ଭାରତ-ପାକିସ୍ତାନ ବିଭାଜନ: ୭୪ ବର୍ଷ ପରେ ଭାଇ ଦେଖିଲା ଭାଇକୁ

1 min read

କର୍ତାରପୁର: ୭୪ ବର୍ଷର ବିଚ୍ଛେଦ । ଯେତେବେଳେ ପରସ୍ପରକୁ ଦେଖିଲେ କଥା କହି ଥିଲା ଆଖି । ପରସ୍ପରକୁ କୁଣ୍ଢାଇ ପକାଇଲେ । ଦୀର୍ଘ ବର୍ଷ ବିଚ୍ଛେଦର କୋହ ଲୁହ ହୋଇ ଆଖିରୁ ବୋହି ଯାଇଥିଲା । ପାକିସ୍ତାନର କର୍ତାରପୁର ସ୍ଥିତ ଗୁରୁଦ୍ବାରା ଦରବାର ସାହିବରେ ଘଟିଛି ଏହି ଅପୂର୍ବ ମିଳନ । ଭାରତ, ପାକିସ୍ତାନ ବିଭାଜନ ବେଳେ ଅଲଗା ହୋଇଥିବା ଦୁଇ ଭାଇଙ୍କ ହୋଇଛି ମିଳିନ । ଆଉ ଏହି ମିଳନର ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ପିଲାଦିନୁ ଅଲଗା ହୋଇଯାଇଥିବା ଦୁଇ ଭାଇଙ୍କ ପରିଣତ ବୟସରେ ଏହି ମିଳନ ସେମାନଙ୍କ ଭଙ୍ଗା ସଂସାରକୁ ପୁଣି ଥରେ ପୂରା କରିପାରିଛି । ଏହାସହ ଏହା ବି ସୂଚାଉଛି ଭାରତଠାରୁ ପାକିସ୍ତାନ ଅଲଗା ହେବାର ସେହି କଳାଦିନ ଏମିତି କେତେ ଭାଇଙ୍କୁ ଅଲଗା କରିଛି ଓ କେତେ ଘରକୁ ଭାଙ୍ଗି ଦେଇଛି । ଯେଉଁମାନେ ଏବେ ବି ଦୁଇ ଦେଶ ମଧ୍ୟରେ ବାଣ୍ଟି ହୋଇଯାଇଥିବା ନିଜ ସମ୍ପର୍କୀୟଙ୍କୁ ଥରେ ଦେଖିବାକୁ ଝୁରି ହେଉଛନ୍ତି ।

ପାକିସ୍ତାନର କର୍ତାରପୁରରେ ଥିବା ଗୁରୁଦ୍ବାରା ଦରବାର ସାହିବ ଦୁଇ ଦେଶର ଲୋକଙ୍କ ପାଇଁ ଖୋଲିଛି । ଶିଖଙ୍କ ଏହି ପବିତ୍ର ତୀର୍ଥସ୍ଥଳକୁ ଭାରତୀୟମାନେ ବିନା ଭିସାରେ ଯାଇପାରୁଛନ୍ତି । ଏଠାକୁ ଭାରତର ପଞ୍ଜାବରେ ଥିବା ହବିବ ଯାଇଛନ୍ତି । ସେଠାରେ ତାଙ୍କର ଭେଟ ହୋଇଛି ସାନ ଭାଇ ମହମ୍ମଦ ସିଦ୍ଦିକଙ୍କ ସହ । ଯିଏ ପିଲା ଥିବା ବେଳେ ଭାରତ-ପାକିସ୍ତାନ ବିଭାଜନ କାରଣରୁ ପରିବାରର ଅନ୍ୟ ସଦସ୍ୟଙ୍କ ସହ ପାକିସ୍ତାନ ଚାଲିଯାଇ ଫଏସଲାବାଦରେ ରହୁଛନ୍ତି।

ଅବର୍ଣ୍ଣନିୟ ଏହି ମିଳନ

ଯେତେବେଳେ ଦୁଇ ଭାଇଙ୍କ ମିଳନ ହୋଇଥିଲା ସେ ସମୟ ଥିଲା ଅବର୍ଣ୍ଣନିୟ । ଯାହାକୁ ଭାଷାରେ ଉଲ୍ଲେଖ କରିବା ଆମ ପାଇଁ ମଧ୍ୟ କଷ୍ଟଦାୟକ । ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଦୁଇ ଭାଇଙ୍କ ବିଚ୍ଛେଦର କାହାଣୀ ବେଶ ଭାଇରାଲ ହୋଇଥିଲା । ଏହାପରେ ସେମାନେ ନିଜ ପିଲାଦିନର ସ୍ମୃତିକୁ ମନେ ପକାଇ ପରିଚୟ ପାଇଥିଲେ । ଆଉ ଏବେ କର୍ତାରପୁର କରିଡର ନିକଟ ଗୁରୁଦ୍ବାରା ଦରବାର ସାହିବରେ ସେମାନଙ୍କ ମିଳନ ଘଟିଛି । ଦୁଇ ଭାଇଙ୍କ ଏହି ମିଳନ ସେଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା ।

କର୍ତାରପୁର କରିଡରକୁ ଖୋଲିଥିବାରୁ ଦୁଇ ଦେଶର ସରକାରଙ୍କୁ ଦୁଇ ଭାଇ ଧନ୍ୟବାଦ ଜଣାଇଛନ୍ତି । ଭାରତର ବିଭାଜନ ପରେ ସେମାନଙ୍କ ମାଆଙ୍କ ଦେହାନ୍ତ ହୋଇଯାଇଥିଲା । ହବିବ ବାହା ନ ହୋଇ ଆଜୀବନ କୁମାର ହୋଇରହିଛନ୍ତି ।

Leave a Reply