କୋଭିସିଲ୍ଡ କମାଲ: ଟିକା ନେବା ପରେ କଥା କହୁଛନ୍ତି ମୂକ ବ୍ୟକ୍ତି

ରାଞ୍ଚି: ଭାରତୀୟ ଟିକା କୋଭିସିଲ୍ଡର ଆଉ ଏକ କମାଲ । ଟିକା ନେବା ପରେ ଫେରିଲା ବାକ୍ ଶକ୍ତି । ୫ ବର୍ଷ ହେଲା କଥା କହି ପାରୁନଥିବା ଲୋକ କହିଲା କଥା । ସେତିକି ନୁହେଁ, ଶରୀରରେ ଥିବା ଅନ୍ୟାନ୍ୟ ସମସ୍ୟା ବି ଦୂରେଇ ଯାଇଛି ଓ ବ୍ୟକ୍ତି ଜଣଙ୍କ ଚଲାବୁଲା କରିବାକୁ ସକ୍ଷମ ହୋଇପାରିଛନ୍ତି । ଏମିତି ଚମତ୍କାର ଖବର ଆସିଛି ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରୁ । କେମିତି ଏହି ଚମତ୍କାର ଘଟିଲା ତାହାର ଯାଞ୍ଚ କରିବାକୁ ମେଡିକାଲ ଟିମ୍ ଗଠନ କରାଯାଇଛି ।

ସୂଚନାଯୋଗ୍ୟ, ଗୋମିୟାର ପେଟରଓ୍ବାର ଗାଁର ୫୫ ବର୍ଷର ଦୁଲାରଚାନ୍ଦ ମୁଣ୍ଡା ୫ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ କହିବା ଶକ୍ତି ହରାଇଥିଲେ । ସେ ଠିକ ଭାବେ କଥା କହିପାରୁନଥିଲେ । ଏହାସହ ଚଲାବୁଲା ଠିକରେ କରି ପାରୁ ନଥିଲେ କି ଶରୀରର ବିଭିନ୍ନ ଅଙ୍ଗ ଭଲରେ କାମ କରୁନଥିଲା । ହେଲେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେବା ପରେ ସେ ଏବେ ପୂର୍ବ ପରି କଥା କହି ପାରୁଛନ୍ତି ଓ ନିଜ କାମ ମଧ୍ୟ କରିପାରୁଛନ୍ତି ।

ଦୁଲାରଚାନ୍ଦଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ତାଙ୍କୁ ଚିକିତ୍ସା ପାଇଁ ବହୁତ ଡାକ୍ତରଖାନା ଧାଇଁଛନ୍ତି । ଏହାସହ ମନ୍ଦିର, ମସଜିଦକୁ ଯାଇ ଭଲ ହେବା ପାଇଁ ପ୍ରାର୍ଥନା କରିଛନ୍ତି । ହେଲେ କିଛି ଲାଭ ହୋଇ ନଥିଲା । କୋଭିଡର ଗୋଟିଏ ଡୋଜ ଯେମିତି ସେମାନଙ୍କ ପ୍ରାର୍ଥନା ଶୁଣିଥିଲା ଓ ଦୁଲାରଚାନ୍ଦ ଏବେ ଆଗ ଭଳି କଥା କହିପାରୁଛନ୍ତି ।

ଘଟଣା ଜଣାପଡ଼ିବା ପରେ ଜିଲ୍ଲାର ସିଭିଲ୍ ସର୍ଜନ ଡ. ଜିତେନ୍ଦ୍ର କୁମାର ଏକ ମେଡିକାଲ ଟିମ୍ ଗଠନ କରି ଦୁଲାରଚାନ୍ଦଙ୍କ ମେଡିକାଲ ହିଷ୍ଟ୍ରି ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି ।

ପେଟରଓ୍ବାର ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସକ ଡ. ଅଲବେଲା କେରକେଟା କହିଛନ୍ତି, ‘ଜାନୁଆରୀ ୪ ତାରିଖରେ ଅଙ୍ଗନବାଡି ଦିଦି ଦୁଲାରଚାନ୍ଦଙ୍କ ଘରକୁ ଯାଇ ତାଙ୍କୁ ଟିକା ଦେଇଥିଲେ । ତା’ପରଦିନଠାରୁ ନିସ୍ତେଜ ହୋଇଯାଇଥିବା ତାଙ୍କ ଶରୀରରେ କିଛି ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା । ଦୁଲାରଚାନ୍ଦଙ୍କୁ ଇସ୍ପାଇନ ସମସ୍ୟା ଥିଲା । ତାଙ୍କର ବହୁତ ରିପୋର୍ଟ ଆମେ ଦେଖିଛୁ । ଏହାର ଯାଞ୍ଚ ହେବା ଆବଶ୍ୟକ ।’

ଏମିତି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କ’ଣ ସତରେ ଭାରତୀୟ ଟିକା କୋଭିସିଲ୍ଡ କରୋନାକୁ ପ୍ରତିହତ କରିବା ସହ ବାକଶକ୍ତି ଫେରିବା ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦୂର କରିବାକୁ ସକ୍ଷମ ? ୫ ବର୍ଷ ହେଲା ବିଛଣାରେ ପଡି କଥା କହି ପାରୁନଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ କେମିତି ? ଯାହାର ଉତ୍ତର ଆଗାମୀ ଦିନରେ ମେଡିକାଲ ଟିମର ଯାଞ୍ଚ ପରେ ଜଣାପଡିବ ।

Leave a Reply