୫୦ ଦିନରେ ୨୦ ଡଲାର ବଢ଼ିଲାଣି ଅଶୋଧିତ ତୈଳଦର, ନିର୍ବାଚନ ପାଇଁ ବଢ଼ୁନି ପେଟ୍ରୋଲ, ଡିଜେଲ୍ ଦାମ୍ !

Crude Price At 7 Years High Petrol Diesel Price Hike Avoided For 5 State Assembly Election

ନୂଆଦିଲ୍ଲୀ: ପୁଣି ତୈଳଦର ବଢ଼ିବା ଆଶଙ୍କା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବଢ଼ୁଥିବାରୁ ପେଟ୍ରୋଲ, ଡିଜେଲ ଦର ବଢ଼ିପାରେ । ଅଶୋଧିତ ତୈଳଦର ୭ ବର୍ଷ ମଧ୍ୟରେ ସବୁ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ରହିଛି । ଏବେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୮ ଡଲାର ପାର୍ କରିଛି । ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୮.୧୪ ଡଲାର ରହିଛି ।

୨୦୨୨ ନୂଆବର୍ଷରେ ଅଶୋଧିତ ତୈଳଦର ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଗତ ୪ ସପ୍ତାହ ଧରି ଲଗାତାର ଭାବେ ଅଶୋଧିତ ତୈଳଦର ବୃଦ୍ଧି ପାଇ ଚାଲିଛି । ମହାମାରୀ କୋଭିଡ୍ ପରେ ଚାହିଦା ବୃଦ୍ଧି ଯୋଗୁଁ ଅଶୋଧିତ ତୈଳଦର ବଢ଼ୁଥିବା ବେଳେ ଆଗକୁ ଆହୁରି ବଢ଼ିପାରେ । ଏପରିକି ଜୁନ୍ ସୁଦ୍ଧା ଅଶୋଧିତ ତୈଳଦର ବ୍ଯାରେଲ୍ ପିଛା ୧୦୦ ଡଲାର ଟପିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ ।

୨୦୨୧ ଡିସେମ୍ବର ୧ରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୬୮.୮୭ ଡଲାର୍ ରହିଥିଲା । ଯାହାକି ବଢ଼ି ବଢ଼ି ୨୦୨୨ ଜାନୁଆରୀ ତୃତୀୟ ସପ୍ତାହ ମାତ୍ର ୫୦ ଦିନରେ ୮୮ ଡଲାର ପାର୍ କରିଛି । ଅର୍ଥାତ୍ ଦେଢ଼ ମାସ ଭିତରେ ଅଶୋଧିତ ତୈଳଦର ୨୯ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ସରକାରୀ ତେଲ କମ୍ପାନୀ ଅଧିକ ଟଙ୍କା ଦେଇ ଅଶୋଧିତ ତୈଳ କିଣୁଛନ୍ତି । ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ବିଗତ ଦେଢ଼ମାସ ହେଲା ଅଶୋଧିତ ତୈଳଦର ବଢ଼ୁଥିଲେ ମଧ୍ୟ ପେଟ୍ରୋଲ, ଡିଜେଲ୍ ମୂଲ୍ୟ ସ୍ଥିର ରହିଛି ।

Crude Price At 7 Years High Petrol Diesel Price Hike Avoided For 5 State Assembly Election

ପ୍ରଶ୍ନ ଉଠୁଛି କଣ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସରକାରଙ୍କ ଚାପରେ ସରକାରୀ ତେଲ କମ୍ପାନୀ ପେଟ୍ରୋଲ, ଡିଜେଲ୍ ଦର ବଢ଼ାଉ ନାହାଁନ୍ତି । ଯେତେବେଳେ କି ତେଲ କମ୍ପାନୀ ୨୦୨୨ ଜାନୁଆରୀରେ ଉଡ଼ାଜାହାଜ ତୈଳଦର ଦୁଇଥର ବଢ଼ାଇ ସାରିଲେଣି ।

ଅଶୋଧିତ ତୈଳଦର ବଢ଼ୁଥିବାରୁ ସରକାରୀ ତେଲ କମ୍ପାନୀ କ୍ଷତି ସହୁଛନ୍ତି । ଅଶୋଧିତ ତୈଳଦରରେ ପ୍ରତି ୧ ଡଲାର ବୃଦ୍ଧି ଉପରେ ସରକାରୀ ତୈଳ କମ୍ପାନୀ ପେଟ୍ରୋଲ, ଡିଜେଲ୍ ଲିଟର ପିଛା ୪୦ ପଇସା ବୃଦ୍ଧି କରିଥାନ୍ତି । ସେହି ଅନୁସାରେ, ୨୦୨୧ ଡିସେମ୍ବର ୧ରୁ ଆଜି ଯାଏ ଦେଖିଲେ ୫୦ ଦିନରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୨୦ ଡଲାର ବୃଦ୍ଧି ପାଇଛି । ଅଶୋଧିତ ତୈଳଦର ୫ ଡଲାର ମହଙ୍ଗା ହେବା ପରେ ଡିଜେଲ ଓ ପେଟ୍ରୋଲ ଦର ୨ ଟଙ୍କା ବଢ଼ିଥାଏ । ଏଥିସହ ଟଙ୍କା ତୁଳନରେ ଦୁର୍ବଳ ଡଲାରକୁ ମିଶାଇଲେ ତେଲ କମ୍ପାନୀ କ୍ଷତି ଭରଣା ପାଇଁ ପେଟ୍ରୋଲ, ଡିଜେଲ୍ ଲିଟର ପିଛା ଅତି କମରେ ୫ ଟଙ୍କା ବୃଦ୍ଧି କରିଥାନ୍ତେ । କୁହାଯାଉଛି ନିର୍ବାଚନ ସରକାରୀ ତେଲ କମ୍ପାନୀଙ୍କ ହାତ ବାନ୍ଧି ଦେଇଛି ।

୨୦୨୧ ନଭେମ୍ବର ୪ ତାରିଖ ପରଠାରୁ ସରକାରୀ ତେଲ କମ୍ପାନୀ ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ପ୍ରତିଦିନ ଦର ନେଇ ସମୀକ୍ଷା କରୁଥିଲେ ମଧ୍ୟ ରାଜନୈତିକ ଓ ସରକାରୀ ଚାପରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଏବେ ଆଶଙ୍କା କରାଯାଉଛି ୫ ରାଜ୍ୟ ନିର୍ବାଚନ ସରିବା ପରେ ପରେ ୨୦୨୨ ମାର୍ଚ୍ଚ ୧୦ ପରେ ସାଧାରଣ ଲୋକଙ୍କ ଉପରେ ପେଟ୍ରୋଲ ଓ ଡିଜେଲ ଦର ମାଡ଼ ପୁଣି ପଡ଼ିବ ।

Leave a Reply