, ସେନେଇ ଉପସ୍ଥିତ ଅଧିକାରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଅବଗତ ହୋଇଥିବା କହିଛନ୍ତି କେନ୍ଦ୍ର ନଗର ଉନ୍ନୟନ ଏବଂ ସହରୀକରଣ ସଚିବ  । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ଏହି ବରିଷ୍ଠ ଅଧିକାରୀ ଆଜି ନବୀନ ନିବାସ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି  ।

ବଡ଼ ଠକଙ୍କ ଫଟୋ ଜାରି କଲା EOW, ସୂଚନା ଦେଲେ ଗୋପନ ରହିବ ପରିଚୟ

ଭୁବନେଶ୍ୱର: ଠକେଇ ମାମଲାରେ ତିନିଜଣ ଫେରାର ଅଭିଯୁକ୍ତଙ୍କ ଫଟୋ ଜାରି କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଇଓଡବ୍ଲୁ ଜାରି କରିଛି । ସେହପରି ଠକେଇ ମାମଲାରେ ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ତାଙ୍କର ମଧ୍ୟ ଫଟୋ ଜାରି କରାଯାଇଛି । ଇଓଡବ୍ଲୁର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଅଛନ୍ତି ଆଦିତ୍ୟ ଦାସ ଓ ତ୍ରିବେଣୀ କୁମାର ମହାନ୍ତି । ସିଷ୍ଟମେଟିକ୍ସ ଫାଇନାନସିଆଲ ସର୍ଭିସ ଚିଟଫଣ୍ଡ ମାମଲାରେ ଇଓଡବ୍ଲୁର ୱାଣ୍ଟେଡ୍‌ ତାଲିକାରେ ଥିବା କମ୍ପାନୀ ନିର୍ଦ୍ଦେଶକ ଆଦିତ୍ୟ ଦାଶଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଛି ।

ପୁରୀ ଜିଲ୍ଲା ଚନ୍ଦନପୁରର ଆଦିତ୍ୟ । ଶେଷ ଥର ପାଇଁ ପୁରୀ ବାଲିସାହିରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଦିତ୍ୟ ଦାଶ 2013ରୁ ଫେରାର ଅଛନ୍ତି । ତାଙ୍କ ନାଁରେ eowରେ 20 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି । ସେହିପରି ଷ୍ଟାର୍‌ କନସଲଟାନ୍ସି ସର୍ଭିସ ଚିଟଫଣ୍ଡ ମାମଲାରେ ୱାଣ୍ଟେଡ ତାଲିକାରେ ଥିବା ତ୍ରିବେଣୀ କୁମାର ମହାନ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଛି । ଭଦ୍ରକ ସାନଲପୁରର ତ୍ରିବେଣୀଙ୍କୁ ଶେଷଥର ପାଇଁ ଭୁବନେଶ୍ବର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଦେଖିବାକୁ ମିଳିଥିଲା । ତ୍ରିବେଣୀ ମହାନ୍ତି 2012ରୁ ଫେରାର ଅଛନ୍ତି । ତାଙ୍କ ନାଁରେ eowରେ 13 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି ।

ସେହିପରି ଜ୍ୟୋତି ଟ୍ରେଡିଂ ଠକେଇ କେସରେ ୱାଣ୍ଟେଡ ଥିବା ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ଗୋଲଡେନ ବାବାଙ୍କ ନାଁରେ 4 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି । ଲୁହାପଥର କାରବାର ଠକେଇ ଅଭିଯୋଗ ଅଛି ଗୋଲଡେନ ବାବାଙ୍କ ନାଁରେ । ସେମାନଙ୍କ ବିଷୟରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଥିବା ବେଳେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ 3 ଅଭିଯୁକ୍ତଙ୍କ ବିରୋଧରେ nbw ଜାରି କରିଥିଲା eow ।