spot_img
Home Blog Page 4828

ବିଜେପିରେ ଟ୍ରମ୍ପଙ୍କ ନିର୍ବାଚନ ପରାମର୍ଶଦାତା

ଲକ୍ଷ୍ନୌ: ବିଜେପିରେ ଯୋଗ ଦେଲେ JDU ମହାସଚିବ କେସି ତ୍ୟାଗୀଙ୍କ ପୁଅ ଅମରିଶ୍ ତ୍ୟାଗୀ । ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଅମରିଶ୍ । ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଡ. ଦିନେଶ ଶର୍ମା ଏବଂ ବିଜେପିର ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ବାଜପେୟୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଅମରିଶ୍। ବିଜେପିରେ ଯୋଗ ଦେବା ପୂର୍ବରୁ ଅମରିଶ୍ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ବାଚନ ପରିଚାଳନା କରିଥିଲେ । ବିଜେପିରେ ଯୋଗ ଦେବା ପରେ ଅମରିଶ୍ କହିଥିଲେ କି ତାଙ୍କ ପରିବାରରେ ଏକ ଲୋକତନ୍ତ୍ରିକ ବ୍ୟବସ୍ଥା ରହିଛି । ତେଣୁ ସେ ତାଙ୍କ ଇଚ୍ଛାରେ ଯେକୌଣସି ଦଳରେ ଯୋଗ ଦେଇ ପାରିବି ।

ସେ ଆହୁରି କହିଥିଲେ କି ତାଙ୍କ ପିତା କେସି ତ୍ୟାଗି ଏନଡିଏରେ ରହିଛନ୍ତି । ବିଜେପିର କାମ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ମୋତେ ବିଜେପିରେ ଯୋଗ ଦେବା ପାଇଁ ପ୍ରେରଣା ଯୋଗାଇଛି । ନିର୍ବାଚନ ପରିଚାଳନ କରିଥିବା ଅମରିଶ୍ ତ୍ୟାଗୀ କହିଛନ୍ତି କି ବିଜେପି ପ୍ରଚାରରେ ସବୁଠାରୁ ଆଗରେ ରହିଛି । ନିର୍ବାଚନ ଲଢ଼ିବା ନେଇ ପଚାରିବାରୁ ସେ କହିଥିଲେ କି ପାର୍ଟି ଯାହା ଦାୟିତ୍ୱ ଦେବ ତାହା କରିବି ।

୪୩ ବର୍ଷିୟ ଅମରିଶ୍ ତ୍ୟାଗୀ ଅବଲୀନୋ ବିଜନେସ୍ ଇଣ୍ଟିଲଜେନ୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ଏହି କମ୍ପାନୀ ବିଭିନ୍ନ ରାଜନୈତିକ ପାର୍ଟିକୁ ନିର୍ବାଚନ ରଣନୀତି, ଗଣମାଧ୍ୟମ ପରିଚାଳନା ଦେଇଥାଏ । ଏହି କମ୍ପାନୀ ନିତୀଶ କୁମାରଙ୍କ ପାଇଁ ବିଧାନସଭା ନିର୍ବାଚନ କାର୍ଯ୍ୟ କରିଥିଲ। ସେହିପରି ଭାବରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ ଅମରିଶ୍ ।

ଅନ୍ୟପକ୍ଷରେ ଅମରିଶ୍ ତ୍ୟାଗୀଙ୍କ ବ୍ୟତୀତ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଭୀମ ଆର୍ମୀର କିଛି ନେତା ବିଜେପିରେ ଯୋଗ ଦେଇଛନ୍ତି ।

ମୁମ୍ବାଇ ଟେଷ୍ଟ: ଖସିଲା ସ୍ପାଏ କ୍ୟାମେରା, ମଜା ଉଠାଇଲେ ବିରାଟ ବାହିନୀ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇରେ ଖେଳାଯାଉଛି ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ । ଏହି ମ୍ୟାଚକୁ ତୃତୀୟ ଦିନରେ ଭାରତ ତା’ର ସପକ୍ଷକୁ ଆଣି ସାରିଛି । ଏହି ମ୍ୟାଚକୁ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡ ଆଗରେ ଅସମ୍ଭବ ୫୪୦ ରନର ବିଜୟ ଲକ୍ଷ୍ୟ ଦେଇଛି । ଏହି ମ୍ୟାଚରେ ଭାରତ ଦ୍ୱିତୀୟ ଇନିଂସରେ ବୋଲିଂ କରୁଥିବା ବେଳେ ଦେଖିବାକୁ ମିଳିଥିଲା ଏକ ରୋଚକ ଘଟଣା । ସ୍ଥିତି ଏମିତି ହେଲା କି ବାଧ୍ୟହୋଇ ମ୍ୟାଚକୁ ରୋକିବାକୁ ପଡ଼ିଥିଲା । ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ ଡେରଲି ମିଚେଲ ଓ ଓ୍ୱଲ୍ ୟଙ୍ଗ ବ୍ୟାଟିଂ କରୁଥିବାବେଳେ ହଠାତ ସ୍ପାଇ କ୍ୟାମେରା କ୍ରିଜ୍ ନିକଟରେ ରହିଯାଇଥିଲା ।

ଏହି ସମୟରେ ଖେଳାଳି ଏବଂ ଅମ୍ପାୟାରଙ୍କୁ ଲାଗିଥିଲା କି କ୍ୟାମେରା ରେକର୍ଡିଂ କରୁଛି । କିନ୍ତୁ କିଛି ସମୟ ତଳେ ରହିବା ପରେ ଅମ୍ପାୟାର ଟି ବ୍ରେକ୍ ଘୋଷଣା କରିଥିଲେ । ତେବେ କ୍ୟାମେରା ତଳକୁ ଆସିବା ସମୟରେ ଭାରତୀୟ ଦଳର ଖେଳାଳି କ୍ୟାମେରା ସାମ୍ନାରେ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମୁମ୍ବାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଏକ ପ୍ରକାର ବିଜୟର ନିକଟତର ହୋଇସାରିଛି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନ୍ୟୁଜିଲାଣ୍ଡର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ସାରିଛି । ୧୪୦ ରନ କରି ୫ ଓ୍ୱିକେଟ ହରାଇ ସାରିଥିବା ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚକୁ ଜିତିବାକୁ ହେଲେ ୪୦୦ ରନ ଆବଶ୍ୟକ । ଯାହା ଏକ ପ୍ରକାର ଅସମ୍ଭବ ଅଟେ ।

ଯୋଗୀଙ୍କୁ ଶିକ୍ଷକ ନିଯୁକ୍ତି ଘୋଟାଲା ଛାଟ; ଘେରିଲେ ରାହୁଲ-ବରୁଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଶିକ୍ଷକ ପଦ ପାଇଁ ଆନ୍ଦୋଳନରତ ଆଶାୟୀଙ୍କ ଉପରେ ଆଖିବୁଜା ଲାଠି ମାଡ କରିଛି ପୋଲିସ । ଶନିବାର ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୬୯ ହଜାର ଶିକ୍ଷକ ନିଯୁକ୍ତିରେ ହେରଫେର ଅଭିଯୋଗରେ ଏକ କ୍ୟାଣ୍ଡେଲ ଯାତ୍ରା କରିଥିଲେ ଆଶାୟୀ । ତେବେ ଏହି ଯାତ୍ରାରେ ପୋଲିସ ଆଖିବୁଜା ଲାଠି ମାଡ କରିଛି । ଯାହା ଫଳରେ ଅଧିକାଂଶ ଆଶାୟୀ ଆହାତ ହୋଇଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ରାଜନୀତି ଜୋର ଧରିଛି । ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଘେରିଛନ୍ତି ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି କି ରୋଜଗାର ମାଗିଲେ ଉତ୍ତରପ୍ରଦେଶ ସରକାର ଲାଠି ଚାର୍ଜ କରୁଛନ୍ତି । ଯେତେବେଳେ ଭାରତୀୟ ଜନତା ପାର୍ଟି ଭୋଟ ମାଗିବାକୁ ଆସିବ ସେତେବେଳ ପର୍ଯ୍ୟନ୍ତ ଏହି କଥାକୁ ମନେ ରଖିଥାନ୍ତୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲଙ୍କ ବ୍ୟତୀତ ବରୁଣ ଗାନ୍ଧୀ ମଧ୍ୟ ଏହି ଘଟଣାରେ ଟ୍ବିଟ କରି ଯୋଗୀ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ବିଗତ କିଛି ଦିନ ହେବ ବିଜେପି ସରକାରଙ୍କ ବିରୋଧରେ ହିଁ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଏହି ଘଟଣାରେ ମଧ୍ୟ ବିଜେପି ସାଂସଦ ବରୁଣ ଗାନ୍ଧୀ ଟ୍ବିଟ କରି ଯୋଗୀ ସରକାରଙ୍କୁ ଘେରିଛନ୍ତି । ବରୁଣ ଗାନ୍ଧୀ ଟ୍ବିଟ କରି କହିଛନ୍ତି କି ଏମାନେ ମଧ୍ୟ ଭାରତ ମାତାଙ୍କ ପିଲା । ଏମାନଙ୍କ କଥା ତ ମାନିବା ଦୂରର କଥା ଏମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି ବୋଲି କହିଛନ୍ତି ବରୁଣ ଗାନ୍ଧୀ ।

ଦିଲ୍ଲୀରେ ଅସୁସ୍ଥ ଜୟନାରାୟଣ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପୁଣି ଥରେ ଅସୁସ୍ଥ ହୋଇ ପଡିଛନ୍ତି  । ଏକ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଦିଲ୍ଲୀ ଗସ୍ତ କରିଥିବାବେଳେ ସେଠାରେ ଅସୁସ୍ଥ ଅନୁଭବ କରିଥିଲେ  ।  ସେହି ସମୟରେ ସାଥି ବିଧାୟକ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରିଛନ୍ତି  । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ନହୋଇଥିଲେ ମଧ୍ୟ ସାମାନ୍ୟ ସୁସ୍ଥ ଥିବା କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ  ।

ନୂଆଦିଲ୍ଲୀରେ ପିଏସି କମିଟିର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜ୍ୟରୁ ବରିଷ୍ଠ ବିଧାୟକ  ମାନେ ଗସ୍ତ କରିଥିଲେ  । ପରେ କାର୍ଯ୍ୟକ୍ରମ ସାରି ଓଡ଼ିଶା ଭବନରେ ରାତ୍ରୀ ଯାପନ କରିଥିଲେ  । ଠିକ୍ ଏହି ସମୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ ଅନୁଭବ କରିଥିଲେ  । ତେଣୁ ଉପସ୍ଥିତ ଅନ୍ୟ ବିଧାୟକ ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଇଥିଲେ  । ପାଖାପାଖି ୪ ଘଣ୍ଟା ଧରି ତାଙ୍କର ଚିକିତ୍ସା ହୋଇଥିଲା  । ସେ ସୁସ୍ଥ ହେଲେ ଓଡ଼ିଶା ଫେରିବେ ବୋଲି ସୂଚନା ଦେଇଛନ୍ତି ମୋହନ ମାଝୀ  ।

ସୋସିଆଲ ମିଡ଼ିଆରେ ସେକ୍ସ ଜାଲ: ଫସିବ ତ ହୋଇଯିବ ତଳିତଳାନ୍ତ

ନୂଆଦିଲ୍ଲୀ: ବନ୍ଧୁ ପରିଜନଙ୍କ ସହ ସମ୍ପର୍କ ପାଇଁ ସୋସିଆଲ ମିଡ଼ିଆ ଏକ ବଡ଼ ପ୍ଲାଟଫର୍ମ ସାଜିଛି । ଦୂରରେ ଥାଇ ବି ପ୍ରିୟଜନଙ୍କ ସହ ସମ୍ପର୍କରେ ରହି ପାରୁଛନ୍ତି ଲୋକେ । ବେଳେ ବେଳେ ସୋସିଆଲ ମିଡିଆ ବ୍ୟବହାରରେ ସାମାନ୍ୟ ଅସାମଧାନତା ଆପଣଙ୍କୁ ତଳିତଳାନ୍ତ କରିବା ସହ ଇଜ୍ଜତ ମହତ ବି ପାଣିରେ ପକାଇ ଦେବ । ଅସାମାଜିକ ତତ୍ବ ସୋସିଆଲ ମିଡ଼ିଆକୁ ଅପବ୍ୟବହାର କରି ଲୋକଙ୍କୁ ଲୁଟୁଥିବାର ବହୁ ନଜିର ରହିଛି । ସୋସିଆଲ ମିଡିଆରେ ସେକ୍ସ କଣ୍ଟେନ ପୋଷ୍ଟ କରି ଲୋକଙ୍କୁ ଠକିବା କିଛି ନୂଆ କଥା ନୁହେଁ । ଏବେ ସୋସିଆଲ ମିଡ଼ିଆରେ ସେକ୍ସର ମାୟା ଜାଲ ବିଛାଇ ବ୍ଲାକମେଲିଂ କରି ସେକ୍ସୋଟର୍ମ ମାଧ୍ୟମରେ ଲୁଟା ଯାଉଛି ଲକ୍ଷ ଲକ୍ଷ ଟଙ୍କା । ଦିଲ୍ଲୀ ପଶ୍ଚିମ ବିହାରରୁ ଏମିତି ଏକ ଅଭିଯୋଗ ଆସିବା ପରେ ସୋସିଆଲ ମିଡିଆର ବ୍ୟବହାରକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ପଶ୍ଚିମ ବିହାରରେ ସେକ୍ସୋଟର୍ମ ନାଁରେ ୩ ଲକ୍ଷ ଟଙ୍କା ଦାବି କରାଯାଇଥିବେ ଅଭିଯୋଗ ହୋଇଛି ।

ଦିଲ୍ଲୀ ପୋଲିସକୁ ଅଭିଯୋଗ ମିଳିବା ପରେ ଅଭିଯୁକ୍ତକାରୀଙ୍କୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି । ସବ ଇନ୍ସପେକ୍ଟର ସୀତାରାମ, ସବ ଇନ୍ସପେକ୍ଟର ମନୀଷ ଏବଂ ଏସିପି ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଟିମ୍ ଏହାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ପଶ୍ଚିମ ବିହାର ଅଞ୍ଚଳର ଏକ ଫ୍ଲାଟ୍ ଭଡ଼ାରେ ନେଇ ଏହି ସେକ୍ସ କାରବାର ଚଲାଇଥିଲେ । ବାହାଦୁରଗଡ଼ର ମାଷ୍ଟରମାଇଣ୍ଡ ନିରଜ ଏହି ଗ୍ୟାଙ୍ଗକୁ ଚଲାଉଥିବା ଟେକ୍ନିକାଲ ସର୍ଭିଲାନ୍ସ ଓ ଗୁପ୍ତଚରଙ୍କ ପାଖରୁ ପୋଲିସ ଟିମକୁ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ନିରଜକୁ ଧରିବାକୁ ପୋଲିସ ଟିମ୍ କାମ ଆରମ୍ଭ କରି ଦେଇଥିଲା ଓ ପ୍ରଶାନ୍ତ ବିହାରରୁ ତାକୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ ।

ହନିଟ୍ରାପରେ ଫସାଉ ଥିଲେ

ପଚରାଉଚରା ବେଳେ ଲୋକଙ୍କୁ ଗ୍ୟାଙ୍ଗ ହନିଟ୍ରାପରେ ଫସାଉ ଥିବା ସ୍ବୀକାର କରିଛି ନିରଜ । ତାଙ୍କ ଅନୁସାରେ, ଲୋକଙ୍କୁ ସୋସିଆଲ ମିଡ଼ିଆରେ ସେକ୍ସର ପ୍ରଲୋଭନ ଦେଖାଇ ଫ୍ଲାଟକୁ ଡକା ଯାଉଥିଲା । ସେଠାରେ ତାଙ୍କ ଭିଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବାକୁ ଧମକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟା ଯାଉଥିଲା ।

ଗ୍ୟାଙ୍ଗରେ ଏକ ଝିଅ ବି ରହିଛି । ଯିଏ ହନିଟ୍ରାପ୍ ଜରିଆରେ ଲୋକଙ୍କୁ ଫସାଉଥିଲା । ଗ୍ୟାଙ୍ଗରେ ୫ ସଦସ୍ୟ ଆକ୍ଟିଭ ଥିଲେ । ବର୍ତ୍ତମାନ ସୁଦ୍ଧା ଏମାନେ ୧୨ରୁ ଅଧିକ ଲୋକଙ୍କୁ ଫସାଇ ସାରିଛନ୍ତି । ଫସୁଥିବା ଲୋକଙ୍କ ପାଖରୁ ଏମାନେ ୫ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆଦାୟ କରିଛନ୍ତି ।

କରୋନାର ପ୍ରଥମ ଲହର ଆସିବା ପରେ ଏମାନେ ଆକ୍ଟିଭ ହୋଇଥିଲେ । ଗ୍ୟାଙ୍ଗରେ ଥିବା ଝିଅ ଲୋକଙ୍କ ପାଖକୁ ଫ୍ରେଣ୍ଡ ରିକୁଏଷ୍ଟ ଫଠାଉଥିଲା । ରିକୁଏଷ୍ଟ ଆସେପ୍ଟ ପରେ ସେକ୍ସ ପ୍ରଲୋଭନ ଦେଖାଇ ଯୁବତୀ ଲୋକଙ୍କୁ ଫସାଉଥିଲା । ପରେ ଭଡାରେ ନିଆଯାଇଥିବା ଫ୍ଲାଟକୁ ଡାକୁଥିଲା । ଉଭୟ ଏକାଠି ଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ପୋଲିସ ବେଶରେ ରୁମରେ ପଶି ଯାଉଥିଲେ ଓ ସେଇଠୁ ଆରମ୍ଭ ହେଉଥିଲା ସେକ୍ସ ବ୍ଲାକେମଲିଂ । ଗ୍ୟାଙ୍ଗ ମାଷ୍ଟର ମାଇଣ୍ଡ ଗିରଫ ହୋଇ ସାରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ଯେତେ ପାଖଉଛି ‘ଜୱାଦ’, ସେତେ ଛେଚୁଛି ବର୍ଷା..

ନନ୍ଦିଘୋଷ ବ୍ୟୁରୋ: ସମୁଦ୍ର ଭିତରେ ଗଭୀର ଅବପାତର ରୂପ ଧାରଣ କରିଛି ସାମୁଦ୍ରିକ ଝଡ଼ ଜୱାଦ । ଯେତେ ନୀକଟବର୍ତ୍ତୀ ହେଉଛି, ସେତେ ଉପକୂଳରେ ବର୍ଷାର ପ୍ରଭାବ ବଢିବାରେ ଲାଗିଛି  । ଶଷନିବାର ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 

ସେହିପରି ନୟାଗଡ଼ରେ ୧୦୭.୫ମିମି, ଗଞ୍ଜାମ ଛତ୍ରପୁରରେ ୮୬.୬, ଖୋର୍ଦ୍ଧା ବାଣପୁରରେ ୮୧, ଗଞ୍ଜାମ ପୋଲସରାରେ ୭୧.୮, କୋଦଳାରେ ୬୮, ଏରସମାରେ ୬୮ ଓ ରାଜନଗରରେ ୬୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଏବେ କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ଲାଗିରହିଛି। ଆସନ୍ତା ୩ଘଣ୍ଟା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିଭଳି କଟକ, ଭୁବନେଶ୍ୱରରେ ମଧ୍ୟ ବର୍ଷା ଜାରି ରହିଛି  । ଆଗକୁ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ବାତ୍ୟା ଜୱାଦ ଧୀରେ ଧୀରେ ଉତ୍ତର ଉପକୂଳ ଆଡକୁ ମୁହାଁଇଛି   ।  ଫଳରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ବର୍ଷାର ପରିମାଣ ବଢିବ । ପ୍ରବଳ ବର୍ଷା ପାଇଁ ତଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖା ଦେଇପାରେ । ସହରାଞ୍ଚଳରେ ବର୍ଷା ଯୋଗୁଁ ଅସ୍ପଷ୍ଟ ଦେଖାଯିବ, ଫଳରେ ଟ୍ରାଫିକ୍ ଜାମ୍ ସମସ୍ୟା ହୋଇପାରେ । ପ୍ରଭାବିତ ଅଞ୍ଚଳରେ ଡ୍ରେନ୍ ପାଣି ନିଷ୍କାସନ କରିବାକୁ କୁହାଯାଇଛି ।

ସଂସଦ ଟିଭି ଆଙ୍କର ପଦରୁ ପ୍ରିୟଙ୍କାଙ୍କ ଇସ୍ତଫା

ନୂଆଦିଲ୍ଲୀ: ସଂସଦ ନିଲମ୍ବନ ପ୍ରସଙ୍ଗ ଧିରେ ଧିରେ ଘନେଇବାରେ ଲାଗିଛି । ନିଲମ୍ବିତ ୧୨ ସଦସ୍ୟ ସଂସଦ ପରିସରରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ଏମିତି ସ୍ଥିତିରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିର ଆଙ୍କର ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟସଭା ସଭାପତି ଭେଙ୍କୟା ନାଉଡୁଙ୍କ ପାଖକୁ ଚିଠି ପଠାଇ ଦେଇଛନ୍ତି । ନିଲମ୍ବିତ ୧୨ ସଂସଦଙ୍କ ମଧ୍ୟରେ ପ୍ରିୟଙ୍କା ମଧ୍ୟ ଅଛନ୍ତି ।

ପ୍ରିୟଙ୍କା ତାଙ୍କ ଚିଠିରେ ଲେଖିଛନ୍ତି, ବହୁତ ଦୁଃଖର ସହ କହିବାକୁ ପଡୁଛି, ମୁଁ ସଂସଦ ଟିଭିର ‘ମେରୀ କାହାନୀ’ ଶୋ’ର ଆଙ୍କର ପଦରୁ ଇସ୍ତଫା ଦେଉଛି । ମୁଁ ଏମିତି ସ୍ଥାନରେ କୌଣସି ପଦରେ କରିବାକୁ ଚାହିଁନାହିଁ ଯେଉଁଠି ମୋ ପ୍ରାଥମିକ ଅଧିକାରକୁ ଛଡ଼ାଇ ନିଆଯାଇଛି । ଏଠାରେ ଆମ ୧୨ ଜଣ ସାଂସଦଙ୍କୁ ମନମୁଖୀ ଭାବେ ନିଲମ୍ବନ କରାଯାଇଛି । ଏଥିପାଇଁ ଏହି ଶୋ’ରୁ ଦୂରେଇ ଯାଉଛି ।

ସେ ଆହୁରି କହିଛନ୍ତି, ‘ଏହି ନିଲମ୍ବନ କାରଣରୁ ସଂସଦରେ ମୋ ଛବି ଖରାପ ହୋଇଛି । ମୋତେ ଲାଗୁଛି, ଆମ ପ୍ରତି ଅନ୍ୟାୟ ହୋଇଛି । ଯଦି ସଭାପତିଙ୍କ ଦୃଷ୍ଟିରେ ଏହା ଠିକ, ତେବେ ଏହାକୁ ସମ୍ମାନ ଦେବାକୁ ପଡ଼ିବ ।’

ସୂଚନାଯୋଗ୍ୟ, ଗତ ଅଧିବେଶନ ସମୟରେ ହୋହାଲ୍ଲା କରିବା ଓ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ୧୨ ବିରୋଧୀ ସାଂସଦଙ୍କୁ ଶୀତକାଳିନ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ସେତେବେଳେ ଏହା ଲୋକତନ୍ତ୍ର ଓ ଗୃହ ନିୟମର ଉଲ୍ଲଂଘନ ବୋଲି ନିଲମ୍ବିତ ସାଂସଦମାନେ ଅଭିଯୋଗ କରିଥିଲେ । ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସରୁ ୬, ଟିଏମସି ଓ ଶିବସେନାରୁ ଦୁଇଜଣ ଲେଖାଏଁ ଏବଂ ସିପିଆଇ, ସିପିଆଇ (ଏମ୍)ରୁ ଜଣେ ଲେଖାଏଁ ଅଛନ୍ତି ।

ପୁରୀ ଠାରୁ ୭୦ କିଲୋମିଟର ଦୂରରେ ଜୱାଦ, ସୋମବାର ସ୍ୱାଭାବିକ ହେବ ସ୍ଥିତି

ଭୁବନେଶ୍ୱର: ଦୁର୍ବଳ ହେବାରେ ଲାଗିଛି ଜୱାଦ୍ । ଆଉ କିଛି ସମୟ ପରେ ଗଭୀର ଅବପାତ ଅବପାତରେ ପରିଣତ ହେବ । ପୁରୀ ଉପକୂଳ ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ମୋଟାମୋଟି ଭାବେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡ଼କୁ ଗତି କରିବ ଜୱାଦ । ଘଣ୍ଟାକୁ ୧୮ କିଲୋମିଟର ବେଗରେ ବର୍ତ୍ତମାନ ଗତି କରୁଛି ବାତ୍ୟା  । ଏହାର ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳ ଜିଲ୍ଲାରେ ବର୍ଷା ଲାଗି ରହିଛି । ଯଦିଓ ଏହାର ବଡ ପ୍ରଭାବ ରାଜ୍ୟ ଉପରେ ନାହିଁ, ତଥାପି ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ପାଣିପାଗ ବିଭାଗର ସୂଚନା ମୁତାବକ ପବନର ବେଗ ସର୍ବାଧିକ ୬୫ କିଲୋମିଟର ଯାଏ ପହଞ୍ଚିବ । ଜୱାଦ ଏବେ ପୁରୀ ଠାରୁ ୭୦ କିଲୋମିଟର ଦୂରେ ରହିଛି । ସେହିପରି ଗୋପାଳପୁରଠାରୁ ୧୦୦ ଓ ପାରଦୀପଠାରୁ ୧୫୦ କିଲୋମିଟର ଦୂରରେ ରହିଛି ଜଓ୍ୱାଦ । ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ । ସମଗ୍ର ଓଡ଼ିଶାରେ ୧୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପ୍ରଭାବରେ ଉପକୂଳ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Skymet On Cyclone Jawad

ସେପଟେ ଜଓ୍ୱାଦ ପ୍ରଭାବରେ ଗଞ୍ଜାମରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ବର୍ଷା କେବଳ ଆଜି ଅର୍ଥାତ ରବିବାର ହେବାକୁ ଥିବାବେଳେ ସୋମବାର ଆଡ଼କୁ  ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବ । ତେବେ ସୋମବାର ପାଇଁ କୌଣସି ହେଭି ଓ୍ବାର୍ଣ୍ଣିଂ ଅନୁମାନ କରାଯାଇ ନାହିଁ । ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରାଯାଇଛି । କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି କଟକ ଓ ଭୁବନେଶ୍ୱରରେ ବି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ ।

କେଜ୍ରିଓ୍ବାଲଙ୍କ ଘର ଆଗରେ ସିଦ୍ଧୁଙ୍କ ଧାରଣା: ପଚାରିଲେ ‘କେଉଁଠି ଅଛ ଗୁରୁ ?’

ନୂଆଦିଲ୍ଲୀ: ୨୦୨୩ରେ ପଞ୍ଜାବ ବିଧାନସଭା ନିର୍ବାଚନ । ହେଲେ ଏବେଠୁ ଚୌକି ହାତେଇବାକୁ ଜବରଦସ୍ତ ଫାଇଟ । ସରକାର ବଞ୍ଚାଇବାକୁ ପଞ୍ଜାବ ସରକାର ସବୁ ବଳ ଖଟାଇ ଦେଇଥିବା ବେଳେ ଚୌକି ହାତେଇବା ପାଇଁ ଆମ ଆଦମୀ ପାର୍ଟି ମୈଦାନକୁ ଓହ୍ଲାଇ ସାରିଛି । ଆରୋପ, ପ୍ରତ୍ୟାରୋପରେ ଉଷ୍ମ ହେବାରେ ଲାଗିଛି ପଞ୍ଜାବ ରାଜନୈତିକ ପାଣିପାଗ । ଶିକ୍ଷକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ଆରମ୍ଭ ହୋଇଯାଇଛି ଘମାସାନ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବର ମୋହାଲିରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦାବି ଉଠାଇବା ସହ ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ଏବେ ଯେସାକୁ ତେସା ନୀତି ଅବଲମ୍ବନ କରିଛି କଂଗ୍ରେସ । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତି ସିଂ ସିଦ୍ଧୁ ଦିଲ୍ଲୀର ଅତିଥି ଶିକ୍ଷକଙ୍କୁ ନେଇ କେଜ୍ରିଓ୍ବାଲଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ।

ରବିବାର ସିଦ୍ଧୁ ଦଳବଳ ସହ କେଜ୍ରିଓ୍ବାଲଙ୍କ ଘର ପାଖରେ ପହଞ୍ଚି ଧାରଣାରେ ବସିବା ସହ ନିଜ ଷ୍ଟାଇଲରେ ପଚାରିଛନ୍ତି ‘କେଉଁଠି ଅଛ ଗୁରୁ ?’ ସେ କହିଛନ୍ତି, ‘କେଜ୍ରିଓ୍ବାଲ ସାହେବ ପଞ୍ଜାବ ଆସି ଭାଷଣ ଝଡୁଥିଲ । ନିଜ ରୋଗ ବଢ଼ିବାରେ ଲାଗିଛି, ଅନ୍ୟଙ୍କୁ ଔଷଧ ବାଣ୍ଟୁଛ । ’

ଏତିକିରେ ସିଦ୍ଧୁ ଅଟକି ନଥିଲେ । ‘ଭୋଲେ ସୁରତ ଦିଲ୍ କେ ଖୋଟେ, ନାମ ବଡେ ଔର୍ ଦର୍ଶନ ଛୋଟେ…’ ଗୀତ ଗାଇ କେଜ୍ରିଓ୍ବାଲଙ୍କ ପଞ୍ଜାବ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦାବିକୁ ନେଇ ରାଜନୀତି କରିବା ଉପରେ କଟାକ୍ଷ କରିଥିଲେ । ଦିଲ୍ଲୀର ୨୨ ହଜାର ଅତିଥି ଶିକ୍ଷକ ରାସ୍ତା ଉପରେ ଆନ୍ଦୋଳନ କରୁଥିବା ବେଳେ  ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ସ୍ଥାୟୀ ନିଯୁକ୍ତି ଦାବିରେ ଅଖିଳ ଭାରତୀୟ ଅତିଥି ଶିକ୍ଷକ ଆସୋସିଏସିନ ଦିଲ୍ଲୀରେ ଆନ୍ଦୋଳନ କରୁଛି । ସଂଗଠନ ଦାବି ଅନୁସାରେ ଅତିଥି ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ୭ ବର୍ଷ ପୂର୍ବେ ଦିଲ୍ଲୀ ସରକାର ୩ ଥର ପ୍ରତିଶ୍ରୁତି ଦେଇଥିଲେ, ଯାହା ଆଜି ପର୍ଯ୍ୟନ୍ତ ପୂରଣ କରିନାହାନ୍ତି । କରୋନା ଆସିବା ପରେ ଅତିଥି ଶିକ୍ଷକଙ୍କ ସ୍ଥିତି ବହୁତ ଖରାପ ହୋଇଯାଇଛି ।

ସଂଗଠନ ସଭାପତି ଅରୁଣ ଡେଢା କହିଛନ୍ତି, ‘ଅରବିନ୍ଦ କେଜ୍ରିଓ୍ବାଲ କିଛିଦିନ ପୂର୍ବେ ପଞ୍ଚାବରେ କହିଥିଲେ ଅସ୍ଥାୟୀ ଶିକ୍ଷକଙ୍କୁ ସ୍ଥାୟୀ କରିବା ବହୁତ ଛୋଟ କାମ । କେଜ୍ରିଓ୍ବାଲଙ୍କ ଏହି ମନ୍ତବ୍ୟ ପରେ ଦିଲ୍ଲୀର ୨୨ ହଜାର ଅତିଥି ଶିକ୍ଷକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିଲା । ଯେପର୍ଯ୍ୟନ୍ତ ଅତିଥି ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତଙ୍କୁ ସମାନ କାମ ସମାନ ଦରମା ଅନୁସାରେ ଦରମା ଦିଆଯାଉ ।’

 

ସୁକେଶଙ୍କଠାରୁ ୧୦ କୋଟିର ଗିଫ୍ଟ ନେଇଛନ୍ତି ଜ୍ୟାକଲିନ

ମୁମ୍ବାଇ: ବଢିଲା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । କୋଟି କୋଟି ଟଙ୍କାର ଅର୍ଥ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର, ଅଭିନେତ୍ରୀ ଜ୍ୟାକଲିନଙ୍କୁ ଦେଇଥିଲେ ଅଦ୍ଭୁତ ଉପହାର । ଏହା ମଧ୍ୟରେ ଥିଲା ୫୨ ଲକ୍ଷ ଟଙ୍କାର ଏକ ଘୋଡା ଓ ୯ ଲକ୍ଷ ଟଙ୍କାର ଏକ ପାର୍ସୀ ବିଲେଇ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦାଖଲ କରିଥିବା ଚାର୍ଜସିଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ଦର୍ଶାଯାଇଛି । କେବଳ ଏତିକି ନୁହେଁ, ଜ୍ୟାକଲିନଙ୍କୁ ଚନ୍ଦ୍ରଶେଖର ଯେତିକି ଉପହାର ଦେଇଥିଲେ ସେସବୁର ମୋଟ ଦାମ୍ ୧୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି । ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଘଟଣାରେ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଇଡି ।

ଏହି ଘଟଣାରେ ଅଭିନେତ୍ରୀ ନୋରା ଫତେହି ଓ ଜ୍ୟାକଲିନଙ୍କ କିଛି ସହଯୋଗୀଙ୍କୁ ମଧ୍ୟ ଇଡି ଜେରା କରିଛି । ନୋରାଙ୍କୁ ଚନ୍ଦ୍ରଶେଖର ଏକ ବିଏମଡବ୍ଲୁ କାର୍ ଓ ଏକ ଦାମୀ ଆଇ ଫୋନ ଗିଫ୍ଟ ଦେଇଥିବା ଦର୍ଶାଯାଇଛି । ଏସବୁର ମୂଲ୍ୟ ୧ କୋଟି ଟଙ୍କା ହେବ । ଗତ ଜାନୁଆରୀରୁ ଜ୍ୟାକଲିନଙ୍କୁ ଚନ୍ଦ୍ରଶେଖର ଗିଫ୍ଟ ଦେବା ଆରମ୍ଭ କରିଥିଲେ । ଠକେଇ ଅଭିଯୋଗ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚନ୍ଦ୍ରଶେଖର ଜାମିନରେ ଆସିବା ପରେ ଜ୍ୟାକଲିନଙ୍କ ଲାଗି ମୁମ୍ବାଇରୁ ଦିଲ୍ଲୀ ଓ ଦିଲ୍ଲୀରୁ ଚେନ୍ନାଇ ଯିବା ସକାଶେ ଏକ ଚାର୍ଟର୍ଡ ବିମାନ ବୁକ୍ କରିଥିଲେ । ପରେ ସେମାନେ ଚେନ୍ନାଇର ଏକ ହୋଟେଲରେ ରହିଥିଲେ । ଏପରିକି ଜାମିନରେ ଥିବା ବେଳେ ଚନ୍ଦ୍ରଶେଖର ବିମାନ ଖର୍ଚ୍ଚ ବାବଦରେ ୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି ।