spot_img
Home Blog Page 4832

କୋଟିପତି ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ନିଲମ୍ବିତ, ଠୁଳ କରିଥିଲେ ଅମାପ ସମ୍ପତ୍ତି

ବାରିପଦା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଥିବା ବାରିପଦା ITDAର କୋଟିପତି ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ନିଲମ୍ବିତ । ରାଜ୍ୟ ସରକାରଙ୍କ ଦ୍ଵାରା ନିଲମ୍ବିତ ହେଵା ପରେ ତାଙ୍କୁ ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହେବା ପରେ ଜାମିନ ନାମଞ୍ଜୁର ହେବାରୁ ଭୁବନେଶର ଜେଲରେ ଅଛନ୍ତି ।

ଚଢାଉ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ଟିମ୍  ।  ଆୟ ଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଥିଲେ ତଦନ୍ତକାରୀ ଦଳ  । ବାଲେଶ୍ୱର ସ୍ଥିତ ଘର, ଭୁବନେଶ୍ୱର ଓ ବରଗଡ଼ ଘରେ ଏକକାଳୀନ ରେଡ କରିଥିଲା ଭିଜିଲାନ୍ସ । ଚଢ଼ାଉରେ ୧୦ ଜଣ ଡିଏସପି, ୪ ଇନ୍ସପେକ୍ଟରଙ୍କ ସହ ୩୦ ଜଣ କର୍ମଚାରୀ ସାମିଲ ରହିଥିଲେ  ।

ବାଙ୍ଗଲୋର, ଗୁଜୁରାଟ ପରେ ମୁମ୍ବାଇରୁ ଚିହ୍ନଟ ହେଲେ ଓମିକ୍ରନ୍ ଆକ୍ରାନ୍ତ

ମୁମ୍ବାଇ: ଭାରତରେ ପୁଣି ଜଣେ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକ, ଗୁଜୁରାଟ ପରେ ଏବେ ମୁମ୍ବାଇରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ମୁମ୍ବାଇରେ ଏକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ୩୩ ବର୍ଷୀୟ ଏହି ବ୍ୟକ୍ତି ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକା ରାଜଧାନୀ କେପଟାଉନରୁ ଫେରିଥିଲେ। ସେ ଦୁବାଇ ଏବଂ ଦିଲ୍ଲୀ ଦେଇ ମୁମ୍ବାଇରେ ପହଞ୍ଚିଥିଲେ। ଓମିକ୍ରନ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣଙ୍କ କୌଣସି ଟିକା ମଧ୍ୟ ନେଇ ନାହାନ୍ତି। ତେବେ ଆଶ୍ଵସ୍ତିକର କଥା ହେଉଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକ କରୋନା ନେଗେଟିଭ୍ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ-ମୁମ୍ବାଇ ବିମାନରେ ତାଙ୍କ ସହ ଯାତ୍ରା କରିଥିବା ୨୫ ଯାତ୍ରୀଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି। ମହାରାଷ୍ଟ୍ର ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମିତ ରୋଗୀ ମୁମ୍ବାଇ ସନ୍ନିକଟ କଲ୍ୟାଣ ଡୋମ୍ବିବଲି ନଗରପାଳିକା ଅଞ୍ଚଳକୁ ଆସିଥିଲେ। ଏଠାରେ ଯାଞ୍ଚ ସମୟରେ ହିଁ ସେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମୁମ୍ବାଇରେ ଆଉ ଏକ ମାମଲା ଚିହ୍ନଟ ହେବା ପରେ ଭାରତରେ ଓମିକ୍ରନ୍ ମାମଲା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । କାହିଁକି ନା ମହାରାଷ୍ଟ୍ରରେ ୩୦ ଜଣଙ୍କ ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଛି । ମହାରାଷ୍ଟ୍ରକୁ ଶୁକ୍ରବାର ସୁଦ୍ଧା ୨ ହଜାର ୮୨୧ ଜଣ ହାଇ ରିସ୍କ ଦେଶରୁ ମୁମ୍ବାଇ ଫେରିଛନ୍ତି । ସେହିପରି ଏକ ପରିବାରର ଚାରି ଜଣ ସଦସ୍ୟ ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଫେରିଛନ୍ତି ଏବଂ ସେମାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସ୍ଥାନୀୟ ପ୍ରଶାସନ ଚିହ୍ନଟ ହୋଇଥିବା ସମସ୍ତଙ୍କ ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପଠାଇଛି ।

 

ଭାରତରେ ଓମିକ୍ରନର ଏହା ହେଉଛି ଚତୁର୍ଥ କେସ୍ । ଏହା ପୂର୍ବରୁ ଗୁରୁବାର କର୍ଣ୍ଣାଟକରୁ ୨ଜଣ ଓ ଗୁଜୁରାଟର ଜାମନଗରରୁ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ବିଜେପିକୁ ମେହବୁବାଙ୍କ ଟାର୍ଗେଟ: କହିଲେ, ଜାମ୍ମୁ କାଶ୍ମୀରକୁ ଫେରୁ ଧାରା ୩୭୦

ନୂଆଦିଲ୍ଲୀ: ବିଜେପିକୁ ପୁଣି ଟାର୍ଗେଟ କଲେ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଗୋଟିଏ ପଟେ ବିଜେପି ବିପକ୍ଷରେ କଡ଼ା ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟପକ୍ଷରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଶଂସା କରିଛନ୍ତି । ମେହବୁବା ମୁଫତି ଅଟଳ ବିହାରୀ ବାଜପେୟୀଙ୍କୁ ମହାନ ନେତା କହିଥିଲେ । ଏଥିସହ ସେ ଆହୁରି କହିଥିଲେ କି ଯଦି ବାଜପେୟୀ ଚାହିଁଥାନ୍ତେ ତେବେ ହଜାର ବାଲାକୋଟ ଷ୍ଟ୍ରାଇକ କରି ପାରିଥାନ୍ତେ । କିନ୍ତୁ ବାଜପେୟୀ ଏମିତି କରିନଥିଲେ କାହିଁକି ନା ବାଜପେୟୀ ରାଜଧର୍ମ ପାଳନ କରିଛନ୍ତି । ବାଜପେୟୀ କାଶ୍ମୀରକୁ ହୃଦୟର ସହ ଭଲ ପାଉଥିଲେ ବୋଲି ମେହବୁବା ମୁଫତି କହିଥିଲେ ।

ମେହବୁବା ମୁଫତି ଆହୁରି କହିଛନ୍ତି କି ଅଟଳ ବିହାରୀ ବାଜପେୟୀ ନିର୍ବାଚନରେ ପରାଜୟ ଲାଭ କରିଛନ୍ତି ସତ କିନ୍ତୁ ଆମେ ତାଙ୍କୁ ଏବେ ବି ସଲାମ କରୁଛୁ । ଅଟଳ ବିହାରୀ ବାଜପେୟୀଙ୍କ ଛାତି ୫୬ ଇଞ୍ଚର ନଥିଲା ୬୭ ଇଞ୍ଚର ଥିଲା ବୋଲି ମେହବୁବା ମୁଫତି କହିଥିଲେ । ଏହା ବ୍ୟତୀତ କାଶ୍ମୀରରୁ ପ୍ରତ୍ୟାହାର ହୋଇଥିବା ଧାରା ୩୭୦ ଓ ୩୫ (A) ପ୍ରସଙ୍ଗରେ ମଧ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ ମୁଫତି । ଜାମ୍ମୁ କାଶ୍ମୀରକୁ ଏହି ବିଶେଷ ଅଧିକାର ଫେରିବା ଦରକାର ବୋଲି କହିଥିଲେ ମେହବୁବା ମୁଫତି ।

 

 

ଜୁନିଅର ହକି ବିଶ୍ୱକପ: କାଂସ୍ୟ ପାଇଁ ଲଢ଼େଇ କରିବ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ସୁପର ସଣ୍ଡେରେ ସୁପର ଫାଇଟ । ରବିବାର ଜୁନିଅର ହକି ବିଶ୍ୱକପରେ ହେବାକୁ ଯାଉଛି ମହାମୁକାବିଲା । ଜୁନିଅର ହକି ବିଶ୍ୱକପର ଫାଇନାଲ ଫାଇଟରେ ଟର୍ଫକୁ ଓହ୍ଲାଇବେ ଶକ୍ତିଶାଳୀ ଜର୍ମାନୀ ଓ ଆର୍ଜେଣ୍ଟିନା । ବିଶ୍ୱକପ ଜିତିବା ପାଇଁ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ଚଳିତ ବିଶ୍ୱକପରେ ଅପରାଜୟ ଥିବା ଜର୍ମାନୀ ଫାଇନାଲ ମ୍ୟାଚରେ ମଧ୍ୟ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ । ଜୁନିଅର ବିଶ୍ୱକପ ଇତିହାସରେ ୬ ଥର ଚମ୍ପିଆନ ହୋଇସାରିଛି ଜର୍ମାନୀ । ତେବେ ୬ ଥର ବିଶ୍ୱ ବିଜେତା ହୋଇଥିବା ଜର୍ମାନୀ ଚଳିତ ବିଶ୍ୱକପକୁ ଜିତି ସପ୍ତମ ଥର ପାଇଁ ବିଶ୍ୱକପ ଟ୍ରଫି ଉଠାଇବାକୁ ରବିବାର ଟର୍ଫକୁ ଓହ୍ଲାଇବ ।

ଅନ୍ୟପକ୍ଷରେ ଆର୍ଜେଣ୍ଟିନା ମଧ୍ୟ ଚଳିତ ବିଶ୍ୱକପକୁ ଜିତି ୧୬ ବର୍ଷର ଅପେକ୍ଷାର ଅନ୍ତ ଘଟାଇବାକୁ ଚେଷ୍ଟା କରିବ। ଜୁନିଅର ହକି ବିଶ୍ୱକପ ଇତିହାସରେ ୨୦୦୫ରେ ପ୍ରଥମ ଥର ପାଇଁ ଆର୍ଜେଣ୍ଟିନା ବିଶ୍ୱକପ ଟ୍ରଫି ଜିତିବାରେ ସଫଳ ହୋଇଥିଲା । ଏହାପରେ ଆଉ କେବେ ବି ସେମିଫାଇନାଲକୁ ଯାଇପାରିନଥିଲା ଆର୍ଜେଣ୍ଟିନା । ତେବେ ଚଳିତ ବିଶ୍ୱକପରେ ଫାଇନାଲରେ ପହଞ୍ଚିବା ପରେ ଟ୍ରଫି ଜିତିବାକୁ ପ୍ରାଣପ୍ରଣେ ଉଦ୍ୟମ କରିବ ଆର୍ଜେଣ୍ଟିନା । ଜର୍ମାନୀର ବିଜୟ ରଥକୁ ଅଟକାଇବା ପାଇଁ ସ୍ୱତନ୍ତ୍ର ରଣ କୌଶଳ ସହ କଳିଙ୍ଗର ବ୍ଲୁ ଟର୍ଫକୁ ଓହ୍ଲାଇବ ଆର୍ଜେଣ୍ଟିନା ।

ଅନ୍ୟପଟେ ସେମିଫାଇନାଲରେ ଜର୍ମାନୀଠାରୁ ୪-୨ରେ ପରାଜୟ ପରେ ରବିବାର କାଂସ୍ୟ ପଦକ ପାଇଁ ଖେଳିବ ଟିମ୍ ଇଣ୍ଡିଆ । ରବିବାର ପ୍ରଥମ ମ୍ୟାଚରେ କାଂସ୍ୟ ପଦକ ପାଇଁ କଳିଙ୍ଗର ବ୍ଲୁ ଟର୍ଫରେ କମାଲ କରିବା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ । କାଂସ୍ୟ ପଦକ ମ୍ୟାଚରେ ଫ୍ରାନ୍ସକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଭାରତୀୟ ସମୟ ୪.୩୦ରେ ଖେଳାଯିବ । ଏହି ମ୍ୟାଚରେ ଫ୍ରାନ୍ସକୁ ହରାଇ କାଂସ୍ୟ ପଦକ ଜିତିବା ପାଇଁ ସ୍ବତନ୍ତ୍ର ରଣନିତୀ ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ ।

 

ଓଡ଼ିଶା ହାଇକୋର୍ଟରେ ୨ ଶହ ବର୍ଷ ତଳର ନଥି

କଟକ: ଓଡ଼ିଶା ହାଇକୋର୍ଟର ରେକର୍ଡ ରୁମରେ ରହିଛି ପ୍ରାୟ ୨ ଶହ ବର୍ଷ ତଳର ନଥି । ବ୍ରିଟିଶ ଅମଳର ଅଦାଲତି ରେକର୍ଡ ଗୁଡ଼ିକ ଏବେବି ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ରହିଛି । ଆଇନ୍ ଅଦାଲତକୁ ପେପର ଲେସ କରିବା ପାଇଁ ସୁପ୍ରିମ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ହାଇକୋର୍ଟ ରେକର୍ଡ ରୁମରେ ଥିବା ସମସ୍ତ କାଗଜ ପତ୍ରକୁ ଡିଜିଟାଲାଇଜ୍ କରାଯାଉଛି । ଅବଶ୍ୟ ୧୯୫୦ ମସିହା ପୂର୍ବର ରେକର୍ଡ ଗୁଡିକୁ ସୁରକ୍ଷିତ ଭାବେ ସାଇତା ଯାଉଛି, କିନ୍ତୁ ତାର ପରବର୍ତ୍ତୀ କାଳର ସମସ୍ତ ରେକର୍ଡକୁ ଡିଜିଟାଲାଇଜ୍ କରାଯାଉଛି ।

ହାଇକୋର୍ଟ ସମେତ କଟକ, ବାଲେଶ୍ଵର, ସମ୍ବଲପୁର ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ଅଦାଲତି ରେକର୍ଡ ଗୁଡିକୁ ଡିଜିଟାଲାଇଜ୍ କରାଯାଉଛି । ଖାସ କଥା ହେଉଛି ରେକର୍ଡ ରୁମ୍ ଡିଜିଟାଲାଇଜେସନ ସେଣ୍ଟର୍ ଭିତରେ ରହିଛି ମାଡ୍ରାସ ହାଇକୋର୍ଟ, ପାଟନା ହାଇକୋର୍ଟ ଏବଂ କଲିକତା ହାଇକୋର୍ଟଙ୍କ ଅନେକ ରେକର୍ଡ  । ଏହା ବ୍ୟତିତ ପାର୍ସୀ ଭାଷାରେ ଲିଖିତ ହୋଇଥିବା ଅର୍ଡର କପିକୁ ମଧ୍ୟ ଖୁବ୍ ଯତ୍ନର ସହ ସାଇତି ରଖାଯାଇଛି ।

ଓମିକ୍ରନ୍ ଭୟରେ ପତ୍ନୀ ଓ ଦୁଇ ସନ୍ତାନଙ୍କୁ ମାରିଦେଲେ ଡାକ୍ତରବାବୁ

କାନପୁର: ସାଧାରଣତଃ ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି ବିଶ୍ବାସ କରାଯାଏ । କିନ୍ତୁ ଉତ୍ତରପ୍ରଦେଶ କାନପୁରରେ ଏମିତି ଏକ ଘଟଣା ଘଟିଛି ଯେଉଁଠାରେ ଡାକ୍ତର ଭଗବାନଙ୍କ ପରିବର୍ତ୍ତେ ପାଲଟି ଯାଇଛି ରାକ୍ଷାସ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କାନପୁରରେ। ଯେଉଁଠାରେ ଜଣେ ଡାକ୍ତର ତାଙ୍କ ପତ୍ନୀ ଓ ଦୁଇ ସନ୍ତାନଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ସେ ଡାକ୍ତର ଜଣଙ୍କ ହେଉଛନ୍ତି ସୁଶୀଲ କୁମାର। ତିନି ଜଣଙ୍କୁ ହତ୍ୟା କରିବା ପରେ ସୁଶୀଲ ତାଙ୍କ ଭାଇଙ୍କୁ ମେସେଜ୍ କରି ପୋଲିସ ଡାକିବାକୁ କହିଥିଲେ । ତେବେ ତାଙ୍କ ସାନ ଭାଇ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଡାକ୍ତର ସେଠାରୁ ଫେରାର ହୋଇଯାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସେଠାରୁ ଏକ ଚିଠି ଜବତ କରିଥିଲା । ଯେଉଁଥିରେ ସୁଶୀଲ ହତ୍ୟାର କାରଣ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବୋଲି ଲେଖିଥିଲେ । ‘ଆଉ ଶବ ଗଣିବାକୁ ପଡ଼ିବ ନାହିଁ’ ବୋଲି ମିଳିଥିବା ଚିଠିରେ ସୁଶୀଲ ଲେଖିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତିନୋଟି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି । ସୂଚନା ଅନୁସାରେ ସୁଶୀଲ କିଛି ଦିନ ହେବ ଡିପ୍ରେସନରେ ରହୁଥିଲେ ।

ଡାକ୍ତର ସୁଶୀଲ କୁମାର ଇନ୍ଦିରା ନଗର ଡିବିନିଟୀ ଆପାର୍ଟମେଣ୍ଟରେ ପରିବାର ସହ ରହୁଥିଲେ । ସୁଶୀଲ ତାଙ୍କ ପତ୍ନୀ ଓ ଦୁଇଟି ସନ୍ତାନଙ୍କୁ ହତ୍ୟା କରିବା ପରେ ତାଙ୍କ ଭାଇଙ୍କୁ ମେସେଜ୍ କରି କହିଥିଲେ କି ମୁଁ ଡିପ୍ରେସନରେ ଆସି ମୋ ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ହତ୍ୟା କରିଛି । ତେବେ ଏପରି ମେସେଜ୍ ପାଇବା ପରେ ତାଙ୍କ ଭାଇ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ତେବେ ଦେଖିବାକୁ ପାଇଲେ କି ତାଙ୍କ ଭାଉଜ ଚନ୍ଦ୍ର ପ୍ରଭା (୪୮), ପୁଅ ଶିଖର (୧୮) ଏବଂ ନାବାଳିକ ଝିଅ ଯିଏକି ଦଶମ ଶ୍ରେଣୀରେ ପଢ଼ୁଥିଲେ ତାଙ୍କର ହତ୍ୟା ହୋଇଛି ।

ଡାକ୍ତର ସୁଶୀଲ ତାଙ୍କ ଚିଠିରେ ଲେଖିଛନ୍ତି ସେ ଏକ ରୋଗରେ ପୀଡିତ ଅଛନ୍ତି । ଏପରି ସ୍ଥିତିରେ ସେ ତାଙ୍କ ପରିବାରକୁ କଷ୍ଟରେ ଛାଡିବାକୁ ଚାହୁଁନଥିଲେ । ମୁଁ ସମସ୍ତଙ୍କୁ ମୁକ୍ତପଥରେ ଛାଡି ଦେଇଛି । ସବୁ କଷ୍ଟ ଗୋଟିଏ ମୂହୁର୍ତ୍ତରେ ଦୂର କରିଦେଲି । ସୁଶୀଲ ତାଙ୍କ ଚିଠିରେ ଓମିକ୍ରନ୍ ଭାରିଆଣ୍ଟ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଏବେ ଆଉ ଶବ ଗଣିବାକୁ ପଡ଼ିବ ନାହିଁ, କାହିଁକି ନା ଓମିକ୍ରନ୍ ସମସ୍ତଙ୍କୁ ମାରିଦେବ ବୋଲି ଚିଠିରେ ଲେଖିଛନ୍ତି ସୁଶୀଲ । ତେବେ ଏହି ହତ୍ୟାକଣ୍ଡ ପରେ ପୋଲିସ ଅଭିଯୁକ୍ତ ସୁଶୀଲଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

ଭାରତର ଆକ୍ରମଣାତ୍ମକ ବୋଲିଂ; ମାତ୍ର ୬୨ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଛି ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ । ତେବେ ମୁମ୍ବାଇ ଟେଷ୍ଟରେ ଶନିବାର ଥିଲା ଦ୍ୱିତୀୟ ଦିନ । ଦ୍ବିତୀୟ ଦିନରେ ମ୍ୟାଚକୁ ନିଜ ପକ୍ଷକୁ ଆଣିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଇନିଂସରେ ଭାରତ ୩୨୫ ରନ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ଭାରତର ସମସ୍ତ ୧୦ ଓ୍ୱିକେଟ ଅକ୍ତିଆର କରିଛନ୍ତି । ଏଥିସହ ଏଜାଜ ବିଶ୍ବର ତୃତୀୟ ବୋଲର ଭାବରେ ଗୋଟିଏ ଇନିଂସରେ ହାସଲ କରିଛନ୍ତି ସମସ୍ତ ୧୦ ଓ୍ୱିକେଟ । ଏହା ପୂର୍ବରୁ ଏହି ରେକର୍ଡ ଜିମ୍ ଲକେର ଏବଂ ଭାରତର ଅନିଲ କୁମ୍ବଲେଙ୍କ ନାମରେ ଥିଲା । ଭାରତ ଦ୍ବିତୀୟ ଦିନରେ ଅଲଆଉଟ ହେବା ପରେ ନ୍ୟୁଜିଲାଣ୍ଡକୁ ମଧ୍ୟ ଅଲଆଉଟ କରିଥିଲା । ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୨ ରନ କରି ଅଲଆଉଟ ହୋଇଥିଲା ।

ପ୍ରଥମ ଇନିଂସରେ ଭାରତ ୩୨୫ ରନରେ ଅଲଆଉଟ କରିବା ପରେ ବ୍ୟାଟିଂ କରିବାକୁ ଆସିଥିଲା ନ୍ୟୁଜିଲାଣ୍ଡ । ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇଥିଲା । ଭାରତର ବୋଲିଂ ଆଟାକ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲା କିଓ୍ୱି ଟିମ୍ । କ୍ରମାଗତ ଭାବରେ ଓ୍ୱିକେଟ ଅକ୍ତିଆର କରି ନ୍ୟୁଜିଲାଣ୍ଡକୁ ବ୍ୟାକଫୁଟରେ ରଖିଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ମାତ୍ର ୬୨ ରନରେ ଅଲଆଉଟ ହୋଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ ଟମ୍ ଲାଥମ ଏବଂ ଅଲରାଉଣ୍ଡର କାଏଲ ଜେମିସନଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ୪ଟି, ମହମ୍ମଦ ସିରାଜ ୩ଟି, ଅକ୍ଷର ପଟେଲ ୨ଟି ଏବଂ ଜୟନ୍ତ ଯାଦବ ଗୋଟିଏ ଓ୍ୱିକେଟ ଅକ୍ତିଆର କରିଥିଲେ ।

 

ଭୁଶୁଡୁଛି ସିନେମା ଶିଳ୍ପ: ହଲ ଖୋଲୁଛି, ଦର୍ଶକ ନାହାଁନ୍ତି

ଯାଜପୁର: ଚଳଚିତ୍ର ଜଗତରେ ସିନେମା ହଲର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ପ୍ରେକ୍ଷାଳୟରେ ଫିଲ୍ମର ସଫଳତା ଓ ବିଫଳତାର ରିପୋର୍ଟ ମପାଯାଏ । ମନୋରଞ୍ଜନର ଆଉ ଏକ ମାଧ୍ୟମ ହେଉଛି ସିନେମା ହଲ । ମାତ୍ର ମହାମାରୀ କରୋନା ପାଇଁ ପ୍ରେକ୍ଷାଳୟ ସବୁ ନିରବୀ ଯାଇଛି । କିଛି ସ୍ଥାନରେ ତାଲା ମଧ୍ୟ ଝୁଲିବାକୁ ବସିଲାଣି । ସିନେମା ଶିଳ୍ପ ଉପରେ କରୋନା ବାଧକ ସାଜିଛି । ବଡ଼ ପରଦାରେ ସିନେମା ଏବେ ସ୍ୱପ୍ନ ପାଲଟିଛି ।  ୧୯୮୮ ମସିହାରୁ ଯାଜପୁର ଜିଲ୍ଲାର ଜାରକା  ଅଞ୍ଚଳରେ ମନୋରଞ୍ଜନର ଖୋରକ୍ ଯୋଗାଇ ଆସୁଥିବା ଲୋକନାଥ ଟକିଜ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଛି ।

ସେପଟେ ଯଦି ବା କୋଭିଡ଼ ସ୍ଥିତି ସୁଧୁରିବା ପରେ ଦର୍ଶକଙ୍କ ପ୍ରବେଶ ନେଇ ଅନୁମତି ମିଳିଛି, କିନ୍ତୁ ଏବେ ବି ହଲକୁ ଦର୍ଶକ ଆସୁ ନାହାଁନ୍ତି  । ତେଣୁ ହଲ ଚଳାଇବା ପାଇଁ ଆବଶ୍ୟକୀୟ ଅର୍ଥ ମଧ୍ୟ ମିଳିବା କଷ୍ଟସାଧ୍ୟ ହୋଇ ପଡ଼ିଛି  । ଯଦ୍ୱାରା ଘୋଡ଼ା ଛ ଟଙ୍କାଙ୍କୁ, ଦାନା ନଅ ଟଙ୍କା ନ୍ୟାୟରେ ହଲ ଚଳାଇବା ସ୍ଥିତି ଉପୁଜିଛି  । ତେବେ ମାଲିକମାନେ ହଲରେ ତାଲା ଝୁଲାଇଛନ୍ତି  ।

ଜିଲ୍ଲାରେ କେବଳ ଲୋକନାଥ ଟକିଜ୍ ନୁହେଁ, ଚଣ୍ଡିଖୋଲର ଚଣ୍ଡି ଟକିଜରେ ମଧ୍ୟ ସମାନ ଅବସ୍ଥା । ଦୀର୍ଘ ଦିନ ହେଲା ଏହି ହଲ ବନ୍ଦ ରହିଥିବାରୁ ବ୍ୟବସାୟିକ ସଂସ୍ଥାକୁ ଭଡ଼ା ଆକାରରେ ଲଗାଇବାକୁ ବାଧ୍ୟ ହେଉଛନ୍ତି ମାଲିକ । ସେପଟେ ସିନେମା ହଲ ସହିତ ଜଡିତ ଥିବା କର୍ମଚାରୀଙ୍କୁ ଘାରିଲାଣି ପରିବାର ପ୍ରତିପୋଷଣ ଚିନ୍ତା । ଜୀବିକା ବଞ୍ଚାଇବା କଷ୍ଟକର ହୋଇପଡିଥିବା ବେଳେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ହଲ ମାଲିକ ଓ କର୍ମଚାରୀ ।

ଆରପାରିରେ ପ୍ରତିଷ୍ଠିତ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ

ନୂଆଦିଲ୍ଲୀ: ପରଲୋକରେ କିମ୍ବଦନ୍ତୀ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ । ୬୭ ବର୍ଷରେ ଆଖିବୁଜିଛନ୍ତି ଦେଶର ପରିଚିତ ଓ ପ୍ରତିଷ୍ଠିତ ସାମ୍ବାଦିକ ବିନୋଦ ଦୁଆ । ୧୯୫୪ ମାର୍ଚ୍ଚ ୧୧ରେ ଜନ୍ମଗ୍ରହଣ କରିଥିଲେ ବିନୋଦ । ଦୂରଦର୍ଶନ ଓ ଏନଡିଟିଭି ଇଣ୍ଡିଆରେ କାର୍ଯ୍ୟ କରି ସେ ଦେଶରେ ଜଣେ ଚର୍ଚ୍ଚିତ ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଥିଲେ । ୧୯୯୬ରେ ତାଙ୍କୁ ପ୍ରଖ୍ୟାତ ରାମନାଥ ଗୋଏଙ୍କା ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ୨୦୦୮ରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।

ଜୀବନବ୍ୟାପୀ ସାଧାନା ଲାଗି ତାଙ୍କୁ ମୁମ୍ବାଇ ପ୍ରେସ କ୍ଲବ ପକ୍ଷରୁ ରେଡଲିଙ୍କ ସମ୍ମାନରେ ବିଭୂଷିତ କରାଯାଇଥିଲା । ଦିଲ୍ଲୀରେ ବାଲ୍ୟ ଜୀବନ କଟାଇଥିବା ବିନୋଦ ଅନେକ ସଂଗ୍ରାମ ଦେଇ ସାମ୍ବାଦିକତା କ୍ଷେତ୍ରରେ ସୁନାମ ସାଉଣ୍ଟିଥିଲେ । ସେ କେତେକ ସାମାଜିକ ଆନ୍ଦୋଳନ ସହ ମଧ୍ୟ ଜଡ଼ିତ ଥିଲେ । ଦୂରଦର୍ଶନରେ ପ୍ରଥମ ଥର ଲାଗି ସେ ୧୯୭୪ରେ ଏକ ଯୁବ କାର୍ଯ୍ୟକ୍ରମରେ ଆସି ପରିଚିତି ଲାଭ କରିଥିଲେ । ପରେ ସେ ଅମୃତସର ଟିଭିରେ ଯୋଗ ଦେଇଥିଲେ । ୧୯୮୪ରେ ସେ ପ୍ରଣୟ ରୟଙ୍କ ସହ ମିଶି ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ସାମ୍ପ୍ରତିକ ରାଜନୀତିର ଜଣେ ବିଚକ୍ଷଣ ବିଶେଷଜ୍ଞ ଭାବେ ସବୁ ଦଳ ନିକଟରେ ପରିଚିତ ଥିଲେ ବିନୋଦ ଦୁଆ । ଦେଶର ଅଧିକାଂଶ ଟିଭି ଚାନେଲ ସହ ତାଙ୍କର ସମ୍ପର୍କ ରହିଥିଲା । ଏନଡିଟିଭିର ବହୁଚର୍ଚ୍ଚିତ ଜାଇକା ଇଣ୍ଡିଆ କା କାର୍ଯ୍ୟକ୍ରମ କରି ଚର୍ଚ୍ଚିତ ଥିଲେ । କେବଳ ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ପ୍ରସିଦ୍ଧି ରହିନଥିଲା  । ଏହା ସହିତ ସମାଜସେବା ଓ ସାମାଜିକ ଆନ୍ଦୋଳନରେ ମଧ୍ୟ ବିନୋଦ ଦୁଆଙ୍କ ଥିଲା ବଡ଼ ଭୂମିକା  । ଉଲ୍ଲେଖଯୋଗ୍ୟ ଗତ ଜୁନ ମାସରେ ବିନୋଦ ଦୁଆ ତାଙ୍କ ପତ୍ନୀଙ୍କୁ ହରାଇଥିଲେ  । କୋଭିଡ ସଂକ୍ରମିତ ହୋଇ ସେ ଗତ କିଛିଦିନ ହେବ ଚିକିତ୍ସାଧିନ ଥିଲେ  ।  ରବିବାର ତାଙ୍କର ଅନ୍ତିମ ସତ୍କାର ହେବା ନେଇ ଝିଅ ମଲ୍ଲିକା ଦୁଆ ସୂଚନା ଦେଇଛନ୍ତି  ।

ଓମିକ୍ରନ୍ ଆତଙ୍କ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଯିବ ଟିମ୍ ଇଣ୍ଡିଆ; ହେବନି ଟି-୨୦ ସିରିଜ୍

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟକୁ ନେଇ ସାରା ବିଶ୍ୱରେ ଏକ ଆତଙ୍କ ଖେଳିଯାଇଛି । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇ ବିଶ୍ୱର ୩୦ଟି ଦେଶରେ ମାଡି ସାରିଲାଣି ଓମିକ୍ରନ୍ ଭାରିଆଣ୍ଟ । ତେବେ ନୂଆ ଭାରିଆଣ୍ଟ ଓମିକ୍ରନ୍ ଆଶଙ୍କାରେ ବିଭିନ୍ନ ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଉଛି । ତେବେ ନୂଆ ଭାରିଆଣ୍ଟ ଓମିକ୍ରନର ଆତଙ୍କ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଭାରତୀୟ କ୍ରିକେଟ ଟିମ୍ । ଏହି ଗସ୍ତକୁ ନେଇ ପୂର୍ବରୁ ଦ୍ବନ୍ଦ୍ବ ଲାଗି ରହିଥିଲା । କିନ୍ତୁ ଆଜିର ବୈଠକରେ ଭାରତ, ଦକ୍ଷିଣ ଆଫ୍ରିକା ଗସ୍ତ କରିବା ବୋଲି ସ୍ପଷ୍ଟ କରିଛି ବିସିସିଆଇ। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହା ।

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ତିନୋଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ଚାରୋଟି ଟି-୨୦ ମ୍ୟାଚ ଖେଳିବାର ଥିଲା । କିନ୍ତୁ ବର୍ତ୍ତମାନ ଭାରତ କେବଳ ତିନୋଟି ଟେଷ୍ଟ ଏବଂ ତିନୋଟି ଦିନିକିଆ ଖେଳିବ । ଅର୍ଥାତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଚାରୋଟି ଟି-୨୦ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ଏଥିସହ ଓମିକ୍ରନ୍ ପାଇଁ ଏକ ସପ୍ତାହ ବିଳମ୍ବରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ୍ ଇଣ୍ଡିଆ । ଯାହାଫଳରେ ଡିସେମ୍ବର ୧୭ରେ ହେବାକୁ ଥିବା ପ୍ରଥମ ଟେଷ୍ଟ ଡିସେମ୍ବର ୨୬ରେ ଆରମ୍ଭ ହୋଇପାରେ । ଅନ୍ୟପକ୍ଷରେ ସ୍ଥଗିତ ହୋଇଥିବା ୪ଟି ଟି-୨୦ ମ୍ୟାଚ କେବେ ଖେଳାଯିବ ତାହା ପରବର୍ତ୍ତୀ ସମୟରେ ବିସିସିଆଇ ଏବଂ କ୍ରିକେଟ ସାଉଥ୍ ଆଫ୍ରିକା ନିଷ୍ପତି ନେବ ।