spot_img
Home Blog Page 4767

ଏସିଆନ ଚମ୍ପିଆନ୍ସ ଟ୍ରଫି ହକି: ସେମିରେ ଜାପାନଠାରୁ ୫-୩ରେ ହାରିଲା ଭାରତ, ଫାଇନାଲ ଆଶା ଧୂଳିସାତ୍

ଢ଼ାକା: ସେମିଫାଇନାଲରେ ଭାଙ୍ଗିଲା ବିଜୟ ଧାରା । ଲିଗ୍ ମ୍ୟାଚର ବିଜୟ ରଥ ଅଟକଲି ସେମିରେ । ଜାପାନଠାରୁ ୫-୩ରେ ପରାଜିତ ହୋଇ ଟିମ୍ ଇଣ୍ଡିଆ ଏସିଆର ବସ୍ ହେବାର ସ୍ୱପ୍ନ ଶେଷ ହୋଇଛି । ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ସେମିଫାଇନାଲରେ ଆଜି ଭାରତ-ଜାପାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଭାରତକୁ ୫-୩ରେ ପରାସ୍ତ କରିଥିଲା ଜାପାନ ।  ଲିଗ୍ ମ୍ୟାଚରେ ଏକ ତରଫା ବିଜୟର ବଦଲା ନେଇଥିଲା ଜାପାନ ।  ଲିଗ୍ ମ୍ୟାଚରେ ଭାରତ ଜାପାନକୁ ୬-୦ରେ ଏକ ତରଫା ଭାବରେ ବିଜୟ ଲାଭ କରିଥିଲା । କିନ୍ତୁ ସେମିଫାଇନାଲରେ ଲିଗ୍ ମ୍ୟାଚର ପରାଜୟର ବଦଲା ନେଇଥିଲା ଜାପାନ । ଭାରତକୁ ୫-୩ରେ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଜାପାନ ।

ଏହି ମ୍ୟାଚ ଆରମ୍ଭରୁ ଭାରତ ଉପରେ ଚାପ ସୃଷ୍ଟି କରିଥିଲା ଜାପାନ । ପ୍ରଥମ କ୍ୱାଟରର ପ୍ରଥମ ମିନିଟରେ ଜାପାନ ଗୋଲ ସ୍କୋର କରି ଭାରତକୁ ବ୍ୟାକଫୁଟରେ ରଖିଥିଲା । ପ୍ରଥମ ମିନିଟରେ ଗୋଲ ସ୍କୋର କରିବା ପରେ ଦ୍ୱିତୀୟ ମିନିଟରେ ଆଉ ଏକ ଗୋଲ ସ୍କୋର କରିଥିଲା ଜାପାନ । ଏହି ଗୋଲ ସହ ପ୍ରଥମ କ୍ୱାଟର ଶେଷ ସୁଦ୍ଧା ଜାପାନ ୨-୦ରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାଟର ଆରମ୍ଭରୁ ଭାରତ ଗୋଲ ସ୍କୋର କରି ମ୍ୟାଚରେ କମବ୍ୟାକ କରିଥିଲା । କିନ୍ତୁ ଜାପାନ ଦ୍ୱିତୀୟ କ୍ୱାଟର ଶେଷ ମିନିଟରେ ଆଉ ଏକ ଗୋଲ ସ୍କୋର କରି ୩-୧ରେ ଆଗୁଆ ରହିଥିଲା । ତୃତୀୟ କ୍ୱାଟରରେ ମଧ୍ୟ ଭାରତ ଉପରେ ଭାରି ପଡ଼ିଲା ଜାପାନ ।  ତୃତୀୟ କ୍ୱାଟରରେ ଦୁଇଟି ଗୋଲ ସ୍କୋର କରି ଭାରତକୁ ଏହି ମ୍ୟାଚରେ ବ୍ୟାକଫୁଟକୁ ଠେଲି ଦେଇଥିଲା । ତୃତୀୟ କ୍ୱାଟର ଶେଷ ସୁଦ୍ଧା  ଭାରତ ୫-୧ରେ ପଛରେ ରହିଥିଲା ।  ଚତୁର୍ଥ କ୍ୱାଟରରେ ଶେଷ ଭାରତ ଯଦିଓ ଦୁଇଟି ଗୋଲ ସ୍କୋର କରିଥିଲା କିନ୍ତୁ ଏହି ମ୍ୟାଚକୁ ଜିତିବାରେ ସଫଳ ହୋଇନଥିଲା । ଯାହା ଫଳରେ ଏହି ମ୍ୟାଚରେ ଭାରତ ୫-୩ରେ ପରାଜିତ ହୋଇଥିଲା ।

ଦ୍ୱିତୀୟ ସେମିଫାଇନାଲରେ ଭାରତକୁ ୫-୩ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବରେ ଫାଇନାଲ ଟିକେଟ ହାସଲ କରିଛି ଜାପାନ । ଏହା ପୂର୍ବରୁ ଆଜି ପ୍ରଥମ ସେମିଫାଇନାଲରେ ପାକିସ୍ତାନକୁ ୬-୫ରେ ପରାସ୍ତ କରି ପ୍ରଥମ ଦଳ ଭାବରେ ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଆସନ୍ତା ଡିସେମ୍ବର ୨୨ରେ ଏସିଆର ବସ୍ ପାଇଁ ସାଉଥ କୋରଆ ଓ ଜାପାନ ମୁହାଁମୁହିଁ ହେବେ । ସେହିପରି ତୃତୀୟ ସ୍ଥାନ ପାଇଁ ଡିସେମ୍ବର ୨୨ରେ ମୁହାଁମୁହିଁ ହେବେ ଭାରତ- ପାକିସ୍ତାନ ।

 

କଳାହାଣ୍ଡି ବିଜେପିରେ ଫାଟ, ଦଳ ପରିବର୍ତ୍ତନ ପାଇଁ କର୍ମୀଙ୍କ ଧମକ

ଧର୍ମଗଡ଼: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ହେଲେ ନିର୍ବାଚନ ଆଗରୁ କଳାହାଣ୍ଡି ବିଜେପିରେ ଫାଟ । ଆଗାମୀ ଜିଲ୍ଲା ପରିଷଦ ପଦ ପାଇଁ ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ମତଭେଦ । ପ୍ରାର୍ଥୀ ଚୟନରେ ଓବିସିକୁ ଅଣଦେଖା ନେଇ ଦଳ ପରିବର୍ତ୍ତନ ଧମକ ଦେଇଛନ୍ତି କର୍ମୀ ।

BJP Workers Of Kalahandi Warns To Left Party

କଳାହାଣ୍ଡିରେ ମଉଳିଛି ପଦ୍ମ । ଶଙ୍ଖମୁହାଁ ବିଜେପି କର୍ମୀ । ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପର୍ଲା ଜିଲ୍ଲା ପରିଷଦ ଜୋନ-୨ରେ ବିଜେପିରେ ଦେଖିବାକୁ ମିଳିଛି କର୍ମୀ ଅସନ୍ତୋଷ । ପର୍ଲା, ବଡ଼ ଘୁମର, ଗଡିଆଯୋର, କଦଳୀମୁଣ୍ଡା ଭଳି ନଅ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଜିଲ୍ଲା ପରିଷଦ ଜୋନ-୨ । ଏହି ଜୋନରେ ଓବିସି ଭୋଟରଙ୍କ ସଂଖ୍ୟା ଗରିଷ୍ଠତା ରହିଛି । ହେଲେ ଚଳିତ ବର୍ଷ ଏହି ଆସନ ଅଣସଂରକ୍ଷିତ ହୋଇଛି । ଏହି ଓବିସି ସଂଖ୍ୟା ଗରିଷ୍ଠତାର ମତ ନନେଇ ବିଜେପି ଠିକ୍ କରିଛି ପ୍ରାର୍ଥୀ । ଯାହାକୁ ନେଇ ଏବେ ଦେଖିବାକୁ ମିଳିଛି ଗୋଷ୍ଠୀ କନ୍ଦଳ । ବହୁ ପଦପଦବୀରେ ଥିବା ଓବିସି କର୍ମୀ ଏବେ ଦଳ ପରିବର୍ତ୍ତନ କରି ବିଜେଡିରେ ମିଶିବାକୁ ଚେତାବନୀ ଦେଇଛନ୍ତି ।

BJP Workers Of Kalahandi Warns To Left Party

ଧର୍ମଗଡ଼, କୋକସରା, କଲମପୁର ଓ ଜୟପାଟଣା ବ୍ଲକର ୨ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ । ଗତ ପଞ୍ଚାୟତ ନିର୍ବାଚନରେ ୮ ଗୋଟି ଜିଲ୍ଲା ପରିଷଦ ପଦ କେବଳ ବିଜେପି ହାତେଇଥିଲା । ଏଥିରୁ ୬ ଜଣ ଓବିସି ବର୍ଗ ଓ ଜଣେ ସାଧାରଣ ଓ ଜଣେ ଅନୁସୂଚିତ ଜନଜାତି ବର୍ଗର ପାର୍ଥୀ ବିଜୟ ଲାଭ କରିଥିଲେ । ଚଳିତବର୍ଷ କିନ୍ତୁ ଓବିସିଙ୍କ ମତ ନନେଇ ବିଜେପି ଏକତରଫା ରଣନୀତି ପ୍ରସ୍ତୁତ କରିବାକୁ ନେଇ କର୍ମୀ ଅସନ୍ତୋଷ ଦେଖିବାକୁ ମିଳିଛି ।

ଇଣ୍ଡିଆନ ଅଏଲ କ୍ୟାମ୍ପସରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଜୀବନ୍ତ ଦଗ୍ଧ

ହଳଦିଆ: ପଶ୍ଚିମବଙ୍ଗର ହଳଦିଆସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନର କ୍ୟାମ୍ପସରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ପ୍ରାୟ ୩୫ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ଲୋକମାନଙ୍କୁ ଇଣ୍ଡିଆନ ଅଏଲ କର୍ପୋରେସନ ହସ୍ପିଟାଲ ଓ କୋଲକାତା ପୋର୍ଟ ଟ୍ରଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଜି ଇଣ୍ଡିଆନ ଅଏଲ କର୍ପୋରେସନର ମଧ୍ୟରେ ଏକ ମକ୍ ଡ୍ରିଲ ଆୟୋଜନ ହୋଇଥିଲା । ମକ୍ ଡ୍ରିଲ ପରେ ଗୋଟିଏ ପ୍ଲାଣ୍ଟରେ ସଟଡାଉନ କାମ ଚାଲୁଥିଲା । ଏହି ସମୟରେ ଡ୍ରିଲିଂ ବେଳେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ୧୦ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ ।

ଇଣ୍ଡିଆନ ଅଏଲ କର୍ପୋରେସନ ତରଫରୁ ସୂଚନା ଦିଆଯାଇଛି କି ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବରେ ୧୨ ଜଣଙ୍କୁ କୋଲକାତା ପଠାଯାଇଛି । ଏହି ଅଗ୍ନିକାଣ୍ଡ ପରେ IOC ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ସ୍ଥାନୀୟ ପ୍ରଶାସନ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଘର ମରାମତି ପାଇଁ ୩୦ ଲକ୍ଷ ପରିବାରକୁ ମିଳିବ ସହାୟତା

ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି । ଘର ମରାମତି ପାଇଁ ସହାୟତା ଦେବେ ସରକାର । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଞ୍ଚଳ ପକ୍କାଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ମିଳିବ । କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ୫ ହଜାର ଟଙ୍କା ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଘର ହେଉଛି ଗୋଟିଏ ପରିବାରର ପରିଚୟ । ଭଲ ଘରଟିଏ ସମସ୍ତଙ୍କ ସ୍ୱପ୍ନ । ଓଡ଼ିଶା ଉପରେ ସବୁବେଳେ ବାତ୍ୟା, ବନ୍ୟାର ଭୟ ରହୁଛି । ପ୍ରତିବର୍ଷ ଆମେ ବାତ୍ୟାର ସାମ୍ନା କରୁଛୁ । ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷାର ଆଧାର । ସବୁ ପରିବାରର ମୁଣ୍ଡ ଉପରେ ଛାତ ଥିଲା ବିଜୁବାବୁଙ୍କ ସ୍ୱପ୍ନ । ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ବିଜୁ ପକ୍କାଘର ଯୋଜନା ଆରମ୍ଭ କରିଛୁ । ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ୨୦୧୪ର ଶେଷ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲୁ । ଏହି ଦିଗରେ ଭଲ କାମ ହୋଇଛି ।

ଗ୍ରାମାଞ୍ଚଳରେ ଘର ତିଆରିରେ ଓଡ଼ିଶା ସାରା ଦେଶରେ ଏକ ଆଗୁଆ ରାଜ୍ୟ । ୨୦୧୪ରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଗୃହ ନିର୍ମାଣ ପାଇଁ ୨୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଗାଁର ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଦେବା ପାଇଁ ନିଜ ପାଣ୍ଠିରୁ ବିଜୁ ପକ୍କାଘର, ଶ୍ରମିକ ନିର୍ମାଣ ସହ ଖଣି ଅଞ୍ଚଳ ପକ୍କାଘର ଯୋଜନା କରିଛନ୍ତି । ଏଥିସହ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ରହିଛି । ଏଥିପାଇଁ ରାଜ୍ୟ ସରକାର ଅଧା ଖର୍ଚ୍ଚ କରୁଛନ୍ତି । କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଅନେକ ପରିବାର ଅନେକ ଦିନ ହେଲା ଅପେକ୍ଷା କରିଛନ୍ତି ।

ଦୁଃଖର କଥା ଆଦିବାସୀ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାର ଲୋକ ପ୍ରଭାବିତ ହୋଇଛନ୍ତି । ଏନେଇ ମୁଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । କୋଭିଡ୍ ଯୋଗୁଁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି । ଘରର ଛୋଟ ଛୋଟ ମରାମତି ଏପରିକି ଘରେ ଚୂନ ଦେବାରେ ଅସୁବିଧା ହେଉଛି । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ ଐତିହାସିକ ନିଷ୍ପତ୍ତି ନେଇଛି । ଏଭଳି ନିଷ୍ପତ୍ତି ନେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ।

ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଞ୍ଚଳ ପକ୍କାଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ମିଳିବ । କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ୫ ହଜାର ଟଙ୍କା ଦିଆଯିବ । ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ୩୦ ଲକ୍ଷ ପରିବାର ଉପକୃତ ହେବେ । ଏଥିପାଇଁ ୧୪ ଶହ ୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ବିଜୁ ପକ୍କାଘର ଯୋଜନାରୁ ଏହି ଟଙ୍କା ଖର୍ଚ୍ଚ ହେବ ।

ମୋ ସରକାର ଥିବା ଯାଏ ରାଜ୍ୟର ଭାଇଭଉଣୀଙ୍କୁ ହଇରାଣ ହେବାକୁ ଦେବି ନାହିଁ । ମୁଁ ଚାହେଁ ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । କେନ୍ଦ୍ର ସରକାର ଆପଣମାନଙ୍କର ନ୍ୟାୟପୂର୍ଣ୍ଣ ଦାବି ଗ୍ରହଣ ନକଲେ ମଧ୍ୟ ଚିନ୍ତା କରନ୍ତୁ ନାହିଁ । ରାଜ୍ୟ ସରକାର ଆପଣଙ୍କ ସାଥିରେ ଅଛନ୍ତି, ଘର ଦେବାକୁ ଆମେ ପଦକ୍ଷେପ ନେବୁ ।

ରାଜଧାନୀକୁ ଫେରିଲା କୋଭିଡ୍ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ଭିତରେ ରାଜଧାନୀ ଭୁବନେଶ୍ୱରକୁ ପୁଣି ଥରେ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ସତର୍କତାମୂଳକ ପଦକ୍ଷେପ ନେଇ ବିଏମସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ବମିଖାଲର ଜୟଦୁର୍ଗା ନଗର ଓ ଭିଏସ୍ଏସ୍ ନଗରର ୧୧ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ବିଏମସି ନିର୍ଦ୍ଦେଶ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯାଇପାରିବେ ନାହିଁ କି ପ୍ରବେଶ କରିବେ ନାହିଁ । ବମିଖାଲ ଜୟଦୁର୍ଗା ନଗରର ପ୍ଲଟ ନମ୍ବର ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ବିଏମସି ସମସ୍ତ ଅତ୍ୟାବଶ୍ୟକୀୟ ସେବା ଯୋଗାଇଦେବ । କଣ୍ଟେନମେଣ୍ଟ ଜୋନରେ ଥିବା ଲୋକ ୯୩୩୮୭୩୩୬୪୧ ନମ୍ବରରେ କଲ୍ କରି ଔଷଧ୍ୟ ଓ ଅନ୍ୟ ଜିନିଷ ମଗାଇ ପାରିବେ ।

ସେହିଭଳି ଭିଏସ୍ଏସ୍ ନଗର ୧୧ ନମ୍ବର ୱାର୍ଡର ପ୍ଲଟ୍ ନମ୍ବର ଏଇ-୨୧୦କୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । କଣ୍ଟେନମେଣ୍ଟ ଜୋନକୁ ଲାଗି ରହିଥିବା ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଯିବ ।

ଶୁଭମଙ୍କୁ ପୁଣି ସହାୟତାର ହାତ ବଢ଼ାଇଲା ପ୍ରଶାସନ

ବଲାଙ୍ଗିର: କୃତ୍ରିମ ଗୋଡ଼ ପାଇ ପୁଣି ଥରେ ଠିଆ ହୋଇଥିବା ଶୁଭମକୁ ମିଳିଲା ଆହୁରି ସରକାରୀ ସହାୟତା । ଶୁଭମର ପାଠପଢା ଦାୟିତ୍ୱ ହାତକୁ ନେଇଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଏହା ସହିତ ଶୁଭମ ଯେପରି ଭଲ ଖେଳାଳି ହୋଇ ବାହାରିବ ସେନେଇ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରତିଶ୍ରୁତି ଦେଇଛନ୍ତି ।

Bolangir Dist Administration Extended Help Hand For Shubham's Education

ସୁସ୍ଥ ହେବା ପରେ ବାପାଙ୍କ ସହିତ ଚାଲି ଚାଲି ଆସି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦେଖା କରିଛନ୍ତି ଶୁଭମ । ବଡ଼ ହେଲେ ଜଣେ କ୍ରୀଡ଼ାବିତ୍ ହେବେ ବୋଲି ଶୁଭମ ଜିଲ୍ଲାପାଳଙ୍କୁ କହିଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ଅନୁଷ୍ଠିତ ହେଉଥିବା କ୍ରୀଡ଼ାରେ ଶୁଭମକୁ ସାମିଲ୍ କରି ଉତ୍ସାହିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଶୁଭମ ଯେପରି ଭବିଷ୍ୟତରେ ଭଲ କ୍ରୀଡ଼ାବିତ ହେବ ସେନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

Bolangir Dist Administration Extended Help Hand For Shubham's Education

ଏଥିସହିତ ଶୁଭମର ପାଠପଢ଼ା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ । ବଲାଙ୍ଗିର ଜିଲ୍ଲା ସଗାରପାଲି ଗାଁର ଶୁଭମ ଦୁର୍ଘଟଣାରେ ଗୋଡ଼ ହରାଇଥିଲେ । ଜିଲ୍ଲାପାଳଙ୍କ ଉଦ୍ୟମରେ କୃତ୍ରିମ ଗୋଡ଼ ଲଗାଇବା ପରେ ପୁଣି ଥରେ ଠିଆ ହୋଇ ଚାଲୁଛନ୍ତି ଶୁଭମ୍ । ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, ସିରିଜରୁ ବାହାରିଲେ ଏହି ଷ୍ଟାର ବୋଲର

ଜୋହାନର୍ସବର୍ଗ: ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ଭାରତ- ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ତିନି ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ବଡ଼ ଝଟକା । ଦକ୍ଷିଣ ଆଫ୍ରିକା ଷ୍ଟାର ଦ୍ରୁତ ବୋଲର ଏନରିଚ୍ ନୋର୍କିଆ ଏହି ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି । ଏହି ଟେଷ୍ଟ ସିରିଜ୍ ପାଇଁ ନୋର୍କିଆ ଦଳର ଚୟନ ପୂର୍ବରୁ ହିଁ ଆହତ ଥିଲେ । ତେବେ ଭାରତ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପୂର୍ବରୁ ନୋର୍କିଆ ଫିଟ୍‌ ହୋଇପାରିନାହାନ୍ତି । ଯାହା ଫଳରେ ସେ ଏହି ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳରୁ ବାହାର ଯାଇଛନ୍ତି ।

ଦକ୍ଷିଣ ଆଫ୍ରିକା ଦଳରେ ନୋର୍କିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲେ । କଗିସୋ ରାବାଡାଙ୍କ ସହ ମିଶି ସେ ଦକ୍ଷିଣ ଆଫ୍ରିକା ଦଳକୁ ବହୁ ସଫଳତା ଦେଇଛନ୍ତି । କ୍ରିକେଟ ସାଉଥ ଆଫ୍ରିକା ଟ୍ୱିଟ କରି କହିଛି କି ଏନରିଚ୍ ନୋର୍କିଆ ତାଙ୍କ ପୂର୍ବ ଆଘାତ କାରଣରୁ ଟିମ୍ ଇଣ୍ଡିଆ ବିପକ୍ଷରେ ହେବାକୁ ଥିବା ତିନି ଟିକିଆ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି ।

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଫଳରେ ନୋର୍କିଆଙ୍କ ସ୍ଥାନରେ ଆଉ କୌଣସି ଖେଳାଳିଙ୍କ ରିପ୍ଲେସମେଣ୍ଟ କରାଯାଇନାହିଁ । ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତରେ ସଂକ୍ରମଣ ହେଉଛି । ଯାହା ଫଳରେ ଉଭୟ ଦଳଙ୍କୁ କଡ଼ା ବାୟୋ ବବଲରେ ରଖାଯାଇଛି । ଚଳିତ ବର୍ଷ ନୋର୍କିଆ ୫ଟି ଟେଷ୍ଟ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଥିଲେ । ଦକ୍ଷିଣ ଆଫ୍ରିକା ପାଇଁ ନୋର୍କିଆ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୪୭ଟି ଓ୍ୱିକେଟ ହାସଲ କରିଛନ୍ତି ।

ବନ୍ଧାହେଲେ ଆନ୍ଧ୍ର ବ୍ୟାଙ୍କର ମହିଳା ଆସିଷ୍ଟାଣ୍ଟ ମ୍ୟାନେଜର

ଭୁବନେଶ୍ୱର: ଗ୍ରାହକଙ୍କ ବିଶ୍ୱାସ ଓ ଭରସାରେ ବିଷ । ଗିରଫ ହେଲେ ଆନ୍ଧ୍ର ବ୍ୟାଙ୍କର ମହିଳା ଆସିଷ୍ଟାଣ୍ଟ ମ୍ୟାନେଜର । ଭରତପୁର ଅଞ୍ଚଳରେ ଥିବା ଏକ ଆନ୍ଧ୍ର ବ୍ୟାଙ୍କର ସହକାରୀ ଶାଖା ପରିଚାଳକଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ଘରୋଇ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ମୀନା ନାଏକ ବ୍ୟାଙ୍କରେ ଗ୍ରାହକଙ୍କୁ ଠକୁଥିଲେ । ଅଭିଯୋଗ ଅନୁସାରେ, ଜଣେ ଅବସରପ୍ରାପ୍ତ ଶିକ୍ଷକ ଆନ୍ଧ୍ର ବ୍ୟାଙ୍କରେ ଅକ୍ଟୋବର ୧୬ ତାରିଖରେ ୧୦ ଲକ୍ଷ ଟଙ୍କା ଏକ ବର୍ଷ ପାଇଁ ଫିକ୍ସ ଡିପୋଜିଟ୍ (ସ୍ଥାୟୀ ଜମା) କରିଥିଲେ ।

Police Arrested Fraduters Bank Assistant Manager In Bhubanwsar

ସ୍ଥାୟୀ ଜମାର ଦିନକ ପରେ ଘରୋଇ ବ୍ୟାଙ୍କର ମହିଳା ଅଧିକାରୀ ଜଣଙ୍କୁ ଉକ୍ତ ଫିକ୍ସ ଡିପୋଜିଟରୁ ୭ ଲକ୍ଷ ଟଙ୍କା ଋଣ ଆକାରରେ ଉଠାଇ ନିଜ ସମ୍ପର୍କୀୟଙ୍କ ବିଭିନେ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଏନେଇ ଜମାକାରୀ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଅବଗତ ହେବା ପରେ କମିଶନରେଟ୍ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ୪୨୦ ମହିଳା ବ୍ୟାଙ୍କ ଅଧିକାରୀ ମୀନା ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Police Arrested Fraduters Bank Assistant Manager In Bhubanwsar

ବ୍ୟାଙ୍କ ଅଡିଟରୁ ଜଣାପଡ଼ିଛି ସହକାରୀ ଶାଖା ପରିଚାଳକ ମୀନା ଏଭଳି ଭାବେ ଗ୍ରାହକଙ୍କ ଠାରୁ ୧ କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି । ମୀନା ପ୍ରାୟ ୧୧୬.୮୭ ଲକ୍ଷ ଟଙ୍କା ବିଭିନ୍ନ ଗ୍ରାହକଙ୍କ ଆକାଉଣ୍ଟରୁ ଲୁଟି ନେଇଛନ୍ତି । କର୍ତ୍ତୃପକ୍ଷ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ବ୍ୟାଙ୍କ ଅଡିଟରେ କାରନାମା ଧରାପଡ଼ିବା ପରେ ସେ କିଛି ଟଙ୍କା ଫେରାଇଛନ୍ତି । ଭରତପୁର ପୋଲିସ ଓ କମିଶନରେଟ ପୋଲିସର ଆଣ୍ଟି ଫ୍ରଡ୍ ସେଲ୍ ହାତରେ ଧରାପଡ଼ି ଜେଲ୍ ଯାଇଛନ୍ତି ମୀନା । ପୋଲିସ ଏବେ ବି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଠକେଇର ଶିକାର ଜମାକାରୀ ପୋଲିସରେ ଅଭିଯୋଗ କରିବାକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଆଜି ରାତିରେ ବି ମଞ୍ଜ ଥରାଇବ ହାଡ଼ଭଙ୍ଗା ଜାଡ଼

ଭୁବନେଶ୍ୱର: ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ଓଡ଼ିଶା । ଖସୁଛି ପାରଦ, ବଢ଼ୁଛି ଶୀତ । ଆଜି ରାତିରେ ବି ମଞ୍ଜ ଥରାଇବ ହାଡ଼ଭଙ୍ଗା ଜାଡ଼ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୭ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ପ୍ରବଳ ଶୀତ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ସେହିଭଳି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ସେହିଭଳି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାକୁ ଦିନ ବେଳା ଶୀତଲହରୀ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ୨୩ ତାରିଖରେ ପ୍ରବଳ ଶୀତ ନେଇ ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ନୟାଗଡ଼, କଟକ ଓ ଖୋର୍ଦ୍ଧାକୁ ୟେଲୋ ଆଲର୍ଟ ଦିଆଯାଇଛି ।

୨୪ ତାରିଖରେ କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ଶୀତ ନେଇ ଦିଆଯାଇଛି ୟେଲୋ ଆଲର୍ଟ । ଆସନ୍ତା ୩ ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତାପରେ ତାପମାତ୍ରା ଧିରେ ଧିରେ ୨ରୁ ୩ ଡିଗ୍ରୀ ଯାଏ ବଢ଼ିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଠାରୁ ପାରଦ ୫ରୁ ୬ ଡିଗ୍ରୀ ଖସିବ । ସେହିଭଳି ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଠାରୁ ପାରଦ ୪ରୁ ୫ ଡିଗ୍ରୀ ସେଲସିୟସ୍ ହ୍ରାସ୍ ପାଇପାରେ ।

ନୂଆ ଲେବର କୋଡ ଆଣିବେ କେନ୍ଦ୍ର ସରକାର, ସପ୍ତାହରେ ୪ ଦିନ କାମ ୩ ଦିନ ଛୁଟି

ନୂଆଦିଲ୍ଲୀ: ଆସନ୍ତା ନୂଆ ଆର୍ଥିକ ବର୍ଷରୁ ଆସିବ ନୂଆ ନିୟମ । ସପ୍ତାହରେ ୪ ଦିନ କାମ ଓ ୩ ଦିନ ଛୁଟି ନିୟମ ଲାଗୁ ହେବ । ଏହା ସହ ମଜୁରୀ, ସାମାଜିକ ନିରାପତ୍ତା, ଶିଳ୍ପ ସମ୍ପର୍କ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଚାରୋଟି ଲେବର କୋଡ ଆସିବ । ଏନେଇ ସମସ୍ତ ଯୋଜନା ଚୂଡାନ୍ତ  ହୋଇଛି । ନୂଆ ଲେବର କୋଡ ନେଇ ଖୁବ୍ ଶୀଘ୍ର ଗାଇଡଲାଇନ ଜାରି କରାଯିବ । ଏହି ନିଷ୍ପତ୍ତି ଯୋଗୁ ଦେଶରେ କର୍ମ ସଂସ୍କୃତିରେ ବ୍ୟାପକ ପରିବର୍ତ୍ତନ ଆସିବ । ଏହି ନିୟମ ନେଇ ନିଜ ନିଜର ଖସଡା ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ କହିଛନ୍ତି । କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୧୩ଟି ରାଜ୍ୟ ନିଜ ନିଜର ଚିଠାନୀତି ପ୍ରସ୍ତୁତ କରିଛନ୍ତି ।

ନୂଆ ନିୟମ ଅନୁସାରେ କର୍ମଚାରୀମାନେ ଏହି ୪ ଦିନ ୧୨ ଘଣ୍ଟା ଲାଗି କାମ କରିବେ । ପ୍ରତିମାସରେ ଦାଖଲ ହେଉଥିବା କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିର ପରିମାଣ ବୃଦ୍ଧି ପାଇବ । ଏହା ଯୋଗୁ କର୍ମଚାରୀଙ୍କ ଦରମା ପରିମାଣ ହ୍ରାସ ପାଇବ । ବର୍ତ୍ତମାନର ନିୟମ ଅନୁସାରେ ଭବିଷ୍ୟନିଧି ପାଣ୍ଠି ପାଇଁ ଜଣେ ନିଯୁକ୍ତିଦାତାଙ୍କ ଅବଦାନ କର୍ମଚାରୀଙ୍କ ବେସିକ ଦରମା ଓ ମହଙ୍ଗାଭତ୍ତା ଉପରେ ନିର୍ଭର କରିଥାଏ । ଯଦି ଜଣେ କର୍ମଚାରୀ ମାସିକ ୫୦ ହଜାର ଟଙ୍କା ଦରମା ପାଆନ୍ତି ତେବେ ତାଙ୍କର ବେସିକ ଦରମା ହେବ ୨୫ ହଜାର ଟଙ୍କା । ଅବଶିଷ୍ଟ ୨୫ ହଜାର ଟଙ୍କା ଭତ୍ତା ଭାବେ ଗଣନା କରାଯାଇଥାଏ । ଯଦି ବେସିକ ପରିମାଣ ବୃଦ୍ଧି କରାଯାଏ ତେବେ ସେହି ଅନୁସାରେ ଅଧିକ ପିଏଫ ପରିମାଣ କର୍ମଚାରୀଙ୍କ ଦରମାରୁ ବିଯୁକ୍ତ କରାଯିବ । ଫଳରେ କର୍ମଚାରୀଙ୍କ ଟେକ୍ ହୋମ ଦରମା ପରିମାଣ ହ୍ରାସ ପାଇବ ।