ୟୁପି ଦଙ୍ଗଲ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

1 min read

ଲକ୍ଷ୍ନୌ: ବାଜି ସାରିଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବିଗୁଲ । ନିର୍ବାଚନୀ ମୈଦାନକୁ ଡେଇଁ ସାରିଛନ୍ତି ରାଜେନୖତିକ ଦଳ । ମହିଳା କାର୍ଡକୁ ନେଇ ୟୁପି ଦଖଲ ଲକ୍ଷ୍ୟରେ ଥିବା କଂଗ୍ରେସ ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ରହିଛି ଏମିତି ଏକ ନାଁ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ପ୍ରାର୍ଥୀ ହେଉଛନ୍ତି ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ।

୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶର ୧୨୫ ସିଟ ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଉନ୍ନାଓରୁ ଦଳ ଏଥିର ଉନ୍ନାଉ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ଆଶା ସିଂଙ୍କୁ ପ୍ରାର୍ଥୀ କରିଛି । ଆଶାଙ୍କ ନେଇ ପ୍ରିୟଙ୍କା କହିଛନ୍ତି, ‘ଆମେ ତାଙ୍କୁ (ଉନ୍ନାଓ ପୀଡ଼ିତାଙ୍କ ମାଆ) ସଂଘର୍ଷ ଜାରି ରଖିବାକୁ ସୁଯୋଗ ଦେଇଛୁ । ଯେଉଁ କ୍ଷମତା ବଳରେ ତାଙ୍କ ଝିଅ ସହ ଅତ୍ୟାଚାର କରାଗଲା, ତାଙ୍କ ପରିବାରକୁ ବରବାଦ କରାଗଲା ସେହି କ୍ଷମତା ସେ ହାସଲ କରନ୍ତୁ ।’

ଆଶାଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ ରାହୁଲ ଗାନ୍ଧି ମଧ୍ୟ ଟ୍ବିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଉନ୍ନାଓରେ ଯାହା ଝିଆ ସହ ବିଜେପି ଅନ୍ୟାୟ କରିଛି, ଏବେ ସେ ନ୍ୟାୟର ପ୍ରତୀକ ହେବ । ଲଢ଼ିବେ ଓ ଜିତିବେ ।’

ପ୍ରିୟଙ୍କା ଘୋଷଣା କରିଥିବା ୧୨୫ ସିଟରୁ ୫୦ଟି ଆସନ ମହିଳାଙ୍କୁ ଦିଆଯାଇଛି । ଉନ୍ନାଓ ପୀଡ଼ିତାଙ୍କ ମାଆଙ୍କ ସମେତ କିଛି ସାମ୍ବାଦିକ, ଜଣେ ଅଭିନେତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ଦଳ ପ୍ରାର୍ଥୀ କରିଛି । ବଡ଼ ଚେହେରାରେ ଅଛନ୍ତି ସଲମାନ ଖୁର୍ସିଦ୍ଦଙ୍କ ପତ୍ନୀ ଲୁଇସଙ୍କୁ ପ୍ରାର୍ଥୀ କରାଯାଇଛି । ଏମାନଙ୍କ ବ୍ୟତୀତ ଏନସିଆର-ସିଏଏକୁ ବିରୋଧ କରି ଆନ୍ଦୋଳନକୁ କରିଥିବା ସଦଫ ଜାଫରଙ୍କୁ ପ୍ରାର୍ଥୀ କରିଛି ଦଳ । ଏନସିଆର-ସିଏଏକୁ ବିରୋଧ କରିଥିବାରୁ ସରକାର ସଦଫଙ୍କ ପୋଷ୍ଟର ଲଗାଇ ତାଙ୍କୁ ପ୍ରତାଡ଼ିତ କରିଥିଲା ।  ସେହିପରି ଆଶା ଦିଦି ପୁନମ ପାଣ୍ଡେଙ୍କ ଉପରେ କଂଗ୍ରେସ ଆଶା ରଖିଛି । କରୋନା ମହାମାରୀ ସମୟରେ ସମ୍ମୁଖ ଯୋଦ୍ଧା ଭାବେ କାମ କରି ଲୋକଙ୍କ ସେବା କରିଥିବା ପୁନମଙ୍କୁ ମାଡ଼ ମରାଯାଇଥିଲା । ସେହିପରି ସୋନଭଦ୍ର ନରସଂହାର ପୀଡ଼ିତ ରାମରାଜ ଗୌଣ୍ଡଙ୍କୁ ଦଳ ପ୍ରାର୍ଥୀ କରିଛି ।

Leave a Reply