ସରପଞ୍ଚ ଚୟନର ସାଂଘାତିକ ପରମ୍ପରା: ନୋଟ ବଦଳରେ ନିର୍ଦ୍ୱନ୍ଦରେ ବିଜୟୀ ହୁଅନ୍ତି ପ୍ରାର୍ଥୀ

ବଲାଙ୍ଗୀର: ପ୍ରତିନିଧି ଚୟନର ଅଜବ ପରମ୍ପରା । ୪୪ଲକ୍ଷରେ ସରପଞ୍ଚ ନିଲାମ । ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ୍ ବିଲାଇସର୍ଡା ଗ୍ରାମ ପଞ୍ଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଗତ ଶନିବାର ଅପରାହ୍ନ ୨ଟାରେ ବିଲାଇସର୍ଡା ମନ୍ଦିର କମିଟି ପକ୍ଷରୁ ଗାଁ ପାଠାଗାର ଆଗରେ ଏକାଠି ହୋଇ ନିଲାମ ଡକାଯାଇଥିଲା । ସବୁ ଆଶାୟୀ ସରପଞ୍ଚ ପ୍ରାର୍ଥୀକୁ ଡାକି ଅକ୍ସନରେ ସାମିଲ ହେବାକୁ କୁହାଯାଇଥିଲା । ସରପଞ୍ଚ ଆଶାୟୀ ପ୍ରାର୍ଥୀ ରାଜୀବ ଲୋଚନ ପଣ୍ଡା ୨୧ଲକ୍ଷରୁ ନିଲାମ ଆରମ୍ଭ କରିଥିଲେ । ତେବେ ସୁଶାନ୍ତ ଛତ୍ରିଆ ସର୍ବାଧିକ ୪୪ ଲକ୍ଷ ୧୦ ହାଜର ଟଙ୍କା ଡାକିବା ପରେ ନିଲାମ ଶେଷ ହୋଇଥିଲା। ଅନ୍ୟତମ ଆଶାୟୀ ପ୍ରାର୍ଥୀ ବୀରେନ୍ଦ୍ର କୁମାର ପଣ୍ଡା ଓ ଦୀଲିପ ପଣ୍ଡା ଅଧିକ ଟଙ୍କା ଯୋଗୁଁ ନିଲାମୀରୁ ବିରତ ରହିଥିଲେ। ବିଲାଇସର୍ଡା ପଞ୍ଚାୟତ ତିନୋଟି ଗାଁ ବିଲାଇସର୍ଡା, କଶ୍ରୁପାଲି ଓ ବନ୍ଦନକଟାକୁ ନେଇ ଗଠିତ । କେବଳ ବିଲାଇସର୍ଡାରେ ୧୭ ଶହରୁ ଅଧିକ ଭୋଟର ଥିବା ବେଳେ ବନ୍ଦନକଟା ଓ କଶ୍ରୁପାଲିର ଭୋଟର ସଂଖ୍ୟା ମିଶି ୧୨ଶହ ରହିଛି।

ବିଲାଇସର୍ଡାରେ ଅଧିକ ଭୋଟର ଥିବାରୁ ମନ୍ଦିର କମିଟି ମନମାନି କରୁଥିବା ଅଭିଯୋଗ ହୋଇଛି । ଅନ୍ୟ ପ୍ରାର୍ଥୀଙ୍କୁ ପଞ୍ଚାୟତ ନିର୍ବାଚନରେ ନାମାଙ୍କନ ନକରିବାକୁ କମିଟି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଗତ ନିର୍ବାଚନରେ ମଧ୍ୟ ମନ୍ଦିର କମିଟି ୭ଲକ୍ଷ ନିଲାମ କରି ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । ବେଆଇନ ସରପଞ୍ଚ ଚୟନ ଉପରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ଶୀଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି । ସେପଟେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ । ସେପଟେ ଏନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।

Leave a Reply