spot_img
Home Blog Page 4838

ବିରାଟଙ୍କ ହାତରୁ ଯାଇପାରେ ଦିନିକିଆ ଅଧିନାୟକତ୍ୱ; ଚଳିତ ସପ୍ତାହରେ ହେବ ନିଷ୍ପତି

ମୁମ୍ବାଇ: ଟି-୨୦ ବିଶ୍ୱକପ ପରେ ଟି-୨୦ ଅନ୍ତର୍ଜାତୀୟରୁ ଅଧିନାୟକ ପଦ ଛାଡି ସାରିଛନ୍ତି ବିରାଟ କୋହଲି । କୋହଲି ଅଧିନାୟକ ପଦ ଛାଡିବା ପରେ ଭାରତୀୟ ଦଳର ଟି-୨୦ର କମାଣ୍ଡ ସମ୍ଭାଳୁଛନ୍ତି ରୋହିତ ଶର୍ମା । ତେବେ ଟି-୨୦ରୁ ଅଧିନାୟକ ପଦ ଯିବା ପରେ ଏବେ ଦିନିକିଆରୁ ମଧ୍ୟ ବିରାଟଙ୍କ ହାତରୁ ଯାଇପାରେ ଅଧିନାୟକତ୍ୱ । ଚଳିତ ମାସରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ପାଇଁ ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ହେବାକୁ ଯାଉଛି ଦଳ ଚୟନ । ଚଳିତ ସପ୍ତାହ ମଧ୍ୟରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଚୟନ କରାଯିବ । କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ନିର୍ଦ୍ଧାରିତ ସମୟଠାରୁ ଏକ ସପ୍ତାହ ପରେ ଆରମ୍ଭ ହେବ ଏହି ସିରିଜ୍ ।

ଟି-୨୦ ବିଶ୍ୱକପ ଏବଂ ଟେଷ୍ଟ ଚମ୍ପିଆନସିପ୍ ପାଇଁ ଟି-୨୦ ଓ ଟେଷ୍ଟ ଫର୍ମାଟରେ ଅଧିକ ଧ୍ୟାନ ଦେଉଥିଲା ଟିମ୍ ଇଣ୍ଡିଆ । ଭାରତ ଚଳିତ ବର୍ଷ ମାତ୍ର ୬ଟି ଦିନିକିଆ ମ୍ୟାଚ ଖେଳିଛି । ୨୦୨୧ ପରି ୨୦୨୨ରେ ମଧ୍ୟ ଭାରତ ଦିନିକିଆ ଅପେକ୍ଷା ଅଧିକ ଟି-୨୦ ମ୍ୟାଚ ଖେଳିବ । ଯେଉଁଥିରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ସାମିଲ ରହିଛି । ଟି-୨୦ ବିଶ୍ୱକପ ପରେ ୨୦୨୩ରେ ଦିନିକିଆ ବିଶ୍ୱକପ ଖେଳାଯିବ । ତେବେ ବର୍ତ୍ତମାନ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୭ ମାସ ମଧ୍ୟରେ ଭାରତ କେବଳ ୯ଟି ଦିନିକିଆ ମ୍ୟାଚ ଖେଳିବ । ଯେଉଁଥିରେ ୬ଟି ମ୍ୟାଚ ବିଦେଶରେ ଖେଳାଯିବ ଏବଂ ୩ଟି ମ୍ୟାଚ ଭାରତରେ ଖେଳାଯିବ ।

ବିସିସିଆଇର ଏକ ଗ୍ରୁପ୍ ବିରାଟ କୋହଲିଙ୍କୁ ଦିନିକିଆରେ ଅଧିନାୟକ ଭାବରେ ରଖିବାକୁ ଦାବି କରୁଥିବାବେଳେ ଅନ୍ୟ ଏକ ଗ୍ରୁପ୍ ଟି-୨୦ ଓ ଦିନିକିଆରେ ଜଣେ ଖେଳାଳିଙ୍କୁ ହିଁ ଅଧିନାୟକ କରିବାକୁ କହୁଛନ୍ତି । କାହିଁକି ନା ରୋହିତ ଶର୍ମା ୨୦୨୩ ଦିନିକିଆ ବିଶ୍ବକପ ପାଇଁ ଭଲ ଭାବରେ ପ୍ରସ୍ତୁତି କରିପାରିବେ । ତେବେ ଏହି ମାମଲାରେ ଶେଷ ନିଷ୍ପତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହା ନେବେ । ବିରାଟ କୋହଲି ପୂର୍ବରୁ ହିଁ ଟି-୨୦ ଅଧିନାୟକ ଛାଡି ସାରିଛନ୍ତି ।  ଦିନିକିଆରେ ବିରାଟଙ୍କ ନେତୃତ୍ବରେ ଭାରତ ୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲ ଏବଂ ୨୦୧୯ ଦିନିକିଆ ବିଶ୍ବକପ ସେମିଫାଇନାଲରେ ପରାଜୟର ସ୍ୱାଦ ଚାଖିଥିଲେ । ତେବେ ବିରାଟ କୋହଲି ଦିନିକିଆରେ ଅଧିନାୟକ ରହିବେ ନା ନାହିଁ ତାହା ଚଳିତ ସପ୍ତାହରେ ଜଣାପଡ଼ିବ ।

 

ବାତ୍ୟା ଜୱାଦର ମୁକାବିଲା ପାଇଁ ସଜାଗ ପ୍ରଶାସନ, କେଉଁଠି କିଭଳି ପ୍ରସ୍ତୁତି…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପାଇଁ ରାଜ୍ୟ ସରକାର ସଜାଗ ହୋଇରହିଛନ୍ତି। ଏପରିକି ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ରଖିବା ବ୍ୟବସ୍ଥା କରାଯାଇଛି । ସେଠାରେ ଶୁଦ୍ଧ ପାନୀୟ ଓ ଖାଦ୍ୟ ଯୋଗାଇବା ବ୍ୟବସ୍ଥା ହୋଇଛି । ଆବଶ୍ୟକ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ କୁହାଯାଇଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି କଟକ ନରାଜସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ଅନୁଷ୍ଠାନରୁ ବିଭିନ୍ନ ଜିଲ୍ଲାକୁ ବାହାରିବେ ୩୩ଟି ଟିମ। ଗଞ୍ଜାମକୁ ୬, ଗଜପତିକୁ ୩, ପୁରୀକୁ ୬, ଖୋର୍ଦ୍ଧାକୁ ୪, ଜଗତସିଂହପୁରକୁ ୬, କେନ୍ଦ୍ରାପଡାକୁ ୪ ଓ ଭଦ୍ରକକୁ ୪ଟି ଟିମ ଯିବେ। କଟକ ଓ ଭୁବନେଶ୍ୱରରେ ୧୪ଟି ଟିମକୁ ରିଜର୍ଭ ରଖାଯାଇଥିବା ଚିଫ ଫାୟାର ଅଫିସର ଭାବଗ୍ରାହୀ ଘଡେଇ ସୂଚନା ଦେଇଛନ୍ତି।

ସେହିଭଳି ବାତ୍ୟା ଜୱାଦ ର ମୁକାବିଲା ପାଇଁ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ସତର୍କତାମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ବରିଷ୍ଠ ଅଧିକାରୀମାନଙ୍କୁ ସମୁଦ୍ର ଉପକୂଳବର୍ତ୍ତୀ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ପଠାଯାଇଛି । ଗୋଟିଏ ଏନଡ଼ିଆରଏଫ ଟିମକୁ ଧାମରା ଅଞ୍ଚଳକୁ ପଠାଯାଇ ସ୍ଥିତି ଉପରେ ନଜର ରଖି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷେ ଆଉ ଗୋଟିଏ ଓଡ୍ରାଫ ଟିମ ଆସିଲେ ବାସୁଦେବପୁର ଅଞ୍ଚଳକୁ ପଠାଯିବ। ଜ଼ିଲ୍ଲାରେ ଥିବା ୯ ଗୋଟି ଅଗ୍ନିଶମ ଟିମ ଓ ରାଜ୍ୟରୁ ଆସିବାକୁ ଥିବା ୧୩ଗୋଟି ଟିମକୁ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯିବ। ତେବେ ଆବଶ୍ୟକ ହେଲେ ସମୁଦ୍ର ଉପକୂଳରେ ଥିବା ବାସୁଦେବପୁର ବ୍ଲକର ୧୭ ଗୋଟି ଗାଁ ଏବଂ ଚାନ୍ଦବାଲି ବ୍ଲକର ୨୯ ଗୋଟି ମୋଟ ୪୬ ଗୋଟି ଗାଁର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯିବ।

Cyclone Jawad Likely To Recurve Northnortheastwards And Move Along Odisha Coast After Landfall

ବର୍ଷା ଓ ପବନର ବେଗ ଜୋର ରହିଲେ ତଳିଆ ଅଞ୍ଚଳର ଲୋକମାନଙ୍କୁ ଜ଼ିଲ୍ଲାରେ ଥିବା ୧୦୪ଗୋଟି ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବାର ବ୍ୟବସ୍ଥା ହୋଇଥିବା ଜ଼ିଲ୍ଲାପାଳ କହିଛନ୍ତି। ସେହିପରି ଭାବେ, ମସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ଜୱାଦର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ଗଜପତି ଜିଲ୍ଲା ପ୍ରଶାସନ। ଏହି ଜିଲ୍ଲାରେ ପହଞ୍ଚିଛନ୍ତି ଏନଡିଆରଏଫର ୨୦ ଜଣିଆ ଟିମ୍ ଓ ୩୬ ଜଣିଆ ବିଶିଷ୍ଟ ଓଡ୍ରାଫ ଟିମ୍ । ଜିଲ୍ଲାରେ ବେଶି ପ୍ରଭାବିତ ହେବାକୁ ଥିବା ରାୟଗଡ଼ ଓ ଗୋଷାଣୀ ବ୍ଲକ ଅଞ୍ଚଳକୁ ଦୁଇ ଭାଗରେ ଏନଡିଆରଏଫ ଟିମ୍ ବିଭକ୍ତ କରି ମୁତୟନ ହୋଇଛନ୍ତି । ସେହିପରି ଓଡ୍ରାଫ ଟିମକୁ ମଧ୍ୟ ବିଭକ୍ତ କରି ବିଭିନ୍ନ ଅଞ୍ଚଳକୁ ପଠାଯାଇଛି। ଅଗ୍ନିଶମ ବିଭାଗର ୧୦ ଟିମକୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧ ହଟାଇବା ଏବଂ ପାହାଡ଼ ଧସିବାରୁ ଜନଜୀବନକୁ ସୁରକ୍ଷା ଦେବା ପାଇଁ ସଜାଗ ରହିଛି ଉଦ୍ଧାରକାରୀ ଟିମ୍‌।

ବାତ୍ୟା ପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ, ଘୁଞ୍ଚିଲା ସିଟି ପରୀକ୍ଷା

ଭୁବନେଶ୍ୱର: ବାତ୍ୟା ଆସୁଛି । ବିଶାଖାପାଟ୍ଟଣମରୁ ଗୋପାଳପୁର ମଧ୍ୟରେ ଶନିବାର ସ୍ଥଳଭାଗ ଛୁଇଁବ । ପରେ ଓଡ଼ିଶା ଉପକୂଳରେ ସକ୍ରିୟ ରହି ରବିବାର ମଧ୍ୟାହ୍ନରେ ପୁରୀ ପହଞ୍ଚିବ । ପାଣିପାଗ ବିଭାଗର ଏଭଳି ଆକଳନ ପରେ ବାତ୍ୟା ମୁକାବିଲା ପ୍ରସ୍ତୁତିକୁ ଶାଣିତ କରିଛନ୍ତି ସରକାର । ରବିବାର ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ୍ କରି ଦିଆଯାଇଛି ।

Konark Festival Cancelled From Day Three For Cyclone Jawad

ଅନ୍ୟପଟେ କୋଣାର୍କରେ ଚାଲିଥିବା କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପର୍ଯ୍ୟଟନ ବିଭାଗ । ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଏହା ୫ ଦିନ ଧରି ଚାଲିଥାନ୍ତା । ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଉତ୍ସବର ତୃତୀୟ ଦିନରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏଥିସହ ପଢ଼ନ୍ତୁ: ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ଉପକୂଳରେ ୨୪ ଘଣ୍ଟା ସକ୍ରିୟ ରହିବ ‘ଜୱାଦ’, ୫ ମଧ୍ୟାହ୍ନରେ ପହଞ୍ଚିବ ପୁରୀ

ସେପଟେ ବାତ୍ୟା ପାଇଁ ସାରା ରାଜ୍ୟରେ ଘୁଞ୍ଚିଛି ସିଟି ପରୀକ୍ଷା । ୪ ତାରିଖରେ ହେବାକୁ ଥିବା ପ୍ରଥମ ବର୍ଷର ସିଟି ପରୀକ୍ଷା ପେପରକୁ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୭ ଓ ୯ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ । ଏନଆରଟିଏସ୍ ଓ ପ୍ରାଇମେରୀ ସ୍କଲାରସିପ୍ ପରୀକ୍ଷା ୬ ଓ ୮ ତାରିଖରେ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଜାନୁଆରୀରୁ ମହଙ୍ଗା ହେବ ATM ବ୍ୟବହାର; କେତେ ଟଙ୍କା ଅଧିକ ଦେବାକୁ ପଡ଼ିବ ଜାଣନ୍ତୁ…

ନୂଆଦିଲ୍ଲୀ: ନୂଆବର୍ଷରୁ ମହଙ୍ଗା ହେବାକୁ ଯାଉଛି ATM ବ୍ୟବହାର । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୨ ଜାନୁଆରୀ ୧ରୁ ଏଟିଏମ କାରବାରର ଚାର୍ଜ ବଢ଼ାଇବା ପାଇଁ ଅନୁମତି ଦେଇଛି । ବ୍ୟାଙ୍କ ତରଫରୁ ଦିଆଯାଉଥିବା ମାଗଣା କାରବାର ବ୍ୟବହାର ପରେ ଆଉ ଅଧିକ କାରବାର କଲେ ବ୍ୟାଙ୍କକୁ ଆଗ ଅପେକ୍ଷା ଏବେ ଅଧିକ ଟଙ୍କା ଦେବାକୁ ପଡ଼ିବ ।

ଆରବିଆଇର ବିଜ୍ଞପ୍ତି ଅନୁସାରେ ମାଗଣା ଏଟିଏମ କାରବାରର ମାସିକ ଲିମିଟ ପରେ ବ୍ୟାଙ୍କ ଉପଭୋକ୍ତାଙ୍କଠାରୁ ଅଧିକ ଟଙ୍କା ନେବ । ବର୍ତ୍ତମାନ ସବୁ କାରବାରରେ ବ୍ୟାଙ୍କ ୨୦ ଟଙ୍କା ନେଉଛି । ତେବେ ଏହା ୨୦୨୨ ଜାନୁଆରୀ ୧ ପରେ ୨୦ ଟଙ୍କା ବଦଳରେ ବ୍ୟାଙ୍କ ୨୧ ଟଙ୍କା ନେବ । ଆରବିଆଇ ଆହୁରି କହିଛି କି ଏହି ଟଙ୍କା ବ୍ୟତୀତ ଅଲଗା ଟ୍ୟାକ୍ସ ମଧ୍ୟ ଲାଗୁ ହେବ । ଅର୍ଥାତ ବର୍ତ୍ତମାନ ବ୍ୟାଙ୍କ ନେଉଥିବା ୨୦ ଟଙ୍କା ପରେ ଟ୍ୟାକ୍ସ ଅଲଗା ନେଇଥାଏ । ତେବେ ଜାନୁଆରୀ ୧ରେ ଏହି ଚାର୍ଜ ବୃଦ୍ଧି ହେବା ପରେ ମଧ୍ୟ ଟ୍ୟାକ୍ସ ଅଲଗା ନେବ ।

ବ୍ୟାଙ୍କ ଗ୍ରାହକଙ୍କୁ ପ୍ରତି ମାସରେ ସେହି ବ୍ୟାଙ୍କର ଏଟିଏମରୁ ପାଞ୍ଚଟି ମାଗଣା କାରବାର ପାଇଁ ଅନୁମତି ଦେଇଥାଏ । ଅନ୍ୟ ବ୍ୟାଙ୍କରୁ ମାଗଣା କାରବାରର ଲିମିଟ ଆପଣ କେଉଁ ସହରରେ ରହୁଛନ୍ତି ତାହା ଉପରେ ନିର୍ଭର କରୁଛି । ମେଟ୍ରୋ ସହରରେ ରହୁଥିବା ବ୍ୟାଙ୍କ ଗ୍ରାହକ ଅନ୍ୟ ବ୍ୟାଙ୍କର ଏଟିଏମରୁ ପ୍ରତି ମାସରେ ତିନି ଥର ମାଗଣା କାରବାର କରିପାରିବେ ।

 

ଭାରତରେ ଦିଆଯିବ କୋଭିଡ୍ ଟିକାର ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଆମେରିକା, ବ୍ରିଟେନ୍ ସହ ଦୁନିଆର ଅନେକ ଦେଶରେ ଓମିକ୍ରନ୍ ଆତଙ୍କ ପରେ କୋଭିଡ୍ ଟିକାର ବୁଷ୍ଟର ଡୋଜର ଗୁରୁତ୍ୱ ବଢ଼ିଛି । ଏବେ ଭାରତରେ ନୂଆ ଭାରିଆଣ୍ଟର ବିପଦକୁ ଦେଖି ୪୦ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ କରୋନା ଟିକାର ବୁଷ୍ଟର ଡୋଜ୍ ଦେବାକୁ ସୁପାରିସ୍ କରାଯାଇଛି । ବିଶିଷ୍ଟ ଭାରତୀୟ ଜିନୋମ ବୈଜ୍ଞାନିକ ଏହି ସୁପାରିସ୍ କରିଛନ୍ତି ।

 Indian Genome Scientists Recommended Covid Vaccine Booster Dose For Those Above 40 Years

INSACOG ପକ୍ଷରୁ ସାପ୍ତାହାକି ବୁଲେଟିନରେ କୁହାଯାଇଛି, ଟିକା ନେଇନଥିବା ସମସ୍ତଙ୍କୁ ଭ୍ୟାକ୍ସିନ୍ ସହ ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦେବା ନେଇ ଚିନ୍ତା କରାଯାଇପାରେ । ପ୍ରଥମେ ହାଇରିସ୍କରେ ଥିବା ଲୋକଙ୍କୁ ପ୍ରାଥମିକତା ଦେବା ଆବଶ୍ୟକ । ନିକଟରେ ଲୋକସଭାରେ ବୁଷ୍ଟର ଡୋଜ୍ ଲାଗି ସାଂସଦ ମଧ୍ୟ ଦାବି କରିଥିଲେ ।

ଅନ୍ୟପଟେ ଭାରତରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ଓମିକ୍ରନ ଭାରିଆଣ୍ଟର ୨ଟି ମାମଲା ଚିହ୍ନଟ ହୋଇଛି । ଜଣେ ସଂକ୍ରମିତ ବିଦେଶରୁ ଫେରିଥିବା ବେଳେ ଅନ୍ୟ ଜଣେ ଡାକ୍ତର । ଡାକ୍ତର ଜଣଙ୍କର କୌଣସି ବିଦେଶ ଗସ୍ତ ବିବରଣୀ ନାହିଁ । ଦୁହେଁ କରୋନା ଭ୍ୟାକ୍ସିନର ୨ଟି ଡୋଜ୍ ମଧ୍ୟ ନେଇଛନ୍ତି । ଉଭୟଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । ସେଥିରୁ ଜଣେ ସଂକ୍ରମିତ ଦୁବାଇ ପଳାଇଛନ୍ତି ।

ହରିଦାସପୁର ନିକଟ ରେଳଷ୍ଟେସନରେ ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ

ହରିଦାସପୁର: ଯାଜପୁର ଜିଲ୍ଲା ହରିଦାସପୁରଠାରେ ଶୁକ୍ରବାର ଦିନ ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ । ୟଶୋବନ୍ତପୁରରୁ ହାୱଡ଼ା ଯାଉଥିବା ସମୟରେ ହରିଦାସପୁର ଠାରେ ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି।

ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ସବୁ ପାସେଞ୍ଜର କୋଚକୁ ଅନ୍ୟଏକ ଇଞ୍ଜିନ୍ ସହ ଯୋଡି ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ଜଣାପଡିଛି। ତେବେ ଏହି ଦୁର୍ଘଟଣା ଯୋଗୁଁ ଖଡଗପୁର-ଭୁବନେଶ୍ୱର ରେଳ ଲାଇନ୍ ରେ କୗେଣସି ପ୍ରକାର ପ୍ରଭାବିକ ହୋଇନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆରମ୍ଭ ହେଲା ଖବରକାଗଜ ବିତରକ ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ୍ ହେବେ ଖବର କାଗଜ ବିତରକ (ହକର) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଆରମ୍ଭ ହୋଇଛି ହକର ଚିହ୍ନଟ ପ୍ରକ୍ରିୟା । ଖବର କାଗଜ ବିତରକ (ହକର)ମାନଙ୍କ ପାଇଁ ରାଜ୍ୟ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜଙ୍କ ଉଦ୍ୟମରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବୀମା ଲାଗୁ କରିଛନ୍ତି ।

ଏଥି ନିମନ୍ତେ ସମସ୍ତ ଜିଲ୍ଲାର ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଦରଖାସ୍ତ ଆବେଦନ କରିପାରିବେ ହକର । ନିର୍ଦ୍ଦିଷ୍ଟ ଫର୍ମ ସହ ଆଧାର କାର୍ଡ ଜେରକ୍ସ ଓ ଏକ ପାସ ଫଟୋ ଦେବାକୁ ପଡ଼ିବ । ଫର୍ମକୁ ଆଜି ଦାଖଲ କରିବା ପାଇଁ ସୂଚନା ଓ ଲୋକ ସମ୍ପକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 News Paper Hawker Identification Process Started In Odisha

ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇଥିବା ସମ୍ବାଦପତ୍ର ହକରମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ଏହି ଯୋଜନା ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ସେହିପରି ଦୁର୍ଘଟଣା ଯୋଗୁ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବା ହକରମାନଙ୍କୁ ଦେଢ଼ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ଉଭୟ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ସହାୟତା ଦିଆଯିବ ।

ଏଥିସହ ପଢ଼ନ୍ତୁ: ସମ୍ବାଦପତ୍ର ହକରମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋଭିଡ୍ ଯୋଗୁ ସେମାନେ ସମ୍ମୁଖୀନ ହୋଇଥିବା ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପଞ୍ଜୀକୃତ ଖବର କାଗଜ ହକରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏଁ ସ୍ବତନ୍ତ୍ର ସହାୟତା ଦେବା ପାଇଁ ନିଷ୍ପତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ।

କାମ କରିବା ପାଇଁ ବହୁତ ସମୟରେ ହକରମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ ସବ୍‌ଡିଭିଜନ ଓ ଜିଲ୍ଲାସ୍ତରରେ ଉପଯୁକ୍ତ ୱାର୍କସେଡ୍‌ ନିର୍ମାଣ କରି ଯୋଗାଇଦେବାକୁ ନିଷ୍ପତ୍ତି କରାଯାଇଛି ।

କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ପାଇଁ ‘ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ’ର ଆନ୍ଦୋଳନ

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ ପାଇଁ ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। କେନ୍ଦୁପତ୍ର ତୋଳାଳିମାନେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ଜିଏସଟି ଲାଗୁ କରିଥିବାରୁ ଏହାକୁ ବିରୋଧ କରିଛି କେନ୍ଦୁପତ୍ର କର୍ମଚାରୀ ସଂଘ।

କେନ୍ଦୁପତ୍ର ତୋଳୁଥିବା ଗରିବ ପରିବାର ଉପରେ ଏହାର ପ୍ରଭାବ ପଡିବ ବୋଲି ସଂଘ କହିଛି । କେନ୍ଦୁପତ୍ର ଉପରୁ କେନ୍ଦ୍ର ସରକାର ଜିଏସଟି ଛାଡ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି ସଂଘ।

ସେପଟେ ଧାନର ଏମଏସପି ବୃଦ୍ଧି ଓ କୃଷି ବୀମା ପ୍ରଦାନ ଦାବିରେ ଆଜି ସମ୍ବଲପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସ୍ବାମୀନାଥନ କମିଟି ସୁପାରିଶ ଆଧାରରେ ଏମଏସପି ଦେଢ଼ଗୁଣା କରିବାକୁ ଦାବି କରିଛନ୍ତି ଆନ୍ଦୋଳନରତ ଚାଷୀ ।

ପାଇକ ବିଦ୍ରୋହ ପ୍ରଥମ ସ୍ୱାଧିନତା ସଂଗ୍ରାମ ନୁହେଁ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ୧୮୧୭ ମସିହା ଓଡ଼ିଶାର ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ନୁହେଁ । ରାଜ୍ୟସଭାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କ୍ରିଷ୍ଣା ରେଡ୍ଡୀ ଏହା କହିଛନ୍ତି । ଗୁରୁବାର ପ୍ରଶାନ୍ତ ନନ୍ଦ ଏହି ବାବଦରେ କରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହା ଦର୍ଶାଇଛନ୍ତି । ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ । କିନ୍ତୁ କେନ୍ଦ୍ର ସରକାର ଏହି ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏହା ଓଡ଼ିଶା ପ୍ରତି ଅଣଦେଖା ଓ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅପମାନ ବୋଲି ମତ ପ୍ରକାଶ ପାଇଛି ।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଆହୁରି କହିଛନ୍ତି କି ଏହି ବିଷୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ ରିସର୍ଚ୍ଚ (ICHR) ଯାଞ୍ଚ କରିଥିଲା । ICHR ରୁ ମିଳିଥିବା ମନ୍ତବ୍ୟ ଅନୁଯାୟୀ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତାର ସଂଗ୍ରାମ କହୁଯାଇପାରିବ ନାହିଁ ।

ଉଲ୍ଲେଖଯୋଗ୍ୟ, ଖୋର୍ଦ୍ଧା ପାଇକମାନେ ପ୍ରଥମ ଥର ପାଇଁ ବ୍ରିଟିଶ ସରକାର ବିରୋଧରେ ୧୮୧୭ରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ । ଏହି ବିଦ୍ରୋହ ପରବର୍ତ୍ତୀ ସମୟରେ ବିଟ୍ରିଶ ଶାସନ ବିରୋଧରେ ସଂଗ୍ରାମ ପାଇଁ ଦେଶର ବିଭିନ୍ନ ଗୋଷ୍ଠୀକୁ ପ୍ରଭାବିତ କରିଥିଲା । ଓଡ଼ିଆ ସଂଗ୍ରାମୀଙ୍କ ଅସ୍ମିତା ଓ ବଳିଦାନକୁ ସମ୍ମାନ ଜଣାଇ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ବହୁବାର କେନ୍ଦ୍ର ନିକଟରେ ଦାବି କରି ଆସିଛନ୍ତି । ମାତ୍ର କେନ୍ଦ୍ର ସରକାର ଓଡ଼ିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ରାଜି ନୁହନ୍ତି । କେନ୍ଦ୍ରର ଏହା ଓଡ଼ିଶା ବିରୋଧୀ ମାନସିକତା ବୋଲି ମତପ୍ରକାଶ ପାଇଛି ।

ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ଉପକୂଳରେ ୨୪ ଘଣ୍ଟା ସକ୍ରିୟ ରହିବ ‘ଜୱାଦ’, ୫ ମଧ୍ୟାହ୍ନରେ ପହଞ୍ଚିବ ପୁରୀ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ଜୱାଦ’ । ଗଭୀର ଅବପାତ ବାତ୍ୟା ‘ଜୱାଦ’ରେ ଆଜି ମଧ୍ୟାହ୍ନରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ସମୁଦ୍ରରେ ଘଣ୍ଟାପ୍ରତି ୩୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ବିଶାଖାପାଟ୍ଟମଣ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୨୦ କିଲୋମିଟର ଦୂରରେ ଥିବାବେଳେ ସମାନ ଦିଗରେ ଗୋପାଳପୁର ଠାରୁ ୫୩୦ କିମି ଓ ପାରାଦୀପ ଠାରୁ ୬୫୦ କିମି ଦୂରରେ ରହିଛି ।

Cyclone Jawad Likely To Recurve Northnortheastwards And Move Along Odisha Coast After Landfall

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ଜୱାଦ’ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ୪ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ । ୪ ତାରିଖ ପରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ । ଏହା ଧିରେ ଧିରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ୫ ତାରିଖ ମଧ୍ୟାହ୍ନରେ ପୁରୀ ପହଞ୍ଚିବ । ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ଘଣ୍ଟାପ୍ରତି ବେଗ ୧୧୦ କିଲୋମିଟର ରହିପାରେ ।

ଲ୍ୟାଣ୍ଡଫଲ୍ ପରେ ବାତ୍ୟା ‘ଜୱାଦ’ ଉତ୍ତର-ଉତ୍ତରପୂର୍ବ ଦିଗକୁ ରିକର୍ଭ କରିବ ଏବଂ ଓଡ଼ିଶା ଉପକୂଳରେ ପରବର୍ତ୍ତୀ ୨୪ ଘଣ୍ଟା ଯାଏଁ ସକ୍ରିୟ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ଓଡ଼ିଶା ଉପକୂଳରେ ବର୍ଷା ସହ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିପାରେ ।

Cyclone Jawad Likely To Recurve Northnortheastwards And Move Along Odisha Coast After Landfall

ସାମୁଦ୍ରିକ ଝଡ଼ ‘ଜୱାଦ’ ଶନିବାର ସକାଳେ ସ୍ଥଳଭାଗ ଛୁଇଁବା ପରେ ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶା ଉପକୂଳ ମୁହାଁ ହେବ । ପ୍ରଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବ । ଆଜି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଭଦ୍ରକ, ଜଗତସିଂହପୁର, ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବ । ୫ ତାରିଖରେ ମଧ୍ୟ ବର୍ଷା ଜାରି ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ୫ ତାରିଖ ଯାଏଁ ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଦିଆଯାଇଛି ।