ସରି ସରି ଆସୁଛି କରୋନା: ଆଉ ଦୁଇ ଗୁଣା ହେବ ନାହିଁ ସଂକ୍ରମଣ

1 min read

ଭୁବନେଶ୍ୱର: ଆଗକୁ ଆଉ ଦୁଇ ଗୁଣା ହେବନାହିଁ କରୋନା ସଂକ୍ରମଣ । ଧୀରେ ଧୀରେ ସଂକ୍ରମଣ କମିବା ସହ ଭଲ ସ୍ଥିତିକୁ ଆସିବ । ଫେବ୍ରୁଆରୀ ଶେଷ ଓ ମାର୍ଚ୍ଚ ଆରମ୍ଭ ବେଳକୁ ରାଜ୍ୟ ଭଲ ସ୍ଥିତିକୁ ଆସିବ । ଜୁଲାଇ ବେଳକୁ ଲୋକଙ୍କୁ ଆଉ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ସେପଟେ ୧୨ରୁ ୧୪ ବର୍ଷର ପିଲାଙ୍କୁ ଆସନ୍ତା ମାର୍ଚ୍ଚ ମାସରୁ ହୋଇପାରେ ଟିକାକରଣ ।

ସରି ସରି ଆସୁଛି କରୋନା । କମିଛି ସଂକ୍ରମଣର ଡବଲିଂ, କମିଛି ଗ୍ରୋଥ୍‌ ରେଟ୍‌ । ଏବେ ରାଜ୍ୟରେ ୭୫ହଜାର ଆକ୍ଟିଭ କେସ୍‌ ଥିବା ବେଳେ ମାତ୍ର ୧୨ଶହ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି । ତୃତୀୟ ଲହର ମୁକାବିଲା ପାଇଁ ଏବେ ହସ୍‌ପିଟାଲ ଉପରେ କିଛି ଚାପ ନାହିଁ । ସଂକ୍ରମଣ କମ୍‌ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି କିଛି ଆକଳନ କରିହେବନି । ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ସେପଟେ ଦ୍ୱିତୀୟ ପରି ତୃତୀୟ ଲହରରେ ମଧ୍ୟ ଖୋର୍ଦ୍ଧା ଓ ସୁନ୍ଦରଗଡରେ ସଂକ୍ରମଣ ଅଧିକ ରହୁଛି । ତେଣୁ ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ଟେଷ୍ଟ କରିବା ସହ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଔଷଧ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି ।

ଓମିକ୍ରନ ଚିହ୍ନଟ ସହଜ କରିବାକୁ ଆରଟିପିସିଆର କିଟ୍‌ ପରି ଓମିସିୟୋର କିଟ୍‌ ସବୁ ଜିଲ୍ଲାରେ ବଣ୍ଟାଯିବ । ଫଳରେ ଓମିକ୍ରନ୍ ଚିହ୍ନଟ ପାଇଁ ଆଉ ଜେନମ ସିକ୍ବେନ୍ସିଂର ଆବଶ୍ୟକତା ପଡ଼ିବନି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିୟୋର କିଟ୍‌ ଆଣିଛି । ରାଜ୍ୟରେ ସଂକ୍ରମଣ ସ୍ଲୋ ଡାଉନ ହେବା ସହ ଆର ଭ୍ୟାଲୁ ବି କମିଛି । ଆଗାମୀ ୭ରୁ ୮ଦିନ ମଧ୍ୟରେ ସଂକ୍ରମଣ ବଢ଼ିବ । ପିକ୍‌ ବେଳକୁ ଦୈନିକ ସଂକ୍ରମଣ ପାଖାପାଖି ୨୫ହଜାର ଭିତରେ ରହିବ । ଫେବ୍ରୁଆରୀ ଶେଷ ଓ ମାର୍ଚ୍ଚ ଆରମ୍ଭ ବେଳକୁ ରାଜ୍ୟ ଭଲ ସ୍ଥିତିକୁ ଆସିବ । ଏପରିକି ଜୁଲାଇ ବେଳକୁ ଆଉ ମାସ୍କ ପିନ୍ଧିବାକୁ ପଡ଼ିବନି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି ।

ଆସନ୍ତା ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯାଇପାରେ ଟିକା । ସେ ସମୟ ସୁଦ୍ଧା ୧୫ରୁ ୧୮ ବର୍ଷୀୟ କିଶୋରଙ୍କୁ ଟିକାକରଣ ସରିବା ସମ୍ଭାବନା ରହିଛି। ଏନଟିଜିଏଆଇ କୋଭିଡ୍‌-୧୯ ଓ୍ୱାର୍କିଂ ଗ୍ରୁପ୍ ଅଧ୍ୟକ୍ଷ ଡାକ୍ତର ଏନ୍‌କେ ଆରୋରା ଏନେଇ ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସରପଞ୍ଚ ଚୟନର ସାଂଘାତିକ ପରମ୍ପରା: ନୋଟ ବଦଳରେ ନିର୍ଦ୍ୱନ୍ଦରେ ବିଜୟୀ ହୁଅନ୍ତି ପ୍ରାର୍ଥୀ

Leave a Reply