spot_img
Home Blog Page 4852

କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନିଆଯାଉଛି: ଅର୍ଥମନ୍ତ୍ରୀ

0

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନିଆଯାଉଛି । କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ଭୁଲ୍ ହାତରେ ପଡ଼ିଥିବା ଯୋଗୁଁ ସରକାର ଚିନ୍ତିତ । ସରକାର ଏହାକୁ ମନିଟରିଂ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭାରେ ସେ କହିଛନ୍ତି ଡିଜିଟାଲ କରେନ୍ସିର ବିଜ୍ଞାପନ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇନାହିଁ । କ୍ରିପ୍ଟୋକରେନ୍ସିର ନିୟନ୍ତ୍ରଣ ନେଇ ଆଲୋଚନା ଜାରି ରହିଛି । ଏନେଇ ବିଲ୍‌ରେ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ନିର୍ମଳା । ସେ କହିଛନ୍ତି ବିଟକଏନକୁ ମାନ୍ୟତା ଦେବା ଲାଗି କୌଣସି ପ୍ରସ୍ତାବ ନାହିଁ । ବିଟକଏନ କାରବାର ନେଇ କୌଣସି ତଥ୍ୟ ସଂଗ୍ରହ କରାଯାଇନାହିଁ ବୋଲି ସେ କହିଛନ୍ତି । ଡିଜିଟାଲ କରେନ୍ସିକୁ ବ୍ୟାଙ୍କ ନୋଟ ମାନ୍ୟତା ଦେବା ଲାଗି ରିଜର୍ଭ ବ୍ୟାଙ୍କର ଏକ ପ୍ରସ୍ତାବ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପାଇଛି ବୋଲି ନିର୍ମଳା କହିଛନ୍ତି ।

ସୂଚନା ଯୋଗ୍ୟ, ୨୦୦୯ରେ ଲଞ୍ଚ୍ ହୋଇଥିବା ଭର୍ଚୁଆଲ କରେନ୍ସି ବିଟକଏନ ଗତ କିଛି ବର୍ଷ ମଧ୍ୟରେ ଖୁବ ଚର୍ଚ୍ଚାରେ ରହିଆସିଛି । ଗତବର୍ଷ ଏହାର ମୂଲ୍ୟ ଚାରିଶହ ପ୍ରତିଶତରୁ ଅଧିକ ବଢି ଯାଇଥିଲା । କିଛି ବର୍ଷ ପୂର୍ବରୁ ଏହି ବିଟକଏନକୁ କିଣିଥିବା ବ୍ୟକ୍ତି ନିହାତି ଭାବରେ ଖୁବ ଲାଭବାନ୍ ହୋଇଛନ୍ତି । ତେବେ କ’ଣ ଏହି ବିଟକଏନ ଏବଂ ଏହା କିଭଳି କାମ କରେ?

ଆମେରିକା ୨୦୦୮ ମସିହାରେ ଦେଖିଥିଲା ଆର୍ଥିକ ମାନ୍ଦାବାସ୍ଥା । ରିୟଲ ଇଷ୍ଟେଟ୍ ମାର୍କେଟ୍ ସେହି ବର୍ଷ ଆମେରିକାରେ ଭୁଶୁଡ଼ି ପଡିଥିଲା । ଫଳରେ ଅନେକ ଆମେରିକୀୟ ବ୍ୟାଙ୍କ୍ ଦେବାଳିଆ ହୋଇଯାଇଥିଲେ । ଆମେରିକା ସରକାର ବ୍ୟାଙ୍କଗୁଡିକଙ୍କ ସ୍ଥିତି ସୁଧାରିବା ପାଇଁ ବେଲ ଆଉଟ୍ ପ୍ୟାକେଜ୍ ଦେଇଥିଲେ । କମ୍ପାନୀ ଓ ବ୍ୟାଙ୍କ ଏହାଦ୍ୱାରା ଆର୍ଥିକ ମାନ୍ଦାବସ୍ଥାରୁ ଉବୁରି ଯାଇଥିଲେ କିନ୍ତୁ ମୁଦ୍ରାସ୍ଫିତିର କୁପ୍ରଭାବର ଶିକାର ହୋଇଥିଲେ ସାଧାରଣ ଜନତା । ସାଧାରଣତଃ ସରକାର ହିଁ ଅର୍ଥର ମୁଲ୍ୟ ନିର୍ଦ୍ଧାରଣ କରିଥାନ୍ତି । କିନ୍ତୁ ସରକାରଙ୍କ ବେଲଆଉଟ୍ ପ୍ୟାକେଜ୍ କାରଣରୁ ଲୋକଙ୍କ ପାଖରେ ଥିବା ଅର୍ଥର ମୁଲ୍ୟ ହ୍ରାସ ପାଇଥିଲା । ଏହିଥିରୁ ହିଁ ଜନ୍ମ ନେଇଥିଲା ବିଟ କଏନ୍ କନସେପଟ ।
ଯାହାକୁ ଉଦ୍ଭାବନ କରିଥିଲେ ଜଣେ ଅଜଣା ବ୍ୟକ୍ତି । ଯାହାଙ୍କ ଛଦ୍ମନାମ ସତୋଷୀ ନକମୋଟୋ । କିନ୍ତୁ ଏହି ଟେକ୍ନୋଲୋଜିକୁ ବାହାର କରିଥିବା ଉକ୍ତ ବ୍ୟକ୍ତିଙ୍କ ବାସ୍ତବ ନାମ ଏବେ ମଧ୍ୟ ରହସ୍ୟ ହୋଇ ରହିଛି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜଓ୍ୱାଦ’: ୪ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ

ଆସୁଛି ବାତ୍ୟା ‘ଜଓ୍ୱାଦ’: ୪ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଜଓ୍ୱାଦ’ । ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ୨ ତାରିଖ ବେଳକୁ ଲଘୁଚାପ ଅବପାତର ରୂପ ନେବ । ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ । ୩ ତାରିଖରୁ ଉପକୂଳରେ ହେବ ବର୍ଷା ।

ଲଘୁଚାପ ପ୍ରଭାବରେ ଆସନ୍ତା ୨ ତାରିଖରୁ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ । ୪ ତାରିଖ ବେଳକୁ ପୁରୀ, ଜଗତସିଂହପୁର, ଗଞ୍ଜାମ, ନୟାଗଡ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ ଏବଂ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚାଷ ଜମିରେ ପାଣି ଜମିବା ସହ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଓୟୁଏଟି ପକ୍ଷରୁ ଚାଷୀମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ଅମଳ ହେବା ପୂର୍ବରୁ ଏବଂ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ ।

ବର୍ଷା ଛାଡ଼ି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମୁଡା ସାଇହାଲୋଥ୍ରୋନ କିମ୍ବା ୨ମି.ଲି. ହିସାବରେ (କ୍ଲୋରୋପାଇରିଫସ +ସାଇପରମେଥୁନ) ସିଂଚନ କରନ୍ତୁ । ଏହା ସହିତ ହୁଡା ଚାରିପଟେ ମାଲାଥୁଅନ ୫ଡିକୁ ଏକର ପ୍ରତି ୧୦ କି.ଗ୍ରା. ହିସାବରେ ଛିଞ୍ଚି ବିଷ ବଳୟ ସୃଷ୍ଟି କରନ୍ତୁ ।

ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । ବର୍ତମାନ ମୂଳା, ବିନସ, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ/ତୋଳି ବିକ୍ରୟ କରିବାକୁ କୁହାଯାଇଛି ।

ଓମିକ୍ରନ୍ ବିରୋଧରେ କେନ୍ଦ୍ର-ରାଜ୍ୟ ମାନସ ମନ୍ଥନ,୬ ଟି ଉପାୟରେ ଲଢାଯିବ ଭୂତାଣୁ ବିରୋଧି ଯୁଦ୍ଧ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁର ନୂଆ ପ୍ରକାର (ଭାରିଆଣ୍ଟ୍) ଓମିକ୍ରନକୁ ନେଇ ବିଭିନ୍ନ ଦେଶରେ ଆତଙ୍କ ସୃଷ୍ଟି ହୋଇଛି । ଡେଲଟା ଭାରିଆଣ୍ଟଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଥିବା ଏହି ଭୂତାଣୁକୁ ନେଇ ଅନେକ ଦେଶ ଆଲର୍ଟରେ ଥିବା ବେଳେ ଭାରତରେ ମଧ୍ୟ ଏହାର ମୁକାବିଲା ପାଇଁ ରଣନୀତି ତିଆରି ହେଉଛି । ଏନେଇ ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ଦେଶର ସମସ୍ତ କେନ୍ଦ୍ର ଶାସିତ ଅଂଚଳ ଓ ରାଜ୍ୟ ସହିତ ଆଲୋଚନା କରିଛନ୍ତି । ଏହି ବୈଠକରେ ରାଜ୍ୟଗୁଡିଙ୍କୁ କେନ୍ଦ୍ର ପକ୍ଷରୁ ୬ ସୁତ୍ରୀୟ ଉପାୟ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ କହିବା ହେଉଛି ଯଦି ଏହି ନିୟମ ସବୁକୁ ପାଳନ କରାଯାଏ ତେବେ ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରିହେବ ଓ ଏହାର ମୁକାବିଲା ସହଜ ହୋଇ ପାରିବ । ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଙ୍କୁ ଟେଷ୍ଟିଂ ବୃଦ୍ଧି କରିବାକୁ କହିଛନ୍ତି ।
ଆରଟିପିସିଆର ଓ ରାପିଡ୍ ଆଣ୍ଟିଜେନ ଟେଷ୍ଟକୁ ଚକମା ଦେଇପାରେ ଓମିକ୍ରନ୍
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅନୁସାରେ ଓମିକ୍ରନ୍ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ଓ ଆରଟିପିସିଆରକୁ ଚକମା ଦେଇପାରେ । ସଂକ୍ରମିତଙ୍କ ଆଇସୋଲେସନ୍ ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଅନୁସାରେ ଏପର୍ଯ୍ୟନ୍ତ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମାମଲା ଚିହ୍ନଟ ହୋଇନାହିଁ । କିନ୍ତୁ ଏଥିରୁ ସୁରକ୍ଷା ପାଇଁ ରାଜ୍ୟଙ୍କୁ କେନ୍ଦ୍ର ଦେଇଛି ୬ ସୂତ୍ରୀୟ ପ୍ଲାନ୍ । ଯେଉଁଥିରେ ରହିଛି , (୧)କଣ୍ଟେନମେଣ୍ଟ୍ ଜୋନ୍ (୨) ଯାଂଚ ବୃଦ୍ଧି (୩)ତଦାରଖ (୪) ହଟସ୍ପଟ ଉପରେ ନଜର (୫)ଟିକାକରଣ ବୃଦ୍ଧି (୬) ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢିକରଣ ସାମିଲ ଅଛି

ଏହା ପୂର୍ବରୁ ନଭେମ୍ବର ୨୮ ତାରିଖ ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ସବୁ ରାଜ୍ୟଙ୍କୁ ଚିଠି ଲେଖି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ କହିଥିଲେ । ଓମିକ୍ରାନ୍ ଭାରିଆଣ୍ଟ୍ ଗୋଟିଏ ସପ୍ତାହ ତଳେ ପ୍ରଥମେ ଦକ୍ଷୀଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ଚିନ୍ତାଜନକ ବୋଲି କହିଥିଲା । ଭାରତ ଏହି ଭାରିଆଣ୍ଟକୁ ନେଇ ସତର୍କ ଅଛି । ଯେଉଁ ଦେଶରେ ଏହି ଭାରିଆଣ୍ଟ୍ ମିଳିଛି ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖାଯାଉଛି ।

ଏଥିସହିତ ପଢ଼ନ୍ତୁ: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନା ସଂକ୍ରମିତ ଚିହ୍ନଟ

କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ସୁରକ୍ଷା ବ୍ୟାବସ୍ଥାରେ ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟାବସ୍ଥା ରହିବ । ବିଧାନସଭା ଭିତରେ ଓ ବାହାରେ ଏବଂ ଲୋୟର ପିଏମଜିରେ କଣ୍ଟ୍ରୋଲ ରୁମ୍ ହୋଇଛି । ମୋଟ ୩୦ ପ୍ଲାଟୁନ୍ ଫୋର୍ସ ଓ ବଛା ବଛା ଅଫିସର ଦାୟିତ୍ୱରେ ରହିବେ । ସମ୍ଭାବ୍ୟ ବଡ଼ ଧରଣର ଆକ୍ରମଣକୁ ମୁକାବିଲା କରିବା ପାଇଁ ୨ ୟୁନିଟ୍ ଓଏଏସଫ, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ସହ ଷ୍ଟ୍ରାଇକିଂ ଫୋର୍ସ, କ୍ୟୁଆରଟି ଟିମ୍ ମୁତୟନ ରହିବେ । ଏହାସହିତ ବମ୍ ଓ ଡଗ୍ ସ୍କାର୍ଡ, ରୁଫ୍ ଟପ୍ ସିକ୍ୟୁରିଟି ସହ ବନ୍ଧୁକଧାରୀ ସୁରକ୍ଷା କର୍ମଚାରୀ ବିଧାନସଭା ଚାରିକଡରେ ମୁତୟନ ରହିବେ । ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା କରାଯାଇଛି ।

ବିଧାନସଭା ଭିତର, ପରିସର ଓ ପିଏମଜି ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍ କରାଯିବ । ଜୟଦେବ ଭବନରୁ କେଶରୀ ଟକିଜ ଓ ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ ରାସ୍ତାକୁ ନୋ ମ୍ୟାନ ଲ୍ୟାଣ୍ଡ ଜୋନ ଭାବରେ ଘୋଷଣା କରିଛି ପୋଲିସ । ସେପଟେ ଆତ୍ମାହୁତି ହେଉ ବା ବିକ୍ଷୋଭ ପ୍ରଦର୍ଶନ । ରାଜନୈତିକ ବିରୋଧ ହେଉ କି ରାଜନେତାଙ୍କ ଅନଶନ । ବିଧାନସଭା ଚାଲୁଥିବା ସମୟରେ ଏସବୁର ଟିକନିକ ଖବର ଉପରେ ଏଥର ଫୋକସ । ବିଶେଷ କରି ନକ୍ସଲ ଅପରେସନ ବା ସୁରକ୍ଷା ସମ୍ପର୍କିତ ଉପରେ ନଜର ରଖୁଥିବା ସ୍ପେଶାଲ ଇଣ୍ଟେଲିଜେନସ ଉଇଙ୍ଗ ଓ ସ୍ପେଶାଲ ବ୍ରାଞ୍ଚ ସହ ମିଳିତ ଭାବେ ଗୁଇନ୍ଦା ସୂଚନା ଉପରେ ଫୋକସ ଦେବ ପୋଲିସ । ବିଧାନସଭା ଚାରିପଟେ ଥିବା ସର୍ବସାଧାରଣ ରାସ୍ତା ଜନସାଧାରଣଙ୍କ ଯାତାୟାତ ପାଇଁ ଅନୁମତି ନାହିଁ । କେବଳ ଲୋକସେବା ଭବନ କର୍ମଚାରୀ ଓ ବିଧାନସଭା କର୍ମଚାରୀଙ୍କ ସହ ଅନୁମତି ଥିବା କର୍ମଚାରୀ ପରିଚୟପତ୍ର ଦେଖାଇ ଯାଇପାରିବେ ।

ଭାରତର ‘ପରାଗ’ ହେଲେ ଟ୍ୱିଟର ମୁଖ୍ୟ, ଜାଣନ୍ତୁ ତାଙ୍କ ଆଗରୁ କେଉଁମାନେ ସିଲିକନ୍ ଭ୍ୟାଲିରେ କରିଛନ୍ତି ଭାରତର ନାମ ଉଜ୍ୱଳ

ନୂଆଦିଲ୍ଲୀ: ଗୁଗଲଠାରୁ ଆରମ୍ଭ କରି ମାଇକ୍ରୋସପ୍ଟ ପର୍ଯ୍ୟନ୍ତ ସବୁ ଟେକ୍ନୋଲୋଜି କମ୍ପାନୀରେ ରାଜ୍ କରୁଛନ୍ତି ଭାରତୀୟ । ତେବେ ଏହି ଲିଷ୍ଟରେ ଏବେ ପୁଣି ଜଣେ ଭାରତୀୟ ଯୋଗ ଦେଇଛନ୍ତି । ଏଥି ସହ ଆଉ ଜଣେ ଭାରତୀୟଙ୍କ ହାତରେ ଆମେରିକା ଟେକ୍ କମ୍ପାନୀର କମାଣ୍ଡ ଆସିଛି । ବିଶ୍ବର ସବୁଠାରୁ ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଜଣେ ଭାରତୀୟ । ସେ ହେଉଛନ୍ତି ମୁମ୍ବାଇର ପରାଗ ଅଗ୍ରଓ୍ବାଲ । ଟ୍ବିଟର ସହ ପ୍ରତିଷ୍ଠାତା ଜ୍ୟାକ ଡୋରସେ ସିଇଓ ପଦରୁ ଇସ୍ତଫା ଦେବା ପରେ ପରାଗ ଅଗ୍ରଓ୍ବାଲଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ବ ।

 

ଟ୍ବିଟର ସିଇଓ ପଦରୁ ଜ୍ୟାକ ଡୋରସେ ଇସ୍ତଫା ଦେବା ପରେ ପରାଗ ଅଗ୍ରଓ୍ବାଲଙ୍କୁ କରାଯାଇଛି ସିଇଓ । ଏହା ପୂର୍ବରୁ ପରାଗ ଚିଫ୍ ଟେକ୍ନୋଲୋଜି ଅଫିସର ଭାବରେ କାର୍ଯ୍ୟ କରୁଥିଲେ । ଟ୍ବିଟରରେ ୧୦ ବର୍ଷ କାର୍ଯ୍ୟ କରିବା ପରେ ପରାଗଙ୍କୁ ସିଇଓ ଭାବରେ ଦାୟିତ୍ବ ତୁଲାଇବାକୁ କହିଛି ଟ୍ବିଟର ମ୍ୟାନେଜମେଣ୍ଟ । ଟ୍ବିଟର ସିଇଓ ଭାବରେ ଦାୟିତ୍ବ ନେବା ପରେ ଏକ ନୂଆ ରେକର୍ଡ ମଧ୍ୟ କରିଛନ୍ତି ପରାଗ । ୩୭ ବର୍ଷରେ ସିଇଓ ହୋଇଥିବା ପରାଗ ବିଶ୍ୱର ଟପ୍ ୫୦୦ କମ୍ପାନୀ ମଧ୍ୟରୁ ସବୁଠାରୁ କମ୍ ବୟସରେ ସିଇଓ ହୋଇଛନ୍ତି ।

ପରାଗ ଅଗ୍ରଓ୍ବାଲଙ୍କ କଥା ଯଦି କହିବା ସେ ୨୦୦୫ରେ IIT ବମ୍ବେରୁ ଡିଗ୍ରୀ ହାସଲ କରିଥିଲେ । ଏହାପରେ ଷ୍ଟାନଫୋର୍ଡ ୟୁନିଭରସିଟିରେ କମ୍ପ୍ୟୁଟର ସାଇନ୍ସରେ ପିଏଚଡି ହାସଲ କରିଥିଲେ । କମ୍ପୁଟର ସାଇନ୍ସରେ ପିଏଚଡି ହାସଲ ପରେ ପ୍ରଥମେ ମାଇକ୍ରୋସଫ୍ଟ ରିସିର୍ଚ୍ଚରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ yahooରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୧ରେ ପରାଗ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଟୁଇଟରରେ ଯୋଗ ଦେଇଥିଲେ । ସଫ୍ଟୱେୟାର ଇଞ୍ଜିନିୟର ଭାବରେ କିଛି ବର୍ଷ ଦାୟିତ୍ବ ତୁଲାଇବା ପରେ ୨୦୧୭ରୁ ଚିଫ୍ ଟେକ୍ନୋଲୋଜି ଅଫିସର ଭାବରେ ସେ କାର୍ଯ୍ୟ କରୁଥିଲେ । ତେବେ ଜ୍ୟାକ ଡୋର୍ସେ ଟୁଇଟର ସିଇଓ ପଦରୁ ଇସ୍ତଫା ଦେବା ପରେ CTO ପଦରେ ଥିବା ପରାଗଙ୍କୁ ସିଇଓ ପଦ ମିଳିଥିଲା ।

ଆମେରିକାର ସିଲିକନ୍ ଭ୍ୟାଲିରୁ ଗୁଗଲ,ମାଇକ୍ରୋସଫ୍ଟ ଭଳି କମ୍ପାନୀ କାର୍ଯ୍ୟ କରିଥାନ୍ତି । ବିଶ୍ୱର ନାମି ଦାମୀ ଏହି ସବୁ କମ୍ପାନୀରେ ଭାରତୀୟ କର୍ମଚାରୀଙ୍କ ଖୁବ ଡିମାଣ୍ଡ୍ ରହିଛି । ଭାରତୀୟ ସଫ୍ଟୱେୟାର ଇଂଜିନିୟର ମାନେ ବଡ଼ ବଡ଼ ଟେକ୍ କମ୍ପାନୀର ମଙ୍ଗ ପରାଗଙ୍କ ପୂର୍ବରୁ ମଧ୍ୟ ଧରିଛନ୍ତି । ଆସନ୍ତୁ ନଜର ପକାଇବା ପରାଗଙ୍କ ପୂର୍ବରୁ କେଉଁମାନେ ସିଲିକନ୍ ଭ୍ୟାଲିରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ।

GOOGLE


ଗୁଗଲର ସିଇଓ ଭାବରେ ୨୦୧୫ରୁ ଦାୟିତ୍ବ ତୁଲାଉଛନ୍ତି ସୁନ୍ଦର ପିଛାଇ । IIT ମାଡ୍ରାସରୁ ଡିଗ୍ରୀ ହାସଲ କରିବା ପରେ ୨୦୦୪ରେ ଗୁଗଲରେ ଯୋଗ ଦେଇଥିଲେ ସୁନ୍ଦର । ଏହା ପରେ ୨୦୧୫ରୁ  ସେ ସିଇଓ ଭାବରେ ଦାୟିତ୍ବ ତୁଲାଉଛନ୍ତି । ଗୁଗଲ ସହ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟର ସିଇଓ ଭାବରେ ମଧ୍ୟ ଦାୟିତ୍ବ ତୁଲାଉଛନ୍ତି ସୁନ୍ଦର ପିଛାଇ । ଗୁଗଲ ଟୁଲବାରରେ ଲାଇକ୍ସ, କ୍ରୋମ୍ ଡେଭଲପମେଣ୍ଟ ଏବଂ ଗୁଗଲ ବ୍ରାଉଜରରେ କାମ କରିସାରିଛନ୍ତି ସୁନ୍ଦର । ୨୦୧୨ ମସିହାରେ ସେ ପ୍ରୋଜେକ୍ଟ ଡେଭଲପମେଣ୍ଟର ସିନିୟର VP ଭାବରେ ଦାୟିତ୍ବ ତୁଲାଇଥିଲେ । ଏହାର ଦୁଇ ବର୍ଷ ପରେ ଗୁଗଲ ଏବଂ ଆଣ୍ଡ୍ରୋଏଡ ସ୍ମାର୍ଟଫୋନ IOSର ପ୍ରୋଜେକ୍ଟ ଚିଫ୍ ଭାବରେ ଦାୟିତ୍ବ ନେଇଥିଲେ ସୁନ୍ଦର ପିଛାଇ ।

MICROSOFT


୨୦୧୪ ମସିହାରେ ଆଉ ଜଣେ ଭାରତୀୟ ଆମେରିକା ଟେକ୍ କମ୍ପାନୀର ସିଇଓ ଭାବରେ ଦାୟିତ୍ବ ତୁଲାଉଛନ୍ତି । ମାଇକ୍ରୋସଫ୍ଟ ସିଇଓ ଭାବରେ ୨୦୧୪ରୁ ଦାୟିତ୍ବ ତୁଲାଉଛନ୍ତି ସତ୍ୟ ନାଡେଲା । ୧୯୯୨ ମସିହାରୁ ମାଇକ୍ରୋସଫ୍ଟରେ କାର୍ଯ୍ୟରତ ଅଛନ୍ତି ସତ୍ୟ । କର୍ଣ୍ଣାଟକର ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ଡିଗ୍ରୀ ହାସଲ ପରେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ ସତ୍ୟ ।

IBM


ସେହିପରି ଭାବରେ ୨୦୨୦ରୁ IBMର ସିଇଓ ଭାବରେ କାର୍ଯ୍ୟ କରୁଛନ୍ତି ଅରବିନ୍ଦ କ୍ରିଷ୍ଣା । IIT କାନପୁରରୁ ଡିଗ୍ରୀ ହାସଲ ପରେ ୧୯୯୦ ମସିହାରୁ IBMରେ କାର୍ଯ୍ୟ କରୁଛନ୍ତି ଅରବିନ୍ଦ କ୍ରିଷ୍ଣା ।

ADOBE


ଅରବିନ୍ଦ କ୍ରିଷ୍ଣାଙ୍କ ପରେ ଆଉ ଜଣେ ଭାରତୀୟ ଆମେରିକା ଟେକ୍ କମ୍ପାନୀର ବସ୍ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୭ ମସିହାରୁ ADOBEର ସିଇଓ ଭାବରେ ଦାୟିତ୍ବ ତୁଲାଉଛନ୍ତି ଶାନ୍ତନୁ ନାରାୟଣ । ୧୯୯୮ ମସିହାରେ ADOBEରେ ଯୋଗ ଦେଇଥିଲେ ଶାନ୍ତନୁ । ଏହା ପରେ ତାଙ୍କୁ ୨୦୦୫ରେ COO ଭାବରେ ନିଯୁକ୍ତି ଦିଆଯାଇଥିଲା । ଏହାର ଦୁଇ ବର୍ଷ ପରେ ଶାନ୍ତନୁ ନାରାୟଣଙ୍କୁ ସିଇଓ ପଦରେ ନିଯୁକ୍ତି ଦିଆଯାଇଥିଲା ।

NOKIA


ନୋକିଆର ସିଇଓ ଭାବରେ ଦାୟିତ୍ବ ତୁଲାଉଛନ୍ତି ରାଜୀବ ସୁରୀ । ୨୦୧୪ରେ ନୋକିଆର ସିଇଓ ଭାବରେ ଦାୟିତ୍ବ ନେବା ପୂର୍ବରୁ ନୋକିଆରେ ବିଭିନ୍ନ ପଦ ପଦବୀରେ ରହିସାରିଥିଲେ ରାଜୀବ । ସିଇଓ ହେବା ପୂର୍ବରୁ ରାଜୀବ ନୋକିଆର ଗ୍ଲୋବାଲ ସର୍ଭିସର ମୁଖ୍ୟ ଥିଲେ । ସତ୍ୟ ନାଡେଲାଙ୍କ ପରି ରାଜୀବ ସୁରୀ ମଧ୍ୟ ମଣିପାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରୁ ଡିଗ୍ରୀ ହାସଲ କରିଛନ୍ତି ।

MASTERCARD


୧୯୫୯ ମସିହାରେ ଜନ୍ମିତ ଅଜୟପାଲ ସିଂ ବଙ୍ଗା ମାଷ୍ଟରକାର୍ଡର ସିଇଓ ଭାବରେ ଦାୟିତ୍ବ ତାଲୁଇ ସାରିଛନ୍ତି । ସେ ଜୁଲାଇ ୨୦୧୦ରୁ ଡିସେମ୍ବର ୨୦୨୦ ମସିହା ପର୍ଯ୍ୟନ୍ତ ସିଇଓ ପଦରେ ରହିଥିଲେ । ସେ ହାଇଦ୍ରାବାଦ ପବ୍ଲିକ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଦିଲ୍ଲୀ ୟୁନିଭରସିଟିରେ ଅର୍ଥନିତୀରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ IIM ଅହମଦାବାଦରୁ ମ୍ୟାନେଜମେଣ୍ଟରେ ପିଜିପି କରିଥିଲେ ।

ନିଲମ୍ୱନ ଆଦେଶକୁ ନେଇ ସଂସଦ ଅଚଳ: ଅପରାହ୍ଣ ୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା

0

ନୂଆଦିଲ୍ଲୀ: ୧୨ ସାଂସଦଙ୍କ ଉପରେ ଜାରି ସସପେଣ୍ଡ ଆଦେଶ ପ୍ରତ୍ୟାହାର ହେବ ନାହିଁ । ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କୟାନାଇଡୁ ଏହା କହିବା ପରେ ସଂସଦରେ ଜାରି ହୋଇଛି ଅଚଳାବସ୍ଥା । ଅପରାହ୍ଣ ୨ଟା ଯାଏଁ ଲୋକସଭା ମୁଲତବି ଘୋଷଣା କରାଯାଇଛି । ସେପଟେ ନିଲମ୍ବିତ ସାଂସଦମାନଙ୍କ ଉପରୁ ଏହି ଆଦେଶ ପ୍ରତ୍ୟାହାର ହେଉ ବୋଲି ଦାବି କରିଛନ୍ତି ରାଜ୍ୟସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ ଦାବି କରିଛନ୍ତି । ତେଣେ ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ ବି ହଟ୍ଟଗୋଳ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ଆଜି ୧୬ଟି ବିରୋଧୀଦଳର ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ । ତେବେ ସେମାନଙ୍କ ମଧ୍ୟରେ କୌଣସି ତୃଣମୂଳ ସାଂସଦ ସାମିଲ ନଥିଲେ ।

ସଂସଦୀୟ ଆଇନ ଅନୁସାରେ ଏହି ସାଂସଦମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଉ ବୋଲି ସେମାନେ ଦାବି କରିଥିଲେ । ଯଦି ଏହି ସସପେଣ୍ଡ ଆଦେଶ ପ୍ରତ୍ୟାହାର ନହୁଏ ତେବେ ଆଜି ରାଜ୍ୟସଭା ଅଧିବେଶନକୁ ବର୍ଜନ କରାଯିବ ବୋଲି ସେମାନେ କହିଛନ୍ତି । ଏହି ୧୬ଟି ଦଳ ମଧ୍ୟରେ ଅଛନ୍ତି କଂଗ୍ରେସ, ଡିଏମକେ, ଏମଡିଏମକେ, ଶିବସେନା, ଏନସିପି, ସିପିଆଇ, ସିପିଏମ, ଆରଜେଡି, ମୁସଲିମ ଲିଗ,ନ୍ୟାସନାଲ କନଫରେନ୍ସ, ଟିଆରଏସ, ଆରଏସପି, କେରଳ କଂଗ୍ରେସ, ଆପ୍ ଓ ଭିସିକେ ।

ସସପେଣ୍ଡ ହୋଇଥିବା ସାଂସଦମାନେ ହେଲେ ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ, ଅରୁଣ ଦେଶାଇ, ଟିଏମସିର ଡୋଳା ସେନ, ଶାନ୍ତା ଛେତ୍ରୀ, ସିପିଏମର ଏଲାମରାମ କରିମ ଓ କଂଗ୍ରେସର ୬ ସାଂସଦ । ଗତ ଅଗଷ୍ଟରେ ଅଧିବେଶନ କାଳରେ ପେଗାସସ ମାମଲାରେ ହଟ୍ଟଗୋଳ ନେଇ ଉକ୍ତ ୧୨ ସାଂସଦ ହୋଇଥିଲେ ସସପେଣ୍ଡ । ତେବେ ଏମଏସପି ଆଇନ, ମୃତଚାଷୀଙ୍କ ପରିବାରକୁ କ୍ଷତିପୂରଣ, ପେଗାସସ, ଦରବୃଦ୍ଧି, ବେକାରୀ, ମହିଳା ସଂରକ୍ଷଣ, ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ବିରୋଧୀ ।

କାହିଁକି ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୩୫ ହଜାର ଟଙ୍କା ଦେଲେ ଦ୍ରାବିଡ; ଜାଣନ୍ତୁ…

କାନପୁର: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ଖେଳାଯାଇଥିଲା ପ୍ରଥମ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମ ଇନିଂସରେ ବଡ଼ ସ୍କୋର କରିବା ପରେ ମଧ୍ୟ ଏହି ମ୍ୟାଚକୁ ଜିତି ପାରିନଥିଲା ଟିମ୍ ଇଣ୍ଡିଆ । ଶେଷ ଦିନରେ ଦମଦାର ବ୍ୟାଟିଂ କରି ମ୍ୟାଚକୁ ଡ୍ର’ କରିବାରେ ସଫଳ ହୋଇଥିଲା ନ୍ୟୁଜିଲାଣ୍ଡ । ଯଦିଓ ମ୍ୟାଚର ରେଜଲ୍ଟ ଭାରତ ସପକ୍ଷରେ ଆସିନଥିଲା କିନ୍ତୁ ଭାରତୀୟ ଟିମର କୋଚ ରାହୁଲ ଦ୍ରାବିଡ ପିଚକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ପଞ୍ଚମ ଦିନରେ ମ୍ୟାଚ ଡ୍ର ହେବା ପରେ ରାହୁଲ ଦ୍ରାବିଡ ପିଚକୁ ନେଇ ଖୁସି ବ୍ୟକ୍ତ କରିବା ସହ ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୩୫ ହଜାର ଟଙ୍କା ଦେଇଥିଲେ ।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ; ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏସନ ଘୋଷଣା କରିଥିଲେ କି ରାହୁଲ ଦ୍ରାବିଡ କାନପୁର ଗ୍ରୀନ ପାର୍କ ଷ୍ଟାଡିୟମର ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୩୫ ହଜାର ଟଙ୍କା ପ୍ରଦାନ କରିଥିଲେ । ଏପରି ପିଚ୍ ଭାରତରେ ବହୁତ କମ୍ ଦେଖିବାକୁ ମିଳିଥାଏ । ଯେଉଁ ପିଚରେ ଶେଷ ଦିନ ପର୍ଯ୍ୟନ୍ତ ମ୍ୟାଚ ଚାଲିଥାଏ । କାନପୁର ଟେଷ୍ଟରେ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ ଖେଳାଯାଇଥିଲା କିନ୍ତୁ ମ୍ୟାଚ ଡ୍ର’ରେ ଶେଷ ହୋଇଥିଲା । ଭାରତରେ ପ୍ରାୟତଃ ତୃତୀୟ ଦିନରୁ ହିଁ ପିଚ୍ ଧିମା ହୋଇଯାଏ । ଯାହା ଫଳରେ ସ୍ପିନର୍ସମାନେ ଏହି ଧିମା ପିଚରେ ଦମଦାର ବୋଲିଂ କରନ୍ତି ।

 

NTSEର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ତାରିଖ ଘୋଷଣା

0

 ଭୁବନେଶ୍ୱର:ପ୍ରକାଶ ପାଇଲା NTSE ବା ଜାତୀୟ ମେଧାବୀ ଚିହ୍ନଟ ପରୀକ୍ଷାର ପ୍ରଥମର ପର୍ଯ୍ୟାୟ ନେଇ ତାରିଖ ଘୋଷଣା ହୋଇଛି । ଆସନ୍ତା ବର୍ଷ ଜାନୁଆରୀ ୧୬ ତାରିଖରେ ହେବ ପରୀକ୍ଷା। ଯାହା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଦେଇ ପାରିବେ। ଏଥିରେ ସରକାରୀ, ଘରୋଇ ଓ ଇଂରାଜୀ ସ୍କୁଲ ଛାତ୍ରଛାତ୍ରୀମାନେ ବୃତ୍ତି ପାଇବା ପାଇଁ ପରୀକ୍ଷା ଦେଇପାରିବେ। ତେଣୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ରାଜ୍ୟ ସରକାର କରନ୍ତି।

ସବୁ ସ୍କୁଲର ଛାତ୍ରଛାତ୍ରୀ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ସ୍କୁଲ ଅଧ୍ୟକ୍ଷ ସେମାନଙ୍କ ଆବେଦନ ଯାଞ୍ଚ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ପଠାଇବେ। ସେମାନେ ଯାଞ୍ଚ କଲା ପରେ ଆଡ଼ମିଟ କାର୍ଡ ଓ ପରୀକ୍ଷା କେନ୍ଦ୍ରର ସୂଚନା ମିଳିବ । ନବମ ଶ୍ରେଣୀରେ ୬୦ ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ । ସଂରକ୍ଷିତ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୫ ପ୍ରତିଶତ ମାର୍କ ଛାଡ଼ ଅଛି । ଏଥିରୁ ୨୫୯ ଛାତ୍ରଛାତ୍ରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ଜାତୀୟସ୍ତରକୁ ପଠାଯାଏ । ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା NCERT କରିବ। ସେଥିରେ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ, ପ୍ରତି ମାସ ବୃତ୍ତି ପାଇବେ । ଯାହା ଯୁକ୍ତ ଦୁଇ ପାଇଁ ୧୨୫୦ ଟଙ୍କା ଓ ଯୁକ୍ତ ତିନିରୁ ପିଜି ପର୍ଯ୍ୟନ୍ତ ୨୦୦୦ ଟଙ୍କା । PHD ବୃତ୍ତି UGC ନିୟମାବଳୀ ଅନୁସାରେ ମିଳିବ।

ଏଥିସହିତ ପଢ଼ନ୍ତୁ: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନା ସଂକ୍ରମିତ ଚିହ୍ନଟ

ଭୀମସାରରେ ଆଉ ୧୦ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ

ସମ୍ୱଲପୁର: ବୁର୍ଲା ଭୀମସାରରେ ବଢ଼ିଲା ଭୂତାଣୁ ଭୟ । ଆଉ ୧୦ ଜଣ ଛାତ୍ରଛାତ୍ରୀ ଓ ଜଣେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଆଉ ୨୧ ଜଣଙ୍କ ସ୍ୱାବ ନମୁନା ଭୁବନେଶ୍ୱର ଆଇଏଲଏସକୁ ପଠାଯାଇଛି ।

ସୂଚନା ଯୋଗ୍ୟ ବୁର୍ଲା ଭୀମସାରରେ କାୟା ମେଲାଉଛି କରୋନା । ପୂର୍ବରୁ ୧୭ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି ।  ସଂଖ୍ୟା ବଢୁଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଗତକାଲି ବୁର୍ଲାରେ କଣ୍ଟେନମେଣ୍ଟ ଜୋନ୍ ଓ ବଫରଜୋନ୍ ଘୋଷଣା କରାଯାଇଥିଲା ।

ଛାତ୍ରାବାସ ଓ ଛାତ୍ରୀ ନିବାସରେ ତାଲା ପଡ଼ିଥିବା ବେଳେ ବନ୍ଦ ରହିଛି ଯାତାୟତ । ସହରବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ କୋଭିଡ ଗାଇଡଲାଇନ ମାନିବାକୁ ସଚେତନ କରିଛି ଜିଲ୍ଲା ପ୍ରଶାସନ  ।  ଅନ୍ୟପକ୍ଷରେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଣିକି ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା କଡାକଡ଼ି ହେବ । ମାସ୍କ, ସାମାଜିକ ଦୂରତା ଓ ସଚେତନ ଉପରେ ଗୁରୁତ୍ୱ ଦିଆଯିବ । ସଂକ୍ରମଣରେ ବ୍ରେକ ଦେବାକୁ ଟେଷ୍ଟିଂ ଜାରି ରହିବା ସହ ସର୍ଭେଲାନ୍ସକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ ପିଲାମାନଙ୍କ ଲକ୍ଷଣ ରହିଛି ସେମାନେ ସ୍କୁଲ ନଆସିବାକୁ ପରାମର୍ଶ  ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ କଟକଣା ଭିତରେ ଶିକ୍ଷାନୁଷ୍ଠାନ ଖୋଲିବାର ଆବଶ୍ୟକତା ରହିଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗ କହିଛି ।

କରୋନା ହଟସ୍ପଟ ପାଲଟିଛି ଭୀମସାର: ୧୭ ନୂଆ ଡାକ୍ତରୀ ଛାତ୍ରଛାତ୍ରୀ ଚିହ୍ନଟ

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନା ସଂକ୍ରମିତ ଚିହ୍ନଟ

ଯାଜପୁର: କରୋନାରେ ସଂକ୍ରମିତ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାର । ଏବେ କଳିଙ୍ଗନଗର ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ନନ୍ଦ ସାର । ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । କଫ ଜନିତ ସମସ୍ୟା ଯୋଗୁଁ ନନ୍ଦ ସାର ରବିବାରଠାରୁ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ନିମୋନିଆ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଅଧିକ ଚିକିତ୍ସା ପାଇଁ ଗତକାଲି ରାତିରେ ନନ୍ଦ ସାରଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରଥମେ ତାଙ୍କର କୋଭିଡ ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା ।

ସୂଚନା ଯୋଗ୍ୟ ଯେ, ରବିବାର ନନ୍ଦ ପୃଷ୍ଟିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସୋମବାରଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶ୍ରୀ ପୃଷ୍ଟିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ନନ୍ଦ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ସେତେଟା ଭଲ ନଥିବା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ‘ଜଓ୍ୱାଦ’କୁ ନେଇ ଆଜି ସ୍ପଷ୍ଟ ହେବ ଚିତ୍ର