‘ତୃତୀୟ ପ୍ରବାହରେ ଭୟଭୀତ ହୁଅନ୍ତୁ ନାହିଁ , ସତର୍କ ରୁହନ୍ତୁ’

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  । ବଢୁଥିବା କୋଭିଡ ମାମଲାକୁ ନେଇ ରାଜ୍ୟବାସୀଙ୍କୁ ବିଶେଷ ସତର୍କ ରହିବା ନେଇ  କହିଛନ୍ତି ମୁଖ୍ୟ ଶାସନ ସଚିବ  । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି  । ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟ ସରକାର କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ବେଡ୍ ମହଜୁଦ ରଖିଛନ୍ତି  । ଏବେ ୧୦ ପ୍ରତିଶତ ବେଡରେ କୋଭିଡ ରୋଗୀ ରହିଥିବାବେଳେ ବାକି ୯୦ ପ୍ରତିଶତ ବେଡ ଖାଲି ରହିଥିବା କହିଛନ୍ତି ସୁରେଶ ମହାପାତ୍ର  ।

ବର୍ତ୍ତମାନ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ରୁ ୧୧ ହଜାର ସଂକ୍ରମଣ ସଂଖ୍ୟା ରହୁଛି  । ତେଣୁ ଏପରି ସ୍ଥିତିରେ ସମସ୍ତେ କୋଭିଡ ନିର୍ଦ୍ଦେଶନାମା ପାଳନ କରିବାକୁ ଅନୁରୋଧ କରିଛନ୍ତି  । ତୃତୀୟ ପ୍ରବାହକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେଉଁମାନେ ଟିକାକରଣ ପକ୍ରିୟାରୁ ବଞ୍ଚିତ ଅଛନ୍ତି ଅଥବା ଦ୍ୱିତୀୟ ଡୋଜ ନେଇନଥିଲେ ଖୁବ ଜଲ୍ଦି ନେବା ଦରକାର । ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ  । ଓଡିଶାରେ ସଂକ୍ରମଣ ସଂଖ୍ୟା ବଢିଥିବାବେଳେ ରାଜ୍ୟ ସରକାର ମଧ୍ୟ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିଛନ୍ତି  ।

ସେପଟେ ଯେହେତୁ ପଞ୍ଚାୟତ ନିର୍ବାଚନ ଆଗାମୀ ମାସରେ ଅନୁଷ୍ଠିତ ହେବାକୁ  ଯାଉଛି, ଆହୁରି ସଚେତନ ହେବା ଜରୁରୀ  । ନିର୍ବାଚନକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ଜାରି କରାଯାଇଛି  । ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିଥିଲେ  । ରାଜ୍ୟବାସୀ ନିର୍ଦ୍ଦେଶନାମା ଅନୁପାଳନ ନେଇ ଅନୁରୋଧ କରିଥିଲେ  । ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଆମେ ଯଦି ମାନିବା, ତେବେ ଆମେ ଏହି ସ୍ଥିତିକୁ ଖୁବ ଜଲ୍ଦି ହଠାଇ ପାରିବା  । ଅଯଥା ଗହଳି ନକରିବା ଏବଂ ମାସ୍କ ପରିଧାନ କରିବା ଆମ ପାଇଁ ଏକାନ୍ତ ଆବଶ୍ୟକ  । ସମସ୍ତଙ୍କର ସହଯୋଗ ରହିଲେ କୋଭଡର ତୃତୀୟ ଲହରକୁ ମଧ୍ୟ ରାଜ୍ୟ ସରକାର ମୁକାବିଲା କରିବାରେ ସଫଳ ହେବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ  ।

Leave a Reply