ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବ୍ଲକ ସ୍ତରରେ ଜାରି ହେବ ବିଜ୍ଞପ୍ତି

ଭୁବନେଶ୍ୱର: ସରଗରମ ହେଉଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଉଷ୍ମ ହେଉଛି ଗାଁ ରାଜନୀତି । ଆଜି ନିର୍ବାଚନ ପାଇଁ ବ୍ଲକ ସ୍ତରରେ ଜାରି ହେବ ବିଜ୍ଞପ୍ତି । ଜାନୁଆରୀ ୧୭ରୁ ୨୧ ଯାଏଁ ଚାଲିବ ନାମାଙ୍କନ । ଚଳିତ ଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥି ନାମାଙ୍କନ ବେଳେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରିବେ । ଭୁଲ୍ ସତ୍ୟପାଠ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି ।

ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସତ୍ୟପାଠ ଜିଲ୍ଲା ପ୍ରଶାସନ ଓ୍ବେବସାଇଟରେ ରହିବ । ଅନ୍ୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ନିର୍ବାଚନ ଅଧିକାରୀଙ୍କ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ । ଏହା ସହ ଚଳିତ ଥର ବୁଥ୍ ଗଣତି ବଦଳରେ ବ୍ଲକ ସ୍ତରରେ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ପର୍ଯ୍ୟନ୍ତ ଗଣତି କରାଯିବ । ଏହାଦ୍ୱାରା ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ବଚ୍ଛ ହୋଇପାରିବ । ସେପଟେ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି ସବୁ ରାଜନୈତିକ ଦଳ । ସବୁ ସମୟରେ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଥିବା କହିଛି । ଦଳ ଏଥର ସବୁ ଜିଲ୍ଲା ପରିଷଦ ଆସନ ଦଖଲ କରିବ ବୋଲି ଦଳୀୟ ନେତା ଦାବି କରିଛନ୍ତି । ଅନ୍ୟପଟେ ଶାସକ ଦଳକୁ ଟକ୍କର ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିରୋଧୀ ।

Leave a Reply