କରୋନାରେ ପ୍ରାଣ ହରାଇଲା ପୁଅ: ସହାୟତା ରାଶି ଫେରାଇ ଦେଲେ ପରିବାର ଲୋକେ

ଭଦ୍ରକ: ଜୀବନ ବଞ୍ଚାଇ ହେଲାନାହିଁ । ଚିକିତ୍ସାରେ ମିଳିଥିବା ସହାୟତା ରାଶି କ’ଣ ହେବ ? ସେହି ଟଙ୍କା ଆଉ କାହା ଜୀବନ ବଞ୍ଚାଇବାରେ ଲାଗୁ । କିଛି ଏଭଳି ଆଶା ରଖି କରୋନା ଚିକିତ୍ସା ନେଇ ଲୋକଙ୍କ ଠାରୁ ପାଇଥିବା ସହାୟତା ରାଶି ଫେରାଇ ଦେଲେ ପରିବାର ଲୋକେ ।

ଭଦ୍ରକ ବାସୁଦେବପୁର ମନ୍ଦାରି ଅଞ୍ଚଳର ଅଭିଷେକ ମହାପାତ୍ର ଗତବର୍ଷ  ମେ ମାସରେ ବିବାହର ମାତ୍ର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ତାଙ୍କର ଏକ୍‌ମୋ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡ଼ିଥିଲା । ଅଭିଷେକଙ୍କ ସ୍ତ୍ରୀ ମୌସୁମୀ ବିଭିନ୍ନ ଗଣମାଧ୍ୟମ ଜରିଆରେ ଚିକିତ୍ସା ପାଇଁ ସହାୟତା ଲାଗି ନିବେଦନ କରିଥିଲେ । ମିଳିଥିବା ସହାୟତା ରାଶିରେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତାକୁ ଏୟାରଲିଫ୍ଟ କରାଯାଇଥିଲା  । ହେଲେ ଶତ ଚେଷ୍ଟା ସତ୍ତ୍ୱେ ଡାକ୍ତରମାନେ ଅଭିଷେକଙ୍କ ଜୀବନ ବଞ୍ଚାଇ ପାରିନଥିଲେ  ।  ସେପ୍ଟେମ୍ବର ୩ତାରିଖରେ  ଅଭିଷେକଙ୍କ ଦେହାନ୍ତ ହୋଇଥିଲା । ଚିକିତ୍ସା ପରେ ବଳିଥିବା ୪୦ ଲକ୍ଷ ଟଙ୍କାକୁ ଅଭିଷେକଙ୍କ ପରିବାର ଫେରାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୦ ଲକ୍ଷ ଓ ରେଡକ୍ରସ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏଭଳି ମହତ କାର୍ଯ୍ୟକୁ ଜିଲ୍ଲାପାଳଙ୍କ ସହ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି  ।

ଏଥିସହିତ ପଢ଼ନ୍ତୁ: ସାଇକେଲରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ସରପଞ୍ଚ ପ୍ରାର୍ଥୀ

Leave a Reply