ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା, ଆଶାୟୀଙ୍କ ଆଖିରୁ ହଜିଛି ନିଦ: ଜାଣନ୍ତୁ କିଭଳି ରହିଛି କୋରାପୁଟ ଟକ୍କର

ଜୟପୁର: କାହାର ହେବ କୋରାପୁଟ ? କିଏ କୋରାପୁଟର ଗାଁ ଗାଁରେ କରିବ ଶାସନ । କାହାକୁ ଦେବେ ଭୋଟ କିଭଳି ପ୍ରାର୍ଥୀଙ୍କୁ ବାଛିବେ ଗ୍ରାମାଞ୍ଚଳର ଲୋକେ ? ଶୀତରେ ଉଷୁମ ଗାଁ ରାଜନୀତି । ପଞ୍ଚାୟତ ପ୍ରତିନିଧି ବାଛିବାକୁ ଭୋଟରଙ୍କ ମନରେ କାହିଁରେ କଣ ଉତ୍ସାହ । ସେପଟେ ବାଜିମାତ ପାଇଁ ଷ୍ଟ୍ରାଟେଜି କରୁଛନ୍ତି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସମସ୍ତ ପ୍ରସ୍ତୁତି ଶେଷ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ ।

ପଞ୍ଚାୟତ ଦଖଲ ପାଇଁ ପ୍ଲାନ ପରେ ପ୍ଲାନ । ୱାର୍ଡ ୱାର୍ଡରେ ୱାର । ଆଶାୟୀଙ୍କ ଛାତି ଧଡ଼ଧଡ଼ । କେମିତି ମାରିବେ ବାଜି ? କେମିତି ଭିଡିବେ ଭୋଟର ?  ଗାଁ ନିର୍ବାଚନୀ ବିଗୁଲ ବାଜିବା ପରଠାରୁ ଆଉ ଆଖିକୁ ନିଦ ନାହିଁ । କୋରାପୁଟ ପାଇଁ ତିନି ପ୍ରମୁଖ ଦଳ ଏବେ କଷୁଛନ୍ତି ଅଙ୍କ । କିଏ ହେବ ୱାର୍ଡ ମେମ୍ବର, ସରପଞ୍ଚ, ସମତି ସଭ୍ୟ ଓ ଜିଲ୍ଲା ପରିଷଦର ପୋଷ୍ଟର ବୟ । କାହାର କ୍ଲିନ୍ ଇମେଜ ଦଳକୁ ଦେବ ଫାଇଦା ? ତୃଣମୂଳସ୍ତରରେ କିଏ ସେହି ଟାଣୁଆ ନେତା ? ସବୁ ଦଳର ପ୍ରାର୍ଥୀ ତାଲିକା ଏକ ପ୍ରକାର ଚୂଡ଼ାନ୍ତ । ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।

ଗତ ନିର୍ବାଚନ ଅର୍ଥାତ ୨୦୧୭ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୯ଟି ଜିଲ୍ଲା ପରିଷଦ ଆସନରୁ ୨୪ଟି ଆସନ ପାଇ ବିଜେଡି ଏକପାଖିଆ ବିଜୟ ହାସଲ କରିଥିଲା । କଂଗ୍ରେସକୁ ୪ ଏବଂ ବିଜେପିକୁ ଗୋଟିଏ ଆସନ ମିଳିଥିଲା । ସେହିଭଳି ୧୪ ଟି ବ୍ଲକରୁ ୮ ବ୍ଲକରେ ବିଜେଡି ଦଖଲ କରିଥିଲା ଅଧ୍ୟକ୍ଷ ପଦ । ସୁଶାସନ, ନିର୍ମଳ ପ୍ରଶାସନ ପାଇଁ ବିଜେଡି ଘରେ ଘରେ ଲୋକପ୍ରିୟତା ପାଇଛି ବୋଲି ଦାବି କରୁଛନ୍ତି ଦଳୀୟ ନେତା । ସେହିଭଳି କୋରାପୁଟ ଜିଲ୍ଲା କଂଗ୍ରେସର ଦୁଇ ତୁଙ୍ଗ ନେତା କୈଳାସ କୁଲେସିକା ଓ ଚନ୍ଦ୍ର ଶେଖର ମାଝୀ ବିଜେଡିରେ ସାମିଲ ହେବା ପରେ ଦଳର ଶକ୍ତି ବୃଦ୍ଧି ହୋଇଛି । ସେହିପରି କଂଗ୍ରେସ ଓ ବିଜେପି ମଧ୍ୟ ପ୍ରଚାର ମୈଦାନରେ ପଛରେ ପଡିନାହାଁନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ନିଜସ୍ୱ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି ଦୁଇ ପ୍ରମୁଖ ବିରୋଧୀ ଦଳ ।

ବିଗତ ଦିନର ପଛୁଆ ଆଉ ଅପହଞ୍ଚ ଜିଲ୍ଲା ଭାବେ ପରିଚିତ କୋରାପୁଟ ଏବେ ବିକାଶର ଅନ୍ୟତମ ରୋଲ ମଡେଲ । ଜିଲ୍ଲାର ଉପାନ୍ତ ଅଞ୍ଚଳରେ ବି ବିକାଶର ସ୍ୱାକ୍ଷର  ଦେଖିବାକୁ ମିଳିଛି । ରାସ୍ତାଘାଟ, ପାନୀୟଜଳ ସହ ସ୍ୱାସ୍ଥ୍ୟସେବାରେ ବହୁ ଉନ୍ନତି କରିଛି କୋରାପୁଟ । କହିବାକୁ ଗଲେ, ଜିଲ୍ଲାର ସମସ୍ତ ଅଞ୍ଚଳରେ ବିକାଶର ପଦଚିହ୍ନ ଦେଖି୍ବାକୁ ମିଳିଛି । ହେଲେ ଆହୁରି ଅନେକ ସମସ୍ୟା ରହିଯାଇଛି । ଜିଲ୍ଲାରେ ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲୋକେ ପ୍ରମୁଖ ମୁଦ୍ଦା ବୋଲି କହିଛନ୍ତି ।

ଜନପ୍ରତିନିଧି ବାଛିବା ନେଇ ମଧ୍ୟ ଭୋଟର ମଧ୍ୟ ବେଶ ସଚେତନ । ଯିଏ ସ୍ଥାନୀୟ ସମସ୍ୟା ସମାଧନ କରିବାକୁ ସକ୍ଷମ ହେବ ସେହିଭଳି ପ୍ରାର୍ଥୀଙ୍କୁ ଏଥର ଭୋଟ ଦେବେ ବୋଲି କହିଛନ୍ତି ଭୋଟର । ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷିତ ଥିବାରୁ ଚଳିତ ନିର୍ବାଚନରେ ମହିଳାମାନେ ପ୍ରାର୍ଥୀ ହେବାକୁ ବେଶ ଆଗଭର ହେଉଛନ୍ତି ।

କୋରାପୁଟର ବିକାଶ କାହାଣୀରେ ନୂଆ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ । ଏଥର ୭ ଲକ୍ଷ ୮୩ହଜାର ୪୬୨ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଗତ ନିର୍ବାଚନ ତୁଳନାରେ ଏଥର ଭୋଟରଙ୍କ ସଂଖ୍ୟାରେ ୨.୫ ପ୍ରତିଶତ ବୃଦ୍ଧି ହୋଇଛି । ଯୁବ ଭୋଟରଙ୍କ ସଂଖ୍ୟା ବି ବିଢିଛି । ଜିଲ୍ଲାର ୧୪ଟି ବ୍ଲକ ଅଧ୍ୟକ୍ଷ, ୨୯ ଟି ଜିଲ୍ଲା ପରିଷଦ, ୨୪୦ ସରପଞ୍ଚ, ୨୪୦ ସମିତିସଭ୍ୟ ଏବଂ ୨,୯୭୩ଟି ଓ୍ୱାର୍ଡ ମେମ୍ବର ଆସନ ସଂରକ୍ଷଣ ପକ୍ରିୟା ଶେଷ ହୋଇଛି । ୨୯ ଜିଲ୍ଲା ପରିଷଦ ଆସନରୁ ୧୫ଟି ମହିଳାଙ୍କ ପାଇଁ ସଂରକ୍ଷଣ ରହିଥିବାବେଳେ ଅନୁସୂଚିତ ଜାତି ପାଇଁ ୮ଟି, ଅନୁସୂଚିତ ଜନଜାତି ପାଇଁ ୧୬ଟି, ଅଣସଂରକ୍ଷିତ ବର୍ଗ ପାଇଁ ୫ଟି ଆସନ ସଂରକ୍ଷିତ ରହିଛି । ସେହିଭଳି ଜିଲ୍ଲାର ୧୪ ବ୍ଲକରେ ଅଧ୍ୟକ୍ଷ ଆସନରେ ବସିବେ ଅନୁସୁଚିତ ଜନଜାତି । ଏହା ମଧ୍ୟରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

Leave a Reply